ପାଣ୍ଡିଆନଙ୍କୁ ମାତ୍ ଦେବାକୁ ଦେବାଶିଷଙ୍କ ଘରେ ଗୁପ୍ତ ବୈଠକ, ଏକାଠି ହେଲେ ୧୫ରୁ ଅଧିକ ନେତା

Key Points
ବିଜେଡିରେ ପାଣ୍ଡିଆନ ଦମ୍ପତିଙ୍କୁ ନେଇ ବଢୁଛି ବିଦ୍ରୋହ। ଏକଜୁଟ ହୋଇ ବଡ଼ ପ୍ଲାନ କରୁଛନ୍ତି ବିଜୁ ଲିଗାସି ପରିବାର। ଭୈରବଙ୍କୁ ମାତ୍ ଦେବାକୁ ପ୍ରସ୍ତୁତ କରୁଛନ୍ତି ଭିତିରିଆ ରଣନୀତି।
ଖବରକାଗଜକୁ ସାକ୍ଷାତକାର ଦେଇ ଭୈରବ ପାଣ୍ଡିଆନଙ୍କ ଉପରେ ବର୍ଷିଥିବା ଦଳର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ନିଜ ଘରେ ମେଳି ବାନ୍ଧି କରିଛନ୍ତି ଶକ୍ତି ପ୍ରଦର୍ଶନ । ଖାଲି ଶକ୍ତି ପ୍ରଦର୍ଶନ କରି ନାହାନ୍ତି ବରଂ ବୈଠକ କରି ଦେଇଛନ୍ତି ଯୁଦ୍ଧଙ୍ଗ ଦେହି ଡାକରା । ଖୋଲାଖୋଲି ସାମ୍ନାକୁ ଆସିନଥିଲେ ବି ବହୁ ବିଜୁ ଲିଗାସି ନେତାଙ୍କ ପୁଅମାନଙ୍କୁ ଧରି ଗୁପ୍ତ ବୈଠକ କରିଛନ୍ତି ଦେବାଶିଷ । ବାହାରକୁ ସୌଜନ୍ୟମୂଳକ ବୈଠକ ଓ ଭୋଜିଭାତ କୁହାଯାଉଥିବା ଏହି ମେଳି ପଛରେ ପାଣ୍ଡିଆନଙ୍କୁ ମାତ୍ ଦେବା ଲାଗି ବଡ଼ ଷ୍ଟ୍ରାଟେଜି ପ୍ରସ୍ତୁତ ହୋଇଥିବା କୁହାଯାଇଛି । ଚର୍ଚ୍ଚା ହେଉଛି ପ୍ଲାନ୍-A,B,C ନେଇ ଆଗକୁ ବଢ଼ୁଛନ୍ତି ବିଜୁ ଲିଗାସି ପରିବାର ।
ତେବେ ବୈଠକକୁ ନିମନ୍ତ୍ରଣ ହୋଇଥିବା ବିଜୁ ଲିଗାସି ପରିବାର ଅର୍ଥାତ ସ୍ୱର୍ଗତ ଦାମଦୋର ରାଉତଙ୍କ ପୁଅ ତଥା ବିଜେଡି ନେତା ସମ୍ବିତ ରାଉତରାୟ କହିଛନ୍ତି ଏଥିରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନଥିଲା । କେବଳ ଖାଇବା ପିଇବା ହୋଇଥିଲା ବୋଲି ସେ କହିଛନ୍ତି ।
📱 Get Argus News App
✨ସୂଚନା ଅନୁସାରେ, ଦୈନିକ ଖବରକାଗଜକୁ ସାକ୍ଷାତକାରରେ ଦେବାଶିଷ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ। ନବୀନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ରାଜ୍ୟବାସୀ କି ନେତାଙ୍କୁ ନଜଣାଇବା ପାଣ୍ଡିଆନଙ୍କ ବଡ଼ ଭୁଲ । ଦଳ ପାଇଁ ବି କ୍ଷତି । ହସ୍ପିଟାଲରେ ଭର୍ତ୍ତି ହେବା ପରେ ଦଳୀୟ ନେତା ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଜାଣିଲେ । ଘରେ ଅସୁସ୍ଥ ହେବା ସମୟରେ କାହିଁକି ପାଣ୍ଡିଆନ୍ ଜଣାଇଲେ ନାହିଁ । ନବୀନ ବାବୁ ଓଡ଼ିଶାର ନେତା । ତାଙ୍କର ସବୁ ଖବର ରାଜ୍ୟବାସୀ ଓ ଦଳ ନେତା ଜାଣିବା ଦରକାର ।
ସେହିପରି ହସ୍ପିଟାଲରେ ନବୀନଙ୍କୁ ଭେଟିବା ପାଇଁ ଦଳୀୟ ନେତାଙ୍କୁ ନ ଛାଡିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଦେବାଶିଷ କହିଛନ୍ତି ପାଣ୍ଡିଆନ୍ ଆଇ ଆମ୍ ଡାଉନ୍, ବଟ୍ ନଟ୍ ଆଉଟ୍' ବୋଲି କହିଥିବା ସତ ହୋଇଥିଲେ ଏହା ଅହଂକାରର ପରିଚାୟକ । ସେ ଜାଣିବା ଦରକାର ଓଡ଼ିଶା ପ୍ରତି ତାଙ୍କର ଅବଦାନ କି ସ୍ବପ୍ନ କିଛି ନାହିଁ । ଖବରକାଗଜକୁ ଦେଇଥିବା ଏହି ସାକ୍ଷାତକାରରେ ପାଣ୍ଡିଆନଙ୍କୁ ଦେବାଶିଷ ଭୈରବ ବାବୁ ବୋଲି ଉଲ୍ଲେଖ କରିଛନ୍ତି ।
ଏହା ପୂର୍ବରୁ ମଧ୍ୟ ୱକଫ୍ ବିଲ ପ୍ରସଙ୍ଗରେ ବିଜେଡିର ଆଭିମୁଖ୍ୟ ନେଇ ସିଧାସଳଖ ପାଣ୍ଡିଆନଙ୍କୁ ସମାଲୋଚନା କରିଥିଲେ ଦେବାଶିଷ । ଆଉ ତାଙ୍କୁ ରାଜ୍ୟସଭା ପଠାଇ ଜିଲ୍ଲା ସଂଗଠନରୁ ଦୂରେଇ ଦେବାକୁ ଷଡ଼ଯନ୍ତ୍ର କରାଯାଇଥିଲା ବୋଲି କହିବା ସହ ଏହା ପଛରେ ନିର୍ଦ୍ଦିଷ୍ଟ ଗୋଷ୍ଠୀର ହାତ ଥିବା କହି ପାଣ୍ଡିଆନଙ୍କ ଆଡ଼କୁ ଇସାରା କରିଥିଲେ ଦେବାଶିଷ। ଆଉ ଏବେ ପୁଣି ନବୀନଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ତାଙ୍କର ମୁହଁ ଖୋଲିବା ପରେ ବିଜେଡି ଶିବିରରେ କମ୍ପନ ସୃଷ୍ଟି ହୋଇଛି ।