ଏସିଆ କପ୍କୁ ନେଇ ହରଭଜନଙ୍କ ବଡ଼ ବୟାନ; କହିଲେ, ପାକିସ୍ତାନ ସହ କ୍ରିକେଟ ଖେଳିବା ଠିକ୍ ନୁହେଁ

Key Points
ଗୋଟିଏ ପଟେ ଆମର ସୈନିକମାନେ ସହିଦ ହେଉଛନ୍ତି । ଅନ୍ୟପଟେ ଯଦି ଆମେ ସେହି ଦେଶ ସହ କ୍ରିକେଟ ଖେଳିବା ତେବେ ଏହା ଠିକ୍ ନୁହେଁ ।
ସେପ୍ଟେମ୍ବର ୯ରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ୍ । ଚଳିତ ଥର ଏସିଆ କପରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି। ସେପ୍ଟେମ୍ବର ୧୪ରେ ଦୁବାଇରେ ଏହି ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ ମୁହାଁମୁହିଁ ହେବେ। ଏସିଆ କପ୍ ପାଇଁ ଉଭୟ ଦଳ ସେମାନଙ୍କର ୧୫ ଜଣିଆ ଟିମ୍ ମଧ୍ୟ ଘୋଷଣା କରିଛନ୍ତି । ତେବେ ଏବେ ବି ଅନେକ ଲୋକ ବିଶ୍ବାସ କରନ୍ତି ଯେ, ଭାରତ ଏହି ମ୍ୟାଚ ପାକିସ୍ତାନ ସହ ଖେଳିବା ଉଚିତ୍ ନୁହେଁ । ସେମାନଙ୍କ ମଧ୍ୟରେ ପୂର୍ବତନ କ୍ରିକେଟର ହରଭଜନ ସିଂହ ମଧ୍ୟ ଅଛନ୍ତି, ଯିଏ ନିଜ କଥାକୁ ପୁଣି ଥରେ ଦୋହରାଇଛନ୍ତି । ସେ କହିଛନ୍ତି, ଗୋଟିଏ ପଟେ ଆମର ସୈନିକମାନେ ସହିଦ ହେଉଛନ୍ତି । ଅନ୍ୟପଟେ ଯଦି ଆମେ ସେହି ଦେଶ ସହ କ୍ରିକେଟ ଖେଳିବା ତେବେ ଏହା ଠିକ୍ ନୁହେଁ ।
ମଙ୍ଗଳବାର ଦିନ ଏସିଆ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ସେହି ଦିନ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ ତାଙ୍କ ପତ୍ନୀ ଗୀତା ବାସରାଙ୍କ ସହିତ ସଚଖଣ୍ଡ ଶ୍ରୀ ହରମନ୍ଦିର ସାହିବ ପହଞ୍ଚିଥିଲେ। ସେଠାରେ ସାମ୍ବାଦିକମାନେ ତାଙ୍କୁ ପଚାରିଥିଲେ ଯେ ଆପଣ WCL ରେ ପାକିସ୍ତାନ ସହିତ ଖେଳିଲ ନାହଁ କିନ୍ତୁ ଏସିଆ କପରେ ଭାରତ ବନାମ୍ ପାକିସ୍ତାନ ଖେଳାଯିବାକୁ ଯାଉଛି । ଏହି ଉପରେ ହରଭଜନ କହିଥିଲେ, ` ମୋର ବିବେକ ମୋତେ ସେମାନଙ୍କ ସହିତ ମ୍ୟାଚ୍ ଖେଳିବାକୁ କହୁ ନଥିଲା। ସେଥିପାଇଁ ମୁଁ ସେମାନଙ୍କ ସହିତ ମ୍ୟାଚ୍ ଖେଳି ନଥିଲି।'
📱 Get Argus News App
✨ହରଭଜନ ସିଂହ କହିଛନ୍ତି, "ଏହା ମୋର ବ୍ୟକ୍ତିଗତ ମତ ଯେ ଯେପର୍ଯ୍ୟନ୍ତ ଆମ ଦେଶର କୌଣସି ଦେଶ ସହିତ ସମ୍ପର୍କ ଭଲ ନହୁଏ, ସେପର୍ଯ୍ୟନ୍ତ ଆମେ ସେମାନଙ୍କ ସହିତ ବାଣିଜ୍ୟ କରିବା ଉଚିତ୍ ନୁହେଁ କିମ୍ବା ସେମାନଙ୍କ ସହିତ କ୍ରିକେଟ ଖେଳିବା ଉଚିତ୍ ନୁହେଁ। କ୍ରିକେଟ ଏକ ବହୁତ ଛୋଟ କଥା। ସରକାର ଯାହା ଭାବୁଛନ୍ତି ତାହା ସେମାନଙ୍କର ଚିନ୍ତାଧାରା, କିନ୍ତୁ ବ୍ୟକ୍ତିଗତ ଭାବରେ ମୁଁ ଭାବୁଛି ଯେ ଏହା ଠିକ୍ ନୁହେଁ । ଗୋଟିଏ ପଟେ ଆମର ସୈନିକମାନେ ସହିଦ ହେଉଛନ୍ତି। ପହଲଗାମରେ ଯାହା ଘଟିଲା, ଏହା ପରେ ମଧ୍ୟ ଯଦି ଆମେ କ୍ରିକେଟ ଖେଳିବା, ତେବେ ଏହା ଭଲ ବାର୍ତ୍ତା ଦେବ ନାହିଁ।"
ତଥାପି, ହରଭଜନ ସିଂହ ସ୍ପଷ୍ଟ କରିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ମତ । ପାକିସ୍ତାନ ସହ ଭାରତ କ୍ରିକେଟ ଖେଳିବ ନା ନାହିଁ ଚୂଡ଼ାନ୍ତ ନିଷ୍ପତ୍ତି ବିସିସିଆଇ ଏବଂ ସରକାର ନେବେ । ସୂଚନା ଅନୁସାରେ ଏସିଆ କପ୍ ୨୦୨୫ ଟି-20 ଫର୍ମାଟରେ ଖେଳାଯିବ। ଯାହା ୯ ସେପ୍ଟେମ୍ବରରୁ ୨୮ ସେପ୍ଟେମ୍ବର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ମୋଟ ୮ ଟି ଦଳକୁ ୨ଟି ଗ୍ରୁପରେ ବିଭକ୍ତ କରାଯାଇଛି ।