|
logo
Live
Argus News App
GET APP

Argus News - ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା; ଓଡ଼ିଶାରେ ହେବ କେତେ ଆସନ?

Politics

Delimitation Commission India / ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା; ଓଡ଼ିଶାରେ ହେବ କେତେ ଆସନ?

Subhramjit Ray
Browse all articles by Subhramjit Ray
·1 week ago·4 min read
ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା; ଓଡ଼ିଶାରେ ହେବ କେତେ ଆସନ?
Delimitation Commission India

Key Points

ପରିସୀମନ ପରେ ଦେଶରେ ବିଭିନ୍ନ ରାଜ୍ୟରେ ବଢିପାରେ ଲୋକସଭାର ଆସନ ସଂଖ୍ୟା।
Lok Sabha Seats State Wise: ୨୦୨୯ ଲୋକସଭା ନିର୍ବାଚନ ସମୟରେ ଦେଶର ରାଜନୈତିକ ଦୃଶ୍ୟପଟରେ ଦେଖିବାକୁ ମିଳିପାରେ ଏକ ବଡ଼ ଧରଣର ପରିବର୍ତ୍ତନ। ଏନେଇ ମିଳିଥିବା ଖବର ଅନୁସାରେ କେନ୍ଦ୍ର ସରକାର ଲୋକସଭା ଆସନ ସଂଖ୍ୟାରେ ଏକ ଐତିହାସିକ ବୃଦ୍ଧି କରିବା ପାଇଁ ପ୍ରସ୍ତୁତି କରୁଛନ୍ତି। ବର୍ତ୍ତମାନ ଲୋକସଭାରେ ରହିଥିବା ୫୪୩ ଆସନକୁ ବୃଦ୍ଧି କରି ଏହାକୁ ୮୧୬ କରିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଏହି ପରିବର୍ତ୍ତନ ବର୍ତ୍ତମାନର ଜନସଂଖ୍ୟା ଅନୁପାତକୁ ବିଚାରକୁ ନେଇ ପରିସୀମନ (ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ) ଆୟୋଗ ଅଧିନରେ କରାଯିବ। ଏହି ନୂତନ ରାଜନୈତିକ ମାନଚିତ୍ର ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ପ୍ରତ୍ୟେକ ରାଜ୍ୟର କ୍ଷମତା ଏବଂ ଗଠନକୁ ପରିବର୍ତ୍ତନ କରିବ। ଯାହା ଆଗାମୀ ଦଶନ୍ଧି ପାଇଁ ଦେଶର ରାଜନୀତିର ଦିଗ ନିର୍ଣ୍ଣୟ କରିବ।

୫୦ ପ୍ରତିଶତ ବଢିବ ଲୋକସଭା ଆସନ ସଂଖ୍ୟା
କେନ୍ଦ୍ର ସରକାର ବର୍ତ୍ତମାନ ବିଦ୍ୟମାନ ଲୋକସଭା ଆସନ ସଂଖ୍ୟା ୫୦% ବୃଦ୍ଧି କରିବାକୁ ଯୋଜନା କରିଛନ୍ତି। ଏହା ପଛରେ ରହିଥିବା ମୂଳ ଉଦ୍ଦେଶ୍ୟ ହେଉଛି ମହିଳା ସଂରକ୍ଷଣକୁ ସୁନିଶ୍ଚିତ କରିବା। ପ୍ରସ୍ତାବିତ ନାରୀ ବନ୍ଦନ ଆଇନ ସଂଶୋଧନ ବିଲ୍ ଅନୁଯାୟୀ ମୋଟ ୮୧୬ ଆସନ ମଧ୍ୟରୁ ଏକ ତୃତୀୟାଂଶ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ସରକାର ଚଳିତ ଅଧିବେଶନରେ ଏସମ୍ପର୍କିତ ଏକ ବିଲ୍ ସଂସଦରେ ଆଗତ କରିପାରନ୍ତି। ଗୃହମନ୍ତ୍ରୀ ଅମିତ ଶାହ ଏବଂ ସରକାରୀ କଳ ବିରୋଧି ଦଳ ଏବଂ ଶାସକ ଏନଡ଼ିଏ ମେଣଅଟର ସହଯୋଗୀଙ୍କ ସହ ସହମତି ଭିତ୍ତିରେ ଏହି ବିଲ୍ ପାରିତ କରିବା ପାଇଁ କଥାବାର୍ତ୍ତା ଜାରି ରଖିଛନ୍ତି। ଯାହା ଦ୍ଵାରା ଆଗାମୀ ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ପରିସୀମନ ଅର୍ଥାତ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା କୌଣସି ବଡ଼ ବିବାଦ ବିନା କାର୍ଯ୍ୟକାରୀ ହୋଇପାରିବ।

ପରିସୀମନ ପରେ କେଉଁ ରାଜ୍ୟର ବଢିବ ଦବଦବା? କ'ଣ ହେବ ଉତ୍ତର ପ୍ରଦେଶ-ବିହାର ସ୍ଥିତି?
ଯେତେବେଳେ ଲୋକସଭା ଆସନ ସଂଖ୍ୟା ବୃଦ୍ଧି କରାଯିବ ସେତେବେଳେ ସ୍ୱାଭାବିକ ଭାବରେ ଏହାର ସର୍ବାଧିକ ଲାଭ ସେହି ରାଜ୍ୟଙ୍କୁ ମିଳିବ ଯାହାର ଅଧିକ ଜନସଂଖ୍ୟା ରହିଛି। କ୍ଷମତାର ପ୍ରବେଶ ଦ୍ୱାର ଭାବରେ ବିବେଚିତ ଉତ୍ତର ପ୍ରଦେଶର ମୋଟ ସିଟ୍ ଆସନ ସଂଖ୍ୟା ୮୦ ରୁ ୧୨୦ କୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହାର ଅର୍ଥ ହେଉଛି କେବଳ ଉତ୍ତର ପ୍ରଦେଶରେ ୪୦ ଆସନ ବଢାଯିବ। ସେହିପରି, ମହାରାଷ୍ଟ୍ରରେ ୨୪ ଆସନ ବୃଦ୍ଧି ପାଇବ। ଯାହା ପରେ ରାଜ୍ୟର ମୋଟ ଆସନ ସଂଖ୍ୟା ୭୨ ହୋଇଯିବ। ବର୍ତ୍ତମାନ ମହାରାଷ୍ଟ୍ରର ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୪୮। ସେହିପରି ପଶ୍ଚିମବଙ୍ଗରେ ୨୧ ଆସନ ବୃଦ୍ଧି ହୋଇପାରେ। ଯାହା ପରେ ରାଜ୍ୟର ମୋଟ ଆସନ ସଂଖ୍ୟା ୬୩ ହୋଇଯିବ। ବର୍ତ୍ତମାନ ପଶ୍ଚିମବଙ୍ଗରେ ମୋଟ ୪୨ ଲୋକସଭା ଆସନ ରହିଛି। ସେହିପରି ବିହାରର ସିଟ୍ ସଂଖ୍ୟା ବର୍ତ୍ତମାନର ୪୦ ରୁ ବୃଦ୍ଧି କରାଯାଇ ୬୦ କରାଯିବ। ଏହି ରାଜ୍ୟରେ ପ୍ରାୟ ୨୦ ଆସନ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି। ଜନସଂଖ୍ୟା ଦୃଷ୍ଟିରୁ ଦେଶର ଏହି ବଡ଼ ବଡ଼ ରାଜ୍ୟ ଭବିଷ୍ୟତରେ କେନ୍ଦ୍ରରେ ସରକାର ଗଠନ କରିବା ଉପରେ ଆହୁରି ଅଧିକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।

ବଢିଯିବ ମଧ୍ୟ ପ୍ରଦେଶ, ଗୁଜୁରାଟ, ରାଜସ୍ଥାନର ଆସନ ସଂଖ୍ୟା
ଅନ୍ୟ ପ୍ରମୁଖ ହିନ୍ଦୀ ଭାଷାଭାଷୀ ରାଜ୍ୟର ଲୋକସଭ ଆସନ ସଂଖ୍ୟାରେ ମଧ୍ୟ ଉଲ୍ଲେଖନୀୟ ବୃଦ୍ଧି ଦେଖିବାକୁ ମିଳିବ। ମଧ୍ୟପ୍ରଦେଶର ବର୍ତ୍ତମାନର ୨୯ ଆସନ ୪୪କୁ ବୃଦ୍ଧି କରାଯିବ। ଏହି ରାଜ୍ୟରେ ୧୫ ଆସନ ବୃଦ୍ଧି କରିବାର ପ୍ରସ୍ତାବ ରହିଛି। ସେହିପରି ରାଜସ୍ଥାନର ବର୍ତ୍ତମାନର ୨୫ ଆସନକୁ ୩୮ କୁ ବୃଦ୍ଧି କରାଯାଇ ପାରେ। ଏହି ରାଜ୍ୟରେ ୧୩ ଆସନ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଙ୍କ ଗୃହରାଜ୍ୟ ଗୁଜୁରାଟରେ ମଧ୍ୟ ୧୩ ଆସନ ବୃଦ୍ଧି କରିବାର ପ୍ରସ୍ତାବ ରହିଛି। ବର୍ତ୍ତମାନ ରାଜ୍ୟରେ ରହିଥିବା ୨୬ ଆସନକୁ ୩୯ ଆସନକୁ ବୃଦ୍ଧି କରାଯିବ। ଆସନ ସଂଖ୍ୟା ବୃଦ୍ଧି କେବଳ ଆଞ୍ଚଳିକ ପ୍ରତିନିଧିତ୍ୱକୁ ବଢାଇବା ନାହିଁ ବରଂ ଛୋଟ ନିର୍ବାଚନମଣ୍ଡଳୀ ହେବା କାରଣରୁ ସାଧାରଣ ଲୋକଙ୍କ ନିକଟରେ ସାଂସଦଙ୍କ ଉପସ୍ଥିତି ଆହୁରି ସହଜ ହୋଇଯିବ।

କ'ଣ ହେବ ମଧ୍ୟମ ଆକାରର ରାଜ୍ୟର ସ୍ଥିତି?
ପରିସୀମନର ଲାଭ ଯେ କେବଳ ବଡ଼ ରାଜ୍ୟଙ୍କୁ ମିଳିବ ତାହା ନୁହେଁ। ଏହାର ଲାଭ ମଧ୍ୟମ ତଥା ଆକାରରେ ଛୋଟ ରାଜ୍ୟଙ୍କୁ ମଧ୍ୟ ମିଳିବ। ଓଡ଼ିଶାର ଲୋକସଭା ଆସନ ସଂଖ୍ୟା ୨୧ରୁ ବଢାଯାଇ ୩୨ କରାଯିବ। ହରିୟାଣରେ ଆସନ ସଂଖ୍ୟା ୧୦ରୁ ୧୫କୁ ବଢାଯିବ। ସେହିପରି ଦିଲ୍ଲୀରେ ଆସନ ସଂଖ୍ୟା ୭ରୁ ୧୧କୁ ବୃଦ୍ଧି କରାଯିବ।

ପାହାଡିଆ ଏବଂ ସମ୍ବେଦନଶୀଳ ଅଞ୍ଚଳର ଯେପରିକି ଜାମୁ ଏବଂ କାଶ୍ମୀର ସହ ଉତ୍ତରାଖଣ୍ଡରେ ତିନୋଟି ଆସନ ବୃଦ୍ଧି କରାଯିବ। ଯାହା ଏହି ରାଜ୍ୟଦ୍ୱୟରେ ମୋଟ ଆସନ ସଂଖ୍ୟା ୮ ହୋଇଯିବ। ସେହିପରି ପଞ୍ଜାବ, ଆସାମ ଏବଂ ଝାଡ଼ଖଣ୍ଡ ଆଦି ରାଜ୍ୟରେ ମଧ୍ୟ ସାତୋଟି ଆସନ ବଢାଯିଭ। ଯାହା ପରେ ପଞ୍ଜାବରେ ୨୦, ଆସାମ-ଝାଡ଼ଖଣ୍ଡ ଆଦି ରାଜ୍ୟ ଦ୍ୱୟରେ ୨୧ ଆସନ ହୋଇଯିବ।

କ'ଣ ହେବ ପୂର୍ବୋତ୍ତର ଭାରତର ସ୍ଥିତି?
ଦେଶର ପୂର୍ବୋତ୍ତର ଭାଗରେ ଅବସ୍ଥିତ ରାଜ୍ୟର ସ୍ୱରକୁ ଆହୁରି ମଜବୁତ କରିବା ପାଇଁ, ସେଠାରେ ଆସନ ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଅରୁଣାଚଳ ପ୍ରଦେଶ, ସିକିମ୍, ମିଜୋରାମ, ମଣିପୁର, ତ୍ରିପୁରା ଏବଂ ମେଘାଳୟ ଭଳି ରାଜ୍ୟରେ ବର୍ତ୍ତମାନ ରହିଥିବା ଦୁଇଟି ଆସନକୁ ତିନୋଟିକୁ ବୃଦ୍ଧି କରିବାର ପ୍ରସ୍ତାବ ଦିଆଯାଇଛି। ହିମାଚଳ ପ୍ରଦେଶରେ ୪ ବଦଳରେ ୬ ଆସନ ରହିବ। ସେହିପରି ଗୋଆରେ ଦୁଇଟି ବଦଳରେ ତିନୋଟି ଆସନ ରହିବ। ଏହା ବ୍ୟତୀତ, ଅନ୍ୟ ଛୋଟ କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟର ମୋଟ ଆସନ ୨୦ ରୁ ୩୦କୁ ବୃଦ୍ଧି ପାଇପାରିବ। ଏହି ବ୍ୟବସ୍ଥା ନିଶ୍ଚିତ କରିବ ଯେ ସଂସଦରେ ଯେକୌଣସି ଛୋଟ ରାଜ୍ୟର ସ୍ୱରକୁ ଦମନ କରାଯାଇ ପାରିବ ନାହିଁ।

ଦକ୍ଷିଣ ଭାରତତରେ କେତେ ବଢିବ ଆସନ ସଂଖ୍ୟା?
ଦକ୍ଷିଣ ଭାରତୀୟ ରାଜ୍ୟ ଯଥା ତାମିଲନାଡୁ ଏବଂ କେରଳ ଏକଥାକୁ ନେଇ ଚିନ୍ତିତ ଅଛନ୍ତି ଯେ ସେମାନଙ୍କର ଜନସଂଖ୍ୟା ନିୟନ୍ତ୍ରଣ ନୀତି ସେମାନଙ୍କ ଶକ୍ତିକୁ ହ୍ରାସ କରିପାରେ। ତଥାପି ସରକାରୀ ସୂତ୍ରରୁ ହେଉଥିବା ଦାବି ଅନୁସାରେ କୌଣସି ରାଜ୍ୟର ବର୍ତ୍ତମାନର ଭାଗ କମ ହେବ ନାହିଁ। ପ୍ରସ୍ତାବିତ ସଂଖ୍ୟା ଅନୁଯାୟୀ ତାମିଲନାଡୁରେ ଆସନ ସଂଖ୍ୟା ୩୯ରୁ ୫୯, କର୍ଣ୍ଣାଟକରେ ୨୮ରୁ ୪୨, ଆନ୍ଧ୍ରପ୍ରଦେଶର ୨୫ରୁ ୩୮, କେରଳରେ ୨୦ରୁ ୩୦, ତେଲେଙ୍ଗାନାରେ ୧୭ରୁ ୨୬କୁ ବୃଦ୍ଧି କରାଯିବ। ସରକାରଙ୍କ ଯୁକ୍ତି ହେଉଛି ଯେ ମୋଟ ସଂଖ୍ୟା ବୃଦ୍ଧି କରିବା ଦ୍ୱାରା ସମସ୍ତଙ୍କ ପାଇଁ ପ୍ରତିନିଧିତ୍ୱ ବୃଦ୍ଧି ପାଇବ ଏବଂ ସଂଘୀୟ ଢାଞ୍ଚା ଆହୁରି ସୁଦୃଢ଼ ହୋଇପାରିବ।

ସଂରକ୍ଷିତ ବର୍ଗ ଆସନରେ ହେବ ପରିବର୍ତ୍ତନ
ଲୋକସଭାରେ ଅନୁସୂଚିତ ଜାତି (SC) ଏବଂ ଅନୁସୂଚିତ ଜନଜାତି (ST) ବର୍ଗର ପ୍ରତିନିଧିତ୍ୱ ମଧ୍ୟ ନୂତନ ଜନସଂଖ୍ୟା ସଂଖ୍ୟା ଅନୁସାରେ ସନ୍ତୁଳିତ କରାଯିବ। ପ୍ରସ୍ତାବିତ ବିଲ୍ ଅନୁଯାୟୀ, ଅନୁସୂଚିତ ଜାତି ପାଇଁ ସଂରକ୍ଷିତ ଆସନ ସଂଖ୍ୟା ବର୍ତ୍ତମାନର ୮୪ରୁ ୧୨୬କୁ ବୃଦ୍ଧି ହୋଇପାରେ। ସେହିପରି, ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ଆସନ ସଂଖ୍ୟା ୪୭ରୁ ୭୦କୁ ବୃଦ୍ଧି କରାଯିବ ନେଇ ଆଶା କରାଯାଉଛି। ଏହି ପଦକ୍ଷେପ ପଛୁଆ ବର୍ଗଙ୍କ ସାମାଜିକ ନ୍ୟାୟ ଏବଂ ରାଜନୈତିକ ଅଂଶଗ୍ରହଣ ସୁନିଶ୍ଚିତ କରିବା ଦିଗରେ ଏକ ପ୍ରମୁଖ ସାମ୍ବିଧାନିକ ପରିବର୍ତ୍ତନ ହେବ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delimitation Commission India: ବୃଦ୍ଧି ପାଇବ ଲୋକସଭା ଆସନ ସଂଖ୍ୟା; ଓଡ଼ିଶାରେ ହେବ କେତେ ଆସନ? | Argus News