Videos
|
Sports

Yuzvendra Chahal BJP / କ୍ରିକେଟ୍ ପରେ ଏବେ ରାଜନୀତି ମଇଦାନରେ ୟୁଜବେନ୍ଦ୍ର ଚହଲ, ବିଜେପିରେ ମିଳିଲା ବଡ଼ ଦାୟିତ୍ୱ

Santosh Kumar Sahoo
Browse all articles by Santosh Kumar Sahoo
·48 mins ago·2 min read
କ୍ରିକେଟ୍ ପରେ ଏବେ ରାଜନୀତି ମଇଦାନରେ ୟୁଜବେନ୍ଦ୍ର ଚହଲ, ବିଜେପିରେ ମିଳିଲା ବଡ଼ ଦାୟିତ୍ୱ
Yuzvendra Chahal BJP

Key Points

କ୍ରିକେଟ୍ ପରେ ରାଜନୀତିରେ ଚହଲ
ବିଜେପିରେ ହେଲେ ସାମିଲ
OBC ମୋର୍ଚ୍ଚାରେ ମିଳିଲା ସ୍ଥାନ
କ୍ରିକେଟ୍ ମଇଦାନରେ ନିଜର ଜଲଓ୍ବା ଦେଖାଉଥିବା ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବେ ରାଜନୀତିରେ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ସେ ଭାରତୀୟ ଜନତା ପାର୍ଟି (BJP)ରେ ସାମିଲ ହୋଇଛନ୍ତି । ଦଳ ପକ୍ଷରୁ ତାଙ୍କୁ ଜାତୀୟ OBC ମୋର୍ଚ୍ଚାର କାର୍ଯ୍ୟକାରିଣୀରେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ନିଯୁକ୍ତି ମିଳିଛି । ବିଜେପିର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ଏହି ନିଯୁକ୍ତି ଦେଇଛନ୍ତି ।

ଦଳର OBC ମୋର୍ଚ୍ଚାରେ ହୋଇଥିବା ନୂଆ ପରିବର୍ତ୍ତନ ଅନୁଯାୟୀ ଚହଲଙ୍କୁ ଏହି ଦାୟିତ୍ୱ ମିଳିଛି । OBC ମୋର୍ଚ୍ଚାର ଜାତୀୟ ଟିମ୍‌ରେ ବିଜେପି ଅନେକ ନୂଆ ମୁହଁଙ୍କୁ ସାମିଲ କରିଛି । ଚହଲଙ୍କ ବ୍ୟତୀତ ଓଡ଼ିଶାର ପ୍ରଫେସର ଅଦ୍ୱୈତ ଚରଣ ଗଡ଼ନାୟକ ଏବଂ ଉତ୍ତରପ୍ରଦେଶର ଆଇନଜୀବୀ ସୀମା ସମୃଦ୍ଧି କୁଶୱାହାଙ୍କୁ ମଧ୍ୟ ଜାତୀୟ କାର୍ଯ୍ୟକାରିଣୀରେ ସ୍ୱତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ମିଳିଛି ।



ବିଜେପିରେ ନୂଆ ଦାୟିତ୍ୱ ପାଇବା ପୂର୍ବରୁ ଚହଲ OBC ମୋର୍ଚ୍ଚାର ଜାତୀୟ ଅଧ୍ୟକ୍ଷ ଅମରପାଲ ମୌର୍ଯ୍ୟଙ୍କୁ ଭେଟିଥିଲେ । ଏହାପରେ ଦଳ ପକ୍ଷରୁ ଜାରି ନିଯୁକ୍ତି ତାଲିକାରେ ତାଙ୍କ ନାମ ସ୍ଥାନ ପାଇଥିଲା । ଏହି ତାଲିକାରେ ଅମରପାଲ ମୌର୍ଯ୍ୟଙ୍କ ଦସ୍ତଖତ ରହିଛି ।

T20 କ୍ରିକେଟ୍‌ରେ ଚହଲଙ୍କ ବଡ଼ ରେକର୍ଡ

ରାଜନୀତିରେ ପ୍ରବେଶ ପୂର୍ବରୁ କ୍ରିକେଟ୍‌ରେ ମଧ୍ୟ ଏକ ବଡ଼ ଉପଲବ୍ଧି ହାସଲ କରିଛନ୍ତି ଚହଲ । T20 କ୍ରିକେଟ୍‌ରେ ୪୦୦ ୱିକେଟ୍ ପୂରଣ କରିବାରେ ସେ ପ୍ରଥମ ଭାରତୀୟ ବୋଲର ହୋଇଛନ୍ତି । ସୟଦ ମୁସ୍ତାକ ଅଲୀ ଟ୍ରଫି ୨୦୨୬-୨୭ରେ ହରିୟାଣା ପକ୍ଷରୁ ଖେଳୁଥିବା ବେଳେ ତାମିଲନାଡୁ ବିପକ୍ଷ ମ୍ୟାଚ୍‌ରେ ସେ ଏହି ରେକର୍ଡ କରିଥିଲେ ।
ନଭେମ୍ବର ୧୮ ତାରିଖରେ ଇନ୍ଦୋରର ଡେଲି କଲେଜ ଗ୍ରାଉଣ୍ଡରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଅମିତ ସାତ୍ୱିକଙ୍କୁ ବୋଲ୍ଡ କରି ଚହଲ ନିଜର ୪୦୦ତମ T20 ୱିକେଟ୍ ହାସଲ କରିଥିଲେ । ଏହାପରେ ସେ ଆର୍‌. ସାଇ କିଶୋର ଏବଂ ମଣିମାରନ ସିଦ୍ଧାର୍ଥଙ୍କୁ ମଧ୍ୟ ଆଉଟ୍ କରିଥିଲେ । ଏହି ମ୍ୟାଚ୍‌ରେ ଚହଲ ୪ ଓଭର ବୋଲିଂ କରି ମାତ୍ର ୧୬ ରନ୍ ଦେବା ସହ ୩ଟି ୱିକେଟ୍ ନେଇଥିଲେ। ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ତାଙ୍କ ନାମରେ T20 କ୍ରିକେଟ୍‌ରେ ୩୯୬ଟି ୱିକେଟ୍ ଥିଲା । କ୍ରିକେଟ୍‌ରେ ନୂଆ ରେକର୍ଡ କରିବା ପରେ ଏବେ ରାଜନୀତିରେ ଚହଲଙ୍କ ଏହି ନୂଆ ଯାତ୍ରାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: