Heart Attack in Winter / ଶୀତଦିନେ ବଢ଼େ ହୃଦଘାତ ଆଶଙ୍କା ! ଜାଣିବା କାହିଁକି ବଢ଼େ ହୃଦଘାତ ଆଶଙ୍କା ?

Key Points
ତାପମାତ୍ରା କମିବା ଯୋଗୁଁ ହୃତପିଣ୍ଡ ଉପରେ ଅତିରିକ୍ତ ଚାପ ପଡ଼ିଥାଏ
ଉଚ୍ଚ ରକ୍ତଚାପ ହୃଦରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଶୀତଦିନ ଅଧିକ ବିପଦ
ସତର୍କ କରାଇଛନ୍ତି ହୃଦରୋଗ ବିଶେଷଜ୍ଞ
ଭୁବନେଶ୍ୱର୧୩/୧୧: ଆସିଲା ଶୀତ। ବଢ଼ିପାରେ ହୃଦରୋଗର ବିପଦ। ତାପମାତ୍ରା କମିବା ଯୋଗୁଁ ହୃତପିଣ୍ଡ ଉପରେ ଅତିରିକ୍ତ ଚାପ ପଡ଼ିଥାଏ। ବିଶେଷକରି ଉଚ୍ଚ ରକ୍ତଚାପ, ମଧୁମେହ ଓ କରୋନାରୀ ହୃଦରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ଶୀତଦିନ ଅଧିକ ସତର୍କତାର ସମୟ। ଏହି ସମୟରେ ହୃଦଘାତର ଆଶଙ୍କା ବଢ଼ିପାରେ ବୋଲି ହୃଦରୋଗ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।
ଏକ ରିପୋର୍ଟ ଅନୁସାରେ, ଶୀତଦିନେ ଥଣ୍ଡା ପାଗ ଯୋଗୁଁ ଶରୀରରେ ଅନେକ ପରିବର୍ତ୍ତନ ହୁଏ। ଏହା ରକ୍ତଚାପ ବୃଦ୍ଧି କରିବା ସହ ହୃତପିଣ୍ଡର କାର୍ଯ୍ୟଭାର ବଢ଼ାଇଥାଏ। ତେଣୁ ବୟସ୍କ ବ୍ୟକ୍ତି ଓ ପୂର୍ବରୁ ହୃଦରୋଗ ଥିବା ଲୋକେ ଅଧିକ ସତର୍କ ରହିବା ଜରୁରୀ।
କାହିଁକି ବଢ଼େ ହୃଦଘାତ ଆଶଙ୍କା?
ବରିଷ୍ଠ ହୃଦରୋଗ ବିଶେଷଜ୍ଞ ଡାକ୍ତରଙ୍କ କହିବା ଅନୁସାରେ, କମ୍ ତାପମାତ୍ରା ଯୋଗୁଁ ରକ୍ତବାହୀ ନଳୀ ସଙ୍କୁଚିତ ହୋଇଯାଏ। ଫଳରେ ରକ୍ତଚାପ ବଢ଼ିବା ସହ ହୃତପିଣ୍ଡକୁ ଅଧିକ ପରିଶ୍ରମ କରିବାକୁ ପଡ଼େ। ଏହାସହ ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ମଧ୍ୟ ବଢ଼ିପାରେ। ଏହି କାରଣରୁ ହୃଦଘାତର ବିପଦ ଅଧିକ ହୋଇଥାଏ। ଶୀତଦିନେ ଅଧିକ ଖାଦ୍ୟ ଖାଇବା, ଲୁଣ ଓ ମଦ୍ୟପାନର ମାତ୍ରା ବଢ଼ିବା, ବ୍ୟାୟାମ କମିବା ଏବଂ ନିଦ୍ରାରେ ଅନିୟମିତତା ମଧ୍ୟ ହୃଦସ୍ୱାସ୍ଥ୍ୟକୁ ପ୍ରଭାବିତ କରେ। ବିଶେଷକରି ସକାଳେ ହଠାତ୍ ଥଣ୍ଡା ପାଗରେ ବାହାରକୁ ଯିବା କିମ୍ବା ଥଣ୍ଡା ପାଣିରେ ଗାଧୋଇବା ସମୟରେ ସତର୍କ ରହିବା ଆବଶ୍ୟକ।
ପଢନ୍ତୁ ଏହି ଖବର: ଶସ୍ତା ହେଲା ୫୪୩ ବ୍ରାଣ୍ଡର କ୍ୟାନ୍ସର ଔଷଧ! ମନଇଚ୍ଛା ଦର ଉପରେ ଲାଗିଲା ରୋକ୍
କେଉଁମାନେ ଅଧିକ ସତର୍କ ରହିବେ?
ଶୀତଦିନେ ଓଜନ ବୃଦ୍ଧି, ଅନିୟମିତ ଖାଦ୍ୟପେୟ, ଶାରୀରିକ କାର୍ଯ୍ୟକଳାପରେ ହ୍ରାସ ଓ ଶ୍ୱାସକ୍ରିୟା ସଂକ୍ରମଣ ହୃଦୟ ଉପରେ ଚାପ ବଢ଼ାଇପାରେ। ତେଣୁ ବୟସ୍କ ଓ ହୃଦରୋଗୀମାନେ ଶରୀରକୁ ଉଷ୍ମ ରଖିବା ସହ ନିୟମିତ ବ୍ୟାୟାମ କରିବା ଉଚିତ। ରକ୍ତଚାପ ଓ କୋଲେଷ୍ଟ୍ରଲ୍କୁ ମଧ୍ୟ ନିୟନ୍ତ୍ରଣରେ ରଖିବା ଜରୁରୀ।
ଏହି ଲକ୍ଷଣ ଦେଖାଦେଲେ ଅଣଦେଖା କରନ୍ତୁନି
ଥଣ୍ଡା ଯୋଗୁଁ ରକ୍ତବାହୀ ଧମନୀ ସଙ୍କୁଚିତ ହେବା ଓ ଶରୀରରେ ଜଳୀୟ ଅଂଶ କମିବା ରକ୍ତ ଜମାଟ ବାନ୍ଧିବାର ବିପଦ ବଢ଼ାଇପାରେ। ଛାତିରେ ଯନ୍ତ୍ରଣା ବା ଚାପ ଅନୁଭବ ହେବା, ନିଶ୍ୱାସ ନେବାରେ କଷ୍ଟ, ଥଣ୍ଡା ଝାଳ ବୋହିବା କିମ୍ବା ହଠାତ୍ ମୁଣ୍ଡ ବୁଲାଇବା ଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଜରୁରୀ ଚିକିତ୍ସା ନିଅନ୍ତୁ। ଶୀତଦିନେ ସୁସ୍ଥ ରହିବା ପାଇଁ ଉଷ୍ମ ପୋଷାକ ପିନ୍ଧିବା, ପର୍ଯ୍ୟାପ୍ତ ପାଣି ପିଇବା, ସନ୍ତୁଳିତ ଖାଦ୍ୟ ଖାଇବା ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ ଜାରି ରଖିବା ଆବଶ୍ୟକ।
📱 Get Argus News App
✨Related Topics
Explore more stories