|
logo
Live

Argus News - ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ

Politics

CM Yogi Govt Ninth Anniversary / ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ

Subhramjit Ray
Browse all articles by Subhramjit Ray
·3 weeks ago·3 min read
ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ
UP CM Yogi Adityanath

Key Points

ସରକାରଙ୍କ ୯ ବର୍ଷର ପୂର୍ତ୍ତି ଅବସରରେ ନବରାତ୍ରୀର ୯ ଦିନ ମଧ୍ୟରେ ବିଜେପି ନେତା କର୍ମୀ ସମାଜର ବିଭିନ୍ନ ବର୍ଗ ସହ ଆଲୋଚନା କରିବେ।
UP CM Yogi Adityanath: ମାର୍ଚ୍ଚ ୧୯ ତାରିଖ ବୁଧବାର ଯୋଗୀ ଆଦିତ୍ୟନାଥଙ୍କ ସରକାରକୁ ପୂରଣ ହୋଇଛି ୯ ବର୍ଷ। ୨୦୧୭ ମସିହା ଆଜିର ଦିନରେ ଗଠିତ ହୋଇଥିଲା ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧିନ ସରକାର। ଏହା ସହିତ ଦୀର୍ଘ ୧୫ ବର୍ଷର ବନବାସ ପରେ ଉତ୍ତର ପ୍ରଦେଶରେ କ୍ଷମତାକୁ ଫେରିଥିଲା ବିଜେପି। ଏପରିକି ଲଗାତାାର ୯ ବର୍ଷ ଧରି କ୍ଷମତାସୀନ ରହିବା ପରେ ସବୁଠାରୁ ଲମ୍ବା ସମୟ ଧରି କାର୍ଯ୍ୟ କରୁଥିବା ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରକୁ ବୁଧବାର ୯ (ମାର୍ଚ୍ଚ ୧୯) ବର୍ଷ ପୂରଣ କରିଛି। ଏହି ଅବସରରେ ରାଜଧାନୀ ଲକ୍ଷ୍ନୌରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଠି ମୁଖ୍ୟମନ୍ତ୍ରୀ ତାଙ୍କ ସରକାରଙ୍କ ସଫଳତା ତାଲିକାଭୂକ୍ତ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ତାଙ୍କ ସରକାର ଦ୍ୱାରା ସୃଷ୍ଟି ହୋଇଥିବା ସୁରକ୍ଷିତ ବାତାବରଣ କାରଣରୁ ଉତ୍ତର ପ୍ରଦେଶ ଏକ ଭରସାଯୋଗ୍ୟ ନିବେଶ ସ୍ଥଳରେ ଉଭା ହୋଇଛି। ଏହି ସୁରକ୍ଷିତ ପରିବେଶ ଯୋଗୁଁ ରାଜ୍ୟବାସୀ ଶାନ୍ତିପୂର୍ଣ୍ଣ ଭାବରେ ସେମାନଙ୍କର ପର୍ବପର୍ବାଣୀ ପାଳନ କରି ପାରୁଛନ୍ତି। ରାଜ୍ୟରେ ସାମ୍ପ୍ରଦାୟିକ ଦଙ୍ଗା ଅଥବା ହିଂସା ଉପରେ ଅଙ୍କୁଶ ଲାଗିଛି। ଏଭଳି ଘଟଣା ପ୍ରାୟତଃ ଘଟୁନାହିଁ।

ସେ କହିଥିଲେ ଯେ ସରକାରଙ୍କ ୯ ବର୍ଷର ପୂର୍ତ୍ତି ଅବସରରେ ନବରାତ୍ରୀର ୯ ଦିନ ମଧ୍ୟରେ ବିଜେପି ନେତା କର୍ମୀ ସମାଜର ବିଭିନ୍ନ ବର୍ଗ ସହ ଆଲୋଚନା କରିବେ। ତାଙ୍କ ସରକାର ଏହି ଆଲୋଚନାର ଫଳାଫଳକୁ କାର୍ଯ୍ୟକାରୀ କରିବ। ଏହା ସହିତ ରାଜ୍ୟକୁ ଏକ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାରେ ସାହାଯ୍ୟ କରିବ। ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କ ସରକାରଙ୍କ ୯ ବର୍ଷର କାର୍ଯ୍ୟକାଳକୁ ପୁନନିର୍ମାଣର ୯ ବର୍ଷ ବୋଲି କହିଥିଲେ।

ସପା-କଂଗ୍ରେସ ବିରୋଧରେ ବର୍ଷିଲେ
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ରାଜ୍ୟରେ ବିଜେପି କ୍ଷମତାକୁ ଆସିବାକୁ ପୂର୍ବରୁ ପୂର୍ବବର୍ତ୍ତୀ ସରକାରକୁ ଟାର୍ଗେଟ କରିଥିଲେ। ଏନେଇ ସେ କହିଛନ୍ତି ଯେ ୨୦୧୭ ପୂର୍ବରୁ ରାଜ୍ୟରେ ଚାଷୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଥିଲେ। କାମଧନ୍ଦା ପାଇଁ ରାଜ୍ୟର କାରିଗର ଅନ୍ୟ ରାଜ୍ୟକୁ ଶ୍ରମିକ ହୋଇ ପଳାୟନ କରିବାକୁ ବାଧ୍ୟ ହୋଇଥିଲେ। ମହିଳା ଭୟଭୀତ ହୋଇ ରହିବା ସହ ନିଜକୁ ଅଭିଶାପ ଦେଉଥିଲେ। ଏପିରିକି ବ୍ୟବସାୟୀ ମଧ୍ୟ ଭୟରେ ରହୁଥିଲେ। ସେତେବେଳର ସରକାରଙ୍କ ପାଖରେ ରାଜ୍ୟର ବିକାଶ ପାଇଁ କୌଣସି ଲକ୍ଷ୍ୟ ନଥିଲା। ତାଙ୍କ ଭାଷଣରେ ମୁଖ୍ୟମନ୍ତ୍ରୀ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ସରକାରକୁ ଟାର୍ଗେଟ କରିଥିଲେ।

ଉତ୍ତର ପ୍ରଦେଶର ଡବଲ-ଇଞ୍ଜିନ୍ ସରକାର ସୁରକ୍ଷା, ଭିତ୍ତିଭୂମି, ନିବେଶ ଏବଂ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି। ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଯୋଜନା ଦଳିତ, ବଞ୍ଚିତ, ଅତ୍ୟନ୍ତ ପଛୁଆ ଏବଂ ଗରିବଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ। ତାଙ୍କ ସରକାର ରାଜ୍ୟକୁ ସେବା କ୍ଷେତ୍ରରେ ଏକ ନୂତନ ପରିଚୟ ଦେଇଛି। ଧାର୍ମିକ ଆସ୍ଥା ବିଶ୍ୱାସକୁ ଏକ ନୂତନ ପରିଚୟ ଦେଇଛି।

କେତେ ଚାକିରି ସୃଷ୍ଟି କରିଛନ୍ତି ଯୋଗୀ ଆଦିତ୍ୟନାଥଙ୍କ ସରକାର?
ତାଙ୍କ ଭାଷଣରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମାଜବାଦୀ ପାର୍ଟି ବିରୋଧରେ ବର୍ଷିଥିଲେ। ଏପରିକି ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ କ୍ଷମତାସୀନ ଥିବା ଅଖିଳେଶ ଯାଦବଙ୍କ ସରକାରକୁ ମଧ୍ୟ ଟାର୍ଗେଟ କରିଥିଲେ। ୨୦୧୭ ପୂର୍ବରୁ, ଉତ୍ତର ପ୍ରଦେଶରେ କୌଣସି ନିଯୁକ୍ତି ନଥିଲା। କାରଣ ସେତେବେଳେର ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ନଥିଲା। ତଥାପି, ତାଙ୍କ ସରକାର ୯ ବର୍ଷରେ ୯ ଲକ୍ଷରୁ ଅଧିକ ନିଯୁକ୍ତି ସୃଷ୍ଟି କରିଛି। ଏହି ନିଯୁକ୍ତି ମଧ୍ୟରୁ ୨,୧୯,୦୦୦ ପୋଲିସ ବିଭାଗରେ ଥିଲା।

ତାଙ୍କ ସରକାରଙ୍କ ପ୍ରୟାସ କ୍ରମେ ଦେଶର ୫୫% ଏକ୍ସପ୍ରେସୱେ ନେଟୱାର୍କ ଉତ୍ତର ପ୍ରଦେଶରେ ରହିଛି। ଗଙ୍ଗା ଏକ୍ସପ୍ରେସୱେ ଚଳିତ ମାସରେ ଶେଷ ହେବ। ଏହା ପରେ ଦେଶର ୬୦% ଏକ୍ସପ୍ରେସୱେ ରାଜ୍ୟରେ ରହିବ। ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟ ୪ ଲେନ୍ ରାସ୍ତା ଦ୍ୱାରା ସଂଯୁକ୍ତ ହୋଇଛି। ସେହିପରି ରାଜ୍ୟର ୭ ପ୍ରମୁଖ ସହରରେ ମେଟ୍ରୋ ସେବା ଆରମ୍ଭ ହୋଇଯାଇଛି। ଏହା ସହିତ ରାଜ୍ୟରେ ୧୬ ଘରୋଇ ଏବଂ ୫ ଅନ୍ତର୍ଜାତୀୟ ବିମାନବନ୍ଦର ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ ୨୮ ତାରିଖରେ ନୋଏଡା ସ୍ଥିତ ଜେୱାର ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କରିବେ। ଏହି ପ୍ରକାରେ ଉତ୍ତର ପ୍ରଦେଶ ଦେଶର ସର୍ବୋତ୍ତମ ଭିତ୍ତିଭୂମି ରହିଥିବା ଏକ ରାଜ୍ୟ ଭାବେ ଉଭା ହୋଇଛି।





Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CM Yogi Govt Ninth Anniversary: ସରକାରକୁ ପୁରିଲା ୯ ବର୍ଷ; କ'ଣ ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ ଯୋଗୀ | Argus News