Videos
|
Sports

Bhuvneshwar Kumar Last World Cup / ୪ ବର୍ଷ ତଳେ ହିଁ ଜାଣିଥିଲେ ଭୁବନେଶ୍ୱର କୁମାର ! ପତ୍ନୀଙ୍କୁ କହିଥିଲେ—‘ଏହା ମୋର ଶେଷ ବିଶ୍ୱକପ୍’

Santosh Kumar Sahoo
Browse all articles by Santosh Kumar Sahoo
·3 weeks ago·2 min read
୪ ବର୍ଷ ତଳେ ହିଁ ଜାଣିଥିଲେ ଭୁବନେଶ୍ୱର କୁମାର ! ପତ୍ନୀଙ୍କୁ କହିଥିଲେ—‘ଏହା ମୋର ଶେଷ ବିଶ୍ୱକପ୍’
Bhuvneshwar Kumar

Key Points

ପୁଣି ଟିମ୍ ଇଣ୍ଡିଆକୁ ଫେରିବେ ଭୁବି ?
ନିଜ ଭବିଷ୍ୟତ ନେଇ କଲେ ବଡ଼ ଖୁଲାସା
୪ ବର୍ଷ ତଳେ ହିଁ ମିଳିଥିଲା ଟିମ୍ ଇଣ୍ଡିଆରୁ ବାହାର ହେବାର ସଙ୍କେତ !

ଗୋଟିଏ ସମୟରେ ଯାହାଙ୍କ ସୁଇଂ ବୋଲିଂକୁ ସାମ୍ନା କରିବାକୁ ଡରୁଥିଲେ ବଡ଼ ବ୍ୟାଟ୍ସମ୍ୟାନ୍‌ । ଏବେ ସେହି ଭୁବନେଶ୍ୱର କୁମାରଙ୍କୁ ପୁଣି ଭାରତୀୟ ଜର୍ସିରେ ଦେଖିବାକୁ ଫ୍ୟାନ୍ସମାନେ ଦାବି କରୁଛନ୍ତି । ବୟସ ବଢ଼ିଛି, ଟିମ୍ ଇଣ୍ଡିଆରୁ ଦୂରେଇବାର ବର୍ଷ ମଧ୍ୟ ବଢ଼ିଛି, କିନ୍ତୁ ବଲ୍ ହାତରେ ଆସିଲେ ଭୁବିଙ୍କ ଯାଦୁ ଏବେ ବି ଜାରି ରହିଛି ।
ଭାରତୀୟ କ୍ରିକେଟ୍‌ର ଅନୁଭବୀ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଏବେ ଆଇପିଏଲ୍ ସମେତ ବିଭିନ୍ନ ଲିଗ୍‌ରେ ନିଜର ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି । ୨୦୨୬ ୟୁପି ଟି-୨୦ ଲିଗ୍‌ରେ ମଧ୍ୟ ତାଙ୍କ ବୋଲିଂ ବେଶ୍ ପ୍ରଭାବଶାଳୀ ରହିଛି ।

୨୦୨୫ ଆଇପିଏଲ୍‌ରୁ ଭୁବନେଶ୍ୱର ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ଯୋଡ଼ି ହୋଇଥିଲେ । ଆଇପିଏଲ୍‌ର ଉଭୟ ସିଜିନ୍‌ରେ ସେ ନିଜ ବୋଲିଂରେ ପ୍ରଭାବ ଛାଡ଼ିଛନ୍ତି । ତାଙ୍କ ଏହି ପ୍ରଦର୍ଶନ ପରେ ପୁଣିଥରେ ଭୁବିଙ୍କୁ ଟିମ୍ ଇଣ୍ଡିଆକୁ ଫେରାଇ ଆଣିବା ପାଇଁ ଦାବି ଜୋର୍ ଧରିଛି । ଭୁବନେଶ୍ୱର ଭାରତ ପାଇଁ ଶେଷ ମ୍ୟାଚ୍ ୨୦୨୨ ନଭେମ୍ବରରେ ଖେଳିଥିଲେ । ଏହାପରେ ତାଙ୍କ ଜାତୀୟ ଦଳକୁ ଫେରିବା ଅପେକ୍ଷା ଜାରି ରହିଛି ।

‘ମୁଁ କିଛି ପ୍ରମାଣ କରିବା ପାଇଁ ଖେଳୁନାହିଁ’

ଟିମ୍ ଇଣ୍ଡିଆକୁ ଫେରିବା ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଭୁବନେଶ୍ୱର ନିଜ ମନର କଥା କହିଛନ୍ତି । ୟୁଟ୍ୟୁବରେ ଏକ ଆଲୋଚନା ସମୟରେ ସେ କହିଛନ୍ତି, ଏବେ ସେ କାହାକୁ କିଛି ପ୍ରମାଣ କରିବା ପାଇଁ କ୍ରିକେଟ୍ ଖେଳୁନାହାନ୍ତି । ଭୁବି କହିଛନ୍ତି, “ମୁଁ କିଛି ପ୍ରମାଣ କରିବା ପାଇଁ ଖେଳୁନାହିଁ । କିନ୍ତୁ ଭାରତ ପାଇଁ ପୁଣିଥରେ ଖେଳିପାରିଲେ ମୁଁ ଖୁସି ହେବି । ମୁଁ ସେହି ସମୟଠାରୁ ଆଗକୁ ବଢ଼ିସାରିଛି, ଯେତେବେଳେ ପରବର୍ତ୍ତୀ ସିରିଜ୍‌କୁ ଅପେକ୍ଷା କରୁଥିଲି ।”

୨୦୨୨ ବିଶ୍ୱକପ୍‌ ପରେ ହିଁ ବୁଝିଯାଇଥିଲେ

୨୦୨୨ ଟି-୨୦ ବିଶ୍ୱକପ୍ ଅଷ୍ଟ୍ରେଲିଆରେ ଖେଳାଯାଇଥିଲା । ଭାରତୀୟ ଦଳ ସେମିଫାଇନାଲ୍‌ରେ ଇଂଲଣ୍ଡଠାରୁ ପରାସ୍ତ ହୋଇ ବିଶ୍ୱକପ୍‌ରୁ ବାଦ୍ ପଡ଼ିଥିଲା । ଏହି ପରାଜୟ ପରେ ଭୁବନେଶ୍ୱରଙ୍କୁ ଅନୁଭବ ହୋଇଥିଲା ଯେ ହୁଏତ ଏହା ହିଁ ତାଙ୍କର ଶେଷ ବିଶ୍ୱକପ୍। ସେହି ସମୟରେ ସେ ନିଜ ପତ୍ନୀ ନୂପୁରଙ୍କୁ ମଧ୍ୟ ଏକଥା କହିଥିଲେ ।
ଭୁବି ସେହି ଘଟଣାକୁ ମନେ ପକାଇ କହିଛନ୍ତି, “ଆଡିଲେଡ୍‌ରେ ଏହା ଘଟିଥିଲା । ମୁଁ ମୋ ରୁମ୍‌କୁ ଫେରି ନୂପୁରଙ୍କୁ କହିଥିଲି । ମୋର ଅଭିଜ୍ଞତାରୁ ମୁଁ ତାଙ୍କୁ କହିଥିଲି ଯେ ଏହା ମୋର ଶେଷ ବିଶ୍ୱକପ୍ ଥିଲା ।”

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେ ଆହୁରି କହିଥିଲେ ଯେ ସେହି ସମୟରେ ଡ୍ରେସିଂ ରୁମ୍‌ରେ ସମସ୍ତେ ନିରାଶ ଥିଲେ । ଦଳ ଫେରିବା ପୂର୍ବରୁ ମଧ୍ୟ କିଛି ଆଲୋଚନା ହୋଇଥିଲା । କିନ୍ତୁ ରୁମ୍‌କୁ ଫେରିବା ପରେ ନିଜ ଅଭିଜ୍ଞତାରୁ ଭୁବି ବୁଝିଯାଇଥିଲେ ଯେ ଆଉ ତାଙ୍କୁ ଦଳରେ ଚୟନ କରାଯାଇନପାରେ ।

ଚୟନକର୍ତ୍ତାଙ୍କ ଆଗକୁ ଦେଖିବା ସ୍ୱାଭାବିକ: ଭୁବି

ଭୁବନେଶ୍ୱରଙ୍କ ମତରେ, ଏଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଦଳ ହାରିବା ପରେ ଚୟନକର୍ତ୍ତାମାନେ ଆଗାମୀ ପିଢ଼ି ଓ ନୂଆ ଖେଳାଳିଙ୍କ ଦିଗରେ ଦେଖିବା ସ୍ୱାଭାବିକ । ସେ କହିଥିଲେ, “ମୋ ଅଭିଜ୍ଞତାରୁ ମୁଁ ଜାଣିଥିଲି, ଯେତେବେଳେ ଆପଣ ଏଭଳି ଏକ ଟୁର୍ଣ୍ଣାମେଣ୍ଟ ହାରନ୍ତି, ସେତେବେଳେ ଚୟନକର୍ତ୍ତାମାନେ ଆଗକୁ ଦେଖିବାକୁ ଚାହାନ୍ତି । ଏହା ମଧ୍ୟ ଠିକ୍ କଥା ।”

ତେବେ ଏବେ ଭୁବନେଶ୍ୱରଙ୍କ ପ୍ରଦର୍ଶନ ପୁଣିଥରେ ଚର୍ଚ୍ଚାରେ ଆସିବା ପରେ ତାଙ୍କ ଟିମ୍ ଇଣ୍ଡିଆ ଫେରିବା ଆଶା ଜୋର୍ ଧରିଛି। ଭାରତୀୟ ଦଳର ଜର୍ସିରେ ପୁଣିଥରେ ଭୁବିଙ୍କୁ ଦେଖିବାକୁ ପ୍ରଶଂସକମାନେ କେତେ ଅପେକ୍ଷା କରୁଛନ୍ତି, ତାହା ଆଗାମୀ ଚୟନରେ ହିଁ ସ୍ପଷ୍ଟ ହେବ ।
Bhuvneshwar Kumar Knew 2022 Would Be His Last World Cup | Argus News Odia