Videos
|
Sports

India beat Pakistan / ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ, ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ OUT

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ହକି ବିଶ୍ୱକପ୍‌ରେ ଭାରତର ବଡ଼ ବିଜୟ, ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ OUT
India vs Pakistan Hockey

Key Points

ପାକିସ୍ତାନକୁ ହରାଇଲା ଭାରତ
୫-୩ରେ ଜିତିଲା ଟିମ୍ ଇଣ୍ଡିଆ
ବିଶ୍ବକପ୍‌ରୁ ବିଦା ହେଲା ପାକିସ୍ତାନ
୧୬ ବର୍ଷର ଲମ୍ବା ଅପେକ୍ଷା ପରେ ହକି ବିଶ୍ବକପ୍‌ରେ ପୁଣିଥରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ଆଉ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଆରମ୍ଭ ହେବା ମାତ୍ରେ ଟିମ୍ ଇଣ୍ଡିଆ ଦେଖାଇଥିଲା ନିଜର ଦବଦବା । ଗୋଲ୍ ପରେ ଗୋଲ୍ କରି ପାକିସ୍ତାନକୁ ୫-୩ରେ ମାତ୍ ଦେଇ ଜବରଦସ୍ତ ବିଜୟ ହାସଲ କରିଛି ଭାରତ ।

୧୬ ବର୍ଷ ପରେ ହକି ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ପୁଣିଥରେ ସାମ୍ନାସାମ୍ନି ହୋଇଥିଲେ। ନେଦରଲାଣ୍ଡ୍ସର ଆମ୍‌ଷ୍ଟେଲଭିନ ଷ୍ଟାଡିୟମରେ ଖେଳାଯାଇଥିବା ୨୦୨୬ ହକି ବିଶ୍ୱକପ୍‌ର ପୁଲ୍-ଡି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଦମଦାର ପ୍ରଦର୍ଶନ କରି ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ପରବର୍ତ୍ତୀ ରାଉଣ୍ଡକୁ ଯାଇଥିବା ବେଳେ ପାକିସ୍ତାନର ବିଶ୍ୱକପ୍ ଯାତ୍ରା ଶେଷ ହୋଇଛି।

ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ଶେଷଥର ପାଇଁ ୨୦୧୦ରେ ଦିଲ୍ଲୀରେ ମୁହାଁମୁହିଁ ହୋଇଥିଲେ । ସେହି ମ୍ୟାଚ୍‌ରେ ଭାରତ ୪-୧ରେ ବିଜୟୀ ହୋଇଥିଲା । ଦୀର୍ଘ ୧୬ ବର୍ଷ ପରେ ବିଶ୍ୱକପ୍‌ରେ ପୁଣିଥରେ ଦୁଇ ଦଳ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା ଏବଂ ଏଥର ମଧ୍ୟ ବାଜି ମାରିଛି ଭାରତ । ମ୍ୟାଚ୍‌ ଆରମ୍ଭରୁ ହିଁ ଭାରତୀୟ ଦଳ ନିଜର ଦବଦବା ଦେଖାଇଥିଲା । ପ୍ରଥମ କ୍ୱାର୍ଟରର ୫ମ ମିନିଟ୍‌ରେ ଅଧିନାୟକ ହରମନପ୍ରୀତ ସିଂହ ଭାରତ ପାଇଁ ପ୍ରଥମ ଗୋଲ୍ କରିଥିଲେ । ଏହାପରେ ୧୧ତମ ମିନିଟ୍‌ରେ ଅଭିଷେକ ଆଉ ଏକ ଗୋଲ୍ ଦେଇ ଭାରତକୁ ୨-୦ର ଅଗ୍ରଣୀ ଦେଇଥିଲେ ।



ଦ୍ୱିତୀୟ କ୍ୱାର୍ଟରରେ ମ୍ୟାଚ୍‌ ଆହୁରି ରୋମାଞ୍ଚକର ହୋଇଥିଲା । ଭାରତ ପାଇଁ ହରମନପ୍ରୀତ ୨୧ତମ ମିନିଟ୍‌ରେ ଏବଂ ଅଭିଷେକ ୨୪ତମ ମିନିଟ୍‌ରେ ଗୋଲ୍ କରିଥିଲେ । ଅନ୍ୟପଟେ ପାକିସ୍ତାନ ପାଇଁ ହନାନ ଶାହିଦ ୨୨ତମ ମିନିଟ୍‌ରେ ଏବଂ ସୁଫିଆନ ଖାନ୍ ୨୫ତମ ମିନିଟ୍‌ରେ ଗୋଲ୍ କରିଥିଲେ । ଦୁଇଟି କ୍ୱାର୍ଟର ଶେଷ ହେବା ବେଳକୁ ଭାରତ ୪-୨ରେ ଆଗୁଆ ରହିଥିଲା । ତୃତୀୟ କ୍ୱାର୍ଟରର ୩୫ତମ ମିନିଟ୍‌ରେ ପେନାଲ୍ଟି କର୍ଣ୍ଣରରୁ ହାର୍ଦ୍ଦିକ ସିଂହ ଗୋଲ୍ କରି ଭାରତର ସ୍କୋର୍ ୫-୨ କରିଦେଇଥିଲେ ।

ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ପାକିସ୍ତାନ ପାଇଁ ହନାନ ଶାହିଦ ୪୬ତମ ମିନିଟ୍‌ରେ ଆଉ ଏକ ଗୋଲ୍ କରିଥିଲେ । ଏହାପରେ ସ୍କୋର୍ ୫-୩ ହୋଇଥିଲା । କିନ୍ତୁ ସେତେବେଳକୁ ମ୍ୟାଚ୍‌ ଭାରତର ନିୟନ୍ତ୍ରଣରେ ଆସିସାରିଥିଲା । ଶେଷ ପର୍ଯ୍ୟନ୍ତ ଭାରତ ନିଜ ଅଗ୍ରଣୀକୁ ବଜାୟ ରଖି ୫-୩ରେ ଐତିହାସିକ ବିଜୟ ହାସଲ କରିଥିଲା । ଏହି ବିଜୟ ସହ ପାକିସ୍ତାନ ବିଶ୍ବକପ୍‌ରୁ ବିଦା ହୋଇଛି ।

ଏହି ବିଜୟ ପରେ ଭାରତ ପୁଲ୍‌ରେ ୩ଟି ମ୍ୟାଚ୍‌ରୁ ୨ଟି ଜିତି ୬ ପଏଣ୍ଟ ସହ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ପକ୍କା କରିଛି । ଅନ୍ୟପଟେ ପାକିସ୍ତାନ ୩ଟି ମ୍ୟାଚ୍‌ରୁ ଗୋଟିଏ ବି ବିଜୟ ପାଇପାରିନାହିଁ । ୨ଟି ମ୍ୟାଚ୍‌ରେ ପରାଜୟ ଏବଂ ଗୋଟିଏ ଡ୍ର ସହ ଦଳ ବିଶ୍ୱକପ୍‌ରୁ ବାଦ୍ ପଡ଼ିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: