କେଉଁଠି ନିଅଣ୍ଟିଆ ବର୍ଷା ତ କେଉଁଠି ବିହନ ଚିନ୍ତା

ଅର୍ଗସ ବ୍ୟୁରୋ: କ୍ଷେତ ପ୍ରସ୍ତୁତ । ଚାଷୀ ପ୍ରସ୍ତୁତ । ହେଲେ ନାହିଁ ବିହନ । ବାଧାପ୍ରାପ୍ତ ଚାଷ କାର୍ଯ୍ୟ । ବିଳମ୍ବରେ ହେଉ ପଛେ ପହଞ୍ଚିଲା ମୌସୁମୀ ଖରିଫ ଋତୁ ପାଇଁ ଚାଷ କାମ ଆରମ୍ଭ କରିଛି ଚାଷୀ। କ୍ଷେତକୁ ଲଙ୍ଗଳ କରିବା ସହ ଧାନ ବୁଣିବା ଆରମ୍ଭ ହୋଇଗଲାଣି । କିନ୍ତୁ ନୂଆପଡ଼ାରେ ଆବଶ୍ୟକ ବିହନ ନ ମିଳିବାରୁ ଚାଷ କାମରେ ବିଳମ୍ବ ହୋଇଛି। ଜିଲ୍ଲାରେ ୧୨ ହଜାର ୩୮୪ କ୍ରିଣ୍ଟାଲ ଧାନ ବିହନ ଆବଶ୍ୟକ ଥିବାବେଳେ ଆଜି ପର୍ଯ୍ୟନ୍ତ ୧୧ ହଜାର ୭୮ କ୍ବିଣ୍ଟାଲ୍ ଧାନ ବିହନ ପହଞ୍ଚିଛି। ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ ।
ଏପଟେ କଳାହାଣ୍ଡି ଜିଲ୍ଲାରେ ସ୍ବଳ୍ପ ବର୍ଷା ପାଲଟିଛି ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ । ବିହନ ବୁଣିବାକୁ ଆକାଶକୁ ଚାହିଁ ବସିଛି । ହେଲେ ବର୍ଷାର ଦେଖା ନାହିଁ । ଇନ୍ଦ୍ରାବତୀ ବି ଚାଷୀଙ୍କ ସମସ୍ୟା କରିପାରୁନି ଦୂର। ଫଳରେ କୋକସରା, ଧର୍ମଗଡ, ବେହେରା, ଆମ୍ବପାଣି, କଲମ୍ବପୁରରେ ଚାଷ ବାଧାପ୍ରାପ୍ତ ହେଇଛି।
ସେହିପରି ଭଦ୍ରକ ଜିଲ୍ଲା ବନ୍ତ ଅଞ୍ଚଳରେ ବି ସମାନ ଅବସ୍ଥା । ବର୍ଷାକୁ ଚାହିଁ ଚାହିଁ ହତାଶ ଚାଷୀ। ଅକ୍ଷୟ ତୃତୀୟାଠୁ ଧାନବୁଣା କାର୍ଯ୍ୟ ଆରମ୍ଭ ହୋଇ ରଜ ସଂକ୍ରାନ୍ତି ସୁଦ୍ଧା ସରିବା କଥା । ହେଲେ ଆଜିଯାଏ ଆରମ୍ଭ ହୋଇପାରିନାହିଁ । ପାଗ ଅନୁକୂଳ ନଥିବାରୁ ବନ୍ତ ବ୍ଲକର ୯୫ ଭାଗ ଜମିରେ ଧାନ ତଳି କିମ୍ବା ଧାନ ବୁଣା କାର୍ଯ୍ୟ ହୋଇପାରିନି । ଫଳରେ ବର୍ତ୍ତମାନ ଜମିରେ ଗୋରୁ ଗାଈ ଚରୁଥିବାର ଦେଖାଯାଇଛି । ଏପରିକି ବିଭିନ୍ନ ମୌଜାରେ ବସିଥିବା ଲିପ୍ଟ ପଏଣ୍ଟ ବି ଅଚଳ ହୋଇ ପଡି ରହିଛି।
ଚାଷୀଙ୍କ ପିଛା ଛାଡୁନି ଦୁଃଖ । କେତେବେଳେ ସ୍ବଳ୍ପ ବର୍ଷା କେତେବେଳେ ବିହନ ଅଭାବ ଓ ଆଉ କେତେବେଳେ ଜଳସେଚନ ସମସ୍ୟାର ଶିକାର ଚାଷୀ । ଏବେ ବଦଳିଛି ସମୟ । 25 ବର୍ଷ ଧରି ଚାଷୀଙ୍କୁ ଶୋଷଣ କରି ଆସୁଥିବା ବିଜେଡି ସରକାର ହଟିଛି । ନୂଆ ସରକାର ଆସିଛି । ଚାଷୀଙ୍କ ମନରେ ଜାଗିଛି ନୂଆ ଆଶା । ଏଣିକି ଦୂର ହେବ ସମସ୍ୟା।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର