ବଲିଉଡ ସିନେମା `ନାୟକ'ର ହିରୋଙ୍କଠାରୁ ବଳିଗଲେ ଭି.କେ ପାଣ୍ଡିଆନ୍

ଅର୍ଗସ ବ୍ୟୁରୋ: ବଲିଉଡର ବହୁ ଚର୍ଚ୍ଚିତ ତଥା ସୁପର ହିଟ୍ ଚଳଚ୍ଚିତ୍ର ନାୟକରୁ ପ୍ରେରଣା ପାଇଥିଲେ କି ଭି. କାର୍ତ୍ତିକେୟନ ପାଣ୍ଡିଆନ୍। ଆପଣଙ୍କର ମନେ ଥିବ ଏହି ଫିଲ୍ମରେ ମୁଖ୍ୟ ଭୂମିକାର ଥିଲେ ଅନୀଲ କପୁର। ୨୪ ଘଣ୍ଟା ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସି ଏମିତି ଧମାକା କରିଥିଲେ ଯେ ରାତାରାତି ବନିଗଲେ ପୂରା ରାଜ୍ୟରେ ହିରୋ। ଆଉ ଯେତେବେଳେ ନିର୍ବାଚନ ଲଢିଲେ ତାଙ୍କ ପାର୍ଟିକୁ ମିଳିଲା ବମ୍ପର ବିଜୟ। ବିରୋଧୀଙ୍କର ହୋଇଗଲା ସୁପଡ଼ା ସାଫ୍। ଠିକ୍ ନାୟକର ଅନୀଲ କାପୁରଙ୍କ ଭଳି
ଚମତ୍କାର ତାଙ୍କ କ୍ଷେତ୍ରରେ ବି ଘଟିବ ବୋଲି ଭାବିଥିଲେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍। କିନ୍ତୁ ଫଳ ହୋଇଗଲା ଓଲଟା। କାରଣ ନାୟକ ଫିଲ୍ମ ଥିଲା କାଳ୍ପନିକ। କିନ୍ତୁ ଓଡ଼ିଶାରେ ୨୪ ମହାଲଢେଇ ଥିଲା ବାସ୍ତବ। ଓଡ଼ିଶାବାସୀଙ୍କ କ୍ଷେତ୍ରରେ ନାୟକ ଫିଲ୍ମର କାଳ୍ପନିକ ଫର୍ମୁଲା କାମ ଦେଲା ନାହିଁ। କେମତି ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇ ରାତାରାତି ହିରୋ ବନିବାକୁ ଯୋଜନା କରିଥିଲେ ପାଣ୍ଡିଆନ୍ ତାର ପର୍ଦ୍ଦାଫାଶ କରିଛନ୍ତି ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀ।
ଗତ ବର୍ଷ ନଭେମ୍ବର ମାସରେ ଆଇଏଏସ ଚାକିରିରୁ ଅବସର ନେଇ ବିଜୁ ଜନତା ଦଳରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଥିଲେ ଭି.କେ ପାଣ୍ଡିଆନ୍। ଏହା ପୂର୍ବରୁ ପ୍ରାୟ ୬ ମାସ ଧରି ରାଜ୍ୟର ବିଭିନ୍ନ ଜିଲ୍ଲାର ୧୯୦ ଟି ସ୍ଥାନ ଗସ୍ତ କରି ଲୋକଙ୍କଠାରୁ ଗ୍ରହଣ କରିଥିଲେ ଅଭିଯୋଗ ପତ୍ର। ଜଣେ ଅଧିକାରୀ ରାଜକୋଶରୁ କୋଟିକୋଟି ଟଙ୍କା ଖର୍ଚ୍ଚରେ ହେଲିକପ୍ଟରରେ ଓଡ଼ିଶା ସାରା ବୁଲି ଅଭିଯୋଗ ଗ୍ରହଣ କରିବାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ କରିଥିଲେ ବିରୋଧୀ । ୨୫ ସେପ୍ଟେମ୍ବର ୨୦୨୩ରେ ଏ ପ୍ରସଙ୍ଗରେ ଗୁହରେ ଲିଖିତ ବିବୃତି ରଖିଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପାଣ୍ଡିଆନଙ୍କ ହେଲିକପଟର ବୁଲାରେ ଖର୍ଚ୍ଚକୁ ଯଥାର୍ଥ ବୋଲି ଦର୍ଶାଇବା ସହ ପାଣ୍ଡିଆନ ମୋଟ୍ ୫୭ ୪୨୨ଟି ଅଭିଯୋଗ ଗ୍ରହଣ କରିଛନ୍ତି ଏବଂ ସେଥିମଧ୍ୟରୁ ସେହି ତାରିଖ ସୁଦ୍ଧା ୪୩୫୩୬ଟି ଅଭିଯୋଗର ଫଇସଲା ହୋଇସାରିଥିବା ଦର୍ଶାଇଥିଲେ ନବୀନ। ଅର୍ଥାତ ପ୍ରାୟ ୭୬ ପ୍ରତିଶତ ଅଭିଯୋଗର ଫଇସଲା କରିଦେଇଥିଲେ ପାଣ୍ଡିଆନ୍। ତେବେ ବରିଷ୍ଠ ସାମ୍ବାଦିକ ରୁବେନ୍ ବାନାର୍ଜୀଙ୍କ ମତରେ ଏହା ଅସମ୍ଭବ।
ଯଦି ପାଣ୍ଡିଆନ୍ ସତରେ ଏତେ ସଂଖ୍ୟକ ଅଭିଯୋଗର ସମାଧାନ ମାତ୍ର ୬ ମାସ ଭିତରେ କରିଦେଲେ ତାର ହିସାବ ଓ ସମାଧନ ହୋଇଥିବା ଲୋକଙ୍କ ତାଲିକା କାହିଁକି ପ୍ରକାଶ କରାଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ରୁବେନ ବାନାର୍ଜୀ।
📱 Get Argus News App
✨କେବଳ ନାୟକ ଭଳି କାଳ୍ପନିକ ସିନେମାରେ ହିଁ ଏହା ସମ୍ଭବ ହୋଇପାରିବ ବୋଲି କହିଛନ୍ତି ରୁବେନ୍। ଯଦି ଏକା ପାଣ୍ଡିଆନ୍ ଗୋଟିଏ ହେଲିକପଟରରେ ବୁଲି ୬ ମାସରେ ୪୩ ହଜାର ଅଭିଯୋଗର ସମାଧାନ କରିପାରୁଛନ୍ତି ତାହାହେଲେ ଲୋକସେବା ଭବନରେ ଏତେ ସଂଖ୍ୟକ ଅଧିକାରୀ ଓ କର୍ମଚାରୀଙ୍କର ଆବଶ୍ୟକ କଣ ? ନାୟକ ସିନେମା ପରି ଗୋଟିଏ ରାତିରେ ଥାକ ଥାକ ଅଭିଯୋଗ ପତ୍ରର ସମାଧାନ କରିଦେବେ ଏକା ପାଣ୍ଡିଆନ୍।
ବରିଷ୍ଠ ସାମ୍ବାଦିକ କହିଛନ୍ତି ପାଣ୍ଡିଆନଙ୍କ ଅଭିଯୋଗ ଶୁଣାଣି ଥିଲା ଧୂଆଁବାଣ। ନାୟକ ଫିଲ୍ମର ହିରୋ ପରି ଇଏ ବି ରାତାରାତି ସାରା ରାଜ୍ୟରେ ହିରୋ ବନି ଓଡ଼ିଶାରେ ରାଜ କରିବାକୁ ଦେଖିଥିଲେ ସ୍ବପ୍ନ। କିନ୍ତୁ ସିଏ ଭୁଲିଯାଇଥିଲେ କାଳ୍ପନିକ ସିନେମାର କାହାଣୀ ବାସ୍ତବ ରାଜନୀତିରେ ସଫଳ ହୁଏ ନାହିଁ। ସେଥିପାଇଁ ପାଣ୍ଡିଆନଙ୍କ ଯୋଜନା ୨୪ ନିର୍ବାଚନରେ ମାରିଥିଲା ଫେଲ୍।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର