Videos
|
Sports

India Pakistan Handshake / ପୁଣି ଭାରତ-ପାକିସ୍ତାନ ମହାମୁକାବିଲା, ମ୍ୟାଚ୍ ପରେ ଏଥର ହ୍ୟାଣ୍ଡଶେକ୍‌ କରିବେ ତ ଖେଳାଳି ?

Santosh Kumar Sahoo
Browse all articles by Santosh Kumar Sahoo
·56 mins ago·2 min read
ପୁଣି ଭାରତ-ପାକିସ୍ତାନ ମହାମୁକାବିଲା, ମ୍ୟାଚ୍ ପରେ ଏଥର ହ୍ୟାଣ୍ଡଶେକ୍‌ କରିବେ ତ ଖେଳାଳି ?
India vs Pakistan

Key Points

ଭାରତ-ପାକିସ୍ତାନ ମହାଲଢ଼େଇ
ଫାଇନାଲ୍ ପରେ କ’ଣ ହେବ ହ୍ୟାଣ୍ଡଶେକ୍?
ମ୍ୟାଚ୍‌ଠୁ ଅଧିକ ଚର୍ଚ୍ଚାରେ ‘ହ୍ୟାଣ୍ଡଶେକ୍’
ପୁଣି ଥରେ କ୍ରିକେଟ୍‌ ମଇଦାନରେ ଦେଖିବାକୁ ମିଳିବ ମହାମୁକାବିଲା । ଏସିଆନ୍‌ ଗେମ୍ସ ଫାଇନାଲରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଶନିବାର ସକାଳ ୧୦ଟାରେ ନିଶିନ୍‌ରେ ଏହି ମହାମୁକାବିଲା ଖେଳାଯିବ । ଏଥର ମଧ୍ୟ କେବଳ ପଡ଼ିଆରେ ଦୁଇ ଦଳର ମୁକାବିଲା ନୁହେଁ, ମ୍ୟାଚ୍ ପରେ ଦୁଇ ଦଳର ଖେଳାଳି ପରସ୍ପର ସହ ହାତ ମିଳାଇବେ କି ନାହିଁ, ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି ।

ଭାରତ ଗୁରୁବାର ଖେଳାଯାଇଥିବା ସେମିଫାଇନାଲରେ ଶ୍ରୀଲଙ୍କାକୁ ୧୨୪ ରନ୍‌ରେ ପରାସ୍ତ କରି ଫାଇନାଲ୍ ଟିକେଟ୍ ହାସଲ କରିଛି । ଏହାପରେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ପୁଣିଥରେ ‘ହ୍ୟାଣ୍ଡଶେକ୍’ ପ୍ରସଙ୍ଗ ଚର୍ଚ୍ଚାରେ ଆସିଛି ।

ହ୍ୟାଣ୍ଡଶେକ୍‌କୁ ନେଇ କାହିଁକି ଚର୍ଚ୍ଚା ?

ଗତବର୍ଷ ଅପରେସନ୍ ସିନ୍ଦୂର ପରେ ଭାରତୀୟ କ୍ରିକେଟରମାନେ ଏସିଆ କପ୍ ଏବଂ ICC ଆୟୋଜନରେ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇ ନଥିଲେ ।
ଏସିଆନ୍ କ୍ରିକେଟ୍ କାଉନସିଲ୍ ଏବଂ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ କାଉନସିଲ୍ ଆୟୋଜିତ ପ୍ରତିଯୋଗିତାରେ ଏହି ଆଭିମୁଖ୍ୟ ଜାରି ରହିଥିଲା । ତେବେ ଏବେ ପ୍ରଶ୍ନ ଉଠୁଛି, ଅଲିମ୍ପିକ୍ କାଉନସିଲ୍ ଅଫ୍ ଏସିଆ ଅଧୀନରେ ହେଉଥିବା ଏସିଆନ୍ ଗେମ୍ସରେ ମଧ୍ୟ ଭାରତୀୟ ଟିମ୍ ସମାନ ଆଭିମୁଖ୍ୟ ରଖିବ କି ?

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
OCA କିମ୍ବା IOCର ନିୟମ ଅନୁସାରେ ଖେଳାଳିଙ୍କ ପାଇଁ ପରସ୍ପର ସହ ହାତ ମିଳାଇବା ବାଧ୍ୟତାମୂଳକ ନୁହେଁ । ତେବେ ଖେଳର ଭାବନା ଏବଂ ପରସ୍ପର ମଧ୍ୟରେ ସୌହାର୍ଦ୍ଦପୂର୍ଣ୍ଣ ବ୍ୟବହାରର ଏକ ସାଧାରଣ ପରମ୍ପରା ଭାବେ ହ୍ୟାଣ୍ଡସେକ୍‌ ହୋଇଥାଏ ।

ଅନ୍ୟ କ୍ରୀଡ଼ାରେ ହୋଇଛି ସାଧାରଣ ହ୍ୟାଣ୍ଡଶେକ୍

ଏସିଆନ୍ ଗେମ୍ସର ଅନ୍ୟ କ୍ରୀଡ଼ାରେ ଭାରତ ଓ ପାକିସ୍ତାନର ଖେଳାଳିଙ୍କ ମଧ୍ୟରେ ହ୍ୟାଣ୍ଡଶେକ୍‌କୁ ନେଇ ସେଭଳି ସମସ୍ୟା ଦେଖାଯାଇନାହିଁ । ଟେବୁଲ୍ ଟେନିସ୍ ଏବଂ ସ୍କ୍ୱାଶ୍‌ରେ ଉଭୟ ଦେଶର ଖେଳାଳି ପରସ୍ପର ସହ ସାଧାରଣ ଭାବେ ହାତ ମିଳାଇଥିବା ଦେଖିବାକୁ ମିଳିଛି ।  ଅତୀତରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି । ୨୦୧୬ ଅଲିମ୍ପିକ୍ସରେ ଇଜିପ୍ଟର ଜୁଡୋ ଖେଳାଳି ଇସ୍ଲାମ ଏଲ୍-ଶେହାବି ଇସ୍ରାଏଲ୍‌ର ଖେଳାଳି ଓର୍ ସାସୋନ୍‌ଙ୍କ ସହ ହାତ ମିଳାଇନଥିଲେ । IOC ତାଙ୍କୁ ଜରିମାନା କରିନଥିଲେ ମଧ୍ୟ ‘ଫେୟାର ପ୍ଲେ’ ଏବଂ ‘ସ୍ପିରିଟ୍ ଅଫ୍ ଫ୍ରେଣ୍ଡସିପ୍’ର ମାନଦଣ୍ଡ ଉଲ୍ଲଂଘନ ପାଇଁ ତାଙ୍କୁ ତାଗିଦ କରିଥିଲା ।

ଫାଇନାଲ ପରେ କ’ଣ ହେବ ?

ଭାରତ-ପାକିସ୍ତାନ କ୍ରିକେଟ୍ ଫାଇନାଲରେ ହ୍ୟାଣ୍ଡଶେକ୍ ହେବ କି ନାହିଁ, ସେନେଇ ଟିମ୍ ମ୍ୟାନେଜମେଣ୍ଟର ନିଷ୍ପତ୍ତି ଉପରେ ନଜର ରହିଛି । ଏହି ପ୍ରସଙ୍ଗରେ BCCI ସଚିବ ଦେବଜିତ ସାଇକିଆ ନାଗୋୟାରେ ପହଞ୍ଚିବା ପରେ ନିଷ୍ପତ୍ତି ନିଆଯିବ ବୋଲି ଚର୍ଚ୍ଚା ହେଉଛି । ICC ଚେୟାରମ୍ୟାନ୍ ଜୟ ଶାହ ମଧ୍ୟ ଫାଇନାଲ୍ ଦେଖିବାକୁ ପହଞ୍ଚିପାରନ୍ତି ।

ତେବେ ଫାଇନାଲର ଫଳାଫଳ ଯାହା ହେଉନା କାହିଁକି, ପଦକ ବିତରଣ ସମୟରେ ଉଭୟ ଦେଶର ଖେଳାଳିଙ୍କୁ ପୋଡିୟମ୍ ସେୟାର କରିବାକୁ ପଡ଼ିବ । ଗତ ସପ୍ତାହରେ ଭାରତୀୟ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିବା ପରେ ମଧ୍ୟ ଭାରତ ଓ ପାକିସ୍ତାନ ଖେଳାଳି ପୋଡିୟମ୍‌ରେ ଏକାଠି ଥିଲେ । ଏବେ ସମସ୍ତଙ୍କ ନଜର ରହିଛି ଶନିବାରର ଏହି ବହୁ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ଫାଇନାଲ୍ ଉପରେ ।