ଅଙ୍ଗଦାନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି ଯୁବପିଢ଼ି

ଅର୍ଗସ ବ୍ୟୁରୋ: ଆଜି ବିଶ୍ୱ ଅଙ୍ଗଦାନ ଦିବସ। ଅଙ୍ଗଦାନରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ ହୋଇଥିବା ବେଳେ ଜନସାଧାରଣଙ୍କୁ ସଚେତନ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି ଯୁବପିଢ଼ି। ଲିଫଲେଟ ବାଣ୍ଟି କେଉଁଠି ସଚେତନ କରୁଛନ୍ତି ତ ଆଉ କେଉଁଠି ୫୦ କିମି ସାଇକେଲରେ ଆସି ଦେଉଛନ୍ତି ସଚେତନତାର ବାର୍ତ୍ତା।
ଆଜି ବି ଆଖିରୁ ଲୁହ ଶୁଖୁନି। କେମିତି ଶୁଖିବ ମା'ର ଆଖି ପରା। ମାତ୍ର ୧୯ ମାସର ଶିଶୁ ହରାଇବାର ସେ ସମୟ, ସେ ପରିସ୍ଥିତି, ସେ ମୁହୂର୍ତ୍ତ କେମିତି ବା ଭୁଲି ହେବ। ତଥାପି ପୁଅର ଶେଷ ମୁହୂର୍ତ୍ତର ମହତ କାମ ପାଇଁ ଆଜି ମା' ବାପାଙ୍କୁ ସାଲ୍ୟୁଟ୍ କରୁଛି ସମାଜ। ଆଉ ପୁଅ କଥା ବଖାଣୁ ବଖାଣୁ ବୋଲ ମାନୁନି ଲୁହ।
ଆମେ କହୁଛୁ ବାଲେଶ୍ଵର ଜିଲ୍ଲାର ଦେବେନ୍ଦ୍ରପୁର ଗ୍ରାମର ୧୯ ମାସର ଶିଶୁ ରାଷ୍ଟ୍ରୀୟ ସମ୍ମାନିତ ପ୍ରତ୍ୟୁଷ ପାଣୀଗ୍ରାହୀଙ୍କ କଥା। ଅଙ୍ଗଦାନ କରି ୩ ଜୀବନ ବଞ୍ଚାଇ ଆଜି ଅମର ପ୍ରତ୍ୟୁଷ ପାଣୀଗ୍ରାହୀ। ଯାହାକୁ ନେଇ ଆଜି ଗର୍ବିତ ପ୍ରତ୍ୟୁଷଙ୍କ ମା ଶ୍ରର୍ମିଷ୍ଠା ପାଣିଗ୍ରାହୀ ଓ ବାପା ଗୌରୀଶଙ୍କର ପାଣିଗ୍ରାହୀ। ସମସ୍ତେ ଏଭଳି ନିଷ୍ପତ୍ତି ନେଇ ଅଙ୍ଗଦାନ କରିବା ପାଇଁ ଆଗେଇ ଆସିବା ଦରକାର ବୋଲି ଆହ୍ବାନ ମଧ୍ୟ କରିଛନ୍ତି।
ସେହିପରି କିଡନୀ ଟ୍ରାନ୍ସପ୍ଲାଟ ସର୍ଜନ ଡାକ୍ତର ସୁକାନ୍ତ ପାଢ଼ୀ ଙ୍କ କହିବା ମୁତାବକ କେହି ଜଣେ ଗୋଟିଏ ଅଙ୍ଗଦାନ କଲେ ସେଥିରେ ୮ଟି ଜୀବନ ମୃତ୍ୟୁ ମୁଖରୁ ବଞ୍ଚିଯାଇ ପାରିବ। ବର୍ତ୍ତମାନର ସାଂପ୍ରତିକ ସମୟରେ ଲୋକେ ବିଭିନ୍ନ ଦୁର୍ଘଟଣାରେ ନଜ ଅଙ୍ଗ ହରାଉଛନ୍ତି । ଏପର୍ଯ୍ୟନ୍ତ ମଣିଷ ଅଙ୍ଗର କୌଣସି ବିକଳ୍ପ ମିଳି ନଥିବାବେଳେ ଅଙ୍ଗ ଦାନହିଁ କେବଳ ଲୋକଙ୍କ ଜୀବନ ବଞ୍ଚାଉଛି । ଏହାକୁ ନଜରରେ ରଖି,ସାରା ବିଶ୍ୱରେ ଅଙ୍ଗଦାନ କରିବା ପାଇଁ ଜନସାଧାରଣ ଆଗେଇ ଆସିବା ଦରକାର।
📱 Get Argus News App
✨ଅନ୍ୟପଟେ ବିଶ୍ଵ ଅଙ୍ଗଦାନ ଦିବସ ଅବସରରେ ସାଇକେଲରେ କରୁଛନ୍ତି ସଚେତନତା। ନିମାପଡ଼ା ରୁ ଭୁବନେଶ୍ଵର ସାଇକେଲରେ ଆସି ୨ ଛାତ୍ର ଅଙ୍ଗଦାନ କରିବାକୁ ଲୋକଙ୍କୁ କରୁଛନ୍ତି ସଚେତନ। ୪୫ ରୁ ୫୦ କିମି ଆସିବା ବାଟରେ ୨୦୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଲିଫଲେଟ ଦେଇ କରିଛନ୍ତି ଅଙ୍ଗଦାନ ପାଇଁ ଆଗ୍ରହୀ। ସେ ଦୁଇ ଜଣ ହେଉଛନ୍ତି ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳର ଶିବ ପ୍ରସାଦ ଓ ଆଉ ଜଣେ ବାଲିପାଟଣା ଅଞ୍ଚଳର ସୌମ୍ୟରଞ୍ଜନ। ସାଧାରଣରେ ମୃତକଙ୍କ ପରିବାର ନିଜ ଧର୍ମ ଓ ବିଶ୍ୱାସ ଅନୁସାରେ ଶବକୁ ପୋଡି କିମ୍ବା କବର ଦିଅନ୍ତି । ଫଳରେ ମୃତ ଶରୀରଟି ଆଉ କାହାରି କାମରେ ଆସି ପାରେ ନାହିଁ । କିନ୍ତୁ ଯଦି ପୋଡି ଦେବା ପରିବର୍ତ୍ତେ ଯଦି ମୃତ ଶରୀରକୁ ଦାନ କରି ଦିଆ ଯାଏ ତେବେ ଉକ୍ତ ମୃତ ଶରୀରରୁ ଆବଶ୍ୟକୀୟ ଅଙ୍ଗ ଯଥା ଆଖି, କିଡନି ଆଦି ବାହାର କରାଯାଇ ଜଣେ ଆବଶ୍ୟକୀୟ ରୋଗୀଙ୍କ ଜୀବନ ବଞ୍ଚିପାରନ୍ତା ବୋଲି କହିଛନ୍ତି ଶିବ ପ୍ରସାଦ।
ଅଙ୍ଗଦାନରେ ଓଡ଼ିଶା ଅନ୍ୟ ରାଜ୍ୟ ପାଇଁ ଅନୁକରଣୀୟ। ପୂର୍ବାଞ୍ଚଳ ରାଜ୍ୟ ଭିତରେ ଓଡ଼ିଶା ଆଗରେ ରହିଛି। ରାଜ୍ୟବାସୀଙ୍କ ଭିତରେ ଅଙ୍ଗଦାନ ଆଗ୍ରହ ବଢୁଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୭ଟି ଅଙ୍ଗଦାନ ହୋଇଛି। ସରକାରୀ ହସ୍ପିଟାଲ୍ରେ ମାତ୍ର ୪ଟି ମସ୍ତିଷ୍କ ମୃତ ରୋଗୀ (ବ୍ରେନ୍ ଡେଡ୍) ରୋଗୀଙ୍କ ଅଙ୍ଗଦାନ ହୋଇଛି। ସେଥିରେ କଟକ ଏସ୍ସିବିରେ ୨ ଓ ଭୁବନେଶ୍ଵର ଏମ୍ସରେ ୨ ରହିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର