କେବେ ସରିବ ରଙ୍ଗେଇଲୁଣ୍ଡା, ଗଞ୍ଜାମ, ଛତ୍ରପୁର ପାନୀୟ ଜଳ ପ୍ରକଳ୍ପ ?

ବ୍ରହ୍ମପୁର: ସରୁନି ରଙ୍ଗେଇଲୁଣ୍ଡା, ଗଞ୍ଜାମ, ଛତ୍ରପୁର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ । ବିଜେଡି ଅମଳରେ ଆରମ୍ଭ ହୋଇଥିଲା କାମ । ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପରେ ପୂର୍ବତନ ବିଧାୟକ ସାଂସଦ ଦୁଇ ଦୁଇଥର କରିଥିଲେ ଶିଳାନ୍ୟାସ । ପ୍ରଥମ ଅବଧି ସରି ଦ୍ବିତୀୟ ଅବଧି ସରିବାକୁ ବସିଛି । ତଥାପି ସରିନି ଅଧା କାମ । ଧୀମାଗତି ସାଙ୍ଗକୁ ନିମ୍ନମାନର କାର୍ଯ୍ୟ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଛତ୍ରପୁର ବିଧାୟକ । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମକୁ ମେଗା ପାନୀୟ ଜଳ ପ୍ରକଳ୍ପ ନାଁରେ ବଡ଼ ଧୋକା । ରଙ୍ଗେଇଲୁଣ୍ଡା, ଗଞ୍ଜାମ, ଛତ୍ରପୁରରେ ପିଇବା ପାଣିର ସୁବିଧା ପାଇଁ ଆରମ୍ଭ ହୋଇଥିଲା 3ଟି ମେଗା ପାନୀୟ ଜଳ ପ୍ରକଳ୍ପ । ହେଲେ ଦୀର୍ଘ ବର୍ଷ ବିତିଥିଲେ ସୁଦ୍ଧା କାମ ସରିବାର ନାଁ ଧରୁନି । ଋଷିକୂଲ୍ୟା ନଦୀ ନିକଟରେ ନିର୍ମାଣ ହେଉଥିବା ଏହି ମେଗା ପାନୀୟ ଜଳ ପ୍ରକଳ୍ପ ଉପରେ ନଜର ପକାନ୍ତୁ । ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପକୁ 2021 ମସିହାରେ ପ୍ରଥମେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରେ ଦ୍ବିତୀୟ ଥର ପୂର୍ବତନ ବିଧାୟକ ସାଂସଦ ଦୁଇ ଦୁଇ ଥର ଶିଳାନ୍ୟାସ କରିଥିଲେ। ୨୫୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣଧୀନ ଏହି ପ୍ରକଳ୍ପ ଛତ୍ରପୁର ବ୍ଲକର ୧୮ଟି, ରଙ୍ଗେଇଲୁଣ୍ଡାର ୩୨ଟି ଏବଂ ଗଞ୍ଜାମ ବ୍ଲକର ୨ଟି ପଞ୍ଚାୟତର ପାନୀୟ ଜଳ ଯୋଗାଣ ସକାଶେ ମଞ୍ଜୁରୀ ହୋଇଥିଲା । ହେଲେ ବିଡ଼ମ୍ବନାର ବିଷୟ କାମ ଏତେ ଧିମା ଚାଲିଛି ଯେ, 30 ପ୍ରତିଶତ କାମ ସରିନଥିବାବେଳେ ଠିକା ସଂସ୍ଥା ୬୦ ଭାଗ ବିଲ୍ ନେଇସାରିଲାଣି ।
କାମ ନିମ୍ନମାନର ହେଉଥିବା ମଧ୍ୟ ରହିଛି ଅଭିଯୋଗ । ଯେଉଁଭଳି ଭାବେ ଠିକା ସଂସ୍ଥା କାମ କରୁଛି କାର୍ଯ୍ୟ ଶେଷ ହେବାକୁ ଆହୁରି ୨ ବର୍ଷ ଲାଗିଯିବ କହିଛନ୍ତି ଯନ୍ତ୍ରୀ । ପ୍ରଥମେ ପ୍ରକଳ୍ପର ଅବଧି ୨୦୨୩, ଅକ୍ଟୋବର ଥିଲା କାମ ନସରିବାରୁ ଚଳିତ ବର୍ଷ ନଭେମ୍ବର ମାସ ପର୍ଯ୍ୟନ୍ତ ଅବଧି ବୃଦ୍ଧି କରାଯାଇଥିଲା । ହେଲେ ପ୍ରଥମ ଅବଧି ସରି ଦ୍ବିତୀୟ ଅବଧି ସରିବାକୁ ଆଉ ଦୁଇ ମାସ ଅଛି ତଥାପି ସରିନି କାମ । ଦୁଇ ତିନି ଜଣ ଶ୍ରମିକ ନେଇ କାମ କରୁଛି ଠିକା ସଂସ୍ଥା । ସେପଟେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ନିଜେ କାର୍ଯ୍ୟସ୍ଥଳକୁ ଗସ୍ତ କରି ସ୍ଥିତି ପରଖିବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । କେଉଁଠି ରହିଗଲା ଭୁଲ୍ ? । ବର୍ଷ ପରେ ବର୍ଷ ବିତିଗଲା । କାହିଁକି ଆଜି ଯାଏଁ ସରିପାରିଲାନି ରଙ୍ଗେଇ ଲୁଣ୍ଡା, ଗଞ୍ଜାମ, ଛତ୍ରପୁର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ? । ଯାହାକି 25 ବର୍ଷ ଶାସନ କରିଥିବା ବିଜେଡି ସରକାରର ଅପାରଗତାକୁ ପଦାରେ ପକାଇଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର