Videos
|
Sports

IPL 2027 Trade / IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌ ଡିଲ୍‌, ହାର୍ଦ୍ଦିକଙ୍କ ବଦଳରେ ମୁମ୍ବାଇକୁ ଆସିବେ ଅର୍ଶଦୀପ

Santosh Kumar Sahoo
Browse all articles by Santosh Kumar Sahoo
·2 hours ago·2 min read
IPL ୨୦୨୭ ପୂର୍ବରୁ ବଡ଼ ଟ୍ରେଡ୍‌ ଡିଲ୍‌, ହାର୍ଦ୍ଦିକଙ୍କ ବଦଳରେ ମୁମ୍ବାଇକୁ ଆସିବେ ଅର୍ଶଦୀପ
IPL 2027 Trade

Key Points

ହାର୍ଦ୍ଦିକ-ଅର୍ଶଦୀପ ଟ୍ରେଡ୍‌ ଡିଲ୍‌ ପକ୍କା
BCCIର ମୋହରକୁ ଅପେକ୍ଷା
ମୁମ୍ବାଇ ଛାଡ଼ି ପଞ୍ଜାବ ଯିବେ ହାର୍ଦ୍ଦିକ

ଆଇପିଏଲ୍‌ ୨୦୨୭ ପାଇଁ ନଭେମ୍ବର ୧୭ ତାରିଖରେ ସମସ୍ତ ଫ୍ରାଞ୍ଚାଇଜି ନିଜ ନିଜ ରିଟେନ୍‌ ଓ ରିଲିଜ୍‌ ଖେଳାଳିଙ୍କ ତାଲିକା ଜାରି କରିବେ । ଏହା ପୂର୍ବରୁ ବିଭିନ୍ନ ଦଳ ମଧ୍ୟରେ ଖେଳାଳି ଟ୍ରେଡ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି । ତେବେ ସବୁଠାରୁ ଅଧିକ ଚର୍ଚ୍ଚା ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ହେବାକୁ ଥିବା ଏକ ବଡ଼ ଟ୍ରେଡ୍‌କୁ ନେଇ ହେଉଛି । ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଦଳରେ ଅର୍ଶଦୀପ ସିଂହ ମୁମ୍ବାଇ ଇଣ୍ଡିଆନ୍ସକୁ ଆସିପାରନ୍ତି । ଯଦି ଏହି ଡିଲ୍‌ ଚୂଡ଼ାନ୍ତ ହୁଏ, ତେବେ ହାର୍ଦ୍ଦିକ ଆଗାମୀ ସିଜିନ୍‌ରେ ପଞ୍ଜାବ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିପାରେ ।

ଜରତୀୟ ଗଣମାଧ୍ୟମର ଏକ ନୂଆ ରିପୋର୍ଟ ଅନୁସାରେ, ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ଏହି ଟ୍ରେଡ୍‌ ଡିଲ୍‌ ପ୍ରାୟ ଚୂଡ଼ାନ୍ତ ହୋଇସାରିଛି । ଦୁଇ ଫ୍ରାଞ୍ଚାଇଜି ଡିଲ୍‌କୁ ଫାଇନାଲ୍‌ କରି ବିସିସିଆଇ ନିକଟକୁ ଚିଠି ପଠାଇଥିବା ଖବର ମିଳିଛି । ତେବେ ଏବେ ଖେଳାଳିଙ୍କ ଦରମା ଓ ଆର୍ଥିକ ଚୁକ୍ତିକୁ ନେଇ ଆଲୋଚନା ବାକି ରହିଛି । ଏହା ସମ୍ପୂର୍ଣ୍ଣ ହେବା ପରେ ଡିଲ୍‌ରେ ଦସ୍ତଖତ ହୋଇ ଅଫିସିଆଲ୍‌ ଘୋଷଣା ହୋଇପାରେ । ସୋସିଆଲ୍‌ ମିଡିଆରେ ଆସନ୍ତା ୭୨ ଘଣ୍ଟା ମଧ୍ୟରେ ଏହି ଟ୍ରେଡ୍‌ ଘୋଷଣା ହେବା ନେଇ ଚର୍ଚ୍ଚା ଚାଲିଛି । ତେବେ ଏହି ଟ୍ରେଡ୍‌ରେ ଉଭୟ ଦଳ କେବଳ ଜଣେ ଲେଖାଏଁ ଖେଳାଳିଙ୍କୁ ସାମିଲ କରୁଥିବା କୁହାଯାଉଛି ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଜଣେ ଦକ୍ଷ ଦ୍ରୁତ ବୋଲିଂ ଅଲରାଉଣ୍ଡର ଦଳରେ ସାମିଲ ହେଲେ ପଞ୍ଜାବ କିଙ୍ଗସ୍‌ର ଶକ୍ତି ନିଶ୍ଚିତ ଭାବେ ବୃଦ୍ଧି ପାଇବ । ବ୍ୟାଟିଂ ସହ ବୋଲିଂରେ ମଧ୍ୟ ହାର୍ଦ୍ଦିକ ଦଳକୁ ମଜବୁତ କରିପାରିବେ । ତେବେ ସେ ପଞ୍ଜାବ ଦଳରେ କେବଳ ଜଣେ ଖେଳାଳି ଭାବେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି । ଦଳର ଅଧିନାୟକ ଭାବେ ଶ୍ରେୟସ ଆୟର ହିଁ ଦାୟିତ୍ୱ ତୁଲାଇବେ। ତଥାପି ହାର୍ଦ୍ଦିକ ଦଳରେ ସାମିଲ ହେବା ପରେ ଲିଡରସିପ୍‌ ଗ୍ରୁପ୍‌ର ଅଂଶ ହୋଇପାରନ୍ତି ।

ମୁମ୍ବାଇର ବୋଲିଂ ଶକ୍ତି ବଢ଼ାଇବେ ଅର୍ଶଦୀପ

ଆଇପିଏଲ୍‌ ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ବଡ଼ ଦୁର୍ବଳତା ଥିଲା ଦଳର ବୋଲିଂ ବିଭାଗ । ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରାହଙ୍କୁ ଅନ୍ୟ ବୋଲରଙ୍କଠାରୁ ଆବଶ୍ୟକ ସହଯୋଗ ମିଳୁନଥିଲା । ଏଭଳି ସ୍ଥିତିରେ ଅର୍ଶଦୀପ ସିଂହ ଯଦି ମୁମ୍ବାଇ ଦଳରେ ସାମିଲ ହୁଅନ୍ତି, ତେବେ ବୁମ୍‌ରାହଙ୍କ ସହ ତାଙ୍କ ଯୋଡ଼ି ଦଳର ବୋଲିଂକୁ ଆହୁରି ମଜବୁତ କରିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅର୍ଶଦୀପଙ୍କ ଆସିବା ପରେ ମୁମ୍ବାଇକୁ ଟ୍ରେଣ୍ଟ ବୋଲ୍ଟଙ୍କୁ ପ୍ଲେଇଂ ଇଲେଭେନ୍‌ରେ ରଖିବାକୁ ପଡ଼ିନପାରେ । ଏହାଦ୍ୱାରା ଦଳ ୱିଲ୍‌ ଜ୍ୟାକ୍ସଙ୍କୁ ଅଲରାଉଣ୍ଡର ଭାବେ ଖେଳାଇବାର ସୁଯୋଗ ପାଇପାରିବ । ତେବେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଭାବେ ଦଳରେ କର୍ବିନ୍‌ ବୋଶ୍‌ ରହିବେ ।

ରୋହିତ ହୋଇପାରନ୍ତି ମୁମ୍ବାଇର ନୂଆ ଅଧିନାୟକ !

ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଛାଡ଼ିଲେ ମୁମ୍ବାଇ ଇଣ୍ଡିଆନ୍ସକୁ ନୂଆ ଅଧିନାୟକ ଚୟନ କରିବାକୁ ପଡ଼ିବ । ଏହି ଦୌଡ଼ରେ ପୂର୍ବତନ ଅଧିନାୟକ ରୋହିତ ଶର୍ମା ସବୁଠାରୁ ଆଗରେ ଥିବା ଚର୍ଚ୍ଚା ହେଉଛି। ଅନ୍ୟପଟେ ଯୁବ ବ୍ୟାଟ୍ସମ୍ୟାନ୍‌ ତିଲକ ବର୍ମାଙ୍କୁ ଦଳର ନୂଆ ଉପଅଧିନାୟକ ଦାୟିତ୍ୱ ମିଳିପାରେ । ଯାହାଦ୍ୱାରା ଆଇପିଏଲ୍‌ ୨୦୨୮ ପାଇଁ ତାଙ୍କୁ ଅଧିନାୟକ ଭାବେ ପ୍ରସ୍ତୁତ କରାଯାଇପାରିବ ।

ତେବେ ଏହି ଟ୍ରେଡ୍‌ ଡିଲ୍‌ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଯଦି ହାର୍ଦ୍ଦିକ ଓ ଅର୍ଶଦୀପଙ୍କ ମଧ୍ୟରେ ଖେଳାଳି ଅଦଳବଦଳ ହୁଏ, ତେବେ ଆଇପିଏଲ୍‌ ୨୦୨୭ରେ ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ୍‌ର ଦଳୀୟ ସନ୍ତୁଳନରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିବ ।