Videos
|
Rath Yatra

Hera Panchami Ritual / ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି, ଆଜିଠୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

Santosh Kumar Sahoo
Browse all articles by Santosh Kumar Sahoo
·18 hours ago·2 min read
ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି, ଆଜିଠୁ ବାହୁଡ଼ା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ
Hera Panchami Ritual

Key Points

ମହାପ୍ରଭୁଙ୍କ ଉପରେ ଅଭିମାନ
ମା’ ଲକ୍ଷ୍ମୀଙ୍କ କ୍ରୋଧରେ ଭାଙ୍ଗିଲା ନନ୍ଦିଘୋଷ ରଥ
ଜାଣନ୍ତୁ ହେରାପଞ୍ଚମୀର ମହତ୍ତ୍ୱ
ରାଗିଲେ ମା’ ଲକ୍ଷ୍ମୀ, ଭାଙ୍ଗିଲେ ନନ୍ଦିଘୋଷ ରଥ । ବିଳମ୍ବିତ ରାତିରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ସମ୍ପନ୍ନ ହେଲା ହେରାପଞ୍ଚମୀ ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇ-ଭଉଣୀଙ୍କୁ ସାଙ୍ଗରେ ଘେନି ଗୁଣ୍ଡିଚା ଘରକୁ ଚାଲିଆସିଥିବାରୁ, ବିରହ ବେଦନା ଓ ଅଭିମାନ ସହି ନପାରି ମା’ ଲକ୍ଷ୍ମୀ ଠାକୁରାଣୀ ମା’ ବିମଳାଙ୍କ ପରାମର୍ଶ କ୍ରମେ ଗୋପନରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥିଲେ ।

ବିଳମ୍ବିତ ରାତି ପ୍ରାୟ ୧୨ଟାରେ ମା’ ଲକ୍ଷ୍ମୀ ଘଣ୍ଟ, କାହାଳୀ ଶୋଭାଯାତ୍ରାରେ ଶ୍ରୀମନ୍ଦିରରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲେ । ଜୟ ବିଜୟ ଦ୍ୱାର ନିକଟରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ମଧ୍ୟ ସନ୍ଧ୍ୟାଧୂପ ଚାଲିଥିବାରୁ ଦ୍ୱାର ବନ୍ଦ ରହିଥିଲା । ଫଳରେ ଅପମାନିତ ମନେ କରି ମା' କ୍ରୋଧାନ୍ବିତ ହୋଇପଡ଼ିଥିଲେ । ରାଗ ଓ ଅଭିମାନରେ ନାକଚଣା ଦ୍ୱାର ଦେଇ ବାହାରିବା ସମୟରେ ମା' ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର କାଠ ଭାଙ୍ଗି ଦେଇଥିଲେ । ରଥ ଭାଙ୍ଗିବା ପରେ ମା’ ଆଉ ବଡ଼ଦାଣ୍ଡ ବାଟେ ନଫେରି, ନିରାଡ଼ମ୍ବର ଭାବେ 'ହେରାଗୋହିରି ସାହି' ଦେଇ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ରାତି ୩ଟା ସୁଦ୍ଧା ଏହି ସମସ୍ତ ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା । ମହାପ୍ରଭୁଙ୍କ ଏହି ଅପରୂପ ଦାମ୍ପତ୍ୟ ଲୀଳା ଦେଖିବା ପାଇଁ ବଡ଼ଦାଣ୍ଡରେ ହଜାର ହଜାର ଭକ୍ତଙ୍କ ଗହଳି ଜମିଥିଲା ।

ଅଧିକ ପଢ଼ନ୍ତୁ: ଆଡ଼ପ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ଗହଳି; ଅବଢା ପାଇଁ ଆନନ୍ଦିତ ଭକ୍ତ


ସେପଟେ ଆଜି ପବିତ୍ର ନବଦିନାତ୍ମକ ଯାତ୍ରାର ଷଷ୍ଠ ଦିନ ତଥା ସପ୍ତମୀ ତିଥି । ମହାପ୍ରଭୁଙ୍କ ଶ୍ରୀମନ୍ଦିର ବାହୁଡ଼ା ଯାତ୍ରା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହେବ । ଏହି କ୍ରମରେ ଆଜି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଥିବା ତିନି ରଥର ଦକ୍ଷିଣମୋଡ଼ ହେବ । ସକାଳ ଧୂପ ପରେ ମଧ୍ୟାହ୍ନ ପ୍ରାୟ ସାଢେ ୧୨ଟା ସୁଦ୍ଧା ତିନି ଦିଅଁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଆସି ରଥରେ ଲାଗି ହେବ । ମହାପ୍ରଭୁଙ୍କ ଆଜ୍ଞା ପାଇବା ପରେ ରଥ ଦକ୍ଷିଣମୋଡ଼ ନେବ । ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ, ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ଏବଂ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ କରାଯିବ । ରଥଯାତ୍ରା ପରଠାରୁ ଉତ୍ତରମୁହାଁ ହୋଇ ରହିଥିବା ତିନି ରଥ ଆଜି ଦକ୍ଷିଣମୋଡ଼ ନେଇ ନାକଚଣା ଦ୍ୱାରସ୍ଥିତ ଶରଧାବାଲିରେ ବିଜେ କରିବେ । ଏଥିପାଇଁ ଶରଧାବାଲିକୁ ସଫାସୁତରା କରାଯାଇ ସମତୁଲ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored