Videos
|
Odisha

ସଂକୀର୍ତ୍ତନ ମଣ୍ଡଳକୁ ନିଜ ଘର ଦେଇଦେଲେ

Smruti Parija
Browse all articles by Smruti Parija
·2 years ago·2 min read
ସଂକୀର୍ତ୍ତନ ମଣ୍ଡଳକୁ ନିଜ ଘର ଦେଇଦେଲେ

ବାରିପଦା:  କାଳିଆର ଦର୍ଶନ ଟିକକ ମିଳିଗଲେ ଅଧା ଦୁଃଖ ପଳାଏ । ତାକୁ ମନ ପୁରେଇ ଦେଖିଦେଲେ ସେହି ମୂହୂର୍ତ୍ତ ପାଇଁ ଜୀବନରେ ଆଉ କିଛି ଲୋଡା ନଥାଏ । ହେଲେ ଏହି ବୃଦ୍ଧା ଜଣଙ୍କ କାଳିଆ ପ୍ରେମରେ ଏମିତି ପଡିଛନ୍ତି ଯେ ନିଜର ସବୁକିଛି ଦେଇ ଦେଇଛନ୍ତି ।   

ବାରିପଦା ସହର ୱାର୍ଡ ନମ୍ବର ୨୫ ସ୍କୁଲସାହିର ବନବସିନୀ ବେହେରା । ଦୀର୍ଘ ୬୦ ବର୍ଷରୁ ଅଧିକ ସମୟ ଧରି ଏଠାରେ ରହିଆସୁଛନ୍ତି  ବନବସିନୀ । ବୟସ ୭୫ ବର୍ଷରୁ ଅଧିକ ହେବ । ସ୍ଵାମୀଙ୍କ ମୃତ୍ୟୁ ପରେ ସେ ଘର ଚଳାଇବା ପାଇଁ ମୁଢି ଭାଜି ବିକ୍ରୀ କରନ୍ତି । ସେହି ପଇସାରେ ଜାଗାଟେ କିଣି ଘର କରିଥିଲେ । କେହି ପୁଅ ନାହାନ୍ତି । ଦୁଇ ଝିଅଙ୍କୁ ପାଠ ସାଠ ପଢେଇ ବିବାହ ମଧ୍ୟ କରାଇସାରିଛନ୍ତି । ଦେହ ପା ଭଲ ରହୁନଥିବାରୁ ଏବେ ସେ ଝିଅ ପାଖରେ ରହୁଛନ୍ତି । କିଛି ଦିନ ତଳେ ସାନ ଝିଅ ସହ ସେ ପୁରୀ ଯାଇଥିଲେ ଜଗା ଦର୍ଶନ ପାଇଁ । ଆଉ ପୁରୀରୁ ଫେରିବା ଦିନଠାରୁ ବନବସିନୀ ଯେମିତି କାଳିଆ ପ୍ରେମରେ ପାଗଳ ହୋଇଯାଇଛନ୍ତି । ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ନିଜର ବାସସ୍ଥାନଟିକୁ ଅଞ୍ଚଳର ସଂକିର୍ତ୍ତନ ମଣ୍ଡଳୀକୁ ଦାନ କରିଦେଇଛନ୍ତି । 

ନିୟମ ଅନୁସାରେ ବାପା ମାଆଙ୍କର ସମ୍ପତ୍ତି ଉପରେ ପୁଅ ଝିଅଙ୍କର ଅଧିକାର ରହିଥାଏ । ଯେହତୁ ବୃଦ୍ଧା ଜଣଙ୍କ ପୂର୍ବରୁ ଅଧା ଜାଗା ବଡ଼ ଝିଅକୁ ଦେଇଦେଇଥିବା ବେଳେ ଆଉ ଅଧା ଜାଗା ଉପରେ ସାନ ଝିଅର ଅଧିକାର ରହିଛି । ହେଲେ ମା'ଙ୍କର ଉଚ୍ଚ ଆଶା ଆଗରେ ନିଜର ଭାଗ ପାଇଁ ଚିନ୍ତା ନକରି ମାଆଙ୍କର ଶେଷ ଇଚ୍ଛାକୁ ପୂରଣ କରିବାକୁ ପ୍ରାଧାନ୍ୟ ଦେଇଛନ୍ତି । ତା'ସହ ମାଆଙ୍କର ଏଭଳି କାର୍ଯ୍ୟ ପାଇଁ ସେ ଭାରି ଖୁସି ।

ସ୍ଥାୟୀ ଘର ନଥିବାରୁ ସଂକୀର୍ତ୍ତନ ମଣ୍ଡଳୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ। ୩ବର୍ଷ ହେଲାଣି ପ୍ରତ୍ୟହ ସନ୍ଧ୍ୟାରେ ରାସ୍ତାକଡ଼ରେ ବସି ସଂକୀର୍ତ୍ତନ କରିବାକୁ ପଡୁଥିଲା । ହେଲେ ବନବାସିନୀଙ୍କ ଦ୍ବାରା ନିଜ ଘରଟିକୁ କିର୍ତ୍ତନମଣ୍ଡଳୀକୁ ଦାନସୂତ୍ରରେ ଦେବାପରେ ଏବେ ଆଉ ହରିନାମ ପାଇଁ ପ୍ରତିବନ୍ଧକ ସୃଷ୍ଟି ହେବନାହିଁ ବୋଲି କିର୍ତ୍ତନମଣ୍ଡଳୀ ସଦସ୍ୟ ପ୍ରକାଶ କରିଛନ୍ତି । 
ଧନ ସମ୍ପତ୍ତି ତ' ଅନେକ ଲୋକଙ୍କ ପାଖରେ ଅଛି। କିନ୍ତୁ ତାକୁ ଦାନ କରିଥିବାର ମନ ବୃତ୍ତି ଖୁବ୍ କମ ଲୋକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଆଉ ନିଜର ସର୍ବସ୍ୱ ଦାନ କରିଦେଇଥିବା ବନବାସିନୀ ଭଳି ମଣିଷ ସମାଜରେ ନିଶ୍ଚିତ ଭାବରେ ବିରଳ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...
 

women-donate-her-house-to-sankirtan-mandal- | Argus News