Videos
|
Odisha

Student Union Elections / ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ୍‌, ବାଣୀବିହାରରେ ବ୍ୟାପକ ଭଙ୍ଗାରୁଜା...କ୍ୟାମ୍ପସ୍‌ରେ ପୋଲିସ୍‌ ଛାଉଣୀ

Santosh Kumar Sahoo
Browse all articles by Santosh Kumar Sahoo
·49 mins ago·3 min read
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ୍‌, ବାଣୀବିହାରରେ ବ୍ୟାପକ ଭଙ୍ଗାରୁଜା...କ୍ୟାମ୍ପସ୍‌ରେ ପୋଲିସ୍‌ ଛାଉଣୀ
Student Union Elections

Key Points

ଛାତ୍ର ନିର୍ବାଚନ ପାଇଁ ଓଡ଼ିଶା ଅଶାନ୍ତ
ବାଣୀବିହାରରୁ ବଲାଙ୍ଗିର ସବୁଠି ବ୍ୟାପକ ଭଙ୍ଗାରୁଜା
ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ୍‌

ଦୀର୍ଘ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ହେଉଥିବା ବେଳେ, ଏହାକୁ ନେଇ ଯେତିକି ଉତ୍ସାହ, ସେତିକି ଦେଖାଯାଉଛି ହିଂସା, ରକ୍ତପାତ ଓ ଧମକଚମକର ଚିତ୍ର । ରାଜ୍ୟର ଅଧିକାଂଶ ପ୍ରମୁଖ ଶିକ୍ଷାନୁଷ୍ଠାନ ରଣକ୍ଷେତ୍ର ପାଲଟିଛି। ସବୁଠୁ ସଙ୍ଗୀନ ସ୍ଥିତି ହୋଇଛି ରାଜଧାନୀର ପ୍ରାଣକେନ୍ଦ୍ର ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାରରେ । ସେଠି ଆଜି ‘Why I Stand For’ ମିଟିଂ ବେଳେ ଅଣଛାତ୍ରଙ୍କ ପ୍ରବେଶ, ବିସିଜେଡି ନେତାଙ୍କ ଦବଙ୍ଗଗିରି, ଚେୟାର ଫିଙ୍ଗା ଫୋପଡ଼ା ଏବଂ ଶେଷରେ ଏବିଭିପି ଛାତ୍ରଙ୍କୁ ଲହୁଲୁହାଣ । ସ୍ଥିତି ଏମିତି ବିଗିଡ଼ିଲା ଯେ, ନିଜେ ପୋଲିସ କମିଶନର ଏବଂ ଡିସିପିଙ୍କୁ କ୍ୟାମ୍ପସରେ ପଶିବାକୁ ପଡ଼ିଲା । କେବଳ ବାଣୀବିହାର ନୁହେଁ, ଢେଙ୍କାନାଳ ଓଡ଼ାପଡ଼ା କଲେଜରେ ଏବିଭିପି ସଭାପତି ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ ପରେ ନିର୍ବାଚନ ବାତିଲ ହୋଇଛି ଏବଂ ସାଇନ୍ ଡାଏ ଘୋଷଣା କରାଯାଇଛି । ବଲାଙ୍ଗିରରେ ବିଜେପି-ବିଜେଡି ମୁହାଁମୁହିଁ ପରେ ପୋଲିସ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ଓ ଜିଲ୍ଲା ଛାତ୍ର ସଭାପତିଙ୍କୁ ଅଟକ ରଖିଛି । ସେପଟେ ସୁବର୍ଣ୍ଣପୁର ବିନିକା କଲେଜ ଅଧ୍ୟକ୍ଷଙ୍କୁ ମିଳିଛି ହତ୍ୟା ଧମକ ।

ଚେୟାର ଉଡ଼ିଲା, ମୁଥ ଲାଗିଲା...ଏହା କୌଣସି ରାଜନୈତିକ ଦଳର ସଭା ନୁହେଁ, ବରଂ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରର ଅଡିଟୋରିୟମ୍‌ର ଚିତ୍ର । ‘Why I Stand For’ ମିଟିଂ ଚାଲିଥିବା ବେଳେ ଆଜି ଏଠି ଯେଉଁ କାଣ୍ଡ ହେଲା ତାହା ଶିକ୍ଷା ମନ୍ଦିରର ଛବି ମଳିନ କରିଛି । ଏଠି ହଠାତ୍ ଆରମ୍ଭ ହୋଇଥିଲା ତାଣ୍ଡବ । ଅଭିଯୋଗ, ବିସିଜେଡିର କିଛି ଅଣଛାତ୍ର ଏବଂ ପୁରାତନ ଛାତ୍ର କନଭୋକେସନ ହଲକୁ ପଶିବାକୁ ଚେଷ୍ଟା କରିଥିଲେ । ଯେତେବେଳେ ସାଧାରଣ ଛାତ୍ର ଓ ଏବିଭିପି କର୍ମୀ ଏହାକୁ ବିରୋଧ କଲେ, ଆଉ ତା ପରେ ଆରମ୍ଭ ହୋଇଗଲା ଭଙ୍ଗାରୁଜା । ବିଜେଡିର ନେତାଏ ବ୍ୟାନର୍ ଚିରିବା ଓ ଏବିଭିପି ଛାତ୍ରଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି ।

ଏହି ହିଂସାକାଣ୍ଡରେ ଏବିଭିପିର ଛାତ୍ର ଶ୍ୟାମ ସୁନ୍ଦର ବେହେରା ଲହୁଲୁହାଣ ହୋଇଛନ୍ତି । ପରାଜୟ ଭୟରେ ବିଜେଡିର ଗୁଣ୍ଡାମାନେ ଏଭଳି କାଣ୍ଡ ଭିଆଇ ନିର୍ବାଚନ ବନ୍ଦ କରିବାକୁ ଚାହୁଁଥିବା ଏବିଭିପି ଅଭିଯୋଗ କରିଛି । ସ୍ଥିତି ଏତେ ଉତ୍ତେଜନାପୂର୍ଣ୍ଣ ହୋଇଥିଲା ଯେ, ଶେଷରେ ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପି ନିଜେ କ୍ୟାମ୍ପସରେ ପହଞ୍ଚିଥିଲେ । DCP କଡ଼ା ଚେତାବନୀ ଦେବା ସହ କହିଲେ, ଅଣଛାତ୍ର କ୍ୟାମ୍ପସ୍ ଭିତରେ ରହିପାରିବେ ନାହିଁ ।

ବାଣୀବିହାର ଭଳି ନିଆଁ ରାଜ୍ୟର ଅନ୍ୟ କଲେଜକୁ ମଧ୍ୟ ବ୍ୟାପିଛି । ଢେଙ୍କାନାଳ ହିନ୍ଦୋଳ ଓଡ଼ାପଡ଼ା କଲେଜରେ ଏବିଭିପି ସଭାପତି ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ ପରେ ଛାତ୍ରଛାତ୍ରୀ କଲେଜ ଗେଟ୍‌ରେ ତାଲା ପକାଇ ପ୍ରତିବାଦ କରିଥିଲେ । ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ ପ୍ରଶାସନ ନିର୍ବାଚନ ବାତିଲ କରିବା ସହ 'ସାଇନ୍ ଡାଏ' ଘୋଷଣା କରିଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବଲାଙ୍ଗିରରେ ଗତକାଲି ସର୍କିଟ ହାଉସ୍‌ରେ ମୁହାଁମୁହିଁ ପରେ, ଆଜି ପୁଣିଥରେ ବିଜେପି-ବିଜେଡି କର୍ମୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଛି । ଘଟଣାସ୍ଥଳରୁ ପୋଲିସ ରାଜ୍ୟ ବିଜେଡି କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ହୋତା ଏବଂ ଜିଲ୍ଲା BCJD ସଭାପତି ସୁମନ ନନ୍ଦଙ୍କୁ ଅଟକ ରଖିଥିଲା । ସୁବର୍ଣ୍ଣପୁର ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବା ଅଭିଯୋଗରେ ହତ୍ୟା ଧମକ ଦିଆଯାଇଥିବା ପୋଷ୍ଟର ଲାଗିଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଛାତ୍ର ରାଜନୀତିରେ ବ୍ୟାପକ ହିଂସା ଚିନ୍ତା ବଢ଼ାଇଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଅପିଲ୍ କରିଛନ୍ତି । ବିନା ହିଂସାରେ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ସେ ନିବେଦନ କରିଛନ୍ତି । ମନ୍ତ୍ରୀ ଅପିଲ୍ କରୁଛନ୍ତି, କିନ୍ତୁ କ୍ୟାମ୍ପସରେ ଗୁଣ୍ଡାମାନେ ରାଜ୍ କରୁଛନ୍ତି । କାଲି ନିର୍ବାଚନ । ଆଜିର ଏହି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ପରେ ଆସନ୍ତାକାଲି ଭୋଟ୍ ଗ୍ରହଣ କେତେ ଶାନ୍ତିପୂର୍ଣ୍ଣ ହେବ, ତାହା ବଡ଼ ପ୍ରଶ୍ନବାଚୀ ।