Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଅସୁରକ୍ଷିତ ବନ୍ୟଜନ୍ତୁ: ଅସୁରକ୍ଷିତ ମୁଲ୍ୟବାନ ଜଙ୍ଗଲ ସଂପଦ

Odisha

ଅସୁରକ୍ଷିତ ବନ୍ୟଜନ୍ତୁ: ଅସୁରକ୍ଷିତ ମୁଲ୍ୟବାନ ଜଙ୍ଗଲ ସଂପଦ

Ritu Das
Browse all articles by Ritu Das
·2 years ago·2 min read
ଅସୁରକ୍ଷିତ ବନ୍ୟଜନ୍ତୁ: ଅସୁରକ୍ଷିତ ମୁଲ୍ୟବାନ ଜଙ୍ଗଲ ସଂପଦ

ଅର୍ଗସ ବ୍ୟୁରୋ: କୁଳଡିହା ଅଭୟାରଣ୍ୟ, ଘଞ୍ଚ ଜଙ୍ଗଲ, ଅନ୍ଧାର ରାତି। ହାତରେ ବନ୍ଧୁକ ଧରି ବୁଲୁଥିଲେ ଶିକାରୀ। କିନ୍ତୁ ଠେଙ୍ଗା ଧରି ପାଟ୍ରୋଲିଂ କରୁଥିଲେ ବନ କର୍ମଚାରୀ। ହଠାତ୍ ମୁହାଁମୁହିଁ ହେଲେ। ଆଉ ତା ପରେ ଯାହା ହେବା କଥା ତାହା ହିଁ ହେଲା। 

କୁଲଡିହା ଅଭୟାରଣ୍ୟରେ ଗର୍ଜିଲା ଶିକାରୀଙ୍କ ବନ୍ଧୁକ । ଠେଙ୍ଗାଧରି ହାତଟେକିଦେଲେ ବନ କର୍ମଚାରୀ, ଖାଇଲେ ଗୁଳି । ପୂର୍ବରୁ ଶିମିଳିପାଳରେ ବି ସମାନ ପରିସ୍ଥିତି ହୋଇଥିଲା। ସେତେବେଳେ ସରକାର ବଡ଼ ଘୋଷଣା କରିଥିଲେ । ବନକର୍ମଚାରୀଙ୍କୁ ଅସ୍ତ୍ର ଶସ୍ତ୍ରରେ ସଶକ୍ତ କରାଯିବ। କିନ୍ତୁ ସବୁ ଘୋଷଣା କେବଳ ଘୋଷଣାରେ ସୀମିତ। ଜଙ୍ଗଲ ସୁରକ୍ଷାରେ ମୁତୟନ  ତଳିଆ କର୍ମଚାରୀଙ୍କ ସୁରକ୍ଷା ପାଇଁ କାହାରି ଚିନ୍ତା ନାହିଁ । ବନ୍ୟଜନ୍ତୁ ଓ ମୂଲ୍ୟବାନ ଜଙ୍ଗଲ ସଂପଦ ଅସୁରକ୍ଷିତ ହୋଇପଡୁଥିବାବେଳେ ସୁଖ ନିଦ୍ରାରେ ବନବିଭାଗ।

ସୋମବାର ରାତି ୨ ଟା । ଜଣେ ଫରେଷ୍ଟଗାର୍ଡ ଓ ୮ ସବୁଜ ବାହିନୀ କୁଲଡିହା ଅଭୟାରଣ୍ୟରେ କରୁଥିଲେ ନାଇଟ ପାଟ୍ରୋଲିଂ । ନା ଥିଲା ବନ୍ଧୁକ , ନାଥିଲା ଗାଡି ।  ହଠାତ ମୁହାଁ ମୁହିଁ ହେଲେ ଦୁଇ ବନ୍ଧୁକ ଧାରୀ ଶିକାରୀ ପଡିଲେ ହାବୁଡରେ । ଛକାପଞ୍ଝା ଭିତରେ ଶିକାରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି। ଶିକାରୀଙ୍କ ଗୁଳି ରେ ୩ ଜଣ ଆହତ ହୋଇଥିବା ବେଳେ  ଦୁଇ ସବୁଜ ବାହିନୀ କର୍ମଚାରୀ ଖୀତିଶ ପରିଡା ଓ ବିରଞ୍ଚି ଜେନାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥନାନ୍ତର କରାଯାଇଛି । 
ସେପଟେ ଘଟଣା ପରେ  ବନ୍ଧୁକ ସହ  ଶିକାରୀ ଦୁଇ ଗୁନା ସିଂ ଓ ସନିଆ ସିଂ ଙ୍କୁ ଗିରଫ କରିଛି ବନ ବିଭାଗ ।  ହାତୀ ଶୀକାର ପାଇଁ ଶିକାରୀ ବନ୍ଧୁକ ସହ କୁଲଡିହା ଜଙ୍ଗଲ କୁ ଯାଇଥିବା ଅନୁମାନ କରାଯାଛି ।  ତେବେ ଶିକରୀଙ୍କୁ ମୁକାବିଲା ପାଇଁ କୁଲଡିହାରେ ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ଆସନ୍ତାକାଲି ଠାରୁ କୋମ୍ବିଂ ଆରମ୍ଭ କରିବେ ବୋଲି କହିଛନ୍ତି ସିସିଏଫ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଗତ ବର୍ଷ ଶିମିଳିପାଳ ଜଙ୍ଗଲରେ ଶିକାରୀ ଗୁଳିରେ ଦୁଇ ବନ କର୍ମଚାରୀଙ୍କ ଜୀବନ ଯାଇଥିଲା। ସରକାର ଙ୍କ ଉପରେ କ୍ଷୋଭ ପ୍ରକାଶ କରି ଆନ୍ଦୋଳନ କୁ ଓହ୍ଲାଇଥିଲେ ବନ କର୍ମଚାରୀ । ପରେ ବନ କର୍ମଚାରୀ ଙ୍କ ପାଇଁ ସିଆରପିସି ୧୯୭ ଉଚ୍ଛେଦ ଓ ପରେ ୧୦୦ ସଶସ୍ତ୍ର ପୋଲିସ କନେଷ୍ଟବଳ ସହ ଶିମିଳିପାଳ ସୁରକ୍ଷା ପାଇଁ ଜେଟିଏଫ ଗଠନ କରାଯାଇଥିଲା। ସନ୍ଧିଗ୍ଧ ଙ୍କ ଲୋକେସନ ଟ୍ରାକ କ୍ଷମତା ବନ କର୍ମଚାରୀଙ୍କୁ ମିଳିବା ସହ ଗୁଳି ଚାଳନା ର ପ୍ରଶିକ୍ଷଣ  ବି ଦେଲା ବନ ବିଭାଗ ।   ହେଲେ  ପ୍ରଶ୍ନ ଏ  କେବଳ ଶିମିଳିପାଳ ପାଇଁ। କୁଲଡିହା ପରି ଅନ୍ୟ ସ୍ଥାନରେ କାହିଁକି ତଳିଆ କର୍ମଚାରୀଙ୍କୁ ସୁରକ୍ଷାକୁ ଗୁରୁତ୍ବ ଦେଉନି ବନ ବିଭାଗ.
ବନ ବିଭାଗର ତଥ୍ୟ କହୁଛି ଜଙ୍ଗଲ ସଂପଦ ସହ ଅସୁରକ୍ଷିତ ବନ୍ୟଜନ୍ତୁ। ବିଧାନସଭାରେ ଖୋଦ ମନ୍ତ୍ରୀଙ୍କ ଏ ଉତ୍ତର ଦେଖନ୍ତୁ। 5 ବର୍ଷରେ 430 ହାତୀ, 4 ମହାବଳ ବାଘ, 31 କଲରାପତରିଆ ବାଘ, 2352 ଅନ୍ୟ ଜନ୍ତୁଙ୍କ  ମୃତ୍ୟୁ ହୋଇଛି। ଏଥିରୁ ଅନେକ ଶିକାରୀଙ୍କ ଗୁଳିରେ ଜୀବନ ଯାଇଛି। ଏପଟେ  ବାଡିଧରାଇ ଜଙ୍ଗଲ ସୁରକ୍ଷାର କଥା କହୁଥିବା ବନ ବିଭାଗ  ଶିକାରୀଙ୍କ ବନ୍ଧୁକ ଆଗରେ ବନକର୍ମଚାରୀଙ୍କୁ ଅସହାୟ କରିଦେଇଛି। ଏମିତି ବି  ବନ ବିଭାଗରେ  40 ପ୍ରତିଶତ  ପଦ ଖାଲି ପଡିଛି.। ସମୁଦାୟ 12621 ପଦରୁ 5058 ପଦ ଖାଲି। 
ଜଙ୍ଗଲ ଜଗିବାକୁ ନା କର୍ମଚାରୀ ଅଛନ୍ତି ନା ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଅଛି। ପ୍ରଶ୍ନ କେମିତି ସୁରକ୍ଷିତ ରହିବେ ତଳିଆ କର୍ମଚାରୀ ଓ କେମତି ସୁରକ୍ଷିତ ରହିବେ ବନ୍ୟଜନ୍ତୁ? 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus Whatsapp Channel Mobile Top
Sponsored
vulnerable-wildlife | Argus News