Videos
|
Politics

Odisha Student Elections / ନବୀନଙ୍କୁ ପ୍ରତ୍ୟାଖ୍ୟାନ କଲେ କି Gen-Z ? ହିଞ୍ଜିଳିରୁ ବାଣୀବିହାର ସବୁଠି ଚିତପଟାଙ୍ଗ୍ BCJD

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ନବୀନଙ୍କୁ ପ୍ରତ୍ୟାଖ୍ୟାନ କଲେ କି Gen-Z ? ହିଞ୍ଜିଳିରୁ ବାଣୀବିହାର ସବୁଠି ଚିତପଟାଙ୍ଗ୍ BCJD
Odisha Student Elections

Key Points

ଛାତ୍ର ସଂସଦ ନିର୍ବାଚନରେ ABVPର ଜୋରଦାର ଲହର
କଲେଜ ଓ ବିଶ୍ବବିଦ୍ୟାଳୟ ନିର୍ବାଚନରେ ଦ୍ବିତୀୟରେ BCJD
କ୍ୟାମ୍ପସ୍ ଫଇସଲାକୁ ନେଇ କମ୍ପିଲା ରାଜ୍ୟ ରାଜନୀତି
୮ ବର୍ଷର ନିରବତା ପରେ ରାଜ୍ୟର କ୍ୟାମ୍ପସଗୁଡ଼ିକରେ ଲେଖାଯାଇଛି ସଂଘର୍ଷ ଓ ବିଜୟର ନୂଆ ଅଧ୍ୟାୟ । କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଦେଖିବାକୁ ମିଳିଛି ABVPର ଜୋରଦାର ଲହର । ଗଞ୍ଜାମର ହିଞ୍ଜିଳିରୁ ଆରମ୍ଭ କରି ଭୁବନେଶ୍ୱରର ବାଣୀବିହାର ଯାଏଁ... ସବୁଠି ଚିତପଟାଙ୍ଗ ହୋଇଛି ବିଜେଡିର ଛାତ୍ର ସଂଗଠନ BCJD । ଯେଉଁ ବିଜେଡି କ୍ଷମତାରେ ଥିବାବେଳେ କଳ, ବଳ, କୌଶଳ ଲଗାଇ କ୍ୟାମ୍ପସ୍ କବଜା କରୁଥିଲା, ଆଜି ସେହି ବିଜେଡି ଦ୍ୱିତୀୟ ନମ୍ବରକୁ ଖସିଆସିଛି । ଏହି ଫଳାଫଳ ପରେ ଏବେ ଗୋଟିଏ ବଡ଼ ପ୍ରଶ୍ନ - ତେବେ କ’ଣ ନବୀନ ପଟ୍ଟନାୟକଙ୍କୁ ପ୍ରତ୍ୟାଖ୍ୟାନ କଲେଣି ଆଜିର Gen-Z ?

ରାଜ୍ୟର ୮୧ ପ୍ରତିଶତରୁ ଅଧିକ କ୍ୟାମ୍ପସ୍‌ରେ ବିଜୟୀ ହୋଇ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ ପାଲଟିଛି ABVP । ୧୩ଟି ବିଶ୍ୱବିଦ୍ୟାଳୟରୁ ୮ଟିରେ କ୍ଲିନ୍ ସୁଇପ୍ ସହ ୮ଟି ସଭାପତି, ୮ଟି ଉପସଭାପତି, ୧୦ଟି ସମ୍ପାଦକ ଓ ୧୧ଟି ସହକାରୀ ସାଧାରଣ ସମ୍ପାଦକ ପଦବୀ ହାତେଇଥିବା ସଂଗଠନ ପକ୍ଷରୁ ଦାବି କରାଯାଇଛି । ଭୁବନେଶ୍ୱରର ବିଜେବି କଲେଜ, ରାଜଧାନୀ କଲେଜଠାରୁ ଆରମ୍ଭ କରି ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଜୟପୁରର ବିକ୍ରମ ଦେବ
ବିଶ୍ୱବିଦ୍ୟାଳୟ ଓ କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟରେ ABVPର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଫଳାଫଳ ପରେ ଅନେକ କ୍ୟାମ୍ପସରେ ଦେଖିବାକୁ ମିଳିଛି ବିଜୟର ଉତ୍ସାହ । ସମର୍ଥକଙ୍କ ମଧ୍ୟରେ ଖେଳିଯାଇଛି ଖୁସିର ଲହରି । ଏହି ନିର୍ବାଚନ କେବଳ ଛାତ୍ର ସଂସଦ ଗଠନ ପାଇଁ ହୋଇଥିବା ଏକ ସାଧାରଣ ନିର୍ବାଚନ ନୁହେଁ । ଏହା ଥିଲା ଦୀର୍ଘ ୮ ବର୍ଷ ଧରି ଅପେକ୍ଷା କରିଥିବା ଛାତ୍ରଛାତ୍ରୀଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ ।

ନିର୍ବାଚନ ଫଳାଫଳ ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍‌କୁ ନେଇ କଡ଼ା ଜବାବ ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପ୍ରଭାତୀ ପ୍ରଶ୍ନ କରିଛନ୍ତି- "ଯଦି Gen-Zଙ୍କ ପାଇଁ ନବୀନଙ୍କର ଏତେ ଚିନ୍ତା ଥିଲା, ତେବେ ୮ ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ କାହିଁକି ବନ୍ଦ ରଖାଯାଇଥିଲା ?" ଅନ୍ୟପଟେ, ବିଜେଡି ଦାବି କରିଛି ଯେ Gen-Z ନବୀନଙ୍କୁ ପ୍ରତ୍ୟାଖ୍ୟାନ କରିନାହିଁ ବରଂ ଶିକ୍ଷା ବ୍ୟବସ୍ଥାର ବିଭ୍ରାଟ ଓ ଅନ୍ୟାୟ ବିରୋଧରେ ଏହା ଛାତ୍ରମାନଙ୍କର ଲଢ଼େଇ । କଂଗ୍ରେସ କହିଛି Gen-Z ବର୍ତ୍ତମାନର ସରକାର ବିରୋଧରେ ସ୍ୱର ଉଠାଉଛି ।

କେଉଁ ଭୟରେ ପୂର୍ବ ବିଜେଡି ସରକାର ଛାତ୍ରଛାତ୍ରୀଙ୍କ ଅଧିକାରକୁ ଛଡ଼ାଇ ନେଇଥିଲା ବୋଲି ପ୍ରଶ୍ନ କରିଛି ବିଜେପି । ସଂକଳ୍ପ ପତ୍ର ଅନୁସାରେ ବିଜେପି ସରକାର ତା'ର କଥା ରଖିଛି । ଛାତ୍ର ସଂସଦ ନିର୍ବାଚନରୁ ବିଜେଡି ଶିକ୍ଷା ନେଇପାରିବ ବୋଲି କହିଛନ୍ତି ବିଜେପି ସାଧାରଣ ସଂପାଦକ ବିରଞ୍ଚି ତ୍ରିପାଠୀ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ୟାମ୍ପସ୍‌ରେ ABVPର ବିଜୟ ପରେ ରାଜନୈତିକ ମଞ୍ଚରେ ଦାବି-ପ୍ରତିଦାବି ଜୋର ଧରିଛି । ବିଜେପି ପାଇଁ ଏହା ଯୁବପିଢ଼ିଙ୍କ ନିରଙ୍କୁଶ ସମର୍ଥନ ହୋଇଥିବା ବେଳେ ବିଜେଡି ଓ କଂଗ୍ରେସ ପାଇଁ ଏହା ସରକାର ବିରୋଧୀ ପ୍ରତିବାଦ । ଏବେ ସବୁଠାରୁ ବଡ଼ ପ୍ରଶ୍ନ- କ୍ୟାମ୍ପସ୍‌ର ଏହି ରାୟ କ’ଣ ଆଗାମୀ ରାଜ୍ୟ ରାଜନୀତିର ଦିଗ ବଦଳାଇବାର ସଙ୍କେତ ଓ ସତରେ ଏକ ଅସଲ ଟ୍ରେଲର୍ ?