Videos
|
Sports

Sachin vs Virat / ରେକର୍ଡ ସଚିନଙ୍କ ନାଁରେ, ହେଲେ ବିରାଟ କାହିଁକି ଶ୍ରେଷ୍ଠ ? ଡିଭିଲିୟର୍ସ ଦେଲେ ଉତ୍ତର

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ରେକର୍ଡ ସଚିନଙ୍କ ନାଁରେ, ହେଲେ ବିରାଟ କାହିଁକି ଶ୍ରେଷ୍ଠ ? ଡିଭିଲିୟର୍ସ ଦେଲେ ଉତ୍ତର
Sachin vs Virat

Key Points

ବିରାଟ ବନାମ ସଚିନ
ଟେଷ୍ଟରେ ସଚିନଙ୍କଠାରୁ ବିରାଟ ଆଗରେ !
କାହିଁକି ଏମିତି କହିଲେ ଡିଭିଲିୟର୍ସ ?
କ୍ରିକେଟରେ ତୁଳନା ନୂଆ କଥା ନୁହେଁ, କିନ୍ତୁ ଯେତେବେଳେ ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ମଧ୍ୟରେ ତୁଳନା କରାଯାଏ, ତାହା ବେଶ୍ ଚର୍ଚ୍ଚାରେ ରହିଥାଏ । ଏବେ ସେହି ଚର୍ଚ୍ଚାକୁ ଆହୁରି ରୋଚକ କରିଦେଇଛନ୍ତି ଦକ୍ଷିଣ ଆଫ୍ରିକାର ପୂର୍ବତନ ଷ୍ଟାର କ୍ରିକେଟର ଏବି ଡିଭିଲିୟର୍ସ । ଡିଭିଲିୟର୍ସଙ୍କ ଦୃଷ୍ଟିରେ ଟେଷ୍ଟ କ୍ରିକେଟରେ ବିରାଟ କୋହଲି ସଚିନ ତେନ୍ଦୁଲକରଙ୍କଠାରୁ ମଧ୍ୟ ଆଗକୁ ଯାଇ ନିଜର ଛାପ ଛାଡ଼ିଛନ୍ତି ।

ଡିଭିଲିୟର୍ସ ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନଙ୍କ ବିଦେଶୀ ପ୍ରଦର୍ଶନ ବିଷୟରେ କଥା ହେବା ସମୟରେ ସଚିନଙ୍କ ଉଲ୍ଲେଖ କରିଥିଲେ । ତାଙ୍କ ମତରେ, ସଚିନ ସେହି ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନଙ୍କ ମଧ୍ୟରେ ଥିଲେ, ଯିଏ ବିଶ୍ୱକୁ ଦେଖାଇଥିଲେ ଯେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ କେବଳ ଘରୋଇ ପିଚ୍‌ରେ ନୁହେଁ, କଠିନ ବିଦେଶୀ ପରିସ୍ଥିତିରେ ମଧ୍ୟ ରନ୍ କରିପାରନ୍ତି ।

କିନ୍ତୁ ଡିଭିଲିୟର୍ସଙ୍କ ନଜରରେ ବିରାଟ ସେହି ଐତିହ୍ୟକୁ ଆହୁରି ଆଗକୁ ନେଇଛନ୍ତି । ବିଶେଷକରି ଦ୍ରୁତ ବୋଲରଙ୍କୁ ସହାୟତା କରୁଥିବା ପିଚ୍ ଏବଂ ଅଧିକ ବାଉନ୍ସ ଥିବା ବିଦେଶୀ ପରିସ୍ଥିତିରେ ବିରାଟଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ତାଙ୍କୁ ସଚିନଙ୍କଠୁ ଅଲଗା କରିଛି ।

ରେକର୍ଡ କ’ଣ କହୁଛି ?

ସଚିନ ତେନ୍ଦୁଲକର ୨୦୦ଟି ଟେଷ୍ଟ ମ୍ୟାଚ୍ ଖେଳି ୧୫,୯୨୧ ରନ୍ ସଂଗ୍ରହ କରିଛନ୍ତି । ୨୦୧୩ରେ ସେ ଟେଷ୍ଟ କ୍ରିକେଟରୁ ବିଦାୟ ନେଇଥିଲେ । ଅନ୍ୟପଟେ ବିରାଟ କୋହଲି ୧୨୩ଟି ଟେଷ୍ଟରେ ୯,୨୩୦ ରନ୍ କରି ୨୦୨୫ରେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଥିଲେ । ଅର୍ଥାତ୍ ମ୍ୟାଚ୍ ଏବଂ ମୋଟ ରନ୍—ଦୁଇଟି କ୍ଷେତ୍ରରେ ସଚିନଙ୍କ ରେକର୍ଡ ବହୁତ ଆଗରେ ।

ବିଦେଶୀ ମାଟିରେ ମଧ୍ୟ ସଚିନଙ୍କ ରେକର୍ଡ ଉଲ୍ଲେଖନୀୟ । ତାଙ୍କ ଟେଷ୍ଟ କ୍ୟାରିୟରର ୮,୭୦୫ ରନ୍ ଭାରତ ବାହାରେ ଆସିଛି । ଏହା ତାଙ୍କ ମୋଟ ଟେଷ୍ଟ ରନ୍‌ର ପ୍ରାୟ ୫୫ ପ୍ରତିଶତ । ସେହିପରି ବିରାଟ ଭାରତ ବାହାରେ ୬୬ଟି ଟେଷ୍ଟ ଖେଳି ୪,୭୭୪ ରନ୍ କରିଛନ୍ତି ।

SENA ଦେଶ—ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ମଧ୍ୟ ସଚିନଙ୍କ ରେକର୍ଡ ବିରାଟଙ୍କଠାରୁ ଭଲ। ସଚିନ ଏହି ଚାରି ଦେଶରେ ୬୩ଟି ଟେଷ୍ଟ ଖେଳି ୫,୩୮୭ ରନ୍ କରିଥିଲେ । ଯେଉଁଥିରେ ୧୭ଟି ଶତକ ଓ ୨୩ଟି ଅର୍ଦ୍ଧଶତକ ରହିଛି ।  ବିରାଟ SENA ଦେଶଗୁଡ଼ିକରେ ୪୬ଟି ଟେଷ୍ଟ ଖେଳି ୩,୬୬୧ ରନ୍ କରିଛନ୍ତି । ତାଙ୍କ ଆଭେରେଜ୍ ୪୨.୦୮ ଥିବା ବେଳେ ସେ ୧୨ଟି ଶତକ ଓ ୧୪ଟି ଅର୍ଦ୍ଧଶତକ କରିଛନ୍ତି ।

ତେବେ ଏତେ ତଫାତ୍ ଥିବା ସତ୍ତ୍ୱେ ଡିଭିଲିୟର୍ସ କାହିଁକି ବିରାଟଙ୍କୁ ବାଛିଲେ ?

ଏହାର ଉତ୍ତର ହୁଏତ କେବଳ ରନ୍ କିମ୍ବା ଶତକରେ ରହିନି । ଡିଭିଲିୟର୍ସ ବିରାଟଙ୍କ ପ୍ରଭାବ ଓ ଆକ୍ରମଣାତ୍ମକ ମାନସିକତାକୁ ଅଧିକ ଗୁରୁତ୍ୱ ଦେଇଥାଇପାରନ୍ତି ।
ବିରାଟଙ୍କ ଅଧିନାୟକତ୍ୱରେ ଭାରତ ବିଦେଶୀ ମାଟିରେ ଟେଷ୍ଟ କ୍ରିକେଟକୁ ନୂଆ ଆତ୍ମବିଶ୍ୱାସ ସହ ଖେଳିଥିଲା । ଅଷ୍ଟ୍ରେଲିଆରେ ଐତିହାସିକ ସିରିଜ୍ ବିଜୟ ଭାରତୀୟ ଟେଷ୍ଟ କ୍ରିକେଟର ମାନସିକତାରେ ଏକ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଥିଲା । ସଚିନ ବିଦେଶୀ ମାଟିରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ପାଇଁ ରାସ୍ତା ଖୋଲିଥିଲେ, ଆଉ ବିରାଟ ସେହି ରାସ୍ତାରେ ଆହୁରି ଆକ୍ରମଣାତ୍ମକ ଭାବେ ଆଗକୁ ବଢ଼ିଥିଲେ ।

ତେଣୁ ରେକର୍ଡର ଦୃଷ୍ଟିରେ ସଚିନ ନିଶ୍ଚିତ ଭାବେ ଆଗରେ। କିନ୍ତୁ ଡିଭିଲିୟର୍ସଙ୍କ ପାଇଁ ବିରାଟଙ୍କ ପ୍ରଭାବ, ଆକ୍ରମଣାତ୍ମକ ଶୈଳୀ ଏବଂ ବିଦେଶୀ ପରିସ୍ଥିତିରେ ତାଙ୍କ ମାନସିକତା ତାଙ୍କୁ ସଚିନଙ୍କଠାରୁ ଅଲଗା ଏବଂ ବିଶେଷ କରିଥାଏ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: