24 ବର୍ଷର ବିଜେଡି ସରକାରରେ ସରୁନି ଜଳ ଦୁର୍ଦ୍ଦଶା
ଅର୍ଗସ ବ୍ୟୁରୋ: ଗ୍ରୀଷ୍ମ ପୂର୍ବରୁ ସାରା ରାଜ୍ୟରେ ଜଳ ଯନ୍ତ୍ରଣାର ଦୟନୀୟ ଚିତ୍ର, ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ୍ ଖୋଲିଛି । ପାନୀୟ ଜଳ ଯୋଗାଣରକୁ ନେଇ ବିକାଶର ଗୋଲାପି ଛବି ଦେଖାଇ ପରେ ରାଜ୍ୟବାସୀଙ୍କୁ ଧୋକା ଦେଇଛନ୍ତି ବିଜେଡି ସରକାର। ପୁରୀ, ଜଗତସିଂହପୁରଠାରୁ ଆରମ୍ଭକରି କେନ୍ଦ୍ରାପଡ଼ା, କେନ୍ଦୁଝର ଜିଲ୍ଲାରେ ଉତ୍କଟ ପାନୀୟ ଜଳ ସମସ୍ୟା ଲୋକଙ୍କ ଚିନ୍ତା ବଢ଼ାଇଛି । ଶୋଷ ମେଣ୍ଟାଇବାକୁ କେଉଁଠି ଚୁଆ, ପୋଖରୀର ଦୂଷିତ ଜଳ ଉପରେ ଲୋକେ ଭରସା କରୁଛନ୍ତି ତ କେଉଁଠି କୂଅ ଓ ନଳକୂପ ନିକଟରେ ପାଣି ପାଇଁ ଲମ୍ବା ଲାଇନ ଲଗାଉଛନ୍ତି ଲୋକେ । ଏବେବି ତାଳଦଣ୍ଡା କେନାଲ ଉପରେ ନିର୍ଭର କରୁଛନ୍ତି ଜଗତସିଂହପୁର ଜିଲ୍ଲା ମଲାସାହି ପଞ୍ଚାୟତର ମଧୁପୁର ଗାଁ ଲୋକେ। ଫେଲ୍ ମାରିଛି ବସୁଧା ଯୋଜନା । ଦୀର୍ଘ ୩୦ ବର୍ଷ ଧରି ଲୁଣି ପାଣି ପିଉଛନ୍ତି ଗ୍ରାମବାସୀ ।
ସେହିପରି ପୁରୀ ସଦର ବ୍ଲକ ପ୍ରତାପପୁରୁଷତ୍ତୋମପୁର ପଞ୍ଚାୟତର କୃଷ୍ଣାଞ୍ଜନପୁର ଗ୍ରାମବାସୀଙ୍କ ଏକମାତ୍ର ଭରସା ବନିଛି ଦୂଷିତ ପୋଖରୀ । ରାତି ପାହିଲେ 2 ଶହରୁ ଅଧିକ ପରିବାର ଲୋକଙ୍କୁ ଜଳ ଚିନ୍ତା ଘାରୁଛି ।
ସେହିପରି ଦୂଷିତ ଜଳ ବ୍ୟବହାର କରି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ କିଆରବାଙ୍କ ଗ୍ରାମରେ ଚର୍ମରୋଗ ବ୍ୟାପୁଛି । ଗାଁରେ ପାନୀୟ ଜଳ ସୁବିଧା ନଥିବାରୁ ଲୋକେ 340 ପରିବାର ଦୀର୍ଘ 50ବର୍ଷ ଧରି ପୋଖରୀ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ଦୀର୍ଘବର୍ଷ ଧରି ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ବିଧାୟକ ଅତନୁ ସବ୍ୟସାଚୀଙ୍କୁ ଦାବି ଜଣାଇଥିଲେ ବି କୌଣସି ସୁଫଳ ମିଳିପାରିନାହିଁ ।
ସରକାରୀ ତଥ୍ୟ ଅନୁସାରେ ରାଜ୍ୟର 25ଟି ଜିଲ୍ଲାରେ 3 ହଜାର 463ଟି ଗାଁରେ ନାହିଁ ପାନୀୟ ଜଳ ବ୍ୟବସ୍ଥା। ରାଜ୍ୟରେ 3 ହଜାର 338 ଗାଁରେ ଲୋକେ ଆଇରନ ଯୁକ୍ତ ପାଣି ପିଉଥିବାବେଳେ 69ଟି ଗାଁରେ ଫ୍ଲୋରାଇଡ୍ ଯୁକ୍ତ, 33ଟି ଗାଁରେ ଲବଣ ଯୁକ୍ତ ଓ 25ଟି ଗାଁରେ ନାଇଟ୍ରେଟ୍ ଯୁକ୍ତ ପାଣି ଲୋକଙ୍କ ଶୋଷ ମେଣ୍ଟାଉଛି। 2024 ସୁଦ୍ଧା ପ୍ରତି ଗାଁକୁ ପାନୀୟ ଜଳ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଥିଲେ ବି ରାଜ୍ୟ ସରକାରଙ୍କ ସବୁଧା ଯୋଜନା ଉପକୂଳରୁ ଉପାନ୍ତ ସବୁଠି ଫେଲ୍ ମାରିଛି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର