ଭୁବନେଶ୍ୱରରେ ହେବ ୨୮ତମ ଏସୀୟ ଟେବୁଲ ଟେନିସ୍ ଚାମ୍ପିଅନସିପ

Key Points
ଭୁବନେଶ୍ୱରରେ ହେବ ଏସୀୟ ଟେବୁଲ ଟେନିସ୍ ଚାମ୍ପିଅନସିପ । ୫ ଦିନ ଧରି ଖେଳାଯିବ ଏହି ପ୍ରତିଯୋଗିତା । ୨୨ ଦେଶର ଖେଳାଳି ଏଥିରେ ଯୋଗ ଦେବେ ।
ଅକ୍ଟୋବର ୧୧ ତାରିଖରୁ କଳିଙ୍ଗ ଷ୍ଟାଡିୟମ ଅତ୍ୟାଧୁନିକ ଆଥଲେଟିକ୍ ସେଣ୍ଟରରେ ଆନ୍ତର୍ଜାତୀୟ ଟେବୁଲ ଟେନିସ୍ ଫେଡେରେସନ (ITTF) ଏବଂ ଏସୀୟ ଟେବୁଲ ଟେନିସ୍ ୟୁନିଅନ (ATTU) ଦ୍ଵାରା ୨୮ତମ ଏସୀୟ ଟେବୁଲ ଟେନିସ୍ ଚାମ୍ପିଅନସିପ ଆରମ୍ଭ ହେବାକୁ ଯାଉଛି । ଏଥିରେ ୨୨ଟି ଦେଶ ଉଭୟ ପୁରୁଷ ଏବଂ ମହିଳା ବିଭାଗରେ ଅଂଶଗ୍ରହଣ କରିବା ପାଇଁ ନିଜର ସମ୍ମତି ପ୍ରଦାନ କରିଛନ୍ତି ।
ଓଡ଼ିଶା ପ୍ରଥମ ଥର ପାଇଁ ଏକ ମହାଦେଶୀୟ ଟେବୁଲ ଟେନିସ୍ ଚାମ୍ପିଅନସିପ୍ ଆୟୋଜନ କରିବ, ଯାହା ଭାରତର କ୍ରୀଡ଼ା କେନ୍ଦ୍ର ଭାବରେ ଏହାର ଖ୍ୟାତିକୁ ପରିବର୍ଦ୍ଧିତ କରିବ । ଏହି ପ୍ରତିଯୋଗିତା ୧୫ ଅକ୍ଟୋବର ଯାଏ ଚାଲିବ। ତେବେ ୟୁନାଇଟେଡ ଆରବ ଏମିରେଟ୍ସ ଏହି ଚାମ୍ପିଅନସିପରେ ଭାଗ ନେବାକୁ ମନା କରିଦେଇଛି।
ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ୍ ପାଇଁ ଏହି କାର୍ଯକ୍ରମ ଆୟୋଜନ କରିବା ଏକ ଆହ୍ବାନ ହୋଇ ଠିଆ ହୋଇଛି। ଆୟୋଜନ ପାଇଁ ହାତରେ ଗୋଟିଏ ମାସରୁ କମ୍ ସମୟ ବାକି ଥିବାରୁ, ଏଥିପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ରାଜ୍ୟ ସରକାରଙ୍କ ସମର୍ଥନ ଏବଂ ବରିଷ୍ଠ ଅଧିକାରୀଙ୍କ ସମୟୋଚିତ ସହାୟତା ଯୋଗୁଁ , ଆୟୋଜକମାନେ ପ୍ରାୟ ୫୦୦ରୁ ଅଧିକ ଅଂଶଗ୍ରହଣକାରୀ ସ୍ବାଗତଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଯେଉଁଥିରେ ୪୫୦ ଖେଳାଳି ଏବଂ ସହାୟକ କର୍ମଚାରୀଙ୍କ ସହ ଏବଂ ଏସୀୟ ଟେବୁଲ ଟେନିସ୍ ୟୁନିଅନ୍ ୭୦ ରୁ ୮୦ ବରିଷ୍ଠ ଅଧିକାରୀ ସାମିଲ ଅଛନ୍ତି ।
ଏହି ପଞ୍ଚଦିନିଆ କ୍ରୀଡା ମହୋତ୍ସବରେ ଭୁବନେଶ୍ଵର ସମେତ ସାରା ବିଶ୍ଵର ଦର୍ଶକ ଟେବୁଲ ଟେନିସର ସର୍ବୋତ୍ତମ କାର୍ନିଭାଲ୍ ଦେଖିବାର ସୁଯୋଗ ପାଇବେ । ଯେଉଁଥିରେ ଏସିଆର ସର୍ବୋତ୍ତମ ଟେବୁଲ ଟେନିସ ଖେଳାଳୀମାନଙ୍କର ପ୍ରଦର୍ଶନ ଦେଖିବାକୁ ମିଳିବ ହେବେ।
ଦୀର୍ଘ ୧୬ ବର୍ଷ ପରେ ଭାରତକୁ ଏହି ଚାମ୍ପିଅନସିପ୍ ଫେରୁଛି ଏବଂ ଏସିଆ ବିଶ୍ୱ ଟେବୁଲ ଟେନିସର ପାୱାରହାଉସ୍ ହୋଇଥିବାରୁ, ଏହି ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ତରର କ୍ରୀଡା ନୌପୂଣ୍ୟର ପ୍ରଦର୍ଶନ ଦେଖିବାକୁ ସୁଯୋଗ ମିଳିବ।
ବିଶ୍ୱ ବିଜେତା ଚୀନ୍, ଜାପାନ ଏବଂ କୋରିଆ - ବିଶ୍ୱସ୍ତରରେ ଏହି ଖେଳ ଉପରେ ପ୍ରାଧାନ୍ୟ ବିସ୍ତାର କରୁଥିବା ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ । ଏହି ଦେଶରୁ ୧୦ ଜଣିଆ ପୁରୁଷ ଏବଂ ମହିଳାଙ୍କ ଦଳ ଏବଂ ସହାୟକ କର୍ମଚାରୀଙ୍କର ଏକ ବଡ଼ ଦଳ ସହିତ ଆସିବାର ସୂଚନା ମିଳିଛି। ଏହି ପ୍ରତିଯୋଗିତାକୁ ୨୦୨୬ ମସିହାରେ ଲଣ୍ଡନରେ ଆୟୋଜିତ ହେବାକୁ ଥିବା ବିଶ୍ୱ ଦଳଗତ ଚାମ୍ପିଅନସିପ୍ ପାଇଁ ଏକ ପ୍ରସ୍ତୁତି ପ୍ରତିଯୋଗିତା ଭାବରେ ଦେଖାଯାଉଛି।
📱 Get Argus News App
✨
କେନ୍ଦ୍ରୀୟ, ଦକ୍ଷିଣ-ପୂର୍ବ ଏବଂ ପଶ୍ଚିମ ଏସିଆର ଅନ୍ୟ ଦେଶଗୁଡ଼ିକ ପାଇଁ ଏହି ପ୍ରତିଯୋଗିତା ଏକ ଅମୂଲ୍ୟ ସୁଯୋଗ ପ୍ରଦାନ କରିବ। ଏହି ପ୍ରତିଯୋଗିତାରେ ୨୨ଟି ଦଳ ଭାଗ ନେଉଥିବା ବେଳେ ୧୩ଟି ଦଳ ଆଗାମୀ ୨୦୨୬ ରେ ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଦଳଗତ ଚାମ୍ପିଅନସିପ୍ ପାଇଁ ସିଧା ସଳଖ ଯୋଗ୍ୟତା ହାସଲ କରିବେ। ଭାରତ ପୂର୍ବରୁ ଏହି ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରି ସାରିଥିବା ବେଳେ ଅନ୍ୟ ୧୨ଟି ସ୍ଥାନ ପାଇଁ କିଏ କିଏ ଯୋଗ୍ୟ ବିବେଚିତ ହେବେ ତାହା ଏବେ ସ୍ପଷ୍ଟ ହୋଇନି । ତେଣୁ ଏହି ପ୍ରତିଯୋଗିତାରେ ଦଳଗତ ବିଭାଗରେ ପ୍ରଥମ ୧୨ ଦଳ ଭିତରେ ରହିବାକୁ ସମସ୍ତେ ଚେଷ୍ଟା କରିବେ ।
ଭାରତ ଗତ ସପ୍ତାହରେ ନେପାଳର କାଠମାଣ୍ଡୁଠାରେ ଅନୁଷ୍ଠିତ ହୋଇଥିବା ପଞ୍ଚଦେଶୀୟ ଦକ୍ଷିଣ ଏସିଆ ଆଞ୍ଚଳିକ ପ୍ରତିଯୋଗିତାରେ ଉଭୟ ପୁରୁଷ ଏବଂ ମହିଳା ଦଳ ବିଜେତା ହୋଇ ଲଣ୍ଡନ ବିଶ୍ବ ଦଳଗତ ଟେବଲ ଟେନିସ ଚାମ୍ପିଅନସିପ ପାଇଁ ଯୋଗ୍ୟ ବିବେଚିତ ହୋଇ ସାରିଛନ୍ତି।
ଭାରତୀୟ ଦୃଷ୍ଟିକୋଣରୁ, ଚାମ୍ପିଅନସିପ୍ ବେଶ ଅଧିକ ଗୁରୁତ୍ବପୂର୍ଣ୍ଣ । ଗତ ମାସରେ ଉଭୟ ପୁରୁଷ ଏବଂ ମହିଳା ଦଳ ଲଣ୍ଡନ ବିଶ୍ୱକପ୍ ପାଇଁ ଯୋଗ୍ୟତା ହାସଲ କରିଥିଲେ, କିନ୍ତୁ ଏହି ମହାଦେଶୀୟ ଚାମ୍ପିଅନସିପ୍ ଶ୍ରେଷ୍ଠ ଖେଳାଳିଙ୍କ ବିରୁଦ୍ଧରେ ସେମାନଙ୍କର ଦକ୍ଷତାର ପ୍ରମାଣ ଦେଖାଇବାକୁ ପଡ଼ିବ । ଭାରତୀୟ ଖେଳାଳିମାନେ ପ୍ରବଳ ପ୍ରଚେଷ୍ଟା ଜାରି ରଖିଛନ୍ତି ।
ଏହାର ଉତ୍ସାହୀ କ୍ରୀଡା ସଂସ୍କୃତି ପାଇଁ ଭୁବନେଶ୍ୱର ବେଶ ଜଣାଶୁଣା । ଏଣୁ ଚାମ୍ପିଅନସିପରେ ଉତ୍ସାହୀ ଦର୍ଶକଙ୍କ ଉପସ୍ଥିତି ଷ୍ଟାଣ୍ଡଗୁଡ଼ିକୁ ପରିପୂର୍ଣ୍ଣ କରିବ ବୋଲି ଆଶା କରାଯାଉଛି। ସେମାନଙ୍କର ସମର୍ଥନ ଉଚ୍ଚ-ରାଙ୍କିଂ ପ୍ରାପ୍ତ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରାସ୍ତ କରିବା ପାଇଁ ଭାରତୀୟମାନଙ୍କୁ ଆବଶ୍ୟକ ସହାୟତା ଦେଇପାରେ । ଓଡ଼ିଶା ପୂର୍ବରୁ ହକି ଏବଂ ଆଥଲେଟିକ୍ସରେ ପ୍ରମୁଖ ବିଶ୍ବ ସ୍ତରୀୟ ପ୍ରତିଯୋଗିତାମାନ ଆୟୋଜନ କରିସାରିଛି। ତେବେ ଏହି ପ୍ରତିଯୋଗିତାର ସଫଳ ଆୟୋଜନ ଟେବୁଲ ଟେନିସରେ ଓଡ଼ିଶା ପାଇଁ ଏକ ନୂତନ ଐତିହ୍ୟ ସୃଷ୍ଟି କରିବା ସହ ବିଶ୍ୱ କ୍ରୀଡାର କେନ୍ଦ୍ରସ୍ଥଳ ହେବା ପାଇଁ ଓଡ଼ିଶାର ଦାବିଦାରୀକୁ ଦୃଢଭାବେ ଉପସ୍ଥାପିତ କରିବ ।
ଏହି ଚାମ୍ପିଅନସିପ୍ ସମୟରେ ଏସୀୟ ଟେବୁଲ ଟେନିସ୍ ୟୁନିଅନର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ଅକ୍ଟୋବର ୧୩ରେ ଅନୁଷ୍ଠିତ ହେବ। ଏହା ଏକ ଉଚ୍ଚସ୍ତରୀୟ ବୈଠକ, ଯାହା ମହାଦେଶର ପ୍ରମୁଖ ଟେବୁଲ ଟେନିସ ନୀତି ନିର୍ଦ୍ଧାରକମାନଙ୍କୁ ଏକତ୍ରିତ କରେ ଏବଂ ଏହି ବୈଠକରେ ଏସିଆରେ କ୍ରୀଡ଼ାର ଭବିଷ୍ୟତ ଉପରେ ବିଚାରବିମର୍ଶ , ବିଭିନ୍ନ ବିକାଶ କାର୍ଯ୍ୟକ୍ରମର ସମୀକ୍ଷା ଏବଂ ଅନ୍ତର୍ଜାତୀୟ ସମ୍ପର୍କ ଉପରେ ରଣନୈତିକ ନିଷ୍ପତ୍ତି ନିଆଯିବ ବୋଲି ଆଶା କରାଯାଉଛି।
ଚାମ୍ପିଅନସିପ୍ ସହ ସମାନ୍ତରାଳ ଭାବେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ହେବାଦ୍ୱାରା ଭୁବନେଶ୍ୱରର ମର୍ଯ୍ୟାଦା କେବଳ ବିଶ୍ୱସ୍ତରୀୟ ପ୍ରତିଯୋଗିତାର ଆୟୋଜକ କିମ୍ବା ଆୟୋଜନସ୍ଥଳ ଭାବରେ ନୁହେଁ ବରଂ ଏସୀୟ ଟେବୁଲ ଟେନିସର ଭବିଷ୍ୟତ ଦିଗ ଗଠନ ପାଇଁ ଏକ କେନ୍ଦ୍ର ଭାବରେ ଏହାର ଭୂମିକାକୁ ଆହୁରି ମଜବୁତ କରିବ ।