R&Bର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଅଚଳାଚଳ ସମ୍ପତ୍ତି

- ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ କୁବେର ଯନ୍ତ୍ରୀ
- R&Bର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କ ଅଚଳାଚଳ ସମ୍ପତ୍ତି
- 1.5 କେଜି ସୁନା, 14ଟି ଦାମୀ ଫ୍ଲାଟ୍ ଓ ପ୍ଲଟ୍, ୨କୋଟି ୭୦ ଲକ୍ଷର ବ୍ୟାଙ୍କ ଡିପୋଜିଟ
- ଯାଜପୁର ମାମୁଁ ଭଣଜା ଘାଇ କେଳେଙ୍କାରୀର ମହାନାୟକ
- ଦୁଇ ସପ୍ତାହ ଭିତରେ ଧରାପଡ଼ିଲେଣି ଦୁର୍ନୀତିର କଳାପାହାଡ଼ ସାଜିଥିବା ଗଣ୍ଡାଏରୁ ଅଧିକ କୁବେର ବାବୁ
- ବବି, ପାଣ୍ଡିଆନଙ୍କ ସୁରକ୍ଷାରେ ବିଜେଡି ପାଇଁ କରୁଥିଲେ ଚାନ୍ଦା ଆଦାୟ
ଅର୍ଗସ ବ୍ୟୁରୋ: ସୁନୀଲ ରାଉତ, ଲୋୟର ସୁକତେଲ ପ୍ରକଳ୍ପ ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ରାମଚନ୍ଦ୍ର ମିଶ୍ର, ଅବକାରୀ ଜଏଣ୍ଟ କମିଶନର। ପ୍ରଭାସ ପ୍ରଧାନ, ବାଲେଶ୍ବର ଜଳ ସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ । OBCC ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରଦୀପ ରଥ। ଆଉ ଏବେ R&Bର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ର । ଏମାନେ ହେଉଛନ୍ତି ବିଜେଡି ଶାସନରେ ଦୁର୍ନୀତିର କଳାପାହାଡ଼ ସାଜିଥିବା ଜଣେ ଜଣେ କୁବେର ବାବୁ । ରୋଡ଼ ଏଣ୍ଡ ବିଲଡିଂ ବିଭାଗର ପୂର୍ବତନ ମୁଖ୍ୟଯନ୍ତ୍ରୀ ତାରାପ୍ରସାଦ ମିଶ୍ରଙ୍କର ଭୁବନେଶ୍ବର, କଟକ ଓ ଝାରସୁଗୁଡ଼ା ସମେତ 9ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉରେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାକୁ ଦେଖି ଭିଜିଲାନ୍ସର ଆଖି ବି ଟେରା ହୋଇଯାଇଛି । ଦେଢ଼ କେଜି ଓଜନର ସୁନା ଗହଣା, ସୁନା ବିସ୍କୁଟ, ସୁନା କଏନ, ହୀରା ଗହଣା। 2 କୋଟି 70 ଲକ୍ଷର ବ୍ୟାଙ୍କ ଡିପୋଜିଟ, ନଗଦ 6 ଲକ୍ଷ ଟଙ୍କା, 13 ଲକ୍ଷ ଟଙ୍କା ମୂଲ୍ୟର ରୋଲେକ୍ସ ଘଣ୍ଟା, 2ଟି ବିଳାସପୂର୍ଣ୍ଣ କାର୍, କଟକ ଆଠଗଡ଼ରେ ପୈତୃକ ଘରକୁ ବାଦ୍ ଦେଲେ କୁବେର ଯନ୍ତ୍ରୀଙ୍କର ରାଜଧାନୀ ଭୁବନେଶ୍ବର ନୟାପଲ୍ଲୀ ଓ ଖଣ୍ଡଗିରିରେ 4ଟି ଫ୍ଲାଟ୍, ଝାରସୁଗୁଡାରେ ୩ଟି ଫ୍ଲାଟ, ଭୁବନେଶ୍ବର, କଟକ ଓ ଜଟଣୀରେ 7ଟି ପ୍ଲଟ୍ । ଏତିକି ନୁହେଁ ଯନ୍ତ୍ରୀଙ୍କ ଘରୁ ମିଳିଛି ଆମେରିକା, ଥାଇଲାଣ୍ଡ, ଭିଏତନାମ, UAE, କାନାଡ଼ା, ମେକ୍ସିକୋ, ମାଲେସିଆ ଓ ସିଙ୍ଗାପୁର ଭଳି ବହୁ ଦେଶର ବିଦେଶୀ ମୁଦ୍ରା। ଝିଅର ମେଡିକାଲ ପଢ଼ାରେ 80ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ତାରା ପ୍ରସାଦ ମିଶ୍ର । ସବୁଠୁ ରୋଚକ ହେଉଛି ଯନ୍ତ୍ରୀଙ୍କର ଜୋତା ସଉକ। ତାଙ୍କ ଘରୁ ମିଳିଛି 93 ହଳ ବ୍ରାଣ୍ଡେଡ୍ ଦାମୀ ଜୋତା।
ତାରାପ୍ରସାଦ ମିଶ୍ର, ଯାଜପୁର ମାମୁଁ ଭଣଜା ଘାଇର ମହାନାୟକ । 2021ରେ ପାଣିକୋଇଲି R and B ଡିଭିଜନର ଏକଜ୍ୟୁକିଟିଭ୍ ଇଞ୍ଜିନିୟର ଥିବାବେଳେ ସାମ୍ନାକୁ ଆସିଥିଲା ତାରାପ୍ରସାଦଙ୍କର ଏ ବଡ଼ କେଳେଙ୍କାରୀ। ବ୍ରାହ୍ମଣୀ ଶାଖା କେଲୁଅ ନଦୀରେ ମାମୁଁ ଭଣଜା ଘାଇ କରାଗଲା। କ୍ୟାପିଟାଲ ଏମମ୍ବାକ୍ଟମେଣ୍ଟ ଗୋକର୍ଣ୍ଣେଶ୍ବରଠାରୁ ମଝିପଡ଼ା ପର୍ଯ୍ୟନ୍ତ 20.4 କିମି ରାସ୍ତା ନିର୍ମାଣରେ ବଡ଼ ଘୋଟାଲା ହୋଇଥିବା ଅଭିଯୋଗ କରିଥିଲେ ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରା। ଭିଜିଲାନ୍ସ ତଦନ୍ତ ହେଲା। କିନ୍ତୁ ଅଭିଯୋଗ ବବି ଦାସଙ୍କ ପାୱାର ବଳରେ ରଫା ଦଫା ହୋଇଗଲା ମାମଲା।
କିଛି ଦିନ ଭିତରେ ଭିଜିଲାନ୍ସ ଜାଲରେ ପଡ଼ି ଗିରଫ ହେଲେଣି ଏମିତି ଡଜନେରୁ ଅଧିକ କୁବେର ବାବୁ । କାହାର 36 , କାହାର 42, କାହାର 52 ତ ଆଉ କାହାର 85 ପ୍ଲଟ୍। ରାଜ୍ୟରେ ଅଛନ୍ତି ଆହୁରି ମାଳ ମାଳ କୁବେର ବାବୁ । ଯେଉଁମାନେ ଦୁର୍ନୀତିର କଳାପାହାଡ଼ ସାଜି ଜନତା ଓ ରାଜକୋଷ ଲୁଟ୍ କରୁଥିଲେ, ବବି ଓ ପାଣ୍ଡିଆନଙ୍କ ସୁରକ୍ଷାରେ ରହି ବିଜେଡି ପାଇଁ ଦଳୀୟ ପାଣ୍ଠି ଗୋଟାଉଥିଲେ । ଆଉ ପିଆଦା ସାଜି ତୃତୀୟ ମହଲାର ସର୍ଦ୍ଦାରଙ୍କ ପାଖକୁ ଟଙ୍କା ପଠାଉଥିଲେ । ଦୁର୍ନୀତିର କଳାପାହାଡ଼ ସାଜିଥିବା ମୋହରା ମାନେ ଏବେ ଭିଜିଲାନ୍ସ ପଞ୍ଝାରେ ପଡୁଥିବାବେଳେ ତୃତୀୟ ମହଲାରେ ବସି ଏମାନଙ୍କୁ ପରିଚାଳନା କରୁଥିବା ମାଫିଆ ସରଗନାଙ୍କ ପାଖରେ ପହଞ୍ଚିବ କି ଆଇନର ଫନ୍ଦା।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: