Videos
|
Odisha

କେବେ ସରିବ ଜଗଦଳପୁର-ମହାରାଜପୁର ସେତୁ ?

Ritu Das
Browse all articles by Ritu Das
·1 year ago·2 min read
କେବେ ସରିବ ଜଗଦଳପୁର-ମହାରାଜପୁର ସେତୁ ?

ଅର୍ଗସ ବ୍ୟୁରୋ: ଠକିଦେଲା 24 ବର୍ଷର ବିଜେଡି ସରକାର । ଅବଧି ସରିଗଲା । ହେଲେ ବିଜୁ ସେତୁ ଯୋଜନାରେ ସରିପାରିଲାନି କାମ । ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଜଗଦଳପୁର ଗାଁକୁ ସ୍ବପ୍ନ ପାଲଟିଛି ସେତୁ । ଦୀର୍ଘ ଦିନର ଦାବି ପରେ 2018 ମସିହାରେ ବଡ଼ ନଦୀ ଉପରେ ସେତୁ ନିର୍ମାଣ ଲାଗି ଠିକା ସଂସ୍ଥାକୁ ଦାୟିତ୍ବ ଦିଆଯାଇଥିଲା । ଯାହାପାଇଁ ୧୪୮୯.୧୪ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା । ଆଉ ସେତୁ ନିର୍ମାଣ କାମ 2020 ମସିହା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ହେଲେ 2024 ମସିହା ହୋଇଥିଲେ ସୁଦ୍ଧା ସେତୁ କାମ ସଂପୂର୍ଣ୍ଣ ହୋଇପାରିଲା ନାହିଁ। ଯାହା ପାଇଁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ତେଜୁଛି । 

ଠିକା ସଂସ୍ଥା ଓ ଆର୍.ଡି ବିଭାଗର ମଧୁଚନ୍ଦ୍ରିକାରେ କାମ ଖାଲି ବିଳମ୍ବ ହେଉଛି ତାହା ନୁହେଁ । ସେତୁ ଲୋକାର୍ପଣ ନହେଉଣୁ ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଲାଣି । ଏହା ସହ ବହୁ ସ୍ଥାନରେ ସିମେଣ୍ଟ ଛାଡ଼ି ଲୁହା ଛଡ଼ ଦେଖା ଦେଲାଣି । ଏପରିକି ସେତୁ ପାର୍ଶ୍ଵରେ ଯେଉଁ ସାଇଡ୍ ୱାଲ କରାଯାଉଛି ସେଥିରେ ବାଲି ଉପରେ କେବଳ ସିମେଣ୍ଟ ମଣ୍ଡ ଘାଣ୍ଟି ତିଆରି ହେଉଛି । ଯାହାର ଦୃଢ ବିରୋଧ କରିଛନ୍ତି ଗ୍ରାମବାସୀ । ସେପଟେ ଭଞ୍ଜନଗର ଉପଜିଲ୍ଲାପାଳ କହିଛନ୍ତି ଅବଧି ସରିଯାଇଛି କି ନାହିଁ ଠିକ ଭାବେ ତଦନ୍ତ କରି ଏହା ଉପରେ କାର୍ଯ୍ୟନୁଷ୍ଠାନ ନିଆଯିବ।  

ବର୍ଷା ଦିନେ ନଦୀରେ ଜଳସ୍ତର ବଢ଼ିବା ଯୋଗୁଁ ଆସିକାକୁ ଯିବା ପାଇଁ 15 କିମି ଅଧିକ ବାଟ ବୁଲି ଯିବାକୁ ପଡୁଛି । ଏହି ସେତୁ ନିର୍ମାଣ ହେଲେ ଜଗଦଳପୁର, ମହାରାଜପୁର, ଅତରଙ୍ଗ, ବାଦଗଡ, ଧନିଯା, ସିଦ୍ଧାନର ଓ ବଡଖୋଲି ସମେତ ୩୦ ଖଣ୍ଡ ଗାଁ ଲୋକେ ଉପକୃତ ହେବେ। ବିଜେଡି ସରକାର ଆରମ୍ଭ କରିଥିବା କାମ ତ ପୁରା କରିପାରିଲାନି। ଏବେ ମୋହନ ସରକାର ସେତୁ ନିର୍ମାଣ ସଂପୂର୍ଣ୍ଣ କରିବେ ବୋଲି ଆଶା ବାନ୍ଧିଛନ୍ତି ଗ୍ରାମବାସୀ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

When will the Jagdalpur | Argus News