Videos
|
Sports

Historic Gold Medal / ୭୫ ବର୍ଷରେ ପ୍ରଥମଥର...ଚାମ୍ପିଅନ୍ ଦକ୍ଷିଣ କୋରିଆକୁ ହରାଇ ଭାରତ ଜିତିଲା ସ୍ୱର୍ଣ୍ଣ

Santosh Kumar Sahoo
Browse all articles by Santosh Kumar Sahoo
·53 mins ago·2 min read
୭୫ ବର୍ଷରେ ପ୍ରଥମଥର...ଚାମ୍ପିଅନ୍ ଦକ୍ଷିଣ କୋରିଆକୁ ହରାଇ ଭାରତ ଜିତିଲା ସ୍ୱର୍ଣ୍ଣ
Historic Gold Medal

Key Points

୭୫ ବର୍ଷର ଅପେକ୍ଷା ଶେଷ
ମହିଳା ରିକର୍ଭ ଟିମ୍‌ର ଐତିହାସିକ ସ୍ୱର୍ଣ୍ଣ
ଚାମ୍ପିଅନ୍ ଦକ୍ଷିଣ କୋରିଆକୁ ମାତ୍ !
ସାମ୍ନାରେ ଥିଲା ଏସିଆର ଶକ୍ତିଶାଳୀ ଦକ୍ଷିଣ କୋରିଆ । ଆଉ ମ୍ୟାଚ୍‌ର ପ୍ରତିଟି ଶଟ୍‌ରେ ଥିଲା ରୋମାଞ୍ଚ ଓ ଚାପ । କିନ୍ତୁ ଶେଷ ମୁହୂର୍ତ୍ତରେ ଭାରତୀୟ ତୀରନ୍ଦାଜମାନେ ଦେଖାଇଲେ ଦମଦାର ପ୍ରଦର୍ଶନ । କୀର୍ତ୍ତି, କୁମକୁମ ଓ ଅଙ୍କିତାଙ୍କ ତୀର ଲକ୍ଷ୍ୟଭେଦ କରି ଭାରତକୁ ଦେଲା ଐତିହାସିକ ସ୍ୱର୍ଣ୍ଣ । ୫-୩ରେ ଦକ୍ଷିଣ କୋରିଆକୁ ହରାଇ ଏସିଆନ୍ ଗେମ୍ସର ୭୫ ବର୍ଷର ଇତିହାସରେ ପ୍ରଥମଥର ମହିଳା ରିକର୍ଭ ଟିମ୍ ଜିତିଲା ସ୍ୱର୍ଣ୍ଣ ।

୨୦୨୬ ଏସିଆନ୍ ଗେମ୍ସରେ ଭାରତ ଜିତିଛି ୧୧ତମ ସ୍ୱର୍ଣ୍ଣ ପଦକ । ତୀରନ୍ଦାଜିରେ ଭାରତୀୟ ମହିଳା ରିକର୍ଭ ଟିମ୍ ଦକ୍ଷିଣ କୋରିଆକୁ ୫-୩ରେ ପରାସ୍ତ କରି ଐତିହାସିକ ସଫଳତା ହାସଲ କରିଛି । ଭାରତର କୀର୍ତ୍ତି, କୁମକୁମ ଏବଂ ଅଙ୍କିତା କଠିନ ପରିସ୍ଥିତିରେ ଚମତ୍କାର ପ୍ରଦର୍ଶନ କରି ଦେଶ ପାଇଁ ଏହି ସ୍ୱର୍ଣ୍ଣ ଜିତିଛନ୍ତି । ଏହା ସହ ଏସିଆନ୍ ଗେମ୍ସର ୭୫ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ରିକର୍ଭ ଟିମ୍ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛି ।

ଆରମ୍ଭରୁ ହୋଇଥିଲା କଡ଼ା ମୁକାବିଲା

ଫାଇନାଲ୍ ମ୍ୟାଚ୍ ଆରମ୍ଭରୁ ହିଁ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଥିଲା । ପରିସ୍ଥିତି ଅନୁକୂଳ ନଥିବାରୁ ଉଭୟ ଦଳର ଖେଳାଳିଙ୍କ ପାଇଁ ପରଫେକ୍ଟ ୧୦ ସ୍କୋର କରିବା କଷ୍ଟକର ହୋଇଥିଲା । ମ୍ୟାଚ୍‌ରେ ଉଭୟ ଦଳ ମିଶି ମୋଟ ୪୮ଟି ଶଟ୍ ନେଇଥିଲେ । କିନ୍ତୁ ଏଥିରୁ ମାତ୍ର ୧୨ ଥର ୧୦ ପଏଣ୍ଟ ସ୍କୋର ହୋଇଥିଲା । କଠିନ ପରିସ୍ଥିତିରେ ୭ ଓ ୮ ପଏଣ୍ଟର ଶଟ୍ ମଧ୍ୟ ଦେଖିବାକୁ ମିଳିଥିଲା ।

ପ୍ରଥମ ସେଟ୍‌ରେ ଭାରତ ଓ ଦକ୍ଷିଣ କୋରିଆ ୫୪-୫୪ରେ ସମାନ ଥିଲେ । ଦ୍ୱିତୀୟ ସେଟ୍‌ରେ ମଧ୍ୟ ଉଭୟ ଦଳ ୫୬-୫୬ରେ ସେଟ୍ ଶେଷ କରିଥିଲେ । କିନ୍ତୁ ତୃତୀୟ ସେଟ୍‌ରେ ଭାରତ ଚମତ୍କାର ପ୍ରଦର୍ଶନ କରି ୫୫-୫୧ରେ ସେଟ୍ ଜିତିଥିଲା । ଏହା ସହ ଭାରତ ୪-୨ରେ ଆଗୁଆ ହୋଇଯାଇଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଶେଷ ଶଟ୍‌ରେ କୁମକୁମଙ୍କ ଚମତ୍କାର

ଶେଷ ସେଟ୍‌ରେ ଭାରତକୁ ଅତିକମ୍‌ରେ ଡ୍ର’ ଆବଶ୍ୟକ ଥିଲା । ସମସ୍ତଙ୍କ ନଜର ଥିଲା କୁମକୁମଙ୍କ ଉପରେ । ଶେଷ ଶଟ୍‌ରେ ଭାରତ ପାଇଁ ୧୦ ପଏଣ୍ଟ ଆବଶ୍ୟକ ଥିଲା । କୁମକୁମ୍‌ ଚାପ ମଧ୍ୟରେ ଚମତ୍କାର ଭାବେ ୧୦ ପଏଣ୍ଟ ହାସଲ କରିଥିଲେ । ତାଙ୍କ ଏହି ଶଟ୍ ଭାରତର ବିଜୟକୁ ନିଶ୍ଚିତ କରିଥିଲା ଏବଂ ଟିମ୍ ଇଣ୍ଡିଆ ୫-୩ରେ ମ୍ୟାଚ୍ ଜିତି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଥିଲା ।

ଦକ୍ଷିଣ କୋରିଆକୁ ହରାଇ ଇତିହାସ ରଚିଲା ଭାରତ

ତୀରନ୍ଦାଜିରେ ଦକ୍ଷିଣ କୋରିଆକୁ ଏକ ଶକ୍ତିଶାଳୀ ଦଳ ଭାବେ ଗଣାଯାଏ । ଏହି କ୍ରୀଡ଼ାରେ ଦକ୍ଷିଣ କୋରିଆ ଦୀର୍ଘଦିନ ଧରି ପ୍ରଭାବଶାଳୀ ପ୍ରଦର୍ଶନ କରିଆସିଛି । ମହିଳା ରିକର୍ଭ ତୀରନ୍ଦାଜିରେ ମଧ୍ୟ ଦଳର ଦୀର୍ଘ ସଫଳତା ରହିଛି । କିନ୍ତୁ କୀର୍ତ୍ତି, କୁମକୁମ ଏବଂ ଅଙ୍କିତାଙ୍କ ଚମତ୍କାର ପ୍ରଦର୍ଶନ ଭାରତକୁ ଏହି ଐତିହାସିକ ସ୍ୱର୍ଣ୍ଣ ଦେଇଛି ।

ତୀରନ୍ଦାଜିରେ ଭାରତର ଚତୁର୍ଥ ସ୍ୱର୍ଣ୍ଣ

୨୦୨୬ ଏସିଆନ୍ ଗେମ୍ସରେ ତୀରନ୍ଦାଜିରୁ ଭାରତର ଏହା ଚତୁର୍ଥ ସ୍ୱର୍ଣ୍ଣ ପଦକ । ଏହା ପୂର୍ବରୁ ମହିଳା ଟିମ୍ କମ୍ପାଉଣ୍ଡ, ମିକ୍ସଡ୍ ଟିମ୍ କମ୍ପାଉଣ୍ଡ ଏବଂ ପୁରୁଷ ଟିମ୍ କମ୍ପାଉଣ୍ଡରେ ଭାରତ ସ୍ୱର୍ଣ୍ଣ ଜିତିଥିଲା । ଏହି ସ୍ୱର୍ଣ୍ଣ ସହ ୨୦୨୬ ଏସିଆନ୍ ଗେମ୍ସରେ ଭାରତର ମୋଟ ପଦକ ସଂଖ୍ୟା ୬୭ରେ ପହଞ୍ଚିଛି ।