Videos
|
Sports

Yuvraj Singh Sixes / ୬ ଛକା ମାରିଲେ ଯୁବରାଜ, ଅଷ୍ଟ୍ରେଲିଆକୁ ୪୬ ରନ୍‌ରେ ହରାଇଲା ଭାରତ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·3 min read
୬ ଛକା ମାରିଲେ ଯୁବରାଜ, ଅଷ୍ଟ୍ରେଲିଆକୁ ୪୬ ରନ୍‌ରେ ହରାଇଲା ଭାରତ
Yuvraj Singh

Key Points

ପୁଣି ଗର୍ଜିଲା ଯୁବିଙ୍କ ବ୍ୟାଟ୍
୬ ଛକା ସହ ୭୧ ରନ୍‌
ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ବଡ଼ ବିଜୟ
ଅଷ୍ଟ୍ରେଲିଆ ବିପକ୍ଷରେ ପୁଣି ଗର୍ଜିଲା ଟିମ୍ ଇଣ୍ଡିଆର ପୁରୁଣା ଷ୍ଟାରଙ୍କ ବ୍ୟାଟ୍‌ । ଯୁବରାଜ ସିଂହଙ୍କ ବିସ୍ଫୋରକ ୭୧ ରନ୍‌, ଆଉ ତା'ପରେ ବୋଲରଙ୍କ ଘାତକ ବୋଲିଂ ଆଗରେ ଧରାଶାୟୀ ହେଲା କଙ୍ଗାରୁ ଟିମ୍ । ମାତ୍ର ୧୬.୨ ଓଭରରେ ୧୫୦ ରନ୍‌ରେ ଅଲଆଉଟ୍‌ ହୋଇଗଲା ଅଷ୍ଟ୍ରେଲିଆ । ଯାହାଫଳରେ ଟିମ୍‌ ଇଣ୍ଡିଆ ୪୬ ରନ୍‌ରେ ବିଜୟୀ ହୋଇଛି ।

ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ ଅଫ୍‌ ଲିଜେଣ୍ଡ୍ସ (WCL 2026)ରେ ଇଣ୍ଡିଆ ଚାମ୍ପିଅନ୍ସ ଦମଦାର ବିଜୟ ହାସଲ କରିଛି । ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ଇଣ୍ଡିଆ ଚାମ୍ପିଅନ୍ସ ୪୬ ରନ୍‌ରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ସକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଇଣ୍ଡିଆ ଚାମ୍ପିଅନ୍ସ ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୯୬ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଅଷ୍ଟ୍ରେଲିଆ ଚାମ୍ପିଅନ୍ସ ୧୬.୨ ଓଭରରେ ୧୫୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା ।

ଯୁବରାଜଙ୍କ ବ୍ୟାଟ୍‌ରୁ ରନ୍‌ର ବର୍ଷା

ଇଣ୍ଡିଆ ଚାମ୍ପିଅନ୍ସର ବଡ଼ ସ୍କୋର ପଛରେ ଅଧିନାୟକ ଯୁବରାଜ ସିଂହଙ୍କ ଧମାକାଦାର ଇନିଂସ ଥିଲା । ଯୁବରାଜ ମାତ୍ର ୪୪ଟି ବଲ୍‌ରୁ ୭୧ ରନ୍‌ କରିଥିଲେ । ତାଙ୍କ ଇନିଂସରେ ୫ଟି ଚୌକା ଓ ୬ଟି ଛକା ସାମିଲ ଥିଲା ।



ଇଣ୍ଡିଆ ଚାମ୍ପିୟନ୍ସ ପକ୍ଷରୁ ନମନ ଓଝା ଓ ଅମ୍ବାତି ରାୟଡୁ ଇନିଂସ ଓପନ୍‌ କରିଥିଲେ । ରାୟଡୁ ୩ଟି ବଲ୍‌ରୁ ୪ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହାପରେ ଷ୍ଟୁଆର୍ଟ ବିନି ୯ଟି ବଲ୍‌ରେ ୧୩ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ । ନମନ ଓଝା ୨୬ଟି ବଲ୍‌ରେ ୩୧ ରନ୍‌ କରିଥିଲେ । ତାଙ୍କ ଇନିଂସରେ ୩ଟି ଚୌକା ଓ ଗୋଟିଏ ଛକା ଥିଲା ।
ଏହାପରେ ଯୁବରାଜ ସିଂହ କ୍ରିଜ୍‌କୁ ଆସିଥିଲେ । ଆଉ ଅଷ୍ଟ୍ରେଲୀୟ ବୋଲରଙ୍କ ଉପରେ ଆକ୍ରମଣ କରିଥିଲେ । ଯୁବରାଜ ସିଂ ୪୪ ବଲ୍‌ରେ ୭୧ ରନ୍‌ କରିଥିଲେ । ତାଙ୍କ ସହ ୟୁସୁଫ ପଠାନ ମଧ୍ୟ ଦ୍ରୁତ ୩୭ ରନ୍‌ କରିଥିଲେ । ୨୦ଟି ବଲ୍‌ରେ ୟୁସୁଫଙ୍କ ଇନିଂସରେ ଗୋଟିଏ ଚୌକା ଓ ୪ଟି ଛକା ଥିଲା ।

ସେହିପରି ଇରଫାନ ପଠାନ ମାତ୍ର ୧ ରନ୍‌ କରିଥିବା ବେଳେ ଶେଷରେ ଋଷି ଧୱନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମାତ୍ର ୧୨ଟି ବଲ୍‌ରୁ ୩୫ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ୪ଟି ଛକା ରହିଥିଲା ।

ଭଲ ଆରମ୍ଭ ପରେ ଭୁଶୁଡ଼ିଲା ଅଷ୍ଟ୍ରେଲିଆ

୧୯୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରିବାକୁ ଯାଇ ଅଷ୍ଟ୍ରେଲିଆର ଆରମ୍ଭ ଭଲ ହୋଇନଥିଲା । ଅଧିନାୟକ ଉସମାନ ଖୱାଜା ଖାତା ଖୋଲିବା ପୂର୍ବରୁ ଆଉଟ୍‌ ହୋଇଥିଲେ । ବେନ୍‌ ଡଙ୍କ ମଧ୍ୟ ମାତ୍ର ୬ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ ।

ତେବେ ଡାର୍ସି ଶର୍ଟ ଓ ଜୋ ବର୍ନ୍ସ ଇନିଂସକୁ ସମ୍ଭାଳି ଭାରତୀୟ ବୋଲରଙ୍କ ଉପରେ ଆକ୍ରମଣ କରିଥିଲେ । ଡାର୍ସି ଶର୍ଟ ୨୮ଟି ବଲ୍‌ରୁ ୬୫ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ । ସେ ୪ଟି ଚୌକା ଓ ୭ଟି ଛକା ମାରିଥିଲେ । ଜୋ ବର୍ନ୍ସ ମଧ୍ୟ ୩୨ଟି ବଲ୍‌ରୁ ୪୫ ରନ୍‌ କରିଥିଲେ, ଯେଉଁଥିରେ ୪ଟି ଛକା ରହିଥିଲା ।
କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ ଆଉଟ୍‌ ହେବା ପରେ ଅଷ୍ଟ୍ରେଲିଆର ଇନିଂସ ଦ୍ରୁତ ଭାବେ ଭୁଶୁଡ଼ି ପଡ଼ିଥିଲା । କ୍ୟାଲମ୍‌ ଫର୍ଗୁସନ୍‌ ୦, ଜୋନାଥନ୍‌ ୱେଲ୍ସ ୧୧, ନାଥନ୍‌ କଲ୍ଟର-ନାଇଲ୍‌ ୦, କେନ୍‌ ରିଚାର୍ଡସନ୍‌ ୪, ବେନ୍‌ ହିଲ୍ଫେନହାସ୍‌ ୧ ଓ ଫୱାଦ୍‌ ଅହମଦ୍‌ ୯ ରନ୍‌ କରି ଆଉଟ୍‌ ହୋଇଥିଲେ ।

ବୋଲିଂରେ ଚମକିଲେ ଧୱଲ ଓ ମୋହିତ

ଇଣ୍ଡିଆ ଚାମ୍ପିଅନ୍ସ ପକ୍ଷରୁ ବୋଲିଂରେ ଧୱଲ କୁଲକର୍ଣ୍ଣି ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ । ମୋହିତ ଶର୍ମା ୩ଟି ୱିକେଟ୍‌ ହାସଲ କରି ଅଷ୍ଟ୍ରେଲୀୟ ବ୍ୟାଟିଂ ଲାଇନ୍‌ଅପ୍‌କୁ ଚାପରେ ରଖିଥିଲେ । ସେହିପରି ପୀୟୂଷ ଚାୱଲା ୨ଟି ଏବଂ ହରଭଜନ ସିଂହ ଗୋଟିଏ ୱିକେଟ୍‌ ନେଇଥିଲେ । ଫଳରେ ଅଷ୍ଟ୍ରେଲିଆ ୧୫୦ ରନ୍‌ରେ ଅଲଆଉଟ୍‌ ହୋଇଥିଲା ଏବଂ ଇଣ୍ଡିଆ ଚାମ୍ପିଅନ୍ସ ୪୬ ରନ୍‌ର ଚମତ୍କାର ବିଜୟ ହାସଲ କରିଥିଲା ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: