Videos
|
Politics

Gangotri Assembly Constituency / ଏହି ଆସନରେ ଯିଏ ଜିତେ, ଉତ୍ତରାଖଣ୍ଡରେ ତା’ରି ସରକାର! ୨୦୨୭ ପୂର୍ବରୁ ଚର୍ଚ୍ଚାରେ ଗଙ୍ଗୋତ୍ରୀ

Subhramjit Ray
Browse all articles by Subhramjit Ray
·33 mins ago·3 min read
ଏହି ଆସନରେ ଯିଏ ଜିତେ, ଉତ୍ତରାଖଣ୍ଡରେ ତା’ରି ସରକାର! ୨୦୨୭ ପୂର୍ବରୁ ଚର୍ଚ୍ଚାରେ ଗଙ୍ଗୋତ୍ରୀ
Gangotri Assembly Seat Election History (Photo Source: Social Media/AI)

Key Points

ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ବିଧାନସଭା ଆସନର ରହିଛି ଏକ ସ୍ୱତନ୍ତ୍ର ରାଜନୈତିକ ଇତିହାସ। ୨୦୦୨ରୁ ୨୦୨୨ ପର୍ଯ୍ୟନ୍ତ ପ୍ରତ୍ୟେକ ନିର୍ବାଚନରେ ଏହି ଆସନର ବିଜେତା ଦଳ ରାଜ୍ୟରେ ସରକାର ଗଠନ କରିଛି। ଏବେ ୨୦୨୭ ନିର୍ବାଚନକୁ ନେଇ ଗଙ୍ଗୋତ୍ରୀ ଆସନ ପୁଣି ଚର୍ଚ୍ଚାରେ ରହିଛି।

ଗଙ୍ଗୋତ୍ରୀ, ଉତ୍ତରାଖଣ୍ଡ (17/11): ଆସନ୍ତାବର୍ଷ ପ୍ରାରମ୍ଭରେ ହେବାକୁ ଯାଉଛି ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ। ରାଜ୍ୟର ସମସ୍ତ ୭୦ ନିର୍ବାଚନମଣ୍ଡଳୀ ମଧ୍ୟରେ ଏପରି ଏକ ଆସନ ରହିଛି ଯାହା ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ଆଲୋଚନାର ବିଷୟ ପାଲଟିଥାଏ। ଆଉ ଏହି ଆସନ ହେଉଛି ଗଙ୍ଗୋତ୍ରୀ ବିଧାନସଭା ଆସନ। ଯାହାକୁ ଉତ୍ତରାଖଣ୍ଡର ସବୁଠାରୁ ସ୍ୱତନ୍ତ୍ର ନିର୍ବାଚନଣ୍ଡଳୀ ଭାବରେ ବିବେଚନା କରାଯାଏ। ରାଜନୈତିକ ବିଶେଷଜ୍ଞଙ୍କ ମତରେ ସ୍ୱତନ୍ତ୍ର ଉତ୍ତରାଖଣ୍ଡ ରାଜ୍ୟ ଗଠନ ହେବା ପରଠାରୁ, ବିଧାନସଭା ନିର୍ବାଚନରେ ଯେଉଁ ଦଳ ଗଙ୍ଗୋତ୍ରୀ ଆସନରେ ବାଜିମାତ କରିଥାଏ, ସେହି ଦଳ ରାଜ୍ୟରେ ସରକାର ଗଠନ କରିଥାଏ। ଏହାର ମଧ୍ୟ ଏକ ବିଶେଷ ଧାର୍ମିକ ଗୁରୁତ୍ୱ ରହିଛି। ଗଙ୍ଗା ନଦୀର ଉତ୍ସ ହୋଇଥିବାରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଏଠାକୁ ଆସିଥାନ୍ତି। ଦେଶ ବିଦେଶରୁ ଅନେକ ଗବେଷକ ଏବଂ ପର୍ଯ୍ୟଟକ ସ୍ଥାନୀୟ ଗୋମୁଖ ପରିଦର୍ଶନ କରନ୍ତି। ହେଲେ ଗଙ୍ଗୋତ୍ରୀର ପରିଚୟ କେବଳ ଧାର୍ମିକ ବିଶ୍ୱାସ ପର୍ଯ୍ୟନ୍ତ ସୀମିତ ନୁହେଁ, ବରଂ ଏହାକୁ ରାଜନୀତିରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆସନ ଭାବରେ ବିବେଚନା କରାଯାଏ।

ରାଜ୍ୟ ଗଠନ ହେବା ପରଠାରୁ କେବେ ଭାଙ୍ଗିନଥିବା ଏକ ପରମ୍ପରା
ଗତ ୨୦୦୨ ମସିହାରେ ଅନୁଷ୍ଠିତ ହୋଇଥିଲା ଉତ୍ତରାଖଣ୍ଡର ପ୍ରଥମ ବିଧାନସଭା ନିର୍ବାଚନ। ଏହି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟପାଲ ସଜୱାନ ଗଙ୍ଗୋତ୍ରୀ ଆସନରୁ ନିର୍ବାଚିତ ହୋଇଥିଲେ। ଏହି ନିର୍ବାଚନରେ ​​କଂଗ୍ରେସ ୩୬ ଆସନ ଜିତି ରାଜ୍ୟରେ ସରକାର ଗଠନ କରିଥିଲା। ଏହାର ପରବର୍ତ୍ତୀ ସମୟରେ ୨୦୦୭ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଗୋପାଳ ସିଂହ ରାୱତ ଗଙ୍ଗୋତ୍ରୀ ଆସନରେ ବିଜୟୀ ହୋଇଥିଲେ। ହେଲେ ସେତେବେଳେ ବିଜେପି ସମ୍ପୂର୍ଣ୍ଣ ବହୁମତ ପାଇବାରୁ ଦୁଇଟି ଆସନ ପଛରେ ପଡ଼ି ଯାଇଥିଲା। ହେଲେ ସହଯୋଗୀ ଦଳ ଏବଂ ସ୍ୱାଧିନ ବିଧାୟକଙ୍କ ସମର୍ଥନରେ ରାଜ୍ୟରେ ସରକାର ଗଠନ କରିବାରେ ସଫଳ ହୋଇଥିଲା। ହେଲେ ୨୦୧୨ ବିଧାନସଭା ନିର୍ବାଚନରେ କଂଗ୍ରେସ ନେତା ବିଜୟପାଲ ସଜୱାନ ପୁଣି ଥରେ ଗଙ୍ଗୋତ୍ରୀ ଆସନରୁ ବାଜି ମାରିଥିଲେ। ଯଦିଓ ୨୦୧୨ ମୁକାବିଲାରେ କଂଗ୍ରେସ ବହୁମତ ପାଇବାରୁ ପଛରେ ପଡ଼ିଗଲା। ହେଲେ ବିଏସପି (BSP), ୟୁକେଡି (UKD) ଏବଂ ସ୍ୱାଧିନ ପ୍ରାର୍ଥୀଙ୍କ ସମର୍ଥନରେ ରାଜ୍ୟରେ ସରକାର ଗଠନ କରିଥିଲା।

୨୦୧୭, ୨୦୨୨ ନିର୍ବାଚନରେ ବାଜି ମାରିନେଲା ବିଜେପି
ଗତ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଗୋପାଳ ସିଂହ ରାୱତ ଗଙ୍ଗୋତ୍ରୀ ଆସନରେ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ତାଙ୍କ ଦଳ (ବିଜେପି) ରାଜ୍ୟରେ ରେକର୍ଡ଼ ସଂଖ୍ୟକ ୫୭ ଆସନ ସହିତ ଏକ ବିଶାଳ ବିଜୟ ହାସଲ କରିଥିଲା। ସେହିପରି ୨୦୨୨ ନିର୍ବାଚନରେ ବିଜେପି ପ୍ରାର୍ଥୀ ସୁରେଶ ସିଂହ ଚୌହାନ ଗଙ୍ଗୋତ୍ରୀ ଆସନରେ ବିଜୟୀ ହୋଇଥିଲେ। ଏହା ସହିତ ବିଜେପି ଲଗାତାର ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡରେ ସରକାର ଗଠନ କରିଥିଲା। ବିଜେପି ୪୭ ଆସନ ଜିତି କ୍ରମାଗତ ଭାବରେ ଦ୍ୱିତୀୟ ଥର ପାଇଁ ସରକାର ଗଠନ କରିଥିଲା। ଯେତେବେଳେ କଂଗ୍ରେସ ୧୯ ଆସନ ପାଇଥିଲା।

ଉତ୍ତର ପ୍ରଦେଶ ସହ ଜଡ଼ିତ ରହିଛି ଇତିହାସ
ଏହି ରାଜନୈତିକ ସଂଯୋଗ କେବଳ ଉତ୍ତରାଖଣ୍ଡ ନୁହେଁ ବରଂ ଉତ୍ତର ପ୍ରଦେଶର ରାଜନୈତିକ ଇତିହାସ ସହ ଜଡ଼ିତ ରହିଛି। ଯେତେବେଳେ ଉତ୍ତରାଖଣ୍ଡ, ଅବିଭକ୍ତ ଉତ୍ତର ପ୍ରଦେଶର ଅଂଶ ଥିଲା, ସେତେବେଳେ ମଧ୍ୟ ତତ୍କଳୀନ ଉତ୍ତରକାଶୀ ଆସନର (ବର୍ତ୍ତମାନର ଗଙ୍ଗୋତ୍ରୀ ନିର୍ବାଚନମଣ୍ଡଳୀ) ବିଜେତା ପ୍ରାୟତଃ ଶାସକ ଦଳର ବିଧାୟକ ଥିଲେ। ୧୯୫୨ ଏବଂ ୧୯୫୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଏଠାରେ ବିଜୟୀ ହୋଇଥିଲେ। ଯାହା ଫଳରେ ରାଜ୍ୟରେ କଂଗ୍ରେସ ସରକାର ହୋଇଥିଲା। ସେହିପରି ୧୯୭୭ ନିର୍ବାଚନରେ ଜନତା ପାର୍ଟି ପ୍ରାର୍ଥୀ ଏହି ଆସନ ନିର୍ବାଚିତ ହୋଇଥିଲେ। ଯାହା ଫଳରେ ରାଜ୍ୟରେ ଜନତା ପାର୍ଟି ସରକାର ହୋଇଥିଲା। ୧୯୯୧ ନିର୍ବାଚନରେ ବିଜେପି ଏହି ଆସନରେ ବାଜିମାତ କରିଥିଲା। ଯାହା ଫଳରେ ଉତ୍ତର ପ୍ରଦେଶରେ ବିଜେପି କ୍ଷମତାକୁ ଆସିଥିଲା।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୭ ବିଧାନସଭା ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ଗଙ୍ଗୋତ୍ରୀ ଆସନ
ଦଶନ୍ଧି ଧରି ଚାଲିଥିବା ଏହି ରାଜନୈତିକ ରେକର୍ଡ଼ ଗଙ୍ଗୋତ୍ରୀ ଆସନକୁ ଅତ୍ୟନ୍ତ ମର୍ଯ୍ୟାଦାଜନକ କରିଛି। ଯାହାର ଫଳସ୍ୱରୂପ ବିଜେପି, କଂଗ୍ରେସ, ବିଏସପି (BSP), ସମାଜବାଦୀ ପାର୍ଟି (SP), ଉତ୍ତରାଖଣ୍ଡ କ୍ରାନ୍ତି ଦଳ ଏବଂ ଅନ୍ୟାନ୍ୟ ଦଳ ଏଠାରେ ସେମାନଙ୍କର ପୂର୍ଣ୍ଣ ଶକ୍ତି ପ୍ରୟୋଗ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସମସ୍ତଙ୍କ ନଜର ଏବେ ୨୦୨୭ ବିଧାନସଭା ନିର୍ବାଚନ ଉପରେ ରହିଛି। ଗଙ୍ଗୋତ୍ରୀ ଆସନର ଏହି ପ୍ରସିଦ୍ଧ ରାଜନୈତିକ କାହାଣୀ ପୁଣି ଥରେ ସତ୍ୟ ପ୍ରମାଣିତ ହେବ ନା ଏଥର ଉତ୍ତରାଖଣ୍ଡର ରାଜନୀତିରେ ଏକ ନୂତନ ଇତିହାସ ଲେଖାଯିବ ତାହା ହେଉଛି ବଡ଼ ପ୍ରଶ୍ନ।