କୁକୁଡ଼ା ଫାର୍ମର ଦୁର୍ଗନ୍ଧରେ ହନ୍ତସନ୍ତ ଗ୍ରାମବାସୀ

ଅର୍ଗସ ବ୍ୟୁରୋ: କୁକୁଡ଼ା ଫାର୍ମର ଦୁର୍ଗନ୍ଧରେ ହନ୍ତସନ୍ତ ଗ୍ରାମବାସୀ । ଦୁର୍ଗନ୍ଧ ଓ ଅସ୍ବାସ୍ଥ୍ୟକର ପରିବେଶରେ ଅତିଷ୍ଟ ହେଲେଣି ଲୋକେ । ଅଭିଯୋଗ ସତ୍ତ୍ବେ ଗୁହାରି ଶୁଣିବାକୁ ନାରାଜ ପ୍ରଶାସନ । ଜନବସତି ଅଞ୍ଚଳରେ ପଲ୍ୟୁସନ ବିଭାଗର ଅନୁମତିକୁ ନେଇ ଉଠିଲା ପ୍ରଶ୍ନ । ବର୍ଷ ବର୍ଷ ଧରି କୁକୁଡାଫାର୍ମର ଦୁର୍ଗନ୍ଧ ଓ ପ୍ରଦୂଷଣରେ ଏବେ ଅତିଷ୍ଟ ହେଲେଣି ଗାଁ ଲୋକେ । ଦୁର୍ଗନ୍ଧରେ ଫାଟି ପଡୁଛି ପୂରା ପରିବେଶ l ନାକରେ ରୁମାଲ, ମାସ୍କ , କିମ୍ବା ଗାମୁଛା ନଦେଲେ ରାସ୍ତାଦେଇ ଯାତାୟତ କରିବା ଭାରି ମୁସ୍କିଲ ହୋଇପଡୁଛି l ଖାଦ୍ୟରେ ମାଛି , ପାଣିରେ ମାଛି , ପୁରା ପରିବେଶ ସାରାମାଛି l ଦୁର୍ଗନ୍ଧ ଯୋଗୁଁ ବାୟୁ ପ୍ରଦୂଷଣ ହେବା ସାଙ୍ଗକୁ ମାଛି ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି l ଫଳରେ ଲୋକେ ନାନା ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ମଧ୍ୟ ଦେଖାଦେଲାଣି l ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ହୁକମତଳା ଗାଁ ମୁଣ୍ଡରେ ଥିବା କୁକୁଡା ଫାର୍ମ ଏବେ ଲୋକଙ୍କ ପାଇଁ କାଳ ସାଜିଛି l
କେବଳ ଗ୍ରାମବାସୀ ଏହାର ଶିକାର ହେଉଛନ୍ତି ତାହାନୁହେଁ l ଗାଁ ନିକଟରେ ରହିଥିବା ଆଦିବାସୀ ଛାତ୍ରୀନିବାସରେ ପଡୁଥିବା କୁନିକୁନି ଆଦିବାସୀ ଛାତ୍ରୀମାନେ ମଧ୍ୟ ଏହାର ଶିକାର ହେୁଛନ୍ତି । ସେମାନଙ୍କ ଖାଇବା ପିଇବାରେ ମାଛି ବସୁଥିବା ସହ ଅସ୍ବାସ୍ଥ୍ୟକର ବାତାବରଣ ଦେଖା ଦେଉଛି l ତେବେ କୁକୁଡା ଫାର୍ମ ମାଲିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ବେଳେ , ଶହଶହ କୁନିକୁନି ଆଦିବାସୀ ଛାତ୍ରୀମାନଙ୍କ ଭବିଷ୍ୟତ ଏବେ ଅନ୍ଧାରକୁ ଠେଲି ହୋଇଯାଉଛି l ବର୍ଷ ବର୍ଷ ଧରି ଦୁର୍ଗନ୍ଧ ଯୋଗୁଁ ଫାର୍ମକୁ ସ୍ଥାନାନ୍ତର କରିବା ପାଇଁ ଦୁଇ ଦୁଇ ଥର ଗ୍ରାମବାସୀ ସେ ସମୟରେ ଥିବା ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ମଧ୍ୟ ଜଣାଇଥିଲେ l ହେଲେ ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଇନଥିବା କହିଛନ୍ତି ଗ୍ରାମବାସୀ l
ଏନେଇ ଗ୍ରାମବାସୀ ଏକତ୍ରିତ ହୋଇ କୁକୁଡା ଫାର୍ମ ଫାଟକ ସମ୍ଭୁଖରେ ପ୍ରତିବାଦ କରିବା ସହ ଯଥାଶିଘ୍ର ଫାର୍ମ ବନ୍ଦ କରିବା ପାଇଁ ଧାରଣା ଦେଇଛନ୍ତି lତେବେ ବଡପ୍ରଶ୍ନ କାହାସ୍ବାର୍ଥରେ କାମ କରୁଛି ରାୟଗଡା ପ୍ରଶାସନ ? ଜନବସତି ଅଞ୍ଚଳରେ କୁକୁଡା ଫାର୍ମ ନିର୍ମାଣ ନିମନ୍ତେ ଅନୁମତି ଦେଲା କିପରି ? କୁକୁଡା ଫାର୍ମ ଉଚ୍ଛେଦ ନିମନ୍ତେ କେବେହେବ କାର୍ଯ୍ୟାନୁଷ୍ଠାନ ?
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: