|
logo
Live

Argus News - ବିଜୁ ଶ୍ରାଦ୍ଧ ଦିବସରେ ବିଜେଡି ବନାମ ବିଜୁ ଲିଗାସୀ, ଟ୍ରଷ୍ଟ କଥା ଉଠାଇ ନବୀନ-ପାଣ୍ଡିଆନଙ୍କୁ ବିଜୟଙ୍କ ବାଣ

Politics

Biju Legacy / ବିଜୁ ଶ୍ରାଦ୍ଧ ଦିବସରେ ବିଜେଡି ବନାମ ବିଜୁ ଲିଗାସୀ, ଟ୍ରଷ୍ଟ କଥା ଉଠାଇ ନବୀନ-ପାଣ୍ଡିଆନଙ୍କୁ ବିଜୟଙ୍କ ବାଣ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
ବିଜୁ ଶ୍ରାଦ୍ଧ ଦିବସରେ ବିଜେଡି ବନାମ ବିଜୁ ଲିଗାସୀ, ଟ୍ରଷ୍ଟ କଥା ଉଠାଇ ନବୀନ-ପାଣ୍ଡିଆନଙ୍କୁ ବିଜୟଙ୍କ ବାଣ
Biju Legacy

Key Points

ବିଜୁ ଲିଗାସୀ ନେତାଙ୍କୁ ବିଶ୍ୱାସଘାତକ କହି ଟାର୍ଗେଟ କଲେ ନବୀନ
ଦିଲ୍ଲୀପ କହିଲେ, ବିଜୁଙ୍କୁ ଦେଖି ନ ଥିବା ନେତା ଆମକୁ ବୁଝାଉଛନ୍ତି
ବିଜୁ କଥା ଟ୍ରଷ୍ଟ କଥା ଉଠାଇ ନବୀନ ପାଣ୍ଡିଆନଙ୍କୁ ବିଜୟଙ୍କ ବାଣ
ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ରାଜଧାନୀରେ ‘ଲିଗାସୀ’ ଲଢ଼େଇ । ଗୋଟିଏ ପଟେ ଶଙ୍ଖ ଭବନରେ ବିଜେଡିର ଶ୍ରଦ୍ଧାଞ୍ଜଳି ସଭା, ତ ଅନ୍ୟପଟେ ଓଡ଼ିଶା ନାଗରିକ ମଞ୍ଚ ଜରିଆରେ ଏକାଠି ହେଲେ ବିଜୁଙ୍କ ପୁରୁଣା ସାରଥି । ପ୍ରବାଦ ପୁରୁଷଙ୍କ ଆଦର୍ଶର ପ୍ରକୃତ ଦାୟଦ କିଏ, ସେନେଇ ଦିନସାରା ଚାଲିଲା ଆରୋପ-ପ୍ରତ୍ୟାରୋପର ଝଡ଼ । ନବୀନ ପଟ୍ଟନାୟକ ପୁରୁଣା ସହଯୋଗୀଙ୍କୁ ‘ବିଶ୍ୱାସଘାତକ’ କହି ଟାର୍ଗେଟ କରିଥିବା ବେଳେ, ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟଙ୍କ ଭଳି ନେତାମାନେ ବିଜୁ-ନବୀନ ଟ୍ରଷ୍ଟରେ ପାଣ୍ଡିଆନଙ୍କ ଭୂମିକାକୁ ନେଇ ବଡ଼ ପ୍ରଶ୍ନ ଉଠାଇଛନ୍ତି ।

ଅବସର ଥିଲା ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ହେଲେ ରାଜଧାନୀରେ ଦେଖିବାକୁ ମିଳିଥିଲା ଦୁଇଟି ଭିନ୍ନ ଭିନ୍ନ ଶ୍ରଦ୍ଧାଞ୍ଜଳି ସଭା । ଗୋଟିଏ ପଟେ ପ୍ରବାଦ ପୁରୁଷ ଦିବସ ଭାବେ ଶଙ୍ଖ ଭବନରେ ଶ୍ରଦ୍ଧାଞ୍ଜଳି ସଭା କରିଥିଲା ବିଜେଡି । ଅନ୍ୟପଟେ ଓଡ଼ିଶା ନାଗରିକ ମଞ୍ଚ କରି ଏକାଠି ହୋଇଥିଲେ ବିଜୁ ଲିଗାସି ନେତା । ଶଙ୍ଖ ଭବନରେ ଆୟୋଜିତ ସଭାରେ ବିଜୁଙ୍କ ବୀରତ୍ୱର ଗାଥା ବଖାଣିବା ସହ ଓଡ଼ିଶା ନାଗରିକ ମଞ୍ଚର ନେତାଙ୍କୁ ବିଶ୍ୱାସ ଘାତକ କହି ଦିଲ୍ଲୀରୁ ଟାର୍ଗେଟ କରିଥିଲେ ନବୀନ ।

ସେପଟେ ବିଜୁ ଶ୍ରଦ୍ଧାଞ୍ଜଳି ସଭାକୁ ନ ଆସି ଦିଲ୍ଲୀରେ ଥିବା ନବୀନଙ୍କ ନିଶାନା କରିଥିଲେ ନାଗରିକ ମଞ୍ଚ ନେତା ବିଜୟ ମହାପାତ୍ର । ବିଜୁ-ନବୀନ ଟ୍ରଷ୍ଟରେ ପାଣ୍ଡିଆନଙ୍କ ଭୂମିକାକୁ ନେଇ ବି ପ୍ରଶ୍ନ ଉଠାଇଥିଲେ ବିଜୟ । ବିଜୁଙ୍କ ଆଦର୍ଶକୁ ହତ୍ୟା କରାଯାଇଥିବା କହି ପ୍ରଭାତ ତ୍ରିପାଠୀ ବିଜେଡିକୁ କରିଥିଲେ ଆକ୍ରମଣ ।

ଏହାରି ଭିତରେ ବାସ୍ତବରେ କିଏ ବିଜୁ ଲିଗାସିର ଦାୟଦ ତାକୁ ନେଇ ତୀବ୍ର ହୋଇଛି ବାକ୍‌ ଯୁଦ୍ଧ । ବିଜୁଙ୍କୁ ସହ ଶେଷ ସମୟ ପର୍ଯ୍ୟନ୍ତ ରହିଥିବା ବ୍ୟକ୍ତି ହିଁ ପ୍ରକୃତ ଲିଗାସୀ କହି ବିଜୁ ବାବୁଙ୍କ ରୋଷେଇୟା, ଡ୍ରାଇଭରଙ୍କ ପରିବାରଙ୍କୁ ସମ୍ବର୍ଦ୍ଧନା କରିଥିଲା ଓଡ଼ିଶା ନାଗରିକ ମଞ୍ଚ । ସେପଟେ ସାମ୍ବାଦିକ ସମ୍ମିଳନୀ କରି ବିଜେଡି କହିଛି ବିଜୁଙ୍କୁ କିଛି ଲୋକ ନିର୍ଦ୍ଧିଷ୍ଟ ସୀମା ଭିତରେ ରଖିବାକୁ ଚାଁହୁଥିବା ବେଳେ ଏହା ତାଙ୍କ ପ୍ରତି ଅନ୍ୟାୟ ।

ବିଜୁଙ୍କ ଶ୍ରାଦ୍ଧ ଦିବସରୁ ଗଠିତ ନୂଆ ମଞ୍ଚ ଅଣ ରାଜନୈତିକ ବୋଲି ନେତାମାନେ ବୟାନ ଦେଉଥିଲେ ବି ଏହାର କାର୍ଯ୍ୟକଳାପ ନେଇ ତିଆରି ହୋଇଥିବା ରୋଡ୍‌ ମ୍ୟାପ ଆଗକୁ ଏହା ରାଜନୈତିକ ମଞ୍ଚ ହେବା ଦିଗରେ ଇସାରା କରୁଛି । ଆଜିର ସଭାରେ ବିଜେଡିରୁ ନିଲମ୍ବିତ ୨ ବିଧାୟକ ଓ ଡଜନେରୁ ଅଧିକ ପୂର୍ବତନ ବିଜେଡି ବିଧାୟକ ଥିଲେ । ତେବେ ବିଜୁ ଲିଗାସୀ ନେତାଙ୍କ ଏହି ମଞ୍ଚ ବିଜେଡିକୁ ଭାଙ୍ଗି ନୂଆ ବିକଳ୍ପ ରୂପେ ଉଭା ହେବ ନା କେବଳ ସଭା-ସମିତି ଓ ଆରୋପ-ପ୍ରତ୍ୟାରୋପରେ ସୀମିତ ରହିବ ତା ଉପରେ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Biju Legacy: ବିଜୁ ଶ୍ରାଦ୍ଧ ଦିବସରେ ବିଜେଡି ବନାମ ବିଜୁ ଲିଗାସୀ, ଟ୍ରଷ୍ଟ କଥା ଉଠାଇ ନବୀନ-ପାଣ୍ଡିଆନଙ୍କୁ ବିଜୟଙ୍କ ବାଣ | Argus News