Rift In BJD / ସୁବାସ, ସୌଭିକ ଓ ପ୍ରଫୁଲ୍ଲ ଏକାଠି ହେଲେ; ଦେବାଶିଷ ସାମନ୍ତରାୟ କୁଆଡ଼େ ଗଲେ ?

Key Points
କଟକ BJDରେ ଚାଲିଛି କ'ଣ ?
ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ନାହିଁ ଦେବାଶିଷଙ୍କ ନାଁ
କାର୍ଡକୁ ନେଇ ଖପ୍ପା ଦେବାଶିଷଙ୍କ ସମର୍ଥକ
କଟକ: ଦଳରେ ଅଛନ୍ତି ହେଲେ ମନ ମାନୁନି ଦେବାଶିଷଙ୍କ ମନ । କଟକରେ ବିଜେଡି ନେତା କାର୍ଯ୍ୟକ୍ରମ କରୁଛନ୍ତି ହେଲେ ଦଳର ସାଂସଦ ଥାଇ ବି ଡାକୁ ନାହାନ୍ତି । ସୁବାସ, ସୌଭିକ ଓ ପ୍ରଫୁଲ୍ଲ ଏକାଠି ହେଲେ, ଦେବାଶିଷ ସାମନ୍ତରାୟ କୁଆଡ଼େ ଗଲେ ? କଟକ ରାଜନୀତିର ଗଳିକନ୍ଦିରେ ଏବେ ସବୁଠୁ ଏ ପ୍ରଶ୍ନ, ଖଟି ଖଟିରେ ଚାଲିଛି ଏ ଚର୍ଚ୍ଚା ।
ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ କଟକରେ ବିଜେଡି ପକ୍ଷରୁ ଆୟୋଜନ ହେଉଛି ବନ୍ଧୁ ମିଳନ କାର୍ଯ୍ୟକ୍ରମ । ଆସନ୍ତା ୨୬ ତାରିଖ ଶୁକ୍ରବାର କଟକ ବଜ୍ରକବାଟି ସ୍ଥିତ ହୋଟେଲ ଦ୍ଵାରିକାରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରାଯାଉଛି । ଆଉ ଏନେଇ ଛପା ସରି ବଣ୍ଟା ଆରମ୍ଭ ହେଲାଣି ନିମନ୍ତ୍ରଣ ପତ୍ର ।
ବନ୍ଧୁ ମିଳନ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ରରେ କଟକ ମେୟର ସୁବାସ ଚନ୍ଦ୍ର ସିଂହ, ଚୌଦ୍ଵାର-କଟକ ବିଧାୟକ ସୌଭିକ ବିଶ୍ଵାଳ ଏବଂ କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ କୁମାର ସିଂହଙ୍କ ନାଁ ରହିଛି । କିନ୍ତୁ ବିଜେଡିର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ନାଁ ନାହିଁ ।

ଯାହାକୁ ନେଇ ଏବେ କଟକ ସହ ଚାରି ଆଡ଼େ ଚର୍ଚ୍ଚା ଦେବାଶିଷଙ୍କୁ ଦୂରେଇ ଦେଉଛି ବିଜେଡି ! ତେବେ ବନ୍ଧୁ ମିଳନ ନିମନ୍ତ୍ରଣ ପତ୍ରରେ କାହିଁକି ନାହିଁ ଦେବାଶିଷ ସାମନ୍ତରାୟଙ୍କ ନାଁ ? ସେ ନେଇ ସୁବାସ, ସୌଭିକ ଓ ପ୍ରଫୁଲ୍ଲ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି । ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା ମଧ୍ୟ ମିଳି ପାରିନି ।
ବିଜେଡିକୁ ସଂଗଠିତ କରିବାକୁ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ଅନେକ ସମୟରେ ମନ୍ତବ୍ୟ ଦେଉଛନ୍ତି । ଦୁଇ ଦିନ ତଳେ ଦେବାଶିଷ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କହିଥିଲେ, "ନବୀନ ପଟ୍ଟନାୟକ ବି ହାରିଛନ୍ତି, ପ୍ରଫୁଲ୍ଲ ମଲ୍ଲିକ ହାରିଗଲେ କ'ଣ ହେଲା । ଭାସ୍କର ରାଓଙ୍କ ଭଳି ନେତା ଅବିଭକ୍ତ କୋରାପୁଟର ନେତା, ବିଜେଡି ସଂଗଠନ ମାନେ ଭାସ୍କର ରାଓ । ଶ୍ରୀମୟୀ ମିଶ୍ରଙ୍କୁ ନିର୍ଯାତନା ଦେଲେ । ସେ ବୁଲିଲେ, ବିଧାୟକଙ୍କୁ କୁହାଗଲା ସେ ଆମ ପ୍ରାର୍ଥୀ । ଯେଉଁମାନେ କହୁଛନ୍ତି, ବୁଝନ୍ତୁ ଅଭିଯୋଗ ଟା ସତ, ପ୍ରଫୁଲ୍ଲ ମଲ୍ଲିକ ଯାହା କହିଥିଲେ ଠିକ୍ କହିଥିଲେ ।"
📱 Get Argus News App
✨ଏଥିସହ ପଢ଼ନ୍ତୁ: ଶ୍ରୀମୟୀଙ୍କ ସପକ୍ଷରେ ଦେବାଶିଷ; କହିଲେ, ଶ୍ରୀମୟୀଙ୍କୁ ଦଳ ନିର୍ଯାତନା ଦେଇଛି...ଅଣଦେଖା କରିଛି
ଦେବାଶିଷଙ୍କ ଏହି ନିଶାନା ସିଧାସଳଖ ଦଳର ପରିଚାଳନା କରୁଥିବା ନେତାଙ୍କ ପ୍ରତି ଥିଲା । ଆଉ ବନ୍ଧୁ ମିଳନ କାର୍ଡ ଦେଖିଲେ ଲାଗୁଛି ଦେବାଶିଷଙ୍କ ଏହି ବୟାନ ପରେ ଏବେ କଟକ ବିଜେଡି ତାଙ୍କୁ ଦୂରେଇ ଦେଉଛି । ସୁବାସ, ସୌଭିକ ଓ ପ୍ରଫୁଲ୍ଲଙ୍କ ଏଭଳି କାର୍ଡକୁ ନେଇ ଖପ୍ପା ଦେବାଶିଷଙ୍କ ସମର୍ଥକ ।
ଯାହାକି କଟକ ବିଜେଡିରେ ଆଗକୁ ବଡ଼ ବିସ୍ଫୋରଣ ଘଟାଇ ପାରେ । ଦେବାଶିଷ ଦେଉଥିବା ମନ୍ତବ୍ୟକୁ ନେଇ ହାଇକମାଣ୍ଡ ଏବଂ କୋଟେରୀ ଗ୍ରୁପ ଅସନ୍ତୋଷ ଥିବା ଚର୍ଚ୍ଚା ଭିତରେ ଜିଲ୍ଲା ନେତାଙ୍କ କାର୍ଡ ସଂକେତ କୁହୁଳୁ ଥିବା ନିଆଁରେ ଆହୁରି ଘିଅ ଢାଳିଛି ।
Related Topics
Explore more stories