ଅଧା ରହିଗଲା ବିଧାନସଭାର ଶୀତକାଳୀନ ଅଧିବେଶନ

ଅର୍ଗସ ବ୍ୟୁରୋ : ଅଧାରେ ଅଟକିଗଲା ବିଧାନସଭାର ଶୀତକାଳୀନ ଅଧିବେଶନ। ଯାହା ନଭେମ୍ବର ୨୧ରୁ ଡିସେମ୍ବର ୩୦ ଯାଏ ଚାଲିଥାନ୍ତା ମାତ୍ର ୪ ଦିନରେ ଠପ ହୋଇଗଲା। ଅଧା ରହିଗଲା ଓଡିଶାବାସୀଙ୍କ ଉନ୍ନତି ପାଇଁ ଆଲୋଚନାର ପ୍ରସଙ୍ଗ । ରାଜ୍ୟ ତଥା ରାଜ୍ୟବାସୀଙ୍କ ଉନ୍ନତି ପାଇଁ ବିଧାନସଭାରେ ଆଲୋଚନା ହେଉଛି ଏକ ମୁଖ୍ୟ ମାଧ୍ୟମ । କିନ୍ତୁ ଏଥିପାଇଁ ପ୍ରସ୍ତୁତ ନାହାନ୍ତି ବିଜେଡି ସରକାର । ଆଦିବାସୀ ଜମି ହସ୍ତାନ୍ତରକୁ ନେଇ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ପ୍ରସଙ୍ଗରେ ବିରୋଧୀ ପ୍ରତିବାଦ କରିଥିଲେ ଯାହା ଆଗରେ ନଇଁବାକୁ ବାଧ୍ୟ ହେଲେ ରାଜ୍ୟର ବିଜେଡି ସରକାର। ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣରୂପେ ମାତ୍ର ଗୋଟିଏ ଦିନ ଚାଲିବା ପରେ ବିଧାନ ସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଦିଆଗଲା ।ବିରୋଧୀ ଏହାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛନ୍ତି।
ଆସୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହା ହିଁ ଶେଷ ବିଧାନସଭା ଅଧିବେଶନ ଥିଲା ଯେଉଁଠି ବିରୋଧୀ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଶ୍ନ କରିଥାନ୍ତେ। ଯେପରିକି ସରକାରୀ କାର୍ଯ୍ୟକ୍ରମରେ ଦଳୀୟ ଚିହ୍ନର ବ୍ୟବହାର , ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଭବିଷ୍ୟତ, ପୁରୀ ମନ୍ଦିରର ୪ ଦ୍ୱାର ଖୋଲିବା ପ୍ରସଙ୍ଗ ,ରତ୍ନ ଭଣ୍ଡାର ପ୍ରସଙ୍ଗ, ରାଜ୍ୟରେ ଯୁବକ ନିଯୁକ୍ତି ପାଉନାହାନ୍ତି କିନ୍ତୁ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ପୁଣି ଥରେ କାହିଁକି ନିଯୁକ୍ତି ପାଉଛନ୍ତି? 'ଲକ୍ଷ୍ମୀ ବସ' ଯୋଜନାରେ ଓଡିଶା ବସ ମାଲିକ ମାନଙ୍କୁ କାହିଁକି ହତାଦର କରାଗଲା? ପଦ୍ମପୁରକୁ ଜିଲ୍ଲା ମାନ୍ୟତା କେବେ? ଯାହାକି ବିଜେଡି ସରକାର ପାଇଁ ଚିନ୍ତାର କାରଣ ହୋଇଥାନ୍ତା ।ବିରୋଧୀ ବିଜେପି ଓ କଂଗ୍ରେସର ଟାଣୁଆ ନେତା ମାନଙ୍କ ପ୍ରଶ୍ନର ଉତ୍ତର ଦେବା ଆଗରୁ ବିଜେଡି ସରକାର ଅଧିବେଶନ ଶେଷ କରି ନିଜକୁ ରକ୍ଷା କରିଲେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
📱 Get Argus News App
✨ତେବେ ଏହା ଓଡିଶା ଇତିହାସରେ ପ୍ରଥମ ବୋଲି ବିରୋଧୀ କହିଛନ୍ତି ।୨୬ ଟି କାର୍ଯ୍ୟ ଦିବସ ପୂର୍ବରୁ ବିଧାନ ସଭା ଅଧିବେଶନ ବନ୍ଦ ହେବା ରାଜ୍ୟ ସରକାରଙ୍କୁ ଏବେ ପ୍ରଶ୍ନଘେରକୁ ଆଣିଛି। ରାଜ୍ୟସରକାର ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବାକୁ ପଛ ଘୁଞ୍ଚା କାହିଁକି ଦେଲେ ? ନିଜ ଭାବ ମୂର୍ତ୍ତିରେ ଆଞ୍ଚ ଆସିବାର ଡର ଥିଲା କି ? ନିଜ ନେତା ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଚିନ୍ତିତ କି ରାଜ୍ୟ ସରକାର ? ଏପରି ଅନେକ କିଛି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଅଧିକ ପଢ଼ନ୍ତୁ ରାଜନୀତି ଖବର.