ଡାକ୍ତରଙ୍କ ଅବେହଳାରୁ ରୋଗୀଙ୍କୁ ଦିଆଗଲା ଭୁଲ ଇଞ୍ଜେକ୍ସନ : ହସ୍ପିଟାଲ ପରିସରରେ ଉତ୍ତେଜନା

ଅର୍ଗସ ବ୍ୟୁରୋ: ଡାକ୍ତରଙ୍କ ଚରମ ଅବହେଳାରୁ ରୋଗୀଙ୍କୁ ଭୁଲରେ କୁକୁର ଇଞ୍ଜେକ୍ସନ ଦିଆଯାଇଛି। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା ଦେଖିବାକୁ ମିଳିଛି। ହାତ ଗୋଡ ବିନ୍ଧା ଇଞ୍ଜେକସନ ବଦଳରେ ଦେଲେ କୁକୁର କାମୁଡା ଇଞ୍ଜେକସନ। ଏମିତି ଅଭିଯୋଗ ଆସିଛି ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ଦକ୍ଷିଣବାଡ ଗାଁର 56 ବର୍ଷୀୟ ବିଜୟ ବିଶ୍ବାଳ ଙ୍କ ସହ। ବିଜୟଙ୍କୁ ଥଣ୍ଡା ଯୋଗୁଁ ଗୋଡ ଓ ହାତ ବିନ୍ଧା ହେଉଥିଲା। ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆସି ଡାକ୍ତରଙ୍କୁ ଦେଖାଇଥିଲେ।
ଡାକ୍ତର ଦେଖି ପ୍ରେସକିପସନ ମଧ୍ୟ ଲେଖିଥିଲେ। ସେ ଅନ୍ୟ ଔଷଧ ସହ ଡାଇକ୍ଲୋଫିନାକ ଇଞ୍ଜେକସନ ଲେଖିଥିଲେ। ବିଜୟ ଇଞ୍ଜେକସନ ନେବାପାଇଁ ଲାଇନରେ ଥିଲେ। ସେଠାରେ ଇଞ୍ଜେକସନ ଦାୟିତ୍ୱରେ ଥିବା ନର୍ସ ଡାଇକ୍ଲୋଫିନାକ ଇଞ୍ଜେକସନ ବଦଳରେ ତାଙ୍କୁ କୁକୁର କାମୁଡା ଇଞ୍ଜେକସନ ଦେଇଦେଲେ। ଏହା ଜାଣିବା ପରେ ବିଜୟଙ୍କ ପରିବାର ଲୋକେ ନର୍ସଙ୍କୁ ଏ ସଂକ୍ରାନ୍ତରେ ପଚାରି ଵୁଝିଥିଲେ। ହେଲେ ସମାଧାନ ପରିବର୍ତ୍ତେ ସଂପୃକ୍ତ ନର୍ସ ବିଜୟଙ୍କ ପ୍ରେସକିପସନ ନେଇ ଡାକ୍ତରଖାନାରୁ ଛୁ ମାରିଥିଲେ।
ବିଜୟଙ୍କୁ ପରିବାର ଲୋକେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିବା ସହ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ସଂପୃକ୍ତ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଭଣ୍ଡାରିପୋଖରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଅନ୍ୟ ପକ୍ଷରେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର କମଳାକାନ୍ତ ସ୍ବାଇଁ କହିଛନ୍ତି ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡ଼ିଶା ଖବର