Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଦୋହଲିଯିବ କି ଓଡ଼ିଶା ରାଜନୀତି ? 'ପଶାପାଲି' ଫିଲ୍ମ ମାଧ୍ୟମରେ ପରଦାକୁ ଫେରୁଛନ୍ତି ଶ୍ରୀମୟୀ ମିଶ୍ର

Politics

Shreemayee Mishra Returns / ଦୋହଲିଯିବ କି ଓଡ଼ିଶା ରାଜନୀତି ? 'ପଶାପାଲି' ଫିଲ୍ମ ମାଧ୍ୟମରେ ପରଦାକୁ ଫେରୁଛନ୍ତି ଶ୍ରୀମୟୀ ମିଶ୍ର

Sushanta Sahoo
Browse all articles by Sushanta Sahoo
·1 hour ago·3 min read
ଦୋହଲିଯିବ କି ଓଡ଼ିଶା ରାଜନୀତି ? 'ପଶାପାଲି' ଫିଲ୍ମ ମାଧ୍ୟମରେ ପରଦାକୁ ଫେରୁଛନ୍ତି ଶ୍ରୀମୟୀ ମିଶ୍ର
Will Pasapali Shake Odisha Politics ?

Key Points

ନିଜେ କ୍ଷମତା ଉପଭୋଗ କରିଛନ୍ତି । ସରକାର ଓ ପ୍ରଶାସନ କିଭଳି ପରିଚାଳନା କରାଯାଏ ତାହି ବି ଅତି ନିକଟରୁ ଦେଖିଛନ୍ତି ଶ୍ରୀମୟୀ ମିଶ୍ର । ସୋସିଆଲ୍ ମିଡିଆରେ ସମାଲୋଚନା ଓ ବିଜେଡିରୁ ବହିଷ୍କୃତ ହେବା ପରେ ଏବେ ସେ 'ପଶାପାଲି' ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ଯାହାକୁ ନେଇ ଜୋର୍ ଧରିଛି ରାଜନୈତିକ ଚର୍ଚ୍ଚା ।
ସାଲେପୁର (କଟକ): ଦଳରେ ଥିଲେ, ସୋସିଆଲ୍ ମିଡିଆରେ ସମାଲୋଚନା କରୁଥିଲେ । ନାଁ ନେଉ ନଥିଲେ, କିନ୍ତୁ ଏମିତି ତୀର ମାରୁଥିଲେ ଯେ ଦଳ ପ୍ରଥମେ ନିଲମ୍ବନ କଲା । ସୋସିଆଲ୍ ମିଡିଆ ପୋଷ୍ଟରେ ଆକ୍ରୋଶ ତୀବ୍ର ହେବାରୁ ବିଜେଡି ତାଙ୍କୁ ବହିଷ୍କାର କରିଥିଲା ।

ପଲିଟିକ୍ସର ପ୍ରରୋଚନା କାହାଣୀକୁ ସୋସିଆଲ୍ ମିଡିଆରେ ଲେଖି ଶ୍ରୀମୟୀ ଚର୍ଚ୍ଚାରେ ଥିବାବେଳେ ଏବେ ସେ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି । ବିକଳାନନ୍ଦ କର ପ୍ରଡକ୍ସନ୍ସ ବ୍ୟାନରରେ ଆସିବାକୁ ଯାଉଛି ରାଜନୈତିକ ପୃଷ୍ଠଭୂମି ଆଧାରିତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର 'ପଶାପାଲି' । ଏହି ସିନେମାର ପୋଷ୍ଟରରେ ଶ୍ରୀମୟୀ ମିଶ୍ରଙ୍କୁ ଦେଖିବାକୁ ମିଳିଛି ।

ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ କଟକ ଜିଲ୍ଲା ସାଲେପୁର ସ୍ଥିତ ଜଗନ୍ନାଥ ମନ୍ଦିର ଏବଂ ମା' ସାହେଶ୍ୱରୀ ପୀଠ ପରିସରରେ 'ପଶାପାଲି'ର ଶୁଭ ମହୁରତ ଅନୁଷ୍ଠିତ ହୋଇ ଯାଇଛି । 'ପଶାପାଲି' - ରାଜନୀତିର ଖେଳ ମାଧ୍ୟମରେ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି ଶ୍ରୀମୟୀ ମିଶ୍ର ।

'ପଶାପାଲି'ର କାହାଣୀ

ପ୍ରଶାନ୍ତ କରଙ୍କ ରଚିତ 'ପରିକଳ୍ପନା' ପୁସ୍ତକ ଉପରେ ନିର୍ମିତ ହେବାକୁ ଯାଉଛି ଚଳଚ୍ଚିତ୍ର 'ପଶାପାଲି' । ଯେଉଁଥିରେ ଓଡ଼ିଶାରେ ବାସ୍ତବ ରାଜନୈତିକ ସ୍ଥିତିକୁ ନେଇ ପ୍ରଥମ କରି ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି । ଯେଉଁ ଫିଲ୍ମରେ ଶ୍ରୀମୟୀ ମିଶ୍ରଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।


'ପରିକଳ୍ପନା' ପୁସ୍ତକ ମାଧ୍ୟମରେ ପ୍ରଶାନ୍ତ କର ସରକାରଙ୍କୁ ଓ ସମାଜକୁ ଅନେକ ପ୍ରସ୍ତାବ ଦେଇଛନ୍ତି । ଯାହା ସମାଜର ଉନ୍ନତି କରିବା ସହ ଜନକଲ୍ୟାଣ କରିବ । ଏବେ ଚଳଚ୍ଚିତ୍ର ମାଧ୍ୟମରେ ସେହି ଆନ୍ଦୋଳନକୁ ଶାଣିତ କରିବ 'ପଶାପାଲି' ।

କ'ଣ ରହିବ ଶ୍ରୀମୟୀ ମିଶ୍ରଙ୍କ ଭୂମିକା ?

ଶ୍ରୀମୟ ମିଶ୍ର, ରାଜନୀତିକୁ ଆସିବା ପୂର୍ବରୁ ଓଡ଼ିଆ ସିରିଏଲ୍‌ରେ ଅଭିନୟ କରୁଥିଲେ । ଦୀର୍ଘ ବର୍ଷ ରାଜନୀତି କରିବା ପରେ ୨୦୨୪ରେ ବିଜେଡି ଓଡ଼ିଶାରେ କ୍ଷମତାରୁ ଯିବା ପରେ ଦଳକୁ ସୋସିଆଲ୍ ମିଡିଆରେ ପ୍ରଶ୍ନବାଣରେ ଛନ୍ଦୁଥିଲେ ଶ୍ରୀମୟୀ ମିଶ୍ର । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଭିକେ ପାଣ୍ଡିଆନଙ୍କୁ ସମାଲୋଚନା କରି ଆସୁଥିଲେ ।

ଯେଉଁଥିପାଇଁ ପ୍ରଥମେ ଶ୍ରୀମୟୀଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି । ପରେ ବିଜେଡିରୁ ବହିଷ୍କୃତ ବି ହୋଇଥିଲେ । ତଥାପି ଶ୍ରୀମୟୀ ମିଶ୍ର ତାଙ୍କ ଫେସବୁକ୍ ପୋଷ୍ଟ ମାଧ୍ୟମରେ ସମାଲୋଚନା ଓ ପ୍ରଶ୍ନ କରିବାରୁ ବିରତ ହୋଇ ନାହାନ୍ତି । ଆଉ ଏବେ 'ପଶାପାଲି' ଚଳଚ୍ଚିତ୍ରରେ ଶ୍ରୀମୟୀ ମୁଖ୍ୟ ଭୂମିକାରେ ଆସୁଥିବାରୁ ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଦୀର୍ଘ ବର୍ଷ ଧରି ଶ୍ରୀମୟୀ ବିଜେଡିରେ ଥିଲେ । ଦଳ ଓ ନେତୃତ୍ଵଙ୍କୁ ବହୁ ପାଖରୁ ମଧ୍ୟ ଦେଖିଥିଲେ । ୨୦୨୪ରେ ବିଜେଡି କ୍ଷମତାରୁ ଯିବା ପରେ ଶ୍ରୀମୟୀ ସମାଲୋଚନା କରି ଆସୁଥିଲେ । ତେଣୁ 'ପଶାପାଲି' ଫିଲ୍ମ ମାଧ୍ୟମରେ ଶ୍ରୀମୟୀ ବିଜେଡିର କିଛି ଭିତିରିକଥା ପରଦାକୁ ଆଣି ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।


'ପଶାପାଲି' ଚଳଚ୍ଚିତ୍ରର ପ୍ରଯୋଜକ ପ୍ରଶାନ୍ତ କୁମାର କର ରହିଥିବା ବେଳେ ମୁଖ୍ୟ ଉପଦେଷ୍ଟା ଦିଲ୍ଲୀପ କୁମାର ଦାସ, ନିର୍ଦ୍ଦେଶକ ସଞ୍ଜୟ ନାୟକ, ସଙ୍ଗୀତ ନିର୍ଦ୍ଦେଶନା ଦେଉଛନ୍ତି ମଳୟ ମିଶ୍ର । ସେହିଭଳି ଋତୁରାଜ, କ୍ରିଷ୍ଣା ବେଉରା, ଇରା ମହାନ୍ତିଙ୍କ ଭଳି ନାମିଦାମୀ କଣ୍ଠଶିଳ୍ପୀ କଣ୍ଠଦାନ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ପଛରେ ରହିବେ ପାଣ୍ଡିଆନ, ଆଗକୁ ଆସିଲେ ସୁଜାତା 

ଫିଲ୍ମରେ ଶ୍ରୀମୟୀ ମିଶ୍ରଙ୍କ ସହ ପୃଥ୍ଵୀରାଜ ନାୟକ, ଶୁଭ୍ରାଂଶୁ ନାୟକ, ଇତିଶ୍ରୀ, ରାଜଶ୍ରୀ ଅଭିନୟ କରୁଛନ୍ତି । ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ନଜର ଆସିବେ ଦୁଷ୍ମନ୍ତ । ଏବେ ଦେଖିବାର କଥା ସୋସିଆଲ୍ ମିଡିଆ ପୋଷ୍ଟରେ ନିଆଁ ଲଗାଇ ଦେଇଥିବା ଶ୍ରୀମୟୀଙ୍କ 'ପଶାପାଲି' ଓଡ଼ିଶା ରାଜନୀତିକୁ କିଭଳି ପ୍ରଭାବିତ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored