Videos
|
Sports

India Asian Games Contingent / ପଦକ ପାଇଁ ଭାରତର ମହାପ୍ରସ୍ତୁତି, ଏସିଆନ୍ ଗେମ୍ସରେ ଲଢ଼ିବେ ୫୦୩ ଖେଳାଳି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ପଦକ ପାଇଁ ଭାରତର ମହାପ୍ରସ୍ତୁତି, ଏସିଆନ୍ ଗେମ୍ସରେ ଲଢ଼ିବେ ୫୦୩ ଖେଳାଳି
Asian Games

Key Points

ଏସିଆନ୍ ଗେମ୍ସରେ ଭାରତର ମେଗା ଟିମ୍
୩୬ ଖେଳରେ ଦେଖାଇବ ଦମ
ନୀରଜ ନାହାନ୍ତି, ତଥାପି ପଦକ ଆଶା ବଡ଼
ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ ୨୦୨୬ ପାଇଁ ପୂରା ପ୍ରସ୍ତୁତ ଭାରତ । ଆସନ୍ତା ୧୯ ସେପ୍ଟେମ୍ବରରୁ ୪ ଅକ୍ଟୋବର ପର୍ଯ୍ୟନ୍ତ ଜାପାନରେ ଆୟୋଜିତ ହେବ ଏହି ବୃହତ୍ କ୍ରୀଡ଼ା ମହାକୁମ୍ଭ । ଏଥିପାଇଁ କ୍ରୀଡ଼ା ମନ୍ତ୍ରଣାଳୟ ୭୫୮ ସଦସ୍ୟ ବିଶିଷ୍ଟ ଭାରତୀୟ ଦଳକୁ ମଞ୍ଜୁରୀ ଦେଇଛି । ଏହି ଦଳରେ ୫୦୩ ଜଣ ଖେଳାଳି ଏବଂ ୨୪୬ ଜଣ ସପୋର୍ଟ ଷ୍ଟାଫ୍ ରହିଛନ୍ତି ।

ଚଳିତ ଏସିଆନ୍ସ ଗେମ୍ସରେ ୪୨ଟି ଖେଳ ମଧ୍ୟରୁ ୩୫ଟି ଖେଳରେ ଭାରତ ଅଂଶଗ୍ରହଣ କରିବ । ଭାରତ ଗତ ଏସିଆନ୍‌ ଗେମ୍ସରେ ଐତିହାସିକ ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ୧୦୦ ପଦକର ମାଇଲଷ୍ଟୋନ୍ ପାର୍ କରିଥିଲା । ହାଙ୍ଗଝୋଉରେ ଭାରତୀୟ ଖେଳାଳିମାନେ ମୋଟ ୧୦୭ଟି ପଦକ ଜିତିଥିଲେ । ଏବେ ଜାପାନରେ ଏହି ପ୍ରଦର୍ଶନକୁ ଆହୁରି ଭଲ କରିବା ଲକ୍ଷ୍ୟରେ ରହିଛି ଭାରତ ।

ଭାରତୀୟ ଦଳରେ ୨୬୯ ଜଣ ପୁରୁଷ ଏବଂ ୨୩୪ ଜଣ ମହିଳା ଖେଳାଳି ରହିଛନ୍ତି । ପ୍ରାରମ୍ଭିକ ଭାବେ ୪୯୨ ଜଣ ଖେଳାଳିଙ୍କୁ ମଞ୍ଜୁରୀ ମିଳିଥିଲା। ପରେ ଆଉ ୧୧ ଜଣ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇଛି । ଏଥିରେ ଆଥଲେଟିକ୍ସର ୬ ଜଣ, ସର୍ଫିଂର ୪ ଜଣ ଏବଂ ମିକ୍ସଡ୍ ମାର୍ସିଆଲ୍ ଆର୍ଟ୍ସ ବା MMAର ଜଣେ ଖେଳାଳି ରହିଛନ୍ତି ।

ଆଥଲେଟିକ୍ସରେ ପ୍ରବୀଣ କୁମାର, ହରିତା ଭଦ୍ରା, କିରଣ ପହଲ, ଆଶା ଇଲାଙ୍ଗୋ, ସିନ୍ଧୁଶ୍ରୀ ଗଣେଶା ଏବଂ ସାନ୍ୟା ଯାଦବଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିଛି । ସେହିପରି MMAରେ ବରୁଣ ସନ୍ୟାଲ ଏବଂ ସର୍ଫିଂରେ କିଶୋର କୁମାର, ଶିବରାଜ ବାବୁ, କମାଲି ପ୍ରକାଶ ଓ ଶୁଗର ଶାନ୍ତି ଗାୟେନ ଭାରତ ପାଇଁ ମଇଦାନକୁ ଓହ୍ଲାଇବେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ରିକେଟ୍ ଦଳରେ ୫୦ ସଦସ୍ୟ

ଏସିଆନ୍ ଗେମ୍ସର କ୍ରିକେଟ୍ ଇଭେଣ୍ଟରେ ଭାରତ ଉଭୟ ପୁରୁଷ ଓ ମହିଳା ଦଳ ପଠାଇବ । କ୍ରିକେଟ୍ ପାଇଁ ମୋଟ ୫୦ ସଦସ୍ୟଙ୍କ ଦଳ ରହିବ, ଯେଉଁଥିରେ ୨୦ ଜଣ ସପୋର୍ଟ ଷ୍ଟାଫ୍ ଅଛନ୍ତି । ପୁରୁଷ ଦଳର ହେଡ୍ କୋଚ୍ ଭାବେ ଭିଭିଏସ୍ ଲକ୍ଷ୍ମଣ ଦାୟିତ୍ୱ ନେବେ । ସେହିପରି ମହିଳା ଦଳର କୋଚିଂ ଦାୟିତ୍ୱ ଅମୋଲ ମଜୁମଦାରଙ୍କ ଉପରେ ରହିବ । ଉଭୟ ଭାରତୀୟ ଦଳ ପଦକର ଦୃଢ଼ ଦାବିଦାର ଭାବେ ଟୁର୍ଣ୍ଣାମେଣ୍ଟକୁ ଓହ୍ଲାଇବେ ।

ହକିରେ ୫୪ ସଦସ୍ୟଙ୍କ ଦଳ

ହକିରେ ମଧ୍ୟ ଭାରତର ନଜର ପଦକ ଉପରେ ରହିବ । ପୁରୁଷ ଓ ମହିଳା ହକିକୁ ମିଶାଇ ଭାରତ ମୋଟ ୫୪ ସଦସ୍ୟଙ୍କ ଦଳ ପଠାଇବ । ଏଥିରେ ୪୦ ଜଣ ଖେଳାଳି ଏବଂ ୧୪ ଜଣ ସପୋର୍ଟ ଷ୍ଟାଫ୍ ରହିଛନ୍ତି । ଏସିଆନ୍ ଗେମ୍ସରେ ହକି ଭାରତର ପଦକ ଆଶାର ଏକ ବଡ଼ ମାଧ୍ୟମ ହେବ ।

ଭାରତକୁ ବଡ଼ ଝଟକା, ଖେଳିବେନି ନୀରଜ ଚୋପ୍ରା

ତେବେ ଭାରତୀୟ ଦଳର ସବୁଠାରୁ ବଡ଼ ନାମ ନୀରଜ ଚୋପ୍ରାଙ୍କ ଅନୁପସ୍ଥିତି ଏଥର ନିଶ୍ଚିତ ଭାବେ ଚର୍ଚ୍ଚାରେ ରହିବ । ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଗୋଡର ଲିଗାମେଣ୍ଟ ଆଘାତ କାରଣରୁ ଏସିଆନ୍ ଗେମ୍ସରୁ ବାଦ୍ ପଡ଼ିଛନ୍ତି ।

ନୀରଜ ୨୦୧୮ ଜାକର୍ତ୍ତା ଏବଂ ୨୦୨୩ ହାଙ୍ଗଝୋଉ ଏସିଆନ୍ ଗେମ୍ସରେ ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ତେଣୁ ତାଙ୍କ ଅନୁପସ୍ଥିତି ଭାରତର ଆଥଲେଟିକ୍ସ ଅଭିଯାନ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି ।

ଏବେ ନଜର ରହିଛି ଜାପାନରେ ହେବାକୁ ଥିବା ଏସିଆନ୍ ଗେମ୍ସ ୨୦୨୬ ଉପରେ । ହାଙ୍ଗଝୋଉର ୧୦୭ ପଦକର ରେକର୍ଡକୁ ଟପି ଭାରତ ଏଥର ନୂଆ ଇତିହାସ ରଚିପାରିବ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ।