ଆଜି ରାଣୀ ମା'ଙ୍କ ଶେଷକୃତ୍ୟ

ଅର୍ଗସ ବ୍ୟୁରୋ : ଆଜି ଅନୁଷ୍ଠିତ ହେବ ଖଲ୍ଲିକୋଟ ରାଣୀଙ୍କ ଅନ୍ତିମ କ୍ରିୟା । ଶେଷକୃତ୍ୟ ପାଇଁ ତାଙ୍କର ପାର୍ଥିବ ଶରୀରକୁ ଖଲ୍ଲିକୋଟରେ ଥିବା ରାଜପରିବାରର ଶ୍ମଶାନ ଘାଟକୁ ନିଆଯିବ । ସେଠାରେ ତାଙ୍କର ଶେଷକୃତ୍ୟ କରାଯିବ। ରାଣୀଙ୍କ ପାର୍ଥିବ ଶରୀରକୁ ଖଲ୍ଲିକୋଟ ସ୍ଥିତ ନିର୍ମଳଝର ବାସଭବନକୁ ଅଣାଯାଇଛି । ବରିଷ୍ଠ ମନ୍ତ୍ରୀଙ୍କ ସମେତ ଅନେକ ବିଧାୟକମାନେ ରାଣୀଙ୍କ ଶେଷ ଦର୍ଶନ କରିଛନ୍ତି ।
ତେବେ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ରାଣୀଙ୍କ ଶେଷ ଦର୍ଶନ କରିବେ ସ୍ଥାନୀୟ ଜନପ୍ରତିନିଧି ଓ ସାଧାରଣ ଜନତା । ଏହା ପରେ ଖଲ୍ଲିକୋଟରେ ଏକ ବିରାଟ ଶୋଭାଯାତ୍ରାରେ ରାଣୀଙ୍କୁ ଶେଷ ଯାତ୍ରାରେ ନିଆଯିବ । ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ନିଜ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ଖଲ୍ଲିକୋଟ ରାଣୀ ଭି. ସୁଜ୍ଞାନ କୁମାରୀ ଦେଓ । ତାଙ୍କର ମର ଶରୀରକୁ ସ୍ୱତନ୍ତ୍ର ବିମାନରେ ଗତକାଲି ଚେନ୍ନାଇରୁ ଭୁବନେଶ୍ୱର ଅଣାଯିବା ପରେ ପ୍ରଥମେ ବିମାନବନ୍ଦରରୁ ବିଜେଡି ପାର୍ଟି ଅଫିସ ଅଣାଯାଇଥିଲା ।
ଶଙ୍ଖଭବନରେ ଦଳୀୟ ନେତାମାନେ ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶଙ୍ଖ ଭବନରେ ପହଞ୍ଚି ସୁଜ୍ଞାନ କୁମାରୀ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହାପରେ ସୁଜ୍ଞାନ କୁମାରୀ ଦେଓଙ୍କ ପାର୍ଥିବ ଶରୀରକୁ ବିଧାନସଭା ନିଆଯାଇଥିଲା । ସେଠାରେ ବାଚସ୍ପତି ଓ ବିଧାୟକ ମାନେ ତାଙ୍କୁ ଶ୍ରଦ୍ଧାଂଜଳି ଦେଇଥିଲେ ।
