|
logo
Live

Argus News - ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଉପହାର, ବୁର୍ଲାରେ ଲୋକାର୍ପିତ ହେଲା ‘ଜୋହୋ ସ୍କିଲ୍ ହବ୍’ ଓ ପେଟିଏମ୍ ‘ଜ୍ଞାନ ବାହାନ’

Odisha

Zoho Skill Hub Burla / ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଉପହାର, ବୁର୍ଲାରେ ଲୋକାର୍ପିତ ହେଲା ‘ଜୋହୋ ସ୍କିଲ୍ ହବ୍’ ଓ ପେଟିଏମ୍ ‘ଜ୍ଞାନ ବାହାନ’

Santosh Kumar Sahoo
Browse all articles by Santosh Kumar Sahoo
·1 day ago·3 min read
ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଉପହାର, ବୁର୍ଲାରେ ଲୋକାର୍ପିତ ହେଲା ‘ଜୋହୋ ସ୍କିଲ୍ ହବ୍’ ଓ ପେଟିଏମ୍ ‘ଜ୍ଞାନ ବାହାନ’
Dharmendra Pradhan

Key Points

ବୁର୍ଲାରେ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଉପହାର
ବୁର୍ଲାରେ ଜୋହୋ ସ୍କିଲ୍ ହବ୍ ଓ ଜ୍ଞାନ ବାହାନ ଶୁଭାରମ୍ଭ
ଜୋହୋର ଅତ୍ୟାଧୁନିକ ଟେକ୍ନୋଲୋଜି ଉପରେ ତାଲିମ ପାଇବେ ଛାତ୍ରଛାତ୍ରୀ
ବୁର୍ଲା ଭିସୁଟ ପରିସରରେ ‘ଜୋହୋ ସ୍କିଲ୍ ହବ୍’ ଓ ପେଟିଏମ୍ ‘ଜ୍ଞାନ ବାହାନ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ପରିବର୍ତ୍ତିତ ବିଶ୍ୱରେ କେବଳ ଡିଗ୍ରୀ ବା ସାର୍ଟିଫିକେଟ୍ ଯଥେଷ୍ଟ ନୁହେଁ, ବରଂ 'ଦକ୍ଷତା ଆଧାରିତ ଶିକ୍ଷା' ହିଁ ଜଣେ ଛାତ୍ରର ପ୍ରକୃତ ପରିଚୟ ।



ବିଶ୍ୱସ୍ତରୀୟ ଆଇଟି କମ୍ପାନୀ 'ଜୋହୋ' ସହଯୋଗରେ ସ୍ଥାପିତ 'ଜୋହୋ ସ୍କିଲ୍ ହବ୍'କୁ ଲୋକାର୍ପଣ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ, ଏହା କେବଳ ଏକ ତାଲିମ କେନ୍ଦ୍ର ନୁହେଁ ବରଂ ଏକ ସମ୍ପୂର୍ଣ୍ଣ ଇକୋସିଷ୍ଟମ୍ । ଏଠାରେ ଅତ୍ୟାଧୁନିକ କ୍ଲାସରୁମ୍ ଓ ପାର୍ଟନର ଅଫିସ୍ ଜରିଆରେ ଛାତ୍ରଛାତ୍ରୀମାନେ ବାସ୍ତବିକ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ପାଇବେ । ସମ୍ବଲପୁର ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀ ଜୋହୋର ଅତ୍ୟାଧୁନିକ ଟେକ୍ନୋଲୋଜି ଉପରେ ତାଲିମ ପାଇପାରିବେ ।



ଜୋହୋ ସ୍କିଲ୍ ହବ୍ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ନିପୁଣ କରିବ । ଯେଉଁମାନେ ନିଜର ଦକ୍ଷତା ପ୍ରମାଣିତ କରିବେ, ସେମାନଙ୍କୁ ଜୋହୋର ପାର୍ଟନର ନେଟୱାର୍କ ସହ ଦେଶ-ବିଦେଶରେ ସିଧାସଳଖ ନିଯୁକ୍ତି ସୁଯୋଗ ମିଳିବ । ଜୋହୋ ପକ୍ଷରୁ Race2Cloud ପରି ସଂସ୍ଥାଗୁଡ଼ିକ ଓଡ଼ିଶାରେ ନିଜର ବେସ୍ ସ୍ଥାପନ କରିବା ଆଗାମୀ ଦିନରେ ସମଗ୍ର ଦେଶ ପାଇଁ ଏକ ମଡେଲ ସାଜିବ ।


ସେହପରି ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ସାମାଜିକ ଦାୟିତ୍ୱବୋଧର ଏକ ଅଂଶ ସ୍ୱରୂପ ପେଟିଏମ ଫାଉଣ୍ଡେସନ ଏବଂ ଭିସୁଟର ମିଳିତ ସହଯୋଗରେ ଜ୍ଞାନ ବାହନର ଶୁଭାରମ୍ଭ ପ୍ରଂଶସନୀୟ । ଏହି ଅତ୍ୟାଧୁନିକ ବସ୍ ଗ୍ରାମାଞ୍ଚଳର ସରକାରୀ ସ୍କୁଲ ଛାତ୍ରଛାତ୍ରୀ ଓ ଗ୍ରାମବାସୀଙ୍କୁ ଡିଜିଟାଲ୍ ଏବଂ ଆର୍ଥିକ ସାକ୍ଷରତା ପ୍ରଦାନ କରିବ । ଏହି ପଦକ୍ଷେପ ତୃଣମୂଳ ସ୍ତରରେ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାକୁ ସୁଦୃଢ଼ କରିବ । ଏହି ପଦକ୍ଷେପ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଜୋହୋ, ପେଟିଏମ ଏବଂ ଭିସୁଟକୁ ଧନ୍ୟବାଦ ଜଣାଇଛନ୍ତି ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଛନ୍ତି, ବୁର୍ଲାର ଭିସୁଟ ଅନୁଷ୍ଠାନ ସର୍ବଦା ଗୋଟିଏ ଅଗ୍ରଣୀ ଅନୁଷ୍ଠାନ ଭାବେ ବୈଷୟିକ ଜ୍ଞାନକୌଶଳରେ ନିଜର ଚରିତ୍ରକୁ ପ୍ରତିପାଦିତ କରିଛି । ଭିସୁଟ୍ ସର୍ବଦା ଏକ ପ୍ରାୟୋଗିକ ଶିକ୍ଷା କେନ୍ଦ୍ର ଭାବେ କାର୍ଯ୍ୟଭିତ୍ତିକ ଶିକ୍ଷାକୁ ଗୁରୁତ୍ୱ ଦେଇଆସିଛି । ଜୋହୋ ପରି ବିଶ୍ୱସ୍ତରୀୟ କମ୍ପାନୀର ସହଯୋଗରେ ଏବେ ସମ୍ବଲପୁରର ଇଞ୍ଜିନିୟରିଂ ଓ ଅଣ-ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ଟେକ୍ନୋଲୋଜିରେ ଦକ୍ଷ ହୋଇ ନିଜକୁ ନିଯୁକ୍ତିଦାତା ଭାବେ ଗଢ଼ି ତୋଳିବେ ।



ସମ୍ବଲପୁରର ଶିକ୍ଷା କ୍ଲଷ୍ଟର ସମ୍ପର୍କରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି ଯେ, ଭିସୁଟର ବୈଷୟିକ ଜ୍ଞାନକୌଶଳ, ଭିମସାରର ଚିକିତ୍ସା ବିଜ୍ଞାନ, ସମ୍ବଲପୁର ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ଏବଂ ଆଇଆଇଏମ, ସମ୍ବଲପୁରର ମ୍ୟାନେଜମେଣ୍ଟ ଦକ୍ଷତାକୁ ସମନ୍ୱିତ କରି ଏକ 'ମଲଟି-ଡିସିପ୍ଲିନାରୀ' ଶିକ୍ଷା ବ୍ୟବସ୍ଥା ତିଆରି କରାଯିବ । ଏଥିପାଇଁ ସବୁ ଶିକ୍ଷାନୁଷ୍ଠାନର ପ୍ରାଧ୍ୟାପକମାନେ ଯୋଜନା କରିବା ଦରକାର । ଆଇଆଇଟି ମାଡ୍ରାସ ସହ ମିଶି ପାଠ୍ୟକ୍ରମର ଆଧୁନିକୀକରଣ ଏବଂ ଆଇଆଇଟି କାନପୁର ସହ ସହରୀ ସ୍ଥାୟୀ ବିକାଶ ପାଇଁ ହୋଇଥିବା ଚୁକ୍ତି ବୁର୍ଲାକୁ ଏକ ବିଶ୍ୱସ୍ତରୀୟ ଜ୍ଞାନର କେନ୍ଦ୍ର ଓ ରୋଜଗାର ସୃଷ୍ଟିର ପ୍ରମୁଖ ସ୍ଥଳରେ ପରିଣତ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱବିଦ୍ୟାଳୟ ପରିସରରେ ଏକ ନୂତନ 'ପ୍ରଶିକ୍ଷଣ ଓ ନିଯୁକ୍ତି ଭବନ' ଏବଂ 'ସ୍ପୋର୍ଟ୍ସ କମ୍ପଲେକ୍ସ'ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ପ୍ରକଳ୍ପଗୁଡ଼ିକ ଛାତ୍ରଛାତ୍ରୀଙ୍କୁ ବୈଷୟିକ ପ୍ରଶିକ୍ଷଣ ଦେବା ସହ ସେମାନଙ୍କ ଶାରୀରିକ ବିକାଶ ଓ କ୍ରୀଡ଼ା ପ୍ରତିଭାକୁ ଉନ୍ନତ କରିବାରେ ସହାୟକ ହେବ । ଏହି ଅବସରରେ ମନ୍ତ୍ରୀ ବିଶ୍ୱବିଦ୍ୟାଳୟର ଶ୍ରେଷ୍ଠ ଇନୋଭେଟରମାନଙ୍କୁ ମଧ୍ୟ ସମ୍ମାନିତ କରିବା ସହ ଶୁଭେଚ୍ଛା ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପଞ୍ଚାୟତିରାଜ, ପାନୀୟ ଜଳ ଏବଂ ଗ୍ରାମୀଣ ଉନ୍ନୟନ ମନ୍ତ୍ରୀ ରବି ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ଜୋହୋ କର୍ପୋରେସନର ନିର୍ଦ୍ଦେଶକ ରାଜେନ୍ଦ୍ରନ ଦଣ୍ଡପାଣୀ, ପେଟିଏମର ପ୍ରତିନିଧି ଏବଂ ଭିସୁଟର କୁଳପତି ପ୍ରମୁଖ ଉପସ୍ଥିତ ଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Zoho Skill Hub Burla: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଉପହାର, ବୁର୍ଲାରେ ଲୋକାର୍ପିତ ହେଲା ‘ଜୋହୋ ସ୍କିଲ୍ ହବ୍’ ଓ ପେଟିଏମ୍ ‘ଜ୍ଞାନ ବାହାନ’ | Argus News