ଓଡ଼ିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ

ଅର୍ଗସ ବ୍ୟୁରୋ: ଆଜି ପ୍ରଥମଥର ମୁଖ୍ୟମନ୍ତ୍ରୀ ଭାବେ ପତାକା ଉତ୍ତୋଳନ କଲେ ମୋହନ ମାଝୀ। ଓଡ଼ିଶାବାସୀଙ୍କ ସେବା କରିବାକୁ ଆମେ ପ୍ରତିଶ୍ରୁତିବଦ୍ଧ। ୨୦୪୭ ସୁଦ୍ଧା ଭାରତ ବିଶ୍ବଗୁରୁ ହେବ। ଭାରତକୁ ବିଶ୍ବଗୁରୁ କରିବା ପାଇଁ ଆମେ ସହାୟକ ହେବୁ। ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରି ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଳନ ଅବସରରେ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି।
ଭାରତ ବର୍ଷର ପବିତ୍ର ୭୮ତମ ସ୍ୱାଧୀନତା ଦିବସ ଅବସରରେ ଦେଶ ଓ ରାଜ୍ୟ ତଥା ସାରା ବିଶ୍ବରେ ରହୁଥିବା ପ୍ରତ୍ୟେକ ଭାରତବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ସ୍ବାଧୀନତା ସଂଗ୍ରାମୀଙ୍କୁ ସ୍ମରଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ପାଇକ ବିଦ୍ରୋହର ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଭାରତର ସ୍ବାଧୀନତା ସଂଗ୍ରାମ ଦେଶର ଅନନ୍ୟ ଅଧ୍ୟାୟ ଏହା ଇଂରେଜମାନଙ୍କ ମୁଳଦୁଆ ଦୋହଲାଇ ଦେଇଥିଲା ବୋଲି ସେ କହିଛନ୍ତି। ଓଡ଼ିଶାବାସୀ ଖୁବ୍ ସ୍ବାଭିମାନୀ। ଏହାର ଇତିହାସ ସାକ୍ଷୀ। ଆମ ସରକାର ଓଡ଼ିଆ ଅସ୍ମିତା ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଏହା ଭିତରେ ୭୭ ବର୍ଷ ବିତିଗଲାଣି। ଦେଶ ଏବେ ଅମୃତ କାଳ ଦେଇ ଗତି କରୁଛି। ଏହି ଅମୃତ କାଳ ମଧ୍ୟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ୱରେ, ଭାରତ ଏବେ ବିଶ୍ଵର ସବୁଠାରୁ ଦୃତ ଅଭିବୃଦ୍ଧି ସମ୍ପନ୍ନ ଦେଶ ଭାବରେ ସମଗ୍ର ବିଶ୍ଵରେ ପ୍ରତିଷ୍ଠା ହାସଲ କରି ଚାଲିଛି। ଦେଶର ଅର୍ଥନୀତି ଆଜି ପ୍ରାୟ ଚାରି ଟ୍ରିଲିୟନ ଡଲାରରେ ପହଞ୍ଚି ସାରିଲାଣି। ମୋଦୀଜୀଙ୍କ ନେତୃତ୍ୱରେ ଭାରତ ଆଉ ଅଳ୍ପ କିଛି ବର୍ଷ ମଧ୍ୟରେ ପାଞ୍ଚ ଟ୍ରିଲିୟନ ଡଲାର ଅର୍ଥନୀତିରେ ପହଞ୍ଚିବ।
ମାତ୍ର ଦଶ ବର୍ଷ ଭିତରେ ଭାରତବର୍ଷ ବିଶ୍ଵ ଅର୍ଥନୀତିରେ ଏକାଦଶ ସ୍ଥାନରୁ ଆସି, ଆଜି ବିଶ୍ଵର ପଞ୍ଚମ ବୃହତ୍ ଅର୍ଥନୀତିରେ ପହଞ୍ଚି ପାରିଛି। ଖୁବ୍ ଶୀଘ୍ର ବିଶ୍ଵର ଶ୍ରେଷ୍ଠ ତିନିଟି ଅର୍ଥନୀତି ମଧ୍ୟରେ ଆମେ ସ୍ଥାନ ହାସଲ କରିବୁ।
📱 Get Argus News App
✨ଦିଲ୍ଲୀର ଲାଲକିଲ୍ଲାରେ ଲଗାତର ୧୧ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ
ଆତଙ୍କବାଦ ଦମନ ଓ ନକ୍ସଲ ଦମନ କ୍ଷେତ୍ରରେ ମଧ୍ୟ ଆମେ ଉଚ୍ଚ ସଫଳତା ହାସଲ କରିଛୁ। ସାରା ବିଶ୍ଵ ଆଜି ବିଭିନ୍ନ କ୍ଷେତ୍ରରେ ଭାରତର ନେତୃତ୍ବ ଆଶା କରୁଛି ଓ ତାର ନେତୃତ୍ବକୁ ସମ୍ମାନ ମଧ୍ୟ ଦେଇଛନ୍ତି। ଭାରତର ସ୍ୱାଧୀନତାର ଶତବାର୍ଷିକୀ ଅବସରରେ, ୨୦୪୭ ମସିହା ସୁଦ୍ଧା ଆମେ ନିଶ୍ଚିତ ଭାବରେ ବିଶ୍ୱର ଅଗ୍ରଣୀ ଦେଶମାନଙ୍କ ମଧ୍ୟରେ ସ୍ଥାନ ପାଇବୁ ଏବଂ ଭାରତକୁ ବିଶ୍ୱଗୁରୁ ହେବାର ଲକ୍ଷ୍ୟ ନିଶ୍ଚୟ ପୂରଣ କରିବୁ।
ଆଜିର ଦିନଟି ଆମ ଓଡ଼ିଶା ପାଇଁ ଖୁବ୍ ଗୁରୁତ୍ଵପୂର୍ଣ୍ଣ। ଓଡ଼ିଶା ଆଜି ପରିବର୍ତ୍ତନର ପଥରେ ଯାତ୍ରା ଆରମ୍ଭ କରିଛି। ଓଡ଼ିଶାବାସୀ ପ୍ରଚାର ସର୍ବସ୍ୱ ବିକାଶର ରାସ୍ତାରୁ ବାହାରି ଆଜି କର୍ମ ସର୍ବସ୍ୱ ବିକାଶ ପାଇଁ ରାସ୍ତା ବାଛିଛନ୍ତି। ଆତ୍ମା ବିହୀନ ଗତିକୁ ଅସ୍ବୀକାର କରି ଅସ୍ମିତାକୁ ସ୍ବୀକାର କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର ...