Cristiano Ronaldo Retirement / ଅନ୍ତର୍ଜାତୀୟ ଫୁଟବଲ୍କୁ ରୋନାଲ୍ଡୋଙ୍କ ଅଲବିଦା, ପର୍ତ୍ତୁଗାଲ୍ ପାଇଁ ଆଉ ଖେଳିବେନି CR7
·13 mins ago·3 min read

Key Points
କାନ୍ଦିଲା ଫୁଟବଲ୍ ଦୁନିଆ
ଅନ୍ତର୍ଜାତୀୟ ଫୁଟବଲ୍କୁ ରୋନାଲ୍ଡୋଙ୍କ ଅଲବିଦା
CR7ଙ୍କ ପର୍ତ୍ତୁଗାଲ୍ ଯାତ୍ରାରେ ଦୁଃଖଦ ପୂର୍ଣ୍ଣଚ୍ଛେଦ
ଅନ୍ତର୍ଜାତୀୟ ଫୁଟବଲ୍କୁ ରୋନାଲ୍ଡୋଙ୍କ ଅଲବିଦା
CR7ଙ୍କ ପର୍ତ୍ତୁଗାଲ୍ ଯାତ୍ରାରେ ଦୁଃଖଦ ପୂର୍ଣ୍ଣଚ୍ଛେଦ
ବିଶ୍ୱ ଫୁଟବଲ୍ ଜଗତରୁ ଆସିଛି ଏକ ବଡ଼ ଖବର । ୨୩ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟର୍ରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଫୁଟବଲ୍ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ । ଭାବବିହ୍ୱଳ ଭିଡିଓ ଜରିଆରେ ସେ ପର୍ତ୍ତୁଗାଲ୍ ଜାତୀୟ ଦଳରୁ ଅବସର ଘୋଷଣା କରିଛନ୍ତି । ୪୧ ବର୍ଷୀୟ ରୋନାଲ୍ଡୋଙ୍କ ଏହି ନିଷ୍ପତ୍ତି ଫୁଟବଲ୍ ପ୍ରେମୀଙ୍କୁ ଭାବୁକ କରିଛି ।
୨୦୦୩ ମସିହାରେ ପର୍ତ୍ତୁଗାଲ୍ ପାଇଁ ଡେବ୍ୟୁ କରିଥିବା ରୋନାଲ୍ଡୋ ଦୀର୍ଘ ୨୩ ବର୍ଷ ଧରି ଦେଶ ପାଇଁ ଖେଳି ଅନେକ ରେକର୍ଡ ନିଜ ନାଁରେ କରିଛନ୍ତି । ଜାତୀୟ ଦଳର ପ୍ରସିଦ୍ଧ ୭ ନମ୍ବର ଜର୍ସି ପିନ୍ଧି ସେ ଅନେକ ସ୍ମରଣୀୟ ମୁହୂର୍ତ୍ତ ଫୁଟବଲ ପ୍ରେମୀଙ୍କୁ ଭେଟି ଦେଇଛନ୍ତି । ତାଙ୍କ ଅବସର ସହ ପର୍ତ୍ତୁଗାଲ୍ ଫୁଟବଲ୍ର ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ଅନ୍ତ ଘଟିଛି ।
ନିଜ ଅବସର ବାର୍ତ୍ତାରେ ରୋନାଲ୍ଡୋ କହିଛନ୍ତି ଯେ, ଜାତୀୟ ଦଳ ପାଇଁ ପଡ଼ିଆରେ ତାଙ୍କର ଯାତ୍ରା ଆଜି ଶେଷ ହେଉଛି । ଏହି ନିଷ୍ପତ୍ତି ନେବା ତାଙ୍କ ପାଇଁ ସହଜ ନଥିଲା। ପର୍ତ୍ତୁଗାଲ୍ ପାଇଁ ଖେଳିବା ତାଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଇଛି । ସେ ନିଜ କ୍ୟାରିୟର୍କୁ ନେଇ ଗର୍ବିତ ଏବଂ ଦେଶ ପାଇଁ ନିଜର ସବୁକିଛି ଦେଇଥିବା କଥା କହିଛନ୍ତି ।
Portugal estará sempre em mim https://t.co/dnFj51rxmh
— Cristiano Ronaldo (@Cristiano) November 5, 2026
ରୋନାଲ୍ଡୋ ଆହୁରି କହିଛନ୍ତି, ୭ ନମ୍ବର ଜର୍ସି ଆଗକୁ ମଧ୍ୟ ରହିବ, କିନ୍ତୁ ଏହାକୁ ପିନ୍ଧିବାର ଗର୍ବ ସବୁଦିନ ପାଇଁ ତାଙ୍କର ରହିବ । ପର୍ତ୍ତୁଗାଲ୍ ସବୁବେଳେ ତାଙ୍କ ହୃଦୟରେ ରହିବ ।
ରୋନାଲ୍ଡୋଙ୍କ ଅବସର ପଛରେ ବିବାଦ !
ରୋନାଲ୍ଡୋଙ୍କ ଏହି ଘୋଷଣା ପୂର୍ବରୁ ପର୍ତ୍ତୁଗାଲ୍ ଦଳରେ ତାଙ୍କ ଭୂମିକାକୁ ନେଇ ବିବାଦ ଦେଖାଦେଇଥିବା କୁହାଯାଉଛି । ପର୍ତ୍ତୁଗାଲ୍ କୋଚ୍ ଜର୍ଜ ଜେସୁସ୍ଙ୍କ ସହ ତାଙ୍କର ମତଭେଦ ଚର୍ଚ୍ଚାକୁ ଆସିଥିଲା ।
ନରୱେ ବିପକ୍ଷ ନେସନ୍ସ ଲିଗ୍ ମ୍ୟାଚ୍ରେ ରୋନାଲ୍ଡୋଙ୍କୁ ପ୍ରଥମ ଏକାଦଶରେ ସ୍ଥାନ ମିଳିନଥିଲା । ରୋନାଲ୍ଡୋଙ୍କ ଅଭିଯୋଗ ଅନୁସାରେ, କୋଚ୍ ତାଙ୍କୁ ୩୦ ମିନିଟ୍ ଖେଳିବାର ସୁଯୋଗ ଦେବେ ବୋଲି କହିଥିଲେ, କିନ୍ତୁ ପରେ ନିଷ୍ପତ୍ତି ବଦଳାଇ ଦେଇଥିଲେ । ଏହାକୁ ସେ ବିଶ୍ୱାସର ଉଲ୍ଲଂଘନ ବୋଲି କହିଥିଲେ ।
ଏହାପରେ ଡେନମାର୍କ ବିପକ୍ଷ ମ୍ୟାଚ୍ ପୂର୍ବରୁ ରୋନାଲ୍ଡୋ ଟ୍ରେନିଂ କ୍ୟାମ୍ପ ଛାଡ଼ି ଚାଲିଯାଇଥିଲେ । ଅନ୍ୟପଟେ କୋଚ୍ ଜର୍ଜ ଜେସୁସ୍ ତାଙ୍କ ସହ କୌଣସି ବିବାଦ ହୋଇନଥିବା କହିଥିଲେ । ପରେ ରୋନାଲ୍ଡୋ ନିଜ ଟିମ୍ମେଟ୍ ଓ ପ୍ରଶଂସକଙ୍କୁ କ୍ୟାମ୍ପ ଛାଡ଼ିବା ଘଟଣା ପାଇଁ କ୍ଷମା ମାଗିଥିଲେ ।
ରୋନାଲ୍ଡୋଙ୍କ ନାଁରେ ରହିଛି ଅନେକ ବିଶ୍ୱ ରେକର୍ଡ
ପର୍ତ୍ତୁଗାଲ୍ ପାଇଁ ରୋନାଲ୍ଡୋଙ୍କ ଅବଦାନ ଅତୁଳନୀୟ। ସେ ପୁରୁଷ ଅନ୍ତର୍ଜାତୀୟ ଫୁଟବଲ୍ରେ ସର୍ବାଧିକ ମ୍ୟାଚ୍ ଖେଳିବା ସହ ସର୍ବାଧିକ ଗୋଲ୍ କରିବାର ରେକର୍ଡ ନିଜ ନାଁରେ ରଖିଛନ୍ତି ।
ତାଙ୍କ କ୍ୟାରିୟର୍ର କିଛି ବଡ଼ ଉପଲବ୍ଧି:
- ୨୦୧୬ ୟୁରୋ କପ୍: ପର୍ତ୍ତୁଗାଲ୍କୁ ପ୍ରଥମ ଥର ପାଇଁ ୟୁରୋପୀୟ ଚାମ୍ପିଅନ୍ କରାଇବାରେ ପ୍ରମୁଖ ଭୂମିକା
- ୨୦୧୯ ନେସନ୍ସ ଲିଗ୍: ପର୍ତ୍ତୁଗାଲ୍କୁ ପ୍ରଥମ ନେସନ୍ସ ଲିଗ୍ ଟ୍ରଫି ଜିତାଇବାରେ ସହାୟତା
- ୨୦୨୫ ନେସନ୍ସ ଲିଗ୍: ଦ୍ୱିତୀୟ ଥର ପାଇଁ ଟ୍ରଫି ଜିତିବାରେ ଅବଦାନ
- ଅନ୍ତର୍ଜାତୀୟ ଗୋଲ୍: ୧୪୬ଟି ଗୋଲ୍
- ଅନ୍ତର୍ଜାତୀୟ ମ୍ୟାଚ୍: ୨୩୪ଟି ମ୍ୟାଚ୍
- ବିଶ୍ୱକପ୍ ରେକର୍ଡ: ୨୦୨୬ ବିଶ୍ୱକପ୍ରେ ୬ଟି ଭିନ୍ନ ବିଶ୍ୱକପ୍ ସଂସ୍କରଣରେ ଗୋଲ୍ କରିଥିବା ପ୍ରଥମ ଖେଳାଳି
ଏବେ ୧୦୦୦ ଗୋଲ୍ ଉପରେ ରୋନାଲ୍ଡୋଙ୍କ ନଜର
ଯଦିଓ ରୋନାଲ୍ଡୋ ପର୍ତ୍ତୁଗାଲ୍ ଜର୍ସିରେ ନିଜ ଯାତ୍ରା ଶେଷ କରିଛନ୍ତି, ତଥାପି ଫୁଟବଲ୍ ପଡ଼ିଆରୁ ତାଙ୍କ ବିଦାୟ ହୋଇନାହିଁ। ସାଉଦି ଆରବର କ୍ଲବ୍ ଅଲ୍ ନାସର ପାଇଁ ସେ ଏବେ ମଧ୍ୟ ଖେଳ ଜାରି ରଖିଛନ୍ତି ।
ତାଙ୍କ କ୍ୟାରିୟର୍ର ମୋଟ ଗୋଲ୍ ସଂଖ୍ୟା ୯୭୯ରେ ପହଞ୍ଚିଛି । ଅର୍ଥାତ୍ ଫୁଟବଲ୍ ଇତିହାସରେ ୧୦୦୦ ଗୋଲ୍ର ଐତିହାସିକ ମାଇଲଖୁଣ୍ଟ ଛୁଇଁବା ପାଇଁ ତାଙ୍କୁ ଆଉ ମାତ୍ର ୨୧ଟି ଗୋଲ୍ ଆବଶ୍ୟକ । ଯଦିଓ CR7 ଏବେ ଜାତୀୟ ଦଳକୁ ଅଲବିଦା କହିଛନ୍ତି । କିନ୍ତୁ ତାଙ୍କ ୭ ନମ୍ବର ଜର୍ସି ଓ ଅସଂଖ୍ୟ ସ୍ମରଣୀୟ ମୁହୂର୍ତ୍ତ ସବୁଦିନ ପାଇଁ ପର୍ତ୍ତୁଗାଲ୍ ଫୁଟବଲ୍ ଇତିହାସରେ ଅମର ହୋଇ ରହିବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories