ବିଧାନସଭାରେ ନବୀନଙ୍କ ମିଛର ପର୍ଦ୍ଦାଫାଶ କଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର: ନବୀନଙ୍କ ନୂଆ ଏନଏସି ଘୋଷଣା ଥିଲା ଧୂଆଁବାଣ। ବିଧାନସଭାରେ ନବୀନଙ୍କ ମିଛର ପର୍ଦ୍ଦାଫାଶ କଲେ ନଗର ଉନ୍ନୟନ ମନ୍ତ୍ରୀ। ପ୍ରଶ୍ନ କଲେ ପ୍ରତାପ ଦେବ, ପୋଲ୍ ଖୋଲିଦେଲେ ମନ୍ତ୍ରୀ। କହିଲେ ରାଜ୍ୟରେ ନୂଆ ଏନଏସି ଘୋଷଣା ନେଇ ଜିଲ୍ଲାପାଳଙ୍କ ଠାରୁ ଆସିନାହିଁ କୌଣସି ପ୍ରସ୍ତାବ । ପୂର୍ବ ସରକାର ତରବରିଆ ଭାବରେ କରିଥିଲେ ଘୋଷଣା। ଜିଲ୍ଲାପାଳ ମାନଙ୍କୁ ପୁଣି ଥରେ ଚିଠି ଲେଖିବୁ ବୋଲି କହିଲେ ମନ୍ତ୍ରୀ। ନବୀନ ପଟ୍ଟନାୟକ ଘୋଷଣା କରିଥିଲେ ରାଜ୍ୟର ୩୪ ଟି ନୂଆ ଏନଏସି ଗଠନ କରାଗଲା । ଏଥିସହିତ ୫ଟି ଏନଏସିକୁ ମ୍ୟୁନିସିପାଲଟିକୁ ଉନ୍ନୀତ କରାଗଲା । ପାଲଲହଡା, ଛେଣ୍ଡିପଦା, ବସ୍ତା, ସିମୁଳିଆ, ପାଇକମାଳ, ଭେଡେନ, ଆଗରପଡା, ବେଲପଡା, ସଇଁତଳା, ପାଣିକୋଇଲି ଭଳି ୩୪ଟି ନୂଆ ଏନଏସି ଘୋଷଣା ହୋଇଥିଲା । ଯାହାକୁ ନେଇ ବିଜେଡି ନିର୍ବାଚନୀ ପ୍ରସଙ୍ଗ କରିବା ସହିତ ବଡ ସେଲିବ୍ରେସନ ମଧ୍ୟ କରିଥିଲା । ଏମିତି କି ନବୀନଙ୍କୁ ଧନ୍ୟବାଦ ଦେବାକୁ ନବୀନ ନିବାସରେ ଲାଗିଲା ଲମ୍ବା ଲାଇନ ।
ଏହାପରେ ଅନ୍ୟ ଅଞ୍ଚଳକୁ ଏନଏସି ମାନ୍ୟତା ନ ମିଳିବାରୁ ଅସନ୍ତୋଷ ତୀବ୍ର ହାଇଥିଲା । ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ରିସ୍କ ନ ନଇ ପୁଣି ଆଉ କିଛି ଅଞ୍ଚଳ ବିରମହାରାଜପୁର, ଖଇରା,ଭଞ୍ଜନଗର ଭଳି କିଛି ବ୍ଲକକୁ ମିଶାଇ ୫୭ ବ୍ଲକକୁ ଏନଏସି ମାନ୍ୟତା ନେଇ ଘୋଷଣା ହେଲା । କିନ୍ତୁ ଏନଏସି ଘୋଷଣା କେବଳ ଘୋଷଣାରେ ସୀମିତ ରହିଯାଇଛି । ପାଦେ ବି ଆଗେଇ ନାହିଁ । କାରଣ ନୂଆ ଏନଏସି ଗଠନ ନେଇ ଜିଲ୍ଲାପାଳଙ୍କ ଠାରୁ କୌଣସି ପ୍ରସ୍ତାବ ଆସିନାହିଁ ବୋଲି ବିଧାନସଭାରେ କହିଛନ୍ତି ଖୋଦ୍ ନଗର ଉନ୍ନୟନ ମନ୍ତ୍ରୀ । ଏପରିକି ବିଜେଡି ବିଧାୟକ ସଞ୍ଜୀବ ମଲିକ ଓ ପ୍ରତାପ ଦେବ ଙ୍କ ପ୍ରଶ୍ନର ଉତ୍ତର ରଖି ବିଜେଡି ଉପରେ ଭାରି ପଡ଼ିଥିଲେ ମନ୍ତ୍ରୀ ।
ତତ୍କାଳୀନ ନବୀନ ସରକାରଙ୍କ ଏନଏସି ଘୋଷଣା ମିଛ ଥିଲା ବୋଲି ବିଧାନସଭା ରେ ନଗର ଉନ୍ନୟନ ମନ୍ତ୍ରୀ କହିବା ପରେ ବିଭିନ୍ନ ସ୍ଥାନରେ ନିନ୍ଦା କରାଯାଇଛି । ନିର୍ବାଚନ ପାଇଁ ନବୀନ ଙ୍କ ଏଭଳି ମିଛ ଘୋଷଣାକୁ ସମାଲୋଚନା କରିଛନ୍ତି ସାଧାରଣ ଲୋକେ । ନିର୍ବାଚନ ପୂର୍ବରୁ ଅନେକ ବଡ ବଡ଼ ଘୋଷଣା କରିଥିଲେ ତତ୍କାଳୀନ ନବୀନ ସରକାର । ଭୋଟ୍ ବ୍ୟାଙ୍କ ସୁରକ୍ଷିତ ରଖିବାକୁ ବିଭିନ୍ନ ବର୍ଗଙ୍କ ପାଇଁ ଭଣ୍ଡାର ଖୋଲିଦେଇଥିଲେ । କିନ୍ତୁ ସବୁଠାରୁ ବଡ ଘୋଷଣା ଥିଲା ନୂଆ ଏନଏସି ବା ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ । ମାତ୍ର ଜନ ଅସନ୍ତୋଷ କୁ ପ୍ରଶମିତ କରିବା ପାଇଁ କରାଯାଇଥିବା ଏନଏସି ଘୋଷଣା ମିଛ ଥିଲା ବୋଲି ଧରାପଡ଼ିବା ପରେ ନବୀନଙ୍କ ଉପରକୁ ସାଧାରଣରେ ଉଠିଛି ଅଙ୍ଗୁଳି।
ଅଧିକ ପଢନ୍ତୁ ଓଡ଼ିଶା ଖବର