Videos
|
Politics

BJD Equidistance Policy / ସାମ୍ନାକୁ ଆସିଲା ବିଜେଡିର ସୁବିଧାବାଦୀ ରାଜନୀତି, କୁଆଡ଼େ ଗଲା ନବୀନଙ୍କ ସମଦୂରତା ନୀତି ?

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ସାମ୍ନାକୁ ଆସିଲା ବିଜେଡିର ସୁବିଧାବାଦୀ ରାଜନୀତି, କୁଆଡ଼େ ଗଲା ନବୀନଙ୍କ ସମଦୂରତା ନୀତି ?
BJD

Key Points

କେତେବେଳେ ସିଜେପି, କେତେବେଳେ ଇଣ୍ଡି
ସାମ୍ନାକୁ ଆସିଲା ବିଜେଡିର ସୁବିଧାବାଦୀ ରାଜନୀତି
ଇଣ୍ଡି ପ୍ରତିବାଦରେ ସାମିଲ ହେବା ପରେ ଉଠିଲା ପ୍ରଶ୍ନ

କ୍ଷମତା ହରାଇବା ପରେ କ’ଣ ବଦଳିଗଲାଣି ବିଜେଡିର ନୀତି ଓ ନିୟମ ? କେତେବେଳେ ‘ଇଣ୍ଡି’ ମେଣ୍ଟ ସହ ବୈଠକ, କେତେବେଳେ ସିଜେପି ଆନ୍ଦୋଳନକୁ ସମର୍ଥନ, ଆଉ ଏବେ ଦିଲ୍ଲୀ ରାଜପଥରେ SIR ପ୍ରସଙ୍ଗରେ ବିରୋଧୀଙ୍କ ସହ ହାତ ମିଳାଇ ପ୍ରତିବାଦ । ଯେଉଁ ବିଜେଡି ଦିନେ କଂଗ୍ରେସ ଓ ବିଜେପିଠାରୁ ସମଦୂରତାର ଡିଣ୍ଡିମ ପିଟୁଥିଲା, ସେହି ଶଙ୍ଖ ଦଳର ‘ସମଦୂରତା’ ନୀତି ଏବେ ସୁବିଧାବାଦୀ ରାଜନୀତିରେ ପରିଣତ ହୋଇଛି କି ? ଜାତୀୟ ରାଜନୀତିରେ ନବୀନଙ୍କ ଏହି ବାରମ୍ବାର ଷ୍ଟାଣ୍ଡ ବଦଳାଇବା ନୀତିକୁ ନେଇ ଏବେ ଉଠିଛି ବଡ଼ ପ୍ରଶ୍ନ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଜେଡିକୁ କଡ଼ା ଟାର୍ଗେଟ କରିଛନ୍ତି ।

ଦିଲ୍ଲୀରେ SIR ପ୍ରସଙ୍ଗରେ ଇଣ୍ଡି ମେଣ୍ଟର ପ୍ରତିବାଦରେ ସାମିଲ ହୋଇଛନ୍ତି ବିଜେଡି ସାଂସଦ ଓ ପୂର୍ବତନ ସାଂସଦ । ଇଣ୍ଡି ମେଣ୍ଟର ଏହି ଆନ୍ଦୋଳନକୁ ନବୀନ ପଟ୍ଟନାୟକ ପୂର୍ଣ୍ଣ ସମର୍ଥନ ଜଣାଇବା ପରେ ଏବେ ଓଡ଼ିଶା ରାଜନୀତି ଗରମ ହୋଇଛି । ପ୍ରଶ୍ନ ଉଠୁଛି, କାହିଁକି ଏମିତି ଆଭିମୁଖ୍ୟ ବଦଳାଉଛି ବିଜେଡି ? ଜାତୀୟ ରାଜନୀତିରେ ସମର୍ଥନ ବଦଳାଇ ନବୀନ କେଉଁ ଗଣିତ କଷୁଛନ୍ତି ? ଏହାକୁ ନେଇ ବିଜେଡିକୁ ସିଧାସଳଖ ଶାଣିତ ଆକ୍ରମଣ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି, ହତାଶ ଓ ନିରାଶ ହେବା ପରେ ବିଜେଡି ପାଖରେ ଆଉ କୌଣସି ବିକଳ୍ପ ନାହିଁ । ସେପଟେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଶ୍ନ କରିଛନ୍ତି, ବିଜେଡିର ସମଦୂରତା ନୀତି ସରିଗଲା କି ?

କ୍ଷମତାରୁ ଯିବା ପରେ ହଠାତ୍ ବିଜେଡିର ନୀତି ଓ ନିଷ୍ପତ୍ତିରେ ଏପରି ନାଟକୀୟ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରଥମେ ସଂସଦରେ ମହିଳା ସଂରକ୍ଷଣ ବିଲ୍ ଆସିବା ବେଳେ ଇଣ୍ଡି ମେଣ୍ଟକୁ ସମର୍ଥନ ଦେଇଥିଲା ବିଜେଡି । ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ନିଜେ ଇଣ୍ଡି ମେଣ୍ଟ ବୈଠକରେ ଯୋଗ ଦେଇଥିଲେ, ଯଦିଓ ପରେ ଏହାକୁ ‘ପ୍ରସଙ୍ଗ ଭିତ୍ତିକ ସମର୍ଥନ’ ବୋଲି ସଫେଇ ଦିଆଯାଇଥିଲା । ଏହାପରେ ଦିଲ୍ଲୀରେ ଛାତ୍ର ଆନ୍ଦୋଳନ ବେଳେ ସିଜେପିକୁ ସମର୍ଥନ, ଆଉ ରାଜ୍ୟସଭା ନିର୍ବାଚନ ବେଳେ କଂଗ୍ରେସ ସହ ଅଘୋଷିତ ବୁଝାମଣା । ଏବେ ପୁଣି SIR ପ୍ରସଙ୍ଗରେ ଇଣ୍ଡି ମେଣ୍ଟ ସହ ଠିଆ ହୋଇଛି ଶଙ୍ଖ ଦଳ । ବିଜେଡି ଏହାକୁ ରାଜ୍ୟ ସ୍ୱାର୍ଥ ଓ ପ୍ରସଙ୍ଗ ଭିତ୍ତିକ ଲଢ଼େଇ ବୋଲି କହୁଥିବା ବେଳେ ବିଜେପି ଏହାକୁ ସିଧାସଳଖ ‘ସୁବିଧାବାଦୀ ରାଜନୀତି’ ବୋଲି କହି ପ୍ରହାର କରିଛି ।

୨୦୨୪ ନିର୍ବାଚନରେ ଲୋକସଭାରେ ଶୂନ୍ୟ ହୋଇଯାଇଛି ବିଜେଡି । ରାଜ୍ୟସଭାରେ ବି ସଂଖ୍ୟାବଳ ଅଧା । ଏଭଳି ସ୍ଥିତିରେ ଜାତୀୟ ରାଜନୀତିରେ ନିଜର ଅସ୍ତିତ୍ୱ ଓ ଉପସ୍ଥିତି ଜାହିର କରିବା ପାଇଁ ବିଜେଡିର ଏହା ଏକ ନୂଆ ଗେମ୍‌ପ୍ଲାନ୍ କି ? ‘ସମଦୂରତା’ର ମୁଖା ପିନ୍ଧି ‘ସୁବିଧାବାଦୀ’ ରାଜନୀତି କରୁଥିବା ବିଜେଡିକୁ ଏବେ ଜନସାଧାରଣ କିପରି ଗ୍ରହଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: