|
logo
Live

Argus News - ମିଶନ ୨୦୨୭ ପୂର୍ବରୁ ବିବାଦରେ PDA; ପ୍ରଶ୍ନ ଘେରରେ ଅଖିଲେଶ ଯାଦବ

Politics

Samajawadi Party PDA / ମିଶନ ୨୦୨୭ ପୂର୍ବରୁ ବିବାଦରେ PDA; ପ୍ରଶ୍ନ ଘେରରେ ଅଖିଲେଶ ଯାଦବ

Subhramjit Ray
Browse all articles by Subhramjit Ray
·1 month ago·5 min read
ମିଶନ ୨୦୨୭ ପୂର୍ବରୁ ବିବାଦରେ PDA; ପ୍ରଶ୍ନ ଘେରରେ ଅଖିଲେଶ ଯାଦବ
SP Mission 2027

Key Points

୨୦୨୪ ଲୋକସଭା ନିର୍ବାଚନରେ ମିଳିଥିବା ସଫଳତା ପରେ ସମାଜବାଦୀ ପାର୍ଟି ଏହାର ସାଙ୍ଗଠନିକ ଗଠନରେ ପିଡ଼ିଏ ଫର୍ମୁଲା ଆପଣାଇବ।
Samajwadi Party PDA: ୨୦୨୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଚିତପଟାଙ୍ଗ ମାରିବା ପରେ ଏବେ ସମାଜବାଦୀ ପାର୍ଟି ମିଶନ ୨୦୨୭ ପାଇଁ ଏବେ ଠାରୁ ପ୍ରୟାସ ଆରମ୍ଭ କରିଦେଲାଣି। ହେଲେ ଦଳ ପାଇଁ ଘରେ ପଶୁ ପଶୁ ମୁଣ୍ଡର ଚାଳ ବାଜିବା ଭଳି ପରିସ୍ଥିତି ଉପୁଜିଲାଣି। କାରଣ ଯେଉଁ ପିଡ଼ିଏ ନାରା ଦେଇ ଦଳ ୨୦୨୪ ଲୋକସଭା ନିର୍ବାଚନରେ ବାଜିମାତ କରିଥିଲା ଏବେ ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। କାରଣ ଦଳୀୟ ସଙ୍ଗଠନରେ ପ୍ରକୃତ ପିଡ଼ିଏ ପ୍ରତିନିଧିତ୍ୱ କରିବା ଭଳି ମନେ ହେଉନାହିଁ।

ଗତ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି (Samajwadi Party) ପଛୁଆବର୍ଗ (Pichda/OBC),ଦଳିତ (Dalit/SC), ସଂଖ୍ୟାଲଘୁ (Alpsankhyak/Minority) ସମ୍ପ୍ରଦାୟର ସମର୍ଥନ ହାସଲ କରିବାକୁ ନେଇ ଏକ ସ୍ୱତନ୍ତ୍ର ରଣନୀତି ଆପଣାଇଥିଲେ। ଯାହାର ନାଁ ହେଉଛି ପିଡ଼ିଏ (Samajwadi Party PDA)। ଏହି ରଣନୀତି ବେଶ ସଫଳ ହୋଇଥିବା ବିଗତ ଲୋକସଭା ନିର୍ବାଚନରେ ଦଳ ରାଜ୍ୟର ମୋଟ ୮୦ ଲୋକସଭା ଆସନରୁ ୩୭ ସିଟ୍ ହାତେଇଥିଲା।

୨୦୨୪ ଲୋକସଭା ନିର୍ବାଚନରେ ମିଳିଥିବା ସଫଳତା ପରେ ସମାଜବାଦୀ ପାର୍ଟି ଏହାର ସାଙ୍ଗଠନିକ ଗଠନରେ ପିଡ଼ିଏ ଫର୍ମୁଲା ଆପଣାଇବ। ଦଳର ପ୍ରମୁଖ ପଦ ପଦବୀରେ ପଛୁଆ ବର୍ଗ, ଦଳିତ ଏବଂ ମୁସଲିମଙ୍କ ପ୍ରତିନିଧିତ୍ୱ ବୃଦ୍ଧି କରିବ। ହେଲେ ଦଳୀୟ ସଙ୍ଗଗଠନରେ ପ୍ରକୃତ ପିଡ଼ିଏ ପ୍ରତିନିଧିତ୍ୱ କରୁନଥିବା ଭଳି ମନେ ହେଉଛି। ବର୍ତ୍ତମାନର ଦଳୀୟ ସାଙ୍ଗଠନିକ ଢାଞ୍ଚା ଏକଥାକୁ ପ୍ରମାଣ କରୁଛି।

ଏନେଇ ପ୍ରତିକ୍ରିୟା ରଖି ରାଜନୈତିକ ବିଶ୍ଳେଷକ କହିଛନ୍ତି ଯେ ସମାଜବାଦୀ ପାର୍ଟି ପାଇଥିବା ନିର୍ବାଚନୀ ସଫଳତା ପଛରେ ଏହାର ପାରମ୍ପରିକ ଯାଦବ-ମୁସଲିମ୍ ଭୋଟ ବ୍ୟାଙ୍କ ରହିଛି। ଯାହା ଉତ୍ତର ପ୍ରଦେଶ ରାଜନୀତିରେ ଏମ-ୱାଇ ସମୀକରଣ (SP MY Equation) ଅର୍ଥାତ୍ ଯାଦବ-ମୁସଲିମ ଗଠଜୋଡ଼ ନାମରେ ପରିଚିତ। ଦଳ ଯେଉଁ ପିଡ଼ିଏ ନାରା ୨୦୨୪ ନିର୍ବାଚନରେ ସଫଳତା ପାଇଥିଲା। ଏବେ ସେହି ପିଡ଼ିଏ ବର୍ଗକୁ ଦଳୀୟ ସଙ୍ଗଠନରେ ପ୍ରତିନିଧିତ୍ୱ ପ୍ରାଦନ କରିବାର ସମୟ ଆସିଯାଇଛି।

ଉତ୍ତର ପ୍ରଦେଶ ରାଜନୀତିରେ ଏମ-ୱାଇ ସମୀକରଣ ଦଶନ୍ଧି ଦଶନ୍ଧି ଧରି ସମାଜବାଦୀ ପାର୍ଟି ପାଇଁ ମୂଳ ରାଜନୈତିକ ଶକ୍ତି ହୋଇରହିଛି। ଏପରିକି କଠିନ ସମୟରେ ମଧ୍ୟ ଦଳକୁ ନିର୍ବାଚନ ଦୃଷ୍ଟିକୋଣରୁ ପ୍ରାସଙ୍ଗିକ ହୋଇ ରହିବାରେ ସାହାୟକ ହୋଇଛି। ହେଲେ ଯଦି ଦଳ ଏହାର ପିଡ଼ିଏ ଚିନ୍ତାଧାରାକୁ ଏକ ସ୍ଥାୟୀ ରାଜନୈତିକ ରଣନୀତି କରିବାକୁ ଚାହେଁ, ତାହେଲେ ଏହାକୁ ଅଣ-ଯାଦବ ଓବିସି ଏବଂ ଦଳିତଙ୍କ ପାଇଁ ଆବଶ୍ୟକୀୟ ପ୍ରତିନିଧିତ୍ୱ ମଧ୍ୟ ସୁନିଶ୍ଚିତ କରିବାକୁ ହେବ। ଦଳ ଏହାର ପାରମ୍ପରିକ ଭୋଟ ବ୍ୟାଙ୍କ ଏମ-ୱାଇ ସମୀକରଣକୁ ଦୁର୍ବଳ ନକରି ଏହାର ସାମାଜିକ ଆଧାରକୁ ବିସ୍ତାର କରିବାକୁ ହେବ। ନହେଲେ ୨୦୨୭ ମହାସମରରେ ବାଜିମାତ କରିବା ଦଳ ସହଜ ସାଧ୍ୟ ହେବ ନାହିଁ।

ବର୍ତ୍ତମାନ ସମୟରେ ଦଳର ୯୭ ଜିଲ୍ଲା ଏବଂ ମହାନଗର ଅଧ୍ୟକ୍ଷଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଯାଦବ କିମ୍ବା ମୁସଲିମ୍। ଯାହା ଏବେ ରାଜନୈତିକ ମହଲରେ ପ୍ରଶ୍ନ ଉଠାଉଛି। ସମାଜବାଦୀ ପାର୍ଟି ପକ୍ଷରୁ ଦିଆଯାଇଥିବା ପିଡ଼ିଏ ସ୍ଲୋଗାନ୍ ଦଳୀୟ ସଙ୍ଗଠନରେ କେତେ ମାତ୍ରାରେ କାର୍ଯ୍ୟକାରୀ ହେଉଛି। ଉତ୍ତର ପ୍ରଦେଶରେ ଜନସଂଖ୍ୟାର ପ୍ରାୟ ୮-୯ ପ୍ରତିଶତ ହେଉଛନ୍ତି ଯାଦବ। ହେଲେ ଏହା ସତ୍ତ୍ୱେ ଦଳୀୟ ସଙ୍ଗଠନରେ ସେମାନଙ୍କର ମାତ୍ରାଧିକ ପ୍ରତିନିଧିତ୍ୱ ରହିଛି। ବର୍ତ୍ତମାନନ ୯୫ ଜିଲ୍ଲା ସଭାପତିଙ୍କ ମଧ୍ୟରୁ ୪୨ ଜଣ ହେଉଛନ୍ତି ଯାଦବ। ଦଳୀୟ ସଙ୍ଗଠନରେ ସେମାନଙ୍କର ପ୍ରତିନିଧିତ୍ୱ ୪୪ ପ୍ରତିଶତ ରହିଛି।

ରାଜ୍ୟରେ ମୁସଲିମ ସମ୍ପ୍ରଦାୟର ପ୍ରତିନିଧିତ୍ୱ ଦ୍ୱିତୀୟ ସର୍ବାଧିକ ରହିଛି। ଦଳ ୨୪ ସାଙ୍ଗଠନିକ ଜିଲ୍ଲାର ସଭାପତି ଦାୟିତ୍ୱରେ ଦଳର ମୁସଲିମ୍ ଚେହେରା ରହିଛି। ଅନ୍ୟପକ୍ଷରେ ରାଜ୍ୟର ମୋଟ ଜନସଂଖ୍ୟାର ପ୍ରାୟ ୨୦-୨୧ ପ୍ରତିଶତ ଦଳିତ ସମ୍ପ୍ରଦାୟ ହୋଇଥିବା ବେଳେ ସେମାନଙ୍କ ବର୍ଗ ହାତରେ କେବଳ ତିନୋଟି ଜିଲ୍ଲାର ସଭାପତି ଦାୟିତ୍ୱ ରହିଛି।

ସେହିପରି ଦଳୀୟ ସଙ୍ଗଠନରେ ଉଚ୍ଚ ଜାତିର ପ୍ରତିନିଧିତ୍ୱ ମଧ୍ୟ ସୀମିତ ରହିଛି। ଦଳର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସମୟରେ ଦଳୀୟ ସଙ୍ଗଠନରେ ଠାକୁର ଅର୍ଥାତ ରାଜପୁତ ସମ୍ପ୍ରଦାୟର ଏକ ଗୁରୁତ୍ୱପୂର୍ଣ୍ଣ ଉପସ୍ଥିତି ରହିଥିଲା। ହେଲେ ବର୍ତ୍ତମାନ ଦଳରେ ବର୍ତ୍ତମାନ ଜଣେ ହେଲେ ରାଜପୁତ ସମ୍ପ୍ରଦାୟର ନେତା ଜିଲ୍ଲା କିମ୍ବା ନଗର ସଭାପତି ଦାୟିତ୍ୱରେ ନାହାନ୍ତି। ୯୫ ଜିଲ୍ଲା ସଭାପତିଙ୍କ ମଧ୍ୟରୁ କେବଳ ୭ ଜଣ ଉଚ୍ଚ ଜାତିର, ଯେଉଁଥିରେ ୨ ଜଣ ବ୍ରାହ୍ମଣ, ୨ ଜଣ ବଣିଆ, ଜଣେ ତ୍ୟାଗୀ ଏବଂ ଅନ୍ୟ ଜଣେ ବଙ୍ଗାଳୀ କାୟସ୍ଥ ସମ୍ପ୍ରଦାୟର।

ଦଳୀୟ ସାଙ୍ଗଠନିକ ପଦ ପଦବୀ ବଣ୍ଟନରେ ଅଞ୍ଚଳ ଭିତ୍ତିରେ ପରିବର୍ତ୍ତନ ରହିଛି। ପଶ୍ଚିମ ଉତ୍ତର ପ୍ରଦେଶରେ ଜିଲ୍ଲା ସ୍ତରୀୟ ସଙ୍ଗଠନରେ ଦଳ ମୁସଲିମ ନେତାଙ୍କ ଉପରେ ଅତ୍ୟଧିକ ନିର୍ଭର କରୁଥିବା ଦେଖାଯାଉଛି। ଯେତେବେଳେ ପୂର୍ବାଞ୍ଚଳରେ ଅଧିକାଂଶ ଜିଲ୍ଲା ସଭାପତି ହେଉଛନ୍ତି ଯାଦବ ସମ୍ପ୍ରଦାୟର। ଚିତ୍ରକୂଟ, ଆଜମଗଡ଼, ବସ୍ତି ଏବଂ ଲକ୍ଷ୍ନୌ ଭଳି ବିଭାଗର ସାଙ୍ଗଠନିକ ଢାଞ୍ଚା ମୁଖ୍ୟତଃ ମୁସଲିମ ନେତାଙ୍କ ମିଶ୍ରଣକୁ ପ୍ରତିଫଳିତ କରିଥାଏ।

ହେଲେ ତଥାପି କିଛି ବିଭାଗରେ ଦଳୀୟ ସଙ୍ଗଠନରେ ଜାତି ଭିତ୍ତିକ ପ୍ରତିନିଧିତ୍ୱ ତୁଳନାତ୍ମକ ଭାବରେ ସନ୍ତୁଳିତ ରହିଛି। ଆଗ୍ରା ଡିଭିଜନ ଅଧିନସ୍ଥ ୭ ଜିଲ୍ଲା ଏବଂ ମହାନଗର କମିଟି ସଭାପତି ଦାୟିତ୍ୱରେ ୨ ଜଣ ଯାଦବ, ୨ ଜଣ ମୁସଲମାନ, ଜଣେ ବଣିଆ, ଜଣେ କୁଶୱାହା ଏବଂ ଅନ୍ୟ ଜଣେ ଶାକ୍ୟ ସମ୍ପ୍ରଦାୟର ନେତା ଅଛନ୍ତି। ସେହିପରି କାନପୁର ଡିଭିଜନ ଅଧିନସ୍ଥ ୮ ଜିଲ୍ଲା ଏବଂ ମହାନଗର କମିଟି ସଭାପତି ଦାୟିତ୍ୱରେ ୨ ଜଣ ଯାଦବ, ୨ ଜଣ ମୁସଲିମ, ୨ ଜଣ ବ୍ରାହ୍ମଣ ସମ୍ପ୍ରଦାୟର, ଜଣେ ଶାକ୍ୟ ଏବଂ ଅନ୍ୟ ଜଣେ ଦଳିତ ସମ୍ପ୍ରଦାୟର ନେତା ଅଛନ୍ତି।

ଏହା ପରେ ବିରୋଧ୍ ଦଳ ପକ୍ଷରୁ ସମାଜବାଦୀ ପାର୍ଟି ପକ୍ଷରୁ ଦିଆଯାଉଥିବା ପିଡ଼ିଏ ନାରାର ବିଶ୍ୱସନୀୟତା ପ୍ରଶ୍ନ ଉଠାଇଛନ୍ତି। ଏନେଇ ପ୍ରତିକ୍ରିୟା ରଖି ବିଏସପି ମୁଖ୍ୟ ମାୟାବତୀ କହିଛନ୍ତି ଯେ ପିଡ଼ିଏ ସ୍ଲୋଗାନ କେବଳ ଦଳିତ ଏବଂ ମୁସଲିମ ମତଦାତାଙ୍କୁ ସମାଜବାଦୀ ପାର୍ଟି ପ୍ରତି ଆକର୍ଷିତ କରିବା ପାଇଁ ଏକ ରାଜନୈତିକ ଚାଲ। ସେ ଯୁକ୍ତି ଦେଇଥିଲେ ଯେ ବର୍ଷ ବର୍ଷ ଧରି ଦଳର ରାଜନୈତିକ ଆଚରଣ ଦଳିତ ବିରୋଧି ମନୋଭାବକୁ ପ୍ରତିଫଳିତ କରୁଛି।

ଅନ୍ୟପକ୍ଷରେ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ରାଜ୍ୟ ବିଜେପି ଶାଖାର ଉପାଧ୍ୟକ୍ଷ ବିଜୟ ବାହାଦୁର ପାଠକ ସମାଜବାଦୀ ପାର୍ଟି (ଏସପି) ଉଦ୍ଦେଶ୍ୟରେ କହିଛନ୍ତି ଦଳର ପିଡ଼ିଏ ମଡେଲ କେବଳ ଏକ ରାଜନୈତିକ ଚାଲ। ତାଙ୍କ କହିବା ଅନୁସାରେ ଏସପି କ୍ୱଚିତ୍ ଏହାର ପାରମ୍ପରିକ ସମର୍ଥନ ଆଧାର କିମ୍ବା ଯାଦବ ପରିବାର ବାହାରେ ଥିବା ରହିଥିବା ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରେ। କନୌଜ ଲୋକସଭା ଆସନରୁ ନିର୍ବାଚିତ ହେବା ପରେ ଯେତେବେଳେ ଏସପି ମୁଖ୍ୟ ଅଖିଳେଶ ଯାଦବ ଉତ୍ତର ପ୍ରଦେଶ ବିଧାନସଭାରେ ବିରୋଧି ଦଳ ନେତା ପଦରୁ ଇସ୍ତଫା ଦେଇଥିଲେ। ସେ ସେତେବେଳେ ପିଡିଏ ସମ୍ପ୍ରଦାୟର ଜଣେ ନେତାଙ୍କୁ ବିରୋଧି ଦଳ ନେତା ନିଯୁକ୍ତି କରିବାର ସୁଯୋଗ ରହିଥିଲା। ହେଲେ ସେ ତାହା କରିନଥିଲେ।

ଦଳୀୟ ସଙ୍ଗଠନକୁ ନେଇ ବିରୋଧି ପକ୍ଷର ଅଭିଯୋଗ ଜବାବ ରଖିଛି ସମାଜବାଦୀ ପାର୍ଟି। ଏନେଇ ପ୍ରତିକ୍ରିୟା ରଖି ଦଳର ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କ ମତାମତ ନେବା ପରେ ଦଳୀୟ ନେତାଙ୍କୁ ଦଳର କୌଣସି ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରାଯାଏ। ଦଳ ସେପରି ନେତାଙ୍କୁ ସାଙ୍ଗଠନିକ ଦାୟିତ୍ୱ ପ୍ରଦାନ କରିଥାଏ ଯିଏ ଦଳର କର୍ମକର୍ତ୍ତାଙ୍କୁ ଏକତ୍ରୀତ କରି ଦଳୀୟ ସଙ୍ଗଠନକୁ ପରିଚାଳନା କରିପାରିବେ।

ରାଜନୈତିକ ବିଶ୍ଳେଷକ କହିଛନ୍ତି ଯେ ଯାଦବ-ମୁସଲିମ ଆଧାର ଉପରେ ସମାଜବାଦୀ ପାର୍ଟି ଦ୍ୱାରା କରାଯାଉଥିବା ନିର୍ଭରଶୀଳତା କୌଣସି ଆଶ୍ଚର୍ଯ୍ୟଜନକ କଥା ନୁହେଁ। ଦଳର ସାଙ୍ଗଠନିକ ଗଠନ ଐତିହାସିକ ଭାବରେ ଏହାର ମୂଳ ସମର୍ଥନ ଆଧାରକୁ ପ୍ରତିଫଳିତ କରିଛି। ଯଦିଓ ଦଳ ସାମ୍ପ୍ରତିକ ନିର୍ବାଚନରେ ଅନେକ ​​ଅଣ-ଯାଦବ ଓବିସି ଏବଂ ଅନ୍ୟ ସମ୍ପ୍ରଦାୟର ନେତାଙ୍କୁ ଟିକେଟ ଦେଇ ଏହାର ଦଳୀୟ ସଙ୍ଗଠନକୁ ବିସ୍ତାର କରିବାକୁ ଚେଷ୍ଟା କରିଛି, ହେଲେ ତଥାପି ଏହାର ପାରମ୍ପରିକ ଆଧାରର ବିଶ୍ୱସ୍ତତା ବଜାୟ ରଖିବା ଗୁରୁତ୍ୱପୂର୍ଣ୍ଣ ରହିଛି।

ବିଶ୍ଳେଷକଙ୍କ ମତରେ ଏହା ଦେଖିବାକୁ ବାକି ରହିଲା ଯେ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରଭାବଶାଳୀ ପ୍ରମାଣିତ ହୋଇଥିବା ପିଡିଏ ରଣନୀତି ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଚମତ୍କାରିତା ଦେଖାଇ ପାରୁଛି ନାଁ ନାହିଁ। କାରଣ ଅନ୍ୟ ଦଳ ମଧ୍ୟ ଏବେ ପଛୁଆ ଏବଂ ଦଳିତ ସମ୍ପ୍ରଦାୟର ସମର୍ଥନ ଯୋଗାଡ଼ କରିବାରେ ଲାଗି ପଡ଼ିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Samajawadi Party PDA: ମିଶନ ୨୦୨୭ ପୂର୍ବରୁ ବିବାଦରେ PDA; ପ୍ରଶ୍ନ ଘେରରେ ଅଖିଲେଶ ଯାଦବ | Argus News