Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Vedanta / ଓଡ଼ିଶାରେ ସବୁଠୁ ବଡ଼ ପ୍ରକଳ୍ପ କରିବ ବେଦାନ୍ତ, ନିବେଶ ହେବ ୧ ଲକ୍ଷ କୋଟି

Santosh Kumar Sahoo
Browse all articles by Santosh Kumar Sahoo
·8 months ago·3 min read
ଓଡ଼ିଶାରେ ସବୁଠୁ ବଡ଼ ପ୍ରକଳ୍ପ କରିବ ବେଦାନ୍ତ, ନିବେଶ ହେବ ୧ ଲକ୍ଷ କୋଟି

Key Points

ଢେଙ୍କାନାଳରେ ୧ ଲକ୍ଷ କୋଟି ଟଙ୍କା ନିବେଶ କରିବ ବେଦାନ୍ତ
୩୦ ଲକ୍ଷ ଟନ୍‌ର ଆଲୁମିନିୟମ ପ୍ଲାଣ୍ଟ କରିବ ବେଦାନ୍ତ
ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷଙ୍କ ସୂଚନା
ଓଡ଼ିଶାରେ ସବୁଠାରୁ ବଡ଼ ପ୍ରକଳ୍ପ କରିବ ବେଦାନ୍ତ । ଢେଙ୍କାନାଳରେ ୧ ଲକ୍ଷ କୋଟିର ହେବ ନିବେଶ । ଏନେଇ ସୂଚନା ଦେଇଛନ୍ତି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ବାଲ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବେଦାନ୍ତ ମୁଖ୍ୟ ଅନିଲ ଅଗ୍ରୱାଲ୍ । ରାଜ୍ୟରେ ଅଧିକ ପୁଞ୍ଜି ନିବେଶ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।

ଅଧିକ ପଢ଼ନ୍ତୁ: ପୁଣି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଆଘାତ


କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ଅନୀଲ ଅଗ୍ରୱାଲ୍ । ସେ ଓଡ଼ିଶାରେ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲେ । ଡାଉନ୍ ଷ୍ଟ୍ରିମ୍ ଆଲୁମିନିୟମ୍ ପାର୍କ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ତେବେ ଓଡ଼ିଶାରେ ୧.୬୦ ଲକ୍ଷ କୋଟି ନିବେଶ କରିବେ ଅନୀଲ । ଢେଙ୍କାନାଳରେ ୩୦ ଲକ୍ଷ ଟନ୍‌ର ଆଲୁମିନିୟମ ପ୍ଲାଣ୍ଟ ହେବ । ଯେଉଁଥିରୁ ୩୦ ଲକ୍ଷ ଟନ୍ ଆଲୁମିନିୟମ୍ ଉତ୍ପାଦନ ହେବ । ଜମି ମିଳିଲେ ୩ରୁ ୪ ମାସ ମଧ୍ୟରେ କାମ ଆରମ୍ଭ ହେବ । ଏକ ମାସରେ ଜମି ଦେବାକୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏହି ପ୍ଲାଣ୍ଟ ହେଲେ ୩୦ରୁ ୪୦ ହଜାର ଲୋକଙ୍କୁ କାମ ମିଳିବ ବୋଲି ବେଦାନ୍ତ ମୁଖ୍ୟ ଅନୀଲ ଅଗ୍ରଓ୍ବାଲ କହିଛନ୍ତି ।



ସୂଚନା ଅନୁସାରେ, ଆଜି ବେଦାନ୍ତ ଗ୍ରୁପ୍‌ର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାଜ୍ୟରେ କେତେକ ନୂଆ ଶିଳ୍ପ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରୁ ଜଣାଯାଇଛି ଯେ, ଆଗାମୀ ଦିନରେ ବେଦାନ୍ତ ପକ୍ଷରୁ ଓଡ଼ିଶାରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଏହାଦ୍ୱାରା ରାଜ୍ୟରେ ୧ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିହେବ । ରାଜ୍ୟ ସରକାର ମଧ୍ୟ ଏହି ନିବେଶକୁ ପ୍ରୋତ୍ସାହନ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ଏବଂ ଏଥିପାଇଁ ଆବଶ୍ୟକ ଜମି ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି ।

ଏହା ସହିତ ବିଶ୍ୱର ମେଟାଲ ଭାଲ୍ୟୁ-ଚେନ୍‌ରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି ପାଇଁ କେନ୍ଦୁଝରଠାରେ ଏକ ଅତ୍ୟାଧୁନିକ ଫେରୋ-ଆଲଏଜ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ ବୋଲି ବୈଠକରୁ ଜଣାଯାଇଛି । ଏଥିରେ ବେଦାନ୍ତ ପକ୍ଷରୁ ୨ ହଜାର କୋଟି ଟଙ୍କା ବିନିଯୋଗ କରାଯିବ।

ବେଦାନ୍ତ ପକ୍ଷରୁ ଓଡ଼ିଶାରେ ଦୁଇଟି ନୂଆ ଆଲୁମିନିଅମ୍‌ ପାର୍କ ମଧ୍ୟ ପ୍ରତିଷ୍ଠା କରାଯିବ । ଝାରସୁଗୁଡାରେ ଥିବା ଏହାର ଆଲୁମିନିଅମ୍‌ ପ୍ଲାଣ୍ଟ ନିକଟରେ ଗୋଟିଏ ନୂଆ ଆଲୁମିନିଅମ୍‌ ପାର୍କ ପ୍ରତିଷ୍ଠା କରାଯିବ । ଏହା ସହିତ ରାଜ୍ୟର ଅନ୍ୟ ସ୍ଥାନରେ ଯେଉଁଠି ରାଜ୍ୟ ସରକାର ଜମି ଯୋଗାଇଦେବେ, ସେଠାରେ ମଧ୍ୟ ଆଉ ଏକ ଆଲୁମିନିଅମ୍‌ ପାର୍କ ପ୍ରତିଷ୍ଠା କରାଯିବ । ଏହି ଦୁଇଟି ଅତ୍ୟାଧୁନିକ ପାର୍କରେ ଅତ୍ୟନ୍ତ ଉନ୍ନତ ଗ୍ରେଡ୍‌ର ଆଲୁମିନିଅମ୍‌ ଆଲୟ ପ୍ରସ୍ତୁତ ହେବ । ଏହି ଆଲୁମିନିଅମ୍‌ ଆଲୟ ଏରୋସ୍ପେଶ୍, ଇଲେକ୍ଟ୍ରିକ୍‌ ଭେହିକିଲ୍‌ସ ଓ ପ୍ରତିରକ୍ଷା କ୍ଷେତ୍ରରେ ବ୍ୟବହାର ହୋଇପାରିବ । ଏହାଦ୍ୱାରା ଡାଉନ୍‌ଷ୍ଟ୍ରିମ୍‌ ଶିଳ୍ପ କ୍ଷେତ୍ରରେ ବ୍ୟାପକ ପୁଞ୍ଜି ନିବେଶ ଆସିବ ଏବଂ ଏମ୍‌.ଏସ୍‌.ଏମ୍‌.ଇ ଶିଳ୍ପରେ ବିପୁଳ ଅଭିବୃଦ୍ଧି ହୋଇପାରିବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତର ପରିକଳ୍ପନାର ସଫଳ ରୂପାୟନ ପାଇଁ ପ୍ରତିଶ୍ରୁତିବଦ୍ଧ। ଭିତ୍ତିଭୂମିର ବିକାଶ ତଥା ବେଦାନ୍ତ ଭଳି କମ୍ପାନୀର ପୁଞ୍ଜି ବିନିଯୋଗ ଜରିଆରେ ଓଡ଼ିଶା ସରକାର ଏହି ଲକ୍ଷ୍ୟ ହାସଲ କରିବେ । ଶିଳ୍ପ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏକ ଗ୍ଲୋବାଲ୍‌ ହବ୍‌ ହେବା ପାଇଁ ଓଡ଼ିଶା ବର୍ତ୍ତମାନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଆମର ଏହି ଉଦ୍ୟମ ଦ୍ୱାରା କେବଳ ଅର୍ଥନୈତିକ ଅଭିବୃଦ୍ଧି ଆସିବ ନାହିଁ ଏହାଦ୍ୱାରା ଯୁବବର୍ଗଙ୍କ ପାଇଁ ବ୍ୟାପକ ସୁଯୋଗ ସୃଷ୍ଟି ହେବା ସହିତ ଜନସାଧାରଣଙ୍କୁ ସଶକ୍ତ କରିବ ଏବଂ ୨୦୩୬ ସୁଦ୍ଧା ୫୦୦ ବିଲିଅନ୍‌ ଡଲାର ଅର୍ଥନୀତିରେ ପରିଣତ ହେବାପାଇଁ କ୍ଷେତ୍ର ପ୍ରସ୍ତୁତ କରିବ । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଏହି ପୁଞ୍ଜି ନିବେଶ ଏକ ଗେମ୍-ଚେଞ୍ଜର ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ବୈଠକରେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ବେଦାନ୍ତର ଶିଳ୍ପ ପ୍ରକଳ୍ପ ଗୁଡିକୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ପ୍ରଦାନ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Vedanta to Launch ₹1 Lakh Crore Mega Project in Odisha’s Dhenkanal | Argus News