Videos
|
Sports

IPL 2028 New Teams / IPL 2028ରେ ବଢ଼ିପାରେ ଟିମ୍ ସଂଖ୍ୟା ! ଯୋଡ଼ି ହୋଇପାରନ୍ତି ଆଉ ୨ ନୂଆ ଫ୍ରାଞ୍ଚାଇଜି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
IPL 2028ରେ ବଢ଼ିପାରେ ଟିମ୍ ସଂଖ୍ୟା ! ଯୋଡ଼ି ହୋଇପାରନ୍ତି ଆଉ ୨ ନୂଆ ଫ୍ରାଞ୍ଚାଇଜି
IPL 2028 New Teams

Key Points

IPLରେ ବଡ଼ ପରିବର୍ତ୍ତନ
IPLରେ ଖେଳିବେ ୧୨ଟି ଟିମ୍
ଯୋଡ଼ି ହୋଇପାରନ୍ତି ଆଉ ୨ ନୂଆ ଦଳ
ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)କୁ ନେଇ ଆସିଛି ଏକ ବଡ଼ ଖବର । ଆଗାମୀ ୨୦୨୭ ଆଇପିଏଲ୍ ନିଲାମ ପୂର୍ବରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜି ନିଜ ନିଜ ରିଟେନସନ୍ ତାଲିକା ପ୍ରସ୍ତୁତ କରୁଥିବା ବେଳେ ଲିଗ୍‌ରେ ଟିମ୍ ସଂଖ୍ୟା ବୃଦ୍ଧି ନେଇ ଚର୍ଚ୍ଚା ଜୋର ଧରିଛି । ରିପୋର୍ଟ ଅନୁସାରେ, ୨୦୨୮ ସଂସ୍କରଣରୁ ଆଇପିଏଲ୍‌ରେ ଆଉ ଅତି କମ୍‌ରେ ୨ଟି ନୂଆ ଟିମ୍ ସାମିଲ କରିବାକୁ ବିଚାର କରୁଛି ବିସିସିଆଇ ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ଅନୁଯାୟୀ, ନୂଆ ଫ୍ରାଞ୍ଚାଇଜି ପାଇଁ ସମ୍ଭାବ୍ୟ ସହର ତାଲିକାରେ ପୁଣେ ଓ ବଡ଼ୋଦରା ରହିଛନ୍ତି । ତେବେ ଏହି ପ୍ରସ୍ତାବ ଏବେ ପ୍ରାରମ୍ଭିକ ଆଲୋଚନା ସ୍ତରରେ ରହିଛି । ତେଣୁ ଚୂଡ଼ାନ୍ତ ଭାବେ କେଉଁ ସହରକୁ ଚୟନ କରାଯିବ, ତାହା ଏଯାଏଁ ସ୍ଥିର ହୋଇନାହିଁ । ଆଗାମୀ ମିଡିଆ ରାଇଟ୍ସ ଚକ୍ର ଅର୍ଥାତ୍ ୨୦୨୮ରୁ ୨୦୩୨ ମଧ୍ୟରେ ଏହି ସମ୍ପ୍ରସାରଣ ହୋଇପାରେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ଏହି ନୂଆ ଟିମ୍‌ଗୁଡ଼ିକର ମୂଲ୍ୟ ମଧ୍ୟ ବେଶ୍ ଅଧିକ ରହିବାର ଆକଳନ କରାଯାଉଛି । ଘରୋଇ ବ୍ୟବସାୟିକ ଗ୍ରୁପ୍ ଓ ଅନ୍ତର୍ଜାତୀୟ ନିବେଶକଙ୍କ ଆଗ୍ରହ ବଢ଼ୁଥିବାରୁ ପ୍ରତ୍ୟେକ ନୂଆ ଫ୍ରାଞ୍ଚାଇଜିର ମୂଲ୍ୟ ୧ ବିଲିୟନ୍ ଡଲାରରୁ ଅଧିକ ହୋଇପାରେ ।

ସମ୍ଭାବ୍ୟ ନିବେଶକଙ୍କ ମଧ୍ୟରେ ପ୍ରାଇଭେଟ୍ ଇକ୍ୱିଟି ଫାର୍ମ 'ପରମିରା', ପଶ୍ଚିମ ଏସିଆର ସାର୍ବଭୌମ ସମ୍ପତ୍ତି ପାଣ୍ଠି, ଆମେରିକାର ଫ୍ୟାମିଲି ଅଫିସ୍, ଏସିଆର ସରକାରୀ ନିବେଶ ସଂସ୍ଥା ଏବଂ ଭାରତର ବଡ଼ ବଡ଼ ବ୍ୟବସାୟିକ ଗ୍ରୁପ୍‌ ରହିଥିବା ଚର୍ଚ୍ଚା ହେଉଛି । ଏପରିକି ବିପୁଳ ସମ୍ପତ୍ତିର ମାଲିକ ଥିବା କିଛି ବ୍ୟକ୍ତି ମଧ୍ୟ ଏହି ଟିମ୍‌ଗୁଡ଼ିକରେ ନିବେଶ କରିବାକୁ ଆଗ୍ରହ ଦେଖାଉଛନ୍ତି । କେତେକ ନିବେଶକ ପୂର୍ଣ୍ଣ ମାଲିକାନା ପରିବର୍ତ୍ତେ ଫ୍ରାଞ୍ଚାଇଜିର କିଛି ଅଂଶଧନ କିଣିବାକୁ ମଧ୍ୟ ଚାହୁଁଛନ୍ତି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପୁଣେରେ ପୂର୍ବରୁ ରହିଛି IPL ଟିମ୍‌ର ଇତିହାସ

ଆଇପିଏଲ୍‌ରେ ପୁଣେ ପାଇଁ ଏହା ପ୍ରଥମ ଅନୁଭବ ହେବ ନାହିଁ । ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ସହାରା ଗ୍ରୁପ୍‌ର ମାଲିକାନାରେ ଥିବା 'ପୁନେ ୱାରିୟର୍ସ ଇଣ୍ଡିଆ' ଏହି ସହରରୁ ଖେଳୁଥିଲା । ପରେ ୨୦୧୬ ଓ ୨୦୧୭ରେ 'ରାଇଜିଂ ପୁନେ ସୁପରଜାଏଣ୍ଟ୍ସ' ମଧ୍ୟ ପୁନେକୁ ନିଜର ଘରୋଇ ମଇଦାନ କରିଥିଲା ।

୮ରୁ ୧୦ ହୋଇଥିଲା IPL ଟିମ୍ ସଂଖ୍ୟା

୨୦୨୧ ପର୍ଯ୍ୟନ୍ତ ଆଇପିଏଲ୍‌ରେ ୮ଟି ଟିମ୍ ଖେଳୁଥିଲେ । କିନ୍ତୁ ୨୦୨୨ରେ ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌କୁ ସାମିଲ କରାଯିବା ପରେ ଟିମ୍ ସଂଖ୍ୟା ୧୦କୁ ବୃଦ୍ଧି ପାଇଥିଲା। ଏବେ ପୁଣି ଦୁଇଟି ନୂଆ ଟିମ୍ ଯୋଡ଼ି ହେଲେ ଆଇପିଏଲ୍‌ରେ ମୋଟ ଫ୍ରାଞ୍ଚାଇଜି ସଂଖ୍ୟା ୧୨ରେ ପହଞ୍ଚିପାରେ ।

IPL 2027ରେ ଖେଳିବାକୁ ଥିବା ୧୦ଟି ଟିମ୍

୧. ଚେନ୍ନାଇ ସୁପର କିଙ୍ଗ୍ସ (CSK)
୨. ମୁମ୍ବାଇ ଇଣ୍ଡିଆନ୍ସ (MI)
୩. ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)
୪. ରାଜସ୍ଥାନ ରୟାଲ୍ସ (RR)
୫. ସନରାଇଜର୍ସ ହାଇଦ୍ରାବାଦ (SRH)
୬. କୋଲକାତା ନାଇଟ୍ ରାଇଡର୍ସ (KKR)
୭. ପଞ୍ଜାବ କିଙ୍ଗ୍ସ (PBKS)
୮. ଦିଲ୍ଲୀ କ୍ୟାପିଟାଲ୍ସ (DC)
୯. ଗୁଜରାଟ ଟାଇଟନ୍ସ (GT)
୧୦. ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG)

ତେବେ ଆଇପିଏଲ୍‌ରେ ଆଉ ଦୁଇଟି ନୂଆ ଟିମ୍ ସାମିଲ ହେବା ନେଇ ଏବେ କେବଳ ଆଲୋଚନା ଚାଲିଛି। ବିସିସିଆଇ ପକ୍ଷରୁ ଏନେଇ ଚୂଡ଼ାନ୍ତ ଘୋଷଣାକୁ କ୍ରିକେଟ୍ ପ୍ରେମୀମାନେ ଅପେକ୍ଷା କରିଛନ୍ତି ।