Asia Cup 2025: ବିଜୟରୁ ଏସିଆ କପ୍ ଅଭିଯାନ ଆରମ୍ଭ କଲା ଭାରତ, ଚୀନକୁ ୪-୩ ଗୋଲରେ କଲା ପରାସ୍ତ

Key Points
ଏସିଆ କପ୍-୨୦୨୫ । ବିଜୟରୁ ଅଭିଯାନ ଆରମ୍ଭ କଲା ଭାରତ । ଅଧିନାୟକ ହରମନପ୍ରୀତ ସିଂ କଲେ ହ୍ୟାଟ୍ରିକ୍ ଗୋଲ ।
ଏସିଆ କପ୍-୨୦୨୫ରେ ବିଜୟରୁ ନିଜ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଶୁକ୍ରବାର ବିହାରର ରାଜଗିରରେ ଖେଳାଯାଇଥିବା ମ୍ୟାଚରେ ଭାରତ ଚୀନକୁ ୪-୩ ଗୋଲରେ ପରାସ୍ତ କରିଛି । ଭାରତ ପାଇଁ ଅଧିନାୟକ ହରମନପ୍ରୀତ ସିଂ ତିନୋଟି ଗୋଲ ସ୍କୋର କରିଥିବା ବେଳେ ଜୁଗରାଜ ସିଂ ଗୋଟିଏ ଗୋଲ କରିଥିଲେ । ସେହିପରି ଚୀନ ପକ୍ଷରୁ ଡୁ ସିଂହାଓ, ଚେନ୍ ବେନହାଇ ଏବଂ ଗାଓ ଜିଶେଙ୍ଗ ଗୋଲ ଦେବାରେ ସଫଳ ହୋଇଥିଲେ।
ଶୁକ୍ରବାର ଖେଳାଯାଇଥିବା ମ୍ୟାଚର ପ୍ରଥମ କ୍ୱାର୍ଟରରେ ଭାରତୀୟ ଦଳ ଚୀନ ଉପରେ ପ୍ରାଧାନ୍ୟ ବିସ୍ତାର କରିଥିଲା । କିନ୍ତୁ ଟିମ୍ ଇଣ୍ଡିଆ କୌଣସି ଗୋଲ ସ୍କୋର କରିପାରି ନଥିଲେ । ଅନ୍ୟପକ୍ଷରେ ଡୁ ସିଂହାଓ ପ୍ରଥମ କ୍ବାଟର ୧୨ ମିନିଟରେ ପେନାଲ୍ଟି କର୍ଣ୍ଣରରେ ଗୋଲ କରି ଚୀନ୍ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ । ଏହାପରେ ଦ୍ୱିତୀୟ କ୍ୱାର୍ଟରର ତୃତୀୟ ମିନିଟରେ ଜୁଗରାଜ ସିଂହ ପେନାଲ୍ଟି କର୍ଣ୍ଣରରେ ଭାରତ ପ୍ରଥମ ଗୋଲ ସ୍କୋର କରିଥିଲା । ସେହି କ୍ୱାର୍ଟରର ପଞ୍ଚମ ମିନିଟ୍ରେ ଅଧିନାୟକ ହରମନପ୍ରୀତ ସିଂହ ମଧ୍ୟ ଏକ ଗୋଲ ସ୍କୋର କରିଥିଲେ, ଯାହା ଫଳରେ ଭାରତ ୨-୧ରେ ଆଗୁଆ ହୋଇଥିଲା।
📱 Get Argus News App
✨ଏହା ପରେ, ତୃତୀୟ କ୍ୱାର୍ଟରର ତୃତୀୟ ମିନିଟ୍ରେ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରେ ଏକ ଗୋଲ ସ୍କୋର କରି ଭାରତକୁ ୩-୧ରେ ଆଗୁଆ କରିଥିଲେ । କିନ୍ତୁ ଏହାର କିଛି ମିନିଟ୍ ପରେ, ଚେନ୍ ବେନହାଇ ପେନାଲ୍ଟି କର୍ଣ୍ଣରରେ ଏକ ଗୋଲ ସ୍କୋର କରି ସ୍କୋରକୁ ୩-୨ କରିଥିଲେ । ତୃତୀୟ କ୍ୱାର୍ଟରର ୧୧ତମ ମିନିଟ୍ରେ ଗାଓ ଜିଶେଙ୍ଗ ଏକ ଗୋଲ ସ୍କୋର କରି ସ୍କୋରକୁ ୩-୩ କରିଥିଲେ । ତେବେ ଚତୁର୍ଥ ତଥା ଶେଷ କ୍ବାର୍ଟରର ଦ୍ବିତୀୟ ମିନିଟ୍ରେ ହରମନପ୍ରୀତ ସିଂହ ଏକ ପେନାଲ୍ଟି କର୍ଣ୍ଣରରେ ଗୋଲ ସ୍କୋର କରି ଭାରତକୁ ୪-୩ର ନିର୍ଣ୍ଣାୟକ ଅଗ୍ରଣୀ ଦେଇଥିଲେ। ୩୧ ଅଗଷ୍ଟରେ ଭାରତ ତା'ର ପରବର୍ତ୍ତୀ ମ୍ୟାଚ୍ ଜାପାନ ବିପକ୍ଷରେ ଖେଳିବ ।
𝗪𝗜𝗡 to begin! 🙌
— Hockey India (@TheHockeyIndia) August 29, 2025
India beat China in a closely contested match at the Hero Asia Cup, Rajgir, Bihar, 2025.
🇮🇳 4-3 🇨🇳#HockeyIndia #IndiaKaGame #HumSeHaiHockey #HeroAsiaCupRajgir pic.twitter.com/tEJbdlBUTT
ସୂଚନା ଅନୁସାରେ, ଏହା ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟର ଦ୍ୱାଦଶ ସଂସ୍କରଣ। ଭାରତୀୟ ଦଳ ଏପର୍ଯ୍ୟନ୍ତ ତିନି ଥର ଏସିଆ କପ୍ ହକି ଟୁର୍ଣ୍ଣାମେଣ୍ଟ ଜିତିଛି। ଭାରତୀୟ ଦଳ ୨୦୦୩, ୨୦୦୭ ଏବଂ ୨୦୧୭ରେ ଟାଇଟଲ ଜିତିଥିଲା। ପାକିସ୍ତାନୀ ଦଳ ମଧ୍ୟ ତିନି ଥର (୧୯୮୨, ୧୯୮୫, ୧୯୮୯) ଏସିଆ କପ୍ ବିଜେତା ହୋଇଛି। ଦକ୍ଷିଣ କୋରିଆ ସର୍ବାଧିକ ପାଞ୍ଚ ଥର (୧୯୯୪, ୧୯୯୯, ୨୦୦୯, ୨୦୧୩, ୨୦୨୨) ଏସିଆ କପ୍ ଜିତିଛି । ଚଳିତ ଏସିଆ କପରେ ଭାରତକୁ ପୁଲ୍-A ରେ ଚୀନ୍, କାଜାଖସ୍ତାନ ଏବଂ ଜାପାନ ସହିତ ରଖାଯାଇଛି। ଯେତେବେଳେ ପୁଲ୍-Bରେ ଦକ୍ଷିଣ କୋରିଆ, ମାଲେସିଆ, ବାଂଲାଦେଶ ଏବଂ ଚାଇନିଜ୍ ତାଇପେ ରହିଛି ।