|
logo
Live

Argus News - ଭିଜିଲାନ୍ସ ଜାଲରେ ବନ ଅଧିକାରୀ, ଗାଡିରୁ ୨.୩୩ ଲକ୍ଷ ଟଙ୍କା ଜବତ

Odisha

Vigilance Raid / ଭିଜିଲାନ୍ସ ଜାଲରେ ବନ ଅଧିକାରୀ, ଗାଡିରୁ ୨.୩୩ ଲକ୍ଷ ଟଙ୍କା ଜବତ

Bikash Mohanty
Browse all articles by Bikash Mohanty
·3 hours ago·2 min read
ଭିଜିଲାନ୍ସ ଜାଲରେ ବନ ଅଧିକାରୀ, ଗାଡିରୁ ୨.୩୩ ଲକ୍ଷ ଟଙ୍କା ଜବତ
Vigilance Raid

Key Points

ଭିଜିଲାନ୍ସ ଜାଲରେ ବନ ଅଧିକାରୀ
ଗାଡିରୁ ୨.୩୩ ଲକ୍ଷ ଟଙ୍କା ଜବତ
ଗୁଡାରୀ ରେଞ୍ଜର ସୁକୁମାର ଦୁଃଖୁ

ନବରଙ୍ଗପୁର ୧୩/୪ : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର। ରାୟଗଡା ଜିଲ୍ଲା ଗୁଡାରୀ ରେଞ୍ଜର ସୁକୁମାର ଦୁଃଖୁ ଟଙ୍କା ଧରି ନିଜ ଘର ନବରଙ୍ଗପୁରକୁ ଫେରୁଥିବା ବେଳେ ମାଡି ବସିଲା ଭିଜିଲାନ୍ସ। ତାଙ୍କ ପାଖରୁ ନଗଦ ୨ ଲକ୍ଷ ୩୩ ହଜାର ଟଙ୍କା ଜବତ କରାଯାଇଛି। ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ତାଙ୍କୁ ଅଟକ ରଖାଯାଇ ତଦନ୍ତ ଚାଲିଛି। ଏଥିସହ ନବରଙ୍ଗପୁର ସହର ସେନାପତିସାହିର ପୈତୃକଘର, ଗୁଡାରୀ ରେଞ୍ଜ ଅଫିସ ସମେତ ୩ଟି ସ୍ଥାନରେ ଚଢଉ କରିଛି ଭିଜିଲାନ୍ସ ବିଭାଗ ।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରେଞ୍ଜର ଟଙ୍କା ନେଇ ଘରକୁ ଫେରୁଥିବା ଖବର ମିଳିବା ପରେ ଜିଲ୍ଲାରେ ପ୍ରବେଶଦ୍ୱାର ଇନ୍ଦ୍ରାବତୀ ପୋଲ ନିକଟରେ ଭିଜିଲାନ୍ସ ଅଧିକାରୀମାନେ ଜଗିଥିଲେ। ରେଞ୍ଜର ବାବୁ ଜଣଙ୍କ ଅଫିସ୍‌ର ଏକ ବୋଲେରୋ( ଓଡି -୧୮କେ-୭୦୪୧) ଗାଡିରେ ଆସୁଥିବା ଦେଖି ଭିଜିଲାନ୍ସ ତାଙ୍କୁ ଅଟକାଇଥିଲା। ଗାଡ଼ି ଭିତରେ ଯାଞ୍ଚ ପରେ ୨ ଲକ୍ଷ ୩୩ ହଜାର ଟଙ୍କା ମିଳିଥିଲା । ଟଙ୍କା ସମ୍ପର୍କରେ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଗାଡ଼ି ସହ ଟଙ୍କାକୁ ଜବତ କରାଯାଇଥିଲା।

ପଢନ୍ତୁ ଏହି ଖବର: ଭିଜିଲାନ୍ସ ଜାଲରେ କୁବେର ଯନ୍ତ୍ରୀ, ଟଙ୍କା ଗଣି ଗଣି ଭିଜିଲାନ୍ସ ହାଲିଆ

ଏଥିସହ ଅଧିକ ତଦନ୍ତ ପାଇଁ ତାଙ୍କ ପୈତୃକଘର, ରେଞ୍ଜ ଅଫିସ ସମେତ ୩ଟି ସ୍ଥାନରେ ଚଢଉ ଆରମ୍ଭ ହୋଇଥିବା ଭବାନୀପାଟଣା ଡିଏସ୍‌ପି ପ୍ରମିଳା ସୁନା କହିଛନ୍ତି। ଆଜି ଗୁଡାରୀ ବନ ବିଭାଗ କାର୍ଯ୍ୟାଳୟରେ ଚଢ଼ଉ ସମୟରେ ଫରେଷ୍ଟର ହରିଶ୍ଚନ୍ଦ୍ର ଦୋରା ଉପସ୍ଥିତ ଥିଲେ। କାର୍ଯ୍ୟାଳୟର ସମସ୍ତ ଆଲମାରି ସହ କାଗଜପତ୍ର ଯାଞ୍ଚ କରାଯାଇଥିଲା। ପରେ ଗୁମୁଡାରେ ରହୁଥିବା ଘରେ ମଧ୍ୟ ଯାଞ୍ଚ କରାଯିବ ବୋଲି ବିଭାଗ କହିଛି। ଏହି ଚଢଉରେ ଜୟପୁର ଭିଜିଲାନ୍ସ ଇନ୍ସପେକ୍ଟର ସୂର୍ଯ୍ୟପ୍ରକାଶ ନାୟକ, ନବରଙ୍ଗପୁର ଇନ୍ସପେକ୍ଟର ଭୀମସେନ ପୂଜାରୀ, ଏଏସଆଇ ସନ୍ତୋଷକୁମାର ପାଣିଗ୍ରାହୀ, ଇନିସେକ୍ଟର ଆଲୋକ ମହାପାତ୍ର, ଏଏସଆଇ କେ. ଲୋକନାଥ ଦୋରା, କନେଷ୍ଟବଳ ଭି.ଏସଏସ ଶର୍ମାଙ୍କ ସମେତ ବିଭାଗୀୟ ଟିମ୍ ସାମିଲ ଥିଲେ।

ଏବେ ଆକ୍ସନ ମୋଡରେ ଭିଜିଲାନ୍ସ। ଭିଜିଲାନ୍ସ ଦ୍ବାରା ଜାନୁଆରି ୨୦୨୩ ଠାରୁ ଡିସେମ୍ବର ୨୦୨୫ ମଧ୍ୟରେ ୬୮୩ଟି ଦୁର୍ନୀତି ମାମଲା ରୁଜୁ ହୋଇଛି । ୩୩୭ଟି ମାମଲାରେ ଦଣ୍ଡ ବିଧାନ କରାଯାଇଛି । ୬ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ସମ୍ପତ୍ତି ସରକାର ବ୍ୟାଜ୍ୟାପ୍ତି କରିଛନ୍ତି। ବ୍ୟାଜ୍ୟାପ୍ତି ହୋଇଥିବା ସଂପତ୍ତିକୁ ଲୋକଙ୍କ କାର୍ଯ୍ୟରେ ବ୍ୟବହାର କରାଯାଇଛି । ଗୋଟିଏ ସରକାରୀ ଉଦ୍ୟାନ କୃଷି ନର୍ସରୀ, ଗୋଟିଏ ସାର୍ବଜନୀନ ହୋମିଓପାଥ୍‌କ ଡିସପେନସାରୀ, ତିନୋଟି ଅଙ୍ଗନୱାଡି କେନ୍ଦ୍ର, ଗୋଟିଏ କାର୍ଯ୍ୟରତ ମହିଳା ଛାତ୍ରାବାସ, ଗୋଟିଏ ଉପ ଡାକଘର ଭାବେ ବ୍ୟବହାର ହେଉଛି । ୨୨ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଙ୍କ ଠାରୁ ୪୦ କୋଟି ୮୪ ଲକ୍ଷ ୬୭ ହଜାର ଟଙ୍କା ଜବତ ହୋଇଛି। ସରକାରୀ କୋଷାଗାରରେ ୩୨ଲକ୍ଷ୫୦ହଜାର ୮୪୪ ଟଙ୍କା ନଗଦ ଜମା କରାଯାଇଛି ବୋଲି ବିଧାନସଭାରେ କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Vigilance Raid: ଭିଜିଲାନ୍ସ ଜାଲରେ ବନ ଅଧିକାରୀ, ଗାଡିରୁ ୨.୩୩ ଲକ୍ଷ ଟଙ୍କା ଜବତ | Argus News