Videos
|
Sports

Amit Mishra Spin Bowling Coach / ଗାଙ୍ଗୁଲି ଓ ଯୁବରାଜଙ୍କ ପରେ ଏବେ ଅମିତ ମିଶ୍ରା, ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ଦାୟିତ୍ୱ

Santosh Kumar Sahoo
Browse all articles by Santosh Kumar Sahoo
·48 mins ago·2 min read
ଗାଙ୍ଗୁଲି ଓ ଯୁବରାଜଙ୍କ ପରେ ଏବେ ଅମିତ ମିଶ୍ରା, ଦିଲ୍ଲୀ କ୍ୟାପିଟାଲ୍ସରେ ବଡ଼ ଦାୟିତ୍ୱ
Amit Mishra

Key Points

IPL ୨୦୨୭ ପାଇଁ ଦିଲ୍ଲୀର ମାଷ୍ଟରପ୍ଲାନ୍‌
ଅମିତ ମିଶ୍ରାଙ୍କ ଉପରେ ବଡ଼ ଦାୟିତ୍ୱ
ଗାଙ୍ଗୁଲି ଓ ଯୁବରାଜଙ୍କ ପରେ ଏବେ ଅମିତ ମିଶ୍ରା

IPL ୨୦୨୭କୁ ନେଇ ସମସ୍ତ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଉ ଏସବୁ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାମ୍ପରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଭାରତର ଅଭିଜ୍ଞ ଲେଗ୍ ସ୍ପିନର୍ ଅମିତ ମିଶ୍ରାଙ୍କୁ ଦଳର ନୂଆ ସ୍ପିନ୍ ବୋଲିଂ କୋଚ୍ ଭାବେ ନିଯୁକ୍ତ କରାଯାଇଛି । ବୁଧବାର ଫ୍ରାଞ୍ଚାଇଜି ପକ୍ଷରୁ ଏହି ନିଯୁକ୍ତି ସମ୍ପର୍କରେ ଆଧିକାରିକ ଘୋଷଣା କରାଯାଇଛି ।

ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ସୌରଭ ଗାଙ୍ଗୁଲିଙ୍କୁ ଦଳର ହେଡ୍ କୋଚ୍ ଭାବେ ନିଯୁକ୍ତ କରିଥିଲା । ପରେ ପୂର୍ବତନ ଭାରତୀୟ ଷ୍ଟାର୍ ଯୁବରାଜ ସିଂହଙ୍କୁ ଆସିଷ୍ଟାଣ୍ଟ କୋଚ୍ ଦାୟିତ୍ୱ ଦିଆଯାଇଥିଲା । ଏବେ ଅମିତ ମିଶ୍ରାଙ୍କ ଯୋଗଦାନ ସହ ଦଳର କୋଚିଂ ଷ୍ଟାଫ୍ ଆହୁରି ମଜବୁତ ହୋଇଛି ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଅମିତ ମିଶ୍ରା ନିଜ ଆଇପିଏଲ୍ କ୍ୟାରିୟରର ସବୁଠାରୁ ଅଧିକ ସିଜିନ୍ ଦିଲ୍ଲୀ ପାଇଁ ଖେଳିଥିଲେ । ଏହି ଦଳ ସହିତ ହିଁ ସେ ନିଜର ଆଇପିଏଲ୍ ଯାତ୍ରା ଆରମ୍ଭ କରିଥିଲେ। ଏବେ ସେହି ଦଳ ସହ ନିଜର କୋଚିଂ କ୍ୟାରିୟର ମଧ୍ୟ ଆରମ୍ଭ କରିବେ ।

ଏପର୍ଯ୍ୟନ୍ତ ଆଇପିଏଲ୍ ଟ୍ରଫି ଜିତିନାହିଁ ଦିଲ୍ଲୀ କ୍ୟାପିଟାଲ୍ସ

ଆଇପିଏଲ୍‌ର ପ୍ରଥମ ସିଜିନ୍‌ରୁ ଖେଳିଆସୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଏପର୍ଯ୍ୟନ୍ତ ନିଜର ପ୍ରଥମ ଆଇପିଏଲ୍ ଟାଇଟଲ୍‌କୁ ଅପେକ୍ଷା କରିଛି। ଦଳ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ୨୦୨୦ରେ ଥରେ ଫାଇନାଲ୍‌ରେ ପହଞ୍ଚିଥିଲା । କିନ୍ତୁ ଟ୍ରଫି ଜିତିବାର ସ୍ୱପ୍ନ ପୂରଣ ହୋଇପାରିନଥିଲା ।



ଏବେ ଦଳ ପରବର୍ତ୍ତୀ ସିଜିନ୍‌ ପାଇଁ ନିଜର ପ୍ରସ୍ତୁତିକୁ ମଜବୁତ କରୁଛି । ଋଷଭ ପନ୍ତ ପୁଣି ଦଳକୁ ଫେରିଥିବାବେଳେ, ନିଲାମ ପୂର୍ବରୁ କୋଚିଂ ଷ୍ଟାଫ୍‌ର ଖାଲି ପଦବୀଗୁଡ଼ିକୁ ପୂରଣ କରାଯାଇଛି । ସୌରଭ ଗାଙ୍ଗୁଲି ହେଡ୍ କୋଚ୍, ଯୁବରାଜ ସିଂହ ଆସିଷ୍ଟାଣ୍ଟ କୋଚ୍ ଏବଂ ଅମିତ ମିଶ୍ରା ସ୍ପିନ୍ ବୋଲିଂ କୋଚ୍ ଭାବେ ଦଳର ଦାୟିତ୍ୱ ସମ୍ଭାଳିବେ ।

ଦିଲ୍ଲୀ ପାଇଁ ଖେଳିଛନ୍ତି ଆଇପିଏଲ୍‌ର ୧୦ଟି ସିଜିନ୍

ଅମିତ ମିଶ୍ରା ଆଇପିଏଲ୍‌ର ପ୍ରଥମ ସିଜିନ୍ ୨୦୦୮ରୁ ହିଁ ଏହି ଟୁର୍ଣ୍ଣାମେଣ୍ଟର ଅଂଶ ରହିଆସିଛନ୍ତି । ଆରମ୍ଭର ତିନୋଟି ସିଜିନ୍‌ରେ ସେ ଦିଲ୍ଲୀ ଡେୟାରଡେଭିଲ୍ସ ପାଇଁ ଖେଳିଥିଲେ । ୨୦୧୫ରେ ସେ ପୁଣି ଦିଲ୍ଲୀ ଦଳକୁ ଫେରିଥିଲେ ଏବଂ ୨୦୨୧ ପର୍ଯ୍ୟନ୍ତ କ୍ରମାଗତ ଭାବେ ଦଳର ଅଂଶ ରହିଥିଲେ ।

ଏହାପରେ ୨୦୨୩ରେ ସେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପାଇଁ ଖେଳିଥିଲେ । ୨୦୨୪ରେ ମଧ୍ୟ ସେ ଲକ୍ଷ୍ନୌ ଦଳ ପକ୍ଷରୁ ନିଜର ଶେଷ ଆଇପିଏଲ୍ ସିଜିନ୍ ଖେଳିଥିଲେ ।
୨୦୦୮ରୁ ୨୦୨୪ ମଧ୍ୟରେ ଅମିତ ମିଶ୍ରା ମୋଟ ୪ଟି ଆଇପିଏଲ୍ ଦଳ ପାଇଁ ଖେଳିଛନ୍ତି । ସେ ନିଜ ଆଇପିଏଲ୍ କ୍ୟାରିୟରରେ ୧୬୨ଟି ମ୍ୟାଚ୍ ଖେଳି ୧୭୪ଟି ୱିକେଟ୍ ହାସଲ କରିଛନ୍ତି । ତାଙ୍କର ଅଭିଜ୍ଞତା ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ୍ ବୋଲିଂ ବିଭାଗକୁ ନୂଆ ଦିଗ ଦେଇପାରେ ।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ମଧ୍ୟ ରହିଛି ବଡ଼ ଅଭିଜ୍ଞତା

ଅମିତ ମିଶ୍ରା ଭାରତ ପାଇଁ ତିନୋଟି ଫର୍ମାଟ୍‌ରେ ପ୍ରତିନିଧିତ୍ୱ କରିଛନ୍ତି। ସେ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୨୨ଟି ଟେଷ୍ଟ, ୩୬ଟି ଦିନିକିଆ ଏବଂ ୧୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଏହି ମ୍ୟାଚ୍‌ଗୁଡ଼ିକରେ ସେ ଟେଷ୍ଟରେ ୭୬ଟି, ଦିନିକିଆରେ ୬୪ଟି ଏବଂ ଟି-୨୦ରେ ୧୬ଟି ୱିକେଟ୍ ନେଇଛନ୍ତି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: