Videos
|
Rath Yatra

Lord Jagannath / ବ୍ରହ୍ମ ହିଁ ଜଗତର ଏକମାତ୍ର ସତ୍ୟ ଓ ଅପରିବର୍ତ୍ତନୀୟ ତତ୍ତ୍ଵ

Sushanta Sahoo
Browse all articles by Sushanta Sahoo
·2 weeks ago·3 min read
ବ୍ରହ୍ମ ହିଁ ଜଗତର ଏକମାତ୍ର ସତ୍ୟ ଓ ଅପରିବର୍ତ୍ତନୀୟ ତତ୍ତ୍ଵ
Why Purushottama is the Supreme Being

Key Points

ଶ୍ରୀଜଗନ୍ନାଥ ହେଉଛନ୍ତି ବ୍ରହ୍ମଙ୍କର ପ୍ରତୀକ, ଦାରୁବ୍ରହ୍ମ । ସେ ସଗୁଣ ଓ ନିର୍ଗୁଣର ସମନ୍ଵୟ ମୂର୍ତ୍ତି । ବ୍ରହ୍ମଙ୍କର କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ । ଯେ କୌଣସି ସମ୍ପ୍ରଦାୟର ଭକ୍ତ ନିଜର ଆରାଧ୍ୟଙ୍କୁ ଏହି ବିଗ୍ରହରେ ଦର୍ଶନ କରିପାରିବେ ।
ପୁରୀ: ସେ ଜଗତର ନାଥ ଜଗନ୍ନାଥ, ସେ ପୁରୁଷୋତ୍ତମ । ସେ ନିରାକାର, ଅସୀମ, ଅନାଦି, ଅନନ୍ତ, ଅବ୍ୟକ୍ତ, ନିର୍ଗୁଣ, ପରଂବ୍ରହ୍ମ । ପୁନଶ୍ଚ ସେ ସାକାର ଓ ସଗୁଣ ରୂପରେ ଦାରୁବ୍ରହ୍ମ ଜଗନ୍ନାଥ ।

ଶ୍ରୀମଦ୍ ଭଗବଦ୍ ଗୀତାର ପୁରୁଷୋତ୍ତମ ଯୋଗରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, "ମୁଁ କ୍ଷରଠାରୁ ପୃଥକ, ଅକ୍ଷରରୁ ଶ୍ରେଷ୍ଠ । ଏଣୁ ଲୋକଙ୍କ ମଧ୍ୟରେ ଏବଂ ବେଦରେ ମୋ ନାମ ପୁରୁଷୋତ୍ତମ ।"

ସମସ୍ତ ଦେବତାମାନଙ୍କ ମଧ୍ୟରେ ପୁରୁଷୋତ୍ତମ ଶ୍ରେଷ୍ଠ ଦେବତା ଓ ସମସ୍ତ କ୍ଷେତ୍ରମାନଙ୍କ ମଧ୍ୟରେ ପୁରୁଷୋତ୍ତମ ମଧ୍ୟ ଶ୍ରେଷ୍ଠ କ୍ଷେତ୍ର ।

ବ୍ରହ୍ମଙ୍କର ପ୍ରତୀକ ଦାରୁବ୍ରହ୍ମ

ଶ୍ରୀଜଗନ୍ନାଥ ହେଉଛନ୍ତି ବ୍ରହ୍ମଙ୍କର ପ୍ରତୀକ, ଦାରୁବ୍ରହ୍ମ । ସେ ସଗୁଣ ଓ ନିର୍ଗୁଣର ସମନ୍ଵୟ ମୂର୍ତ୍ତି । ବ୍ରହ୍ମଙ୍କର କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ । ଯେ କୌଣସି ସମ୍ପ୍ରଦାୟର ଭକ୍ତ ନିଜର ଆରାଧ୍ୟଙ୍କୁ ଏହି ବିଗ୍ରହରେ ଦର୍ଶନ କରିପାରିବେ । ବିଭିନ୍ନ ସମ୍ପ୍ରଦାୟର ଅନେକ ସାଧକ, ଭକ୍ତ ଶ୍ରୀଜଗନ୍ନାଥଙ୍କ ବିଗ୍ରହରେ ନିଜ ନିଜର ଇଷ୍ଟ ମୂର୍ତ୍ତିଙ୍କୁ ଦର୍ଶନ କରି କୃତାର୍ଥ ହୋଇଛନ୍ତି ।

ସଗୁଣ ଓ ନିର୍ଗୁଣର ସମନ୍ଵୟ ମୂର୍ତ୍ତି ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ବିଶ୍ଵବ୍ୟାପକ ଓ ସାର୍ବଜନୀନ ଦେବତା ରୂପେ ଏଠାରେ ଉପାସିତ । ସେ ବିଶ୍ଵ ପ୍ରେମ ଓ ମୈତ୍ରୀର ପ୍ରତୀକ । ଶ୍ରୀକ୍ଷେତ୍ରରେ ଜଗତର ସମସ୍ତ ଧର୍ମ, ମତ, ତନ୍ତ୍ର, ଜ୍ଞାନ, ଦର୍ଶନ, ଯୋଗ, ସାମ୍ୟ, ମୈତ୍ରୀ, ପ୍ରୀତି ଓ ଉଦାରଚାର ଅପୂର୍ବ ସମନ୍ବୟ ସାଧୁତ ହୋଇଛି ।

ଏହି ମହାମିଳନ ହିଁ ଶ୍ରୀଜଗନ୍ନାଥଙ୍କୁ ବିଶ୍ଵବନ୍ଦିତ ଦେବତା ରୂପେ ପ୍ରତିଷ୍ଠିତ କରିପାରିଛି । ବିଭିନ୍ନ ଚିନ୍ତାଧାରାରୁ ବିଭିନ୍ନ ତତ୍ତ୍ଵର ଉଦ୍ଭବ ହୋଇ ସେଥିରେ ଶ୍ରୀଜଗନ୍ନାଥଙ୍କୁ ସାମିଲ କରାଯାଇ ତତ୍ତ୍ଵମୟ କରାଯାଇଛି । ଏକ ସ୍ଥୂଳ ଶରୀରରେ ବ୍ରହ୍ମଙ୍କର ଅପରିସୀମ ବିଭାବକୁ ମଣ୍ଡନ କରି ଏକ ପୂର୍ଣ୍ଣାଙ୍ଗ କଳେବରରେ ସୀମିତ କରିବା ଯେହେତୁ ସମ୍ଭବ ନୁହେଁ, ତେଣୁ ସେ ଅସଂପୂର୍ଣ୍ଣ ବିଗ୍ରହ । ସେ ହେଉଛନ୍ତି ବେଦର ପ୍ରଣବ ଅକ୍ଷର ଓଁ । ଅର୍ଥାତ୍, ଅଉମ ଓଁ, ‘ଅ' ହେଉଛି ସୁଭଦ୍ରା । ‘ଉ’ ହେଉଛି ଜଗନ୍ନାଥ ଓ ‘ମ’ ହେଉଛି ବଳଭଦ୍ର ।

ମଣିଷ ଦୈନନ୍ଦିନ ଯେଭଳି ପ୍ରତ୍ୟୁଷରୁ ଉଠି ମୁହଁ ଧୋଇବାଠାରୁ ଆରମ୍ଭ କରି ରାତ୍ରିରେ ଶୟନକୁ ଯିବା ପର୍ଯ୍ୟନ୍ତ ବିଭିନ୍ନ ମାନବୀୟ କାର୍ଯ୍ୟ କରିଥାଏ, ଠିକ୍ ସେହିଭଳି ଏଠାରେ ସମସ୍ତ ନୀତି ଜଣେ ଚକ୍ରବର୍ତ୍ତୀ ସମ୍ରାଟଙ୍କ ପାଇଁ କରାଯିବା ଭଳି କରାଯାଏ । ବର୍ଷସାରା ବାରମାସରେ ତେରପର୍ବ, ଉତ୍ସବ, ଯାନିଯାତ୍ରା ପାଳନ କରାଯାଏ । ଏହା ବ୍ୟତୀତ ଶାରୀରିକ ଅସୁସ୍ଥତା, ପାରିବାରିକ କଳହ, ବଣଭୋଳି, ଶ୍ରାଦ୍ଧ ଅର୍ପଣ ଆଦି ମାନବ ଜୀବନ ସହ ଜଡ଼ିତ ସମସ୍ତ କାର୍ଯ୍ୟକଳାପ ଏଠାରେ ସମ୍ପାଦିତ ହୋଇଥାଏ ।

ବ୍ରହ୍ମଙ୍କର ଘଟ ପରିବର୍ତ୍ତନ

ବସ୍ତ୍ର ପୁରୁଣା ହୋଇଗଲେ ମଶିଷ ଯେଭଳି ତାକୁ ପରିତ୍ୟାଗ କରି ନୂତନ ବସ୍ତ୍ର ପରିଧାନ କରେ, ସେହିଭଳି ନବକଳେବର ସମୟରେ ପୁରାତନ ବିଗ୍ରହମାନଙ୍କରୁ ବ୍ରହ୍ମକୁ ନିଆଯାଇ ନୂତନ ବିଗ୍ରହମାନଙ୍କରେ ସ୍ଥାନିତ କରାଯାଏ ।

ବ୍ରହ୍ମଙ୍କର ଏହି ଘଟ ପରିବର୍ତ୍ତନ ନୀତି ଦ୍ଵାରା ଗୋଟିଏ ମହାସତ୍ୟ ଭଦ୍‌ଘାଟିତ ହୋଇଥାଏ ଯେ ବିଶ୍ଵର ସକଳ ପଦାର୍ଥ ପରିବର୍ତ୍ତନୀୟ ହେଲେ ମଧ୍ୟ ବ୍ରହ୍ମ ଅପରିବର୍ତ୍ତନୀୟ । ଦାରୁବ୍ରହ୍ମଙ୍କ ନବକଳେବରର ନିର୍ଯାସ ହେଉଛି ଯେ ବ୍ରହ୍ମ ହିଁ ଜଗତର ଏକମାତ୍ର ସତ୍ୟ ଓ ଅପରିବର୍ତ୍ତନୀୟ ତତ୍ତ୍ଵ ।

ଏହି ପୀଠରେ ଆଦିମ ଶାବର ସଂସ୍କୃତିର ମୂଳପିଣ୍ଡ ସହ ବୌଦ୍ଧଧର୍ମ, ଜୈନଧର୍ମର ବିଭିନ୍ନ ରୀତି,ନୀତି ଓ ବିଚାରଧାରାର ପ୍ରତିଫଳନ ଦେଖିବାକୁ ମିଳେ । ପୁନଶ୍ଚ ହିନ୍ଦୁଧର୍ମ ଅନ୍ତର୍ଗତ ବିଭିନ୍ନ ଧର୍ମମତ ଯଥା- ଶୈବ, ବୈଷ୍ଣବ, ଶାକ୍ତ, ଗାଣପତ୍ୟ, ସୌର ଆଦିର ଅପୂର୍ବ ସମନ୍ୱୟ ଏହାକୁ ଏକ ସାର୍ବଜନୀନ ଉଦାରବାଦୀ ଧର୍ମରେ ରୂପାନ୍ତରିତ କରିଛି ।

ଏଥିସହ ପଢ଼ନ୍ତୁ: କେମିତି ହୁଏ ଶ୍ରୀଜୀଉଙ୍କ ପହଣ୍ଡି ବିଜେ ? ରଥଯାତ୍ରା ଦିନ ଶ୍ରୀମନ୍ଦିରର ଅଦ୍ଭୁତ ନୀତିକାନ୍ତି 

ଆଦି ଶଙ୍କରାଚାର୍ଯ୍ୟଙ୍କର ଜଗନ୍ନାଥାଷ୍ଟକ, ତାଙ୍କ ଦ୍ଵାରା ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କର ପୁନଃ ପ୍ରତିଷ୍ଠା, ରାମାନୁଜାଚାର୍ଯ୍ୟ, ମାଧବାଚାର୍ଯ୍ୟ, ନିମ୍ବାର୍କାଚାର୍ଯ୍ୟ ଏବଂ ବଲ୍ଲଭାଚାର୍ଯ୍ୟ ପ୍ରଭୃତି ମହାପୁରୁଷଙ୍କ ଦ୍ଵାରା ଶ୍ରୀମନ୍ଦିର ପୂଜା ପଦ୍ଧତି ତଥା ପାର୍ବଣମାନଙ୍କରେ ବୈଷ୍ଣବୀୟ ରୀତି ନୀତିର ପ୍ରଚଳନ, ଜୟଦେବଙ୍କ ସମୟରୁ ଗୀତଗୋବିନ୍ଦ ସେବାର ପ୍ରଚଳନ, ରାୟ ରାମାନନ୍ଦଙ୍କ ଦ୍ଵାରା ଶ୍ରୀମନ୍ଦିରରେ ଅନେକ ବିବିଧାନ ପ୍ରଚଳନ ଆଦିର ମହାମିଳନ ହିଁ ଜଗନ୍ନାଥ ସଂସ୍କୃତିକୁ ସର୍ବଭାରତୀୟ ମହତ୍ତ୍ଵ ପ୍ରଦାନ କରିବା ସହ ସନାତନ ଧର୍ମଧାରାର ବିଭିନ୍ନ ଧର୍ମମତ ମଧ୍ୟରେ ଅପୂର୍ବ ସମନ୍ୱୟ ତଥା ଐକ୍ୟ ସ୍ଥାପନ କରିଅଛି ।

ବିଦ୍ର: ସମସ୍ତ ତଥ୍ୟ ଉତ୍କଳ ପ୍ରସଙ୍ଗରୁ ସଂଗୃହୀତ ଅଟେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Why is Lord Jagannath Called Purushottama? Spiritual Significance Explained | Argus News | Argus News