Videos
|
Sports

World Cup Qualification / ବିଶ୍ୱକପ୍‌ ପୂର୍ବରୁ ବଡ଼ ଓଲଟପାଲଟ ! ୧୦ ଟିମ୍‌ କ୍ୱାଲିଫାଏ, ୱେଷ୍ଟଇଣ୍ଡିଜ୍‌ ସଙ୍କଟରେ

Santosh Kumar Sahoo
Browse all articles by Santosh Kumar Sahoo
·27 mins ago·2 min read
ବିଶ୍ୱକପ୍‌ ପୂର୍ବରୁ ବଡ଼ ଓଲଟପାଲଟ ! ୧୦ ଟିମ୍‌ କ୍ୱାଲିଫାଏ, ୱେଷ୍ଟଇଣ୍ଡିଜ୍‌ ସଙ୍କଟରେ
World Cup Qualification

Key Points

୨୦୨୭ ବିଶ୍ୱକପ୍‌ ପାଇଁ ୧୦ ଟିମ୍‌ର ଟିକେଟ୍‌ ପକ୍କା
ବାଦ୍‌ ପଡ଼ିପାରେ ୨ ଥରର ଚାମ୍ପିଅନ୍‌!
ୱେଷ୍ଟଇଣ୍ଡିଜ୍‌ ପାଇଁ ବଢ଼ିଲା ବିଶ୍ୱକପ୍‌ ସଙ୍କଟ
୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଦିନିକିଆ ବିଶ୍ବକପ୍‌ ଅନୁଷ୍ଠିତ ହେବ । ଆଉ ବିଶ୍ୱକପ୍‌ର ଚିତ୍ର ଏବେ ଧୀରେ ଧୀରେ ସ୍ପଷ୍ଟ ହେଉଛି, କିନ୍ତୁ ଏହା ଭିତରେ ଘଟିଛି ବଡ଼ ଓଲଟପାଲଟ । ବିଶ୍ୱକପ୍‌ ପାଇଁ ୧୦ଟି ଟିମ୍‌ ଯୋଗ୍ୟତା ହାସଲ କରିସାରିଥିବା ବେଳେ ଦୁଇଥରର ବିଶ୍ୱ ଚାମ୍ପିଅନ୍‌ ୱେଷ୍ଟଇଣ୍ଡିଜ୍‌ ଏବେ ପୁଣି ଥରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବା ଦ୍ୱାରଦେଶରେ ରହିଛି ।

ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବିଆରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱକପ୍‌ରେ ଆଫଗାନିସ୍ତାନ ମଧ୍ୟ ନିଜ ସ୍ଥାନ ପକ୍କା କରିଛି । ଆର୍ୟଲ୍ୟାଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ୩ ୱିକେଟ୍‌ରେ ବିଜୟ ହାସଲ କରିବା ପରେ ଆଫଗାନିସ୍ତାନର ବିଶ୍ୱକପ୍‌ ଟିକେଟ୍‌ ନିଶ୍ଚିତ ହୋଇଛି ।

ଏଥର ବିଶ୍ୱକପ୍‌ ପାଇଁ କ୍ୱାଲିଫିକେସନ୍‌ ମୁଖ୍ୟତଃ ଦିନିକିଆ ରାଙ୍କିଂ ଆଧାରରେ ହୋଇଛି । ଆୟୋଜକ ଦେଶ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେକୁ ସିଧାସଳଖ ପ୍ରବେଶ ମିଳିଛି । ଏହା ବ୍ୟତୀତ ICC ODI ରାଙ୍କିଂର ଶୀର୍ଷ ୮ଟି ଟିମ୍‌ ବିଶ୍ୱକପ୍‌ ପାଇଁ ସିଧାସଳଖ କ୍ୱାଲିଫାଏ କରିଛନ୍ତି ।

ଏପର୍ଯ୍ୟନ୍ତ ୧୦ଟି ଟିମ୍‌ କ୍ୱାଲିଫାଏ

ରାଙ୍କିଂ ଆଧାରରେ ଭାରତ, ପାକିସ୍ତାନ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ବିଶ୍ୱକପ୍‌ ପାଇଁ ସ୍ଥାନ ପକ୍କା କରିଛନ୍ତି । ଆୟୋଜକ ଭାବେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ମଧ୍ୟ ଟିକେଟ୍‌ ପାଇଛନ୍ତି । ଏହିପରି ଭାବେ ମୋଟ ୧୦ଟି ଟିମ୍‌ ବିଶ୍ୱକପ୍‌ରେ ନିଜ ସ୍ଥାନ ନିଶ୍ଚିତ କରିସାରିଛନ୍ତି ।

ୱେଷ୍ଟଇଣ୍ଡିଜ୍‌ ପାଇଁ ବଡ଼ ଝଟକା

ଆଫଗାନିସ୍ତାନ ଆର୍ୟଲ୍ୟାଣ୍ଡ ବିପକ୍ଷ ସିରିଜ୍‌ ଜିତିବା ପରେ ୱେଷ୍ଟଇଣ୍ଡିଜ୍‌ର ସିଧାସଳଖ ବିଶ୍ୱକପ୍‌ କ୍ୱାଲିଫିକେସନ୍‌ ରାସ୍ତା ପ୍ରାୟ ବନ୍ଦ ହୋଇଯାଇଛି । ICC ପକ୍ଷରୁ ୩୦ ସେପ୍ଟେମ୍ବର ୨୦୨୬କୁ ରାଙ୍କିଂର ଡେଡ୍‌ଲାଇନ୍‌ ରଖାଯାଇଛି ।

ଆଫଗାନିସ୍ତାନର ସିରିଜ୍‌ ବିଜୟ ପରେ ୱେଷ୍ଟଇଣ୍ଡିଜ୍‌ ଏହି ଡେଡ୍‌ଲାଇନ୍‌ ପୂର୍ବରୁ ରାଙ୍କିଂରେ ଆଫଗାନିସ୍ତାନକୁ ପଛରେ ପକାଇବା ସ୍ଥିତିରେ ନାହିଁ । ତେଣୁ ୱେଷ୍ଟଇଣ୍ଡିଜ୍‌କୁ ଏବେ ବିଶ୍ୱକପ୍‌ରେ ପହଞ୍ଚିବା ପାଇଁ କ୍ୱାଲିଫାୟର୍‌ ଖେଳିବାକୁ ପଡ଼ିବ ।

ଦୁଇଥରର ODI ବିଶ୍ୱ ଚାମ୍ପିଅନ୍‌ ୱେଷ୍ଟଇଣ୍ଡିଜ୍‌ ପାଇଁ ଏହା ଏକ ବଡ଼ ଝଟକା। ୨୦୨୩ ବିଶ୍ୱକପ୍‌ ପାଇଁ ମଧ୍ୟ ଦଳ କ୍ୱାଲିଫାଏ କରିପାରିନଥିଲା। ଏବେ ଲଗାତାର ଦ୍ୱିତୀୟ ଥର ପାଇଁ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି ।

ଆଉ ୪ଟି ସ୍ଥାନ ଖାଲି

୨୦୨୭ ବିଶ୍ୱକପ୍‌ ପାଇଁ ଏବେ ଆଉ ୪ଟି ସ୍ଥାନ ଖାଲି ରହିଛି। କିନ୍ତୁ ଏହି ୪ଟି ଟିମ୍‌ ମଧ୍ୟରୁ କେବଳ ୨ଟି ଟିମ୍‌ ହିଁ ସିଧାସଳଖ ସୁପର-୧୨ ପର୍ଯ୍ୟାୟରେ ପହଞ୍ଚିପାରିବେ ।
ICC ଘୋଷଣା ଅନୁସାରେ କ୍ୱାଲିଫାୟର୍‌ ଟୁର୍ଣ୍ଣାମେଣ୍ଟରେ ମୋଟ ୧୦ଟି ଟିମ୍‌ ଅଂଶଗ୍ରହଣ କରିବେ । ଏହି ଟୁର୍ଣ୍ଣାମେଣ୍ଟର ବିଜେତା ସିଧାସଳଖ ବିଶ୍ୱକପ୍‌ ଟିକେଟ୍‌ ପାଇବ ।
ଅନ୍ୟପଟେ କ୍ୱାଲିଫାୟର୍‌ରେ ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ସ୍ଥାନରେ ରହୁଥିବା ଟିମ୍‌ଗୁଡ଼ିକ ମଧ୍ୟରେ ଏକ ସୁପର୍‌ ସିରିଜ୍‌ ଖେଳାଯିବ । ଏହି ସୁପର୍‌ ସିରିଜ୍‌ ମଧ୍ୟ ବିଶ୍ୱକପ୍‌ର ଅଂଶ ହେବ। ସୁପର୍‌ ସିରିଜ୍‌ର ବିଜେତା ସୁପର-୧୨ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବ ।

ଏହି ନୂଆ ଫର୍ମାଟ୍‌ ଯୋଗୁଁ ୨୦୨୭ ବିଶ୍ୱକପ୍‌ ଆହୁରି ରୋମାଞ୍ଚକର ହେବାକୁ ଯାଉଛି । ତେବେ ଦୁଇଥରର ବିଶ୍ୱ ଚାମ୍ପିଅନ୍‌ ୱେଷ୍ଟଇଣ୍ଡିଜ୍‌ ପୁଣି ଥରେ ବିଶ୍ୱକପ୍‌ରେ ନିଜ ସ୍ଥାନ କରିପାରିବ କି ନାହିଁ, ଏବେ ତାହା ଉପରେ ସମସ୍ତଙ୍କ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: