ପୋଲିସ କେତେବେଳେ ଉଠାଇ ନେବ! ଗାଁ ଗାଁରେ ଲାଗି ରହିଛି କକୁଆ ଭୟ

ଅର୍ଗସ ବ୍ୟୁରୋ: ଏକଦା ଦୀର୍ଘ ଦୁଇ ଦଶନ୍ଧି ଧରି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଜମି, ମଦ , ଗୋତି ପ୍ରଥାକୁ ନେଇ ଚାଷୀ ମୂଲିଆ ଆଦିବାସୀ ସଂଘର ଆନ୍ଦୋଳନ ମୁଣ୍ଡ ଟେକିଥିଲା । ଦଳର ସଭାପତି ନାଚିକା ଲିଙ୍ଗାଙ୍କ ନେତୃତ୍ବରେ ହଜାର ହଜାର ଆଦିବାସୀ ସଙ୍ଘରେ ଯୋଗ ଦେଇଥିଲେ । ଦୀର୍ଘ ଦଶ ବର୍ଷରେ ବହୁ ହିଂସା ଘଟଣାରେ ସଙ୍ଘ ସଦସ୍ୟ ସାମିଲ ହୋଇଥିଲେ । ହଜାର ହଜାର ସଂଖ୍ୟାରେ ସଙ୍ଘର ସଦସ୍ୟ ପୋଲିସ ନିକଟରେ ଗିରଫ ଭୟରେ ଆତ୍ମ ସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେଲେ । କିନ୍ତୁ ଏବେ ହଟାତ୍ ଜାମିନ ବିହୀନ ୱରେଣ୍ଟ ଆସିଥିବାରୁ ଗାଁ ଗାଁରେ କକୁଆ ଭୟ ଲାଗି ରହିଛି । କେତେବେଳେ ପୋଲିସ ରାତିରେ ଘରେ ପଶି ଉଠାଇ ନେବ । ଭୟରେ ରାତିରେ ଘରେ ନରହି ଜଙ୍ଗଲରେ ରାତି କାଟୁଛନ୍ତି ଲୋକେ । ଏପରି ଭୟର ବାତାବରଣ ନାରାୟଣପାଟଣା ବ୍ଲକ ସାରା ଦେଖିବାକୁ ମିଳିଛି ।
ସଙ୍ଘର ସଭାପତି ନାଚିକା ଲିଙ୍ଗା ବି ୨୦୧୩ ରେ ଆତ୍ମସମର୍ପଣ କଲେ । ଆତ୍ମସମର୍ପଣ ପରେ ସଙ୍ଘ ଏକ ପ୍ରକାର ନିରବ ହୋଇଗଲା । କିନ୍ତୁ ୧୫୦୦ ରୁ ଅଧିକ ବିଭିନ୍ନ ଗ୍ରାମର ସଙ୍ଘ କର୍ମକର୍ତାଙ୍କ ନାମ ରେ ହତ୍ୟା,ଘରଭଙ୍ଗା ,ଲୁଟ୍, ହିଂସା କାଣ୍ଡ ରେ ସାମିଲ୍ ଥିବା ମାମଲା କୋର୍ଟରେ ଚାଲୁରହିଲା । କିଛି ଖଲାସ ହୋଇଛନ୍ତି ଓ ବହୁତ କିଛି ମାମଲା ବିଚାରଧୀନ ରହିଛି । ତେବେ କେହି ଭୟଭୀତ ନହେବାକୁ ଥାନା ଅଧିକାରୀ ଶୁଷମା କହଂର କହିଛନ୍ତି । ସେପଟେ ନିରୀହ ଆଦିବାସୀଙ୍କୁ ପୁଣି ସରକାର ୱାରେଣ୍ଟ ଜାରି କରି ଭୟଭୀତ କରିବା ଠିକ୍ ନୁହେଁ ବୋଲି କହିଛନ୍ତି ବରିଷ୍ଠ ଓକିଲ ଗୁପ୍ତ ପାଣିଗ୍ରାହୀ । ଯେଉଁ କେସ୍ରେ ସଂଘ ସଦସ୍ୟଙ୍କ ନାଁରେ ୱାରେଣ୍ଟ ବାହାରିଛି ସେହି କେସ୍ରେ ଅନ୍ୟ ସଦସ୍ୟ ମୁକ୍ତ ହୋଇସାରିଛନ୍ତି । ତେବେ ସରକାର ଚାହିଁଲେ ୩୨୧ ଧାରାରେ ମୁକ୍ତି ଦେଇପାରିବେ ବୋଲି ମତ ପ୍ରକାଶ ପାଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
