ରୋହିତ ଶର୍ମା ଆଉ ୧୦ ବର୍ଷ ଖେଳିବା ଉଚିତ୍, ହିଟମ୍ୟାନଙ୍କୁ ନେଇ ବଡ଼ ବୟାନ ଦେଲେ ଏହି ଷ୍ଟାର୍ ବୋଲର

Key Points
ରୋହିତଙ୍କୁ ନେଇ ବଡ଼ ବୟାନ ଦେଲେ ଖଲିଲ୍ ଅହମ୍ମଦ । କହିଲେ, ରୋହିତ ଆଉ ୧୦ ବର୍ଷ ଭାରତୀୟ ଦଳର ଅଧିନାୟକ ରହିବା ଉଚିତ୍ ।
ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମା ୨୦୨୪ ଟି-୨୦ ବିଶ୍ୱକପରେ ଦଳକୁ ବିଜୟୀ କରାଇବା ପରେ ଟି-୨୦ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ସେହିପରି ଭାରତର ଇଂଲଣ୍ଡ ଗସ୍ତ ପୂର୍ବରୁ, ରୋହିତ ୭ ମେ'ରେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏବେ ସେ କେବଳ ଦିନିକିଆରେ ନଜର ଆସିବେ । ତେବେ ଏସବୁ ମଧ୍ୟରେ ଭାରତର ଜଣେ ଷ୍ଟାର ବୋଲର ଖଲିଲ ଅହମ୍ମଦ ଚାହୁଁଛନ୍ତି ଯେ ରୋହିତ ଶର୍ମା ଆଗାମୀ ଦଶ ବର୍ଷ ପାଇଁ ଭାରତର ଦିନିକିଆ ଦଳର ଅଧିନାୟକ ରୁହନ୍ତୁ ।
ରୋହିତ ଶର୍ମା ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ପୂର୍ବରୁ ବ୍ରୋଙ୍କୋ ଟେଷ୍ଟ ଏବଂ ୟୋ-ୟୋ ଟେଷ୍ଟ ମଧ୍ୟ ପାସ୍ କରିଛନ୍ତି। କିନ୍ତୁ ଏହି ସିରିଜ ପରେ ପ୍ରଶ୍ନ ରହିବ ଯେ ରୋହିତ ଶର୍ମା ଟେଷ୍ଟ ଏବଂ ଟି-୨୦ରୁ ଅବସର ନେବା ପରେ ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ଦିନିକିଆ ଖେଳିବେ କି ନାହିଁ ? କିନ୍ତୁ ଏହି ପ୍ରଶ୍ନ ମଧ୍ୟରେ, ଭାରତର ପେସ୍ ବୋଲର ଖଲିଲ ଅହମ୍ମଦ ରୋହିତ ଶର୍ମାଙ୍କ ସାମ୍ନାରେ ଏକ ବଡ଼ ଦାବି ରଖିଛନ୍ତି ।
ଭାରତର ଦ୍ରୁତ ବୋଲର ଖଲିଲ ଅହମ୍ମଦ ଜାତୀୟ ଗଣମାଧ୍ୟମରେ ଏକ ଆଲୋଚନାରେ କହିଛନ୍ତି ଯେ ରୋହିତ ଶର୍ମା ଆଗାମୀ ୧୦ ବର୍ଷ ପାଇଁ ଟିମ୍ ଇଣ୍ଡିଆର ଅଧିନାୟକ ହେବା ଉଚିତ । ଖଲିଲ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି। ଖଲିଲ ଅହମ୍ମଦ କହିଛନ୍ତି ଯେ 'ମୋର ବ୍ୟକ୍ତିଗତ ମତ ହେଉଛି ଟିମ୍ ଇଣ୍ଡିଆର ଉନ୍ନତି ପାଇଁ ରୋହିତ ଶର୍ମା ଆଗାମୀ ୧୦ ବର୍ଷ ପାଇଁ ଅଧିନାୟକ ରହିବା ଉଚିତ'।
📱 Get Argus News App
✨ଖଲିଲ୍ ଆହୁରି କହିଛନ୍ତି, ୨୦୧୮-୧୯ ସମୟରେ ମୁଁ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଏସିଆ କପରେ ଖେଳିଥିଲି । ସେ ମୋତେ ବହୁତ ଆତ୍ମବିଶ୍ୱାସ ଦେଇଥିଲେ, ମୁଁ ତାଙ୍କଠାରୁ ଜୁନିୟର ହୋଇଥିଲେ ମଧ୍ୟ ମୋ ଭିତରେ କିଛି ସ୍ବତନ୍ତ୍ର ଅଛି ବୋଲି ମେୋାତେ କହିଥିଲେ । ଏତେ ସଫଳ କ୍ରିକେଟର ମୋ ସହିତ କଥା ହେବା ପାଇଁ ସମୟ ବାହାର କରି ମୋତେ ପ୍ରେରଣା ଦେଇଥିଲେ, ମୋର ଆତ୍ମବିଶ୍ୱାସକୁ ବଢ଼ାଇଥିଲେ ।
ସେହିପରି ଖଲିଲ ଅହମ୍ମଦ ଆହୁରି କହିଛନ୍ତି ଯେ '୨୦୧୯ରେ ଯେତେବେଳେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସିରିଜ୍ ଚାଲିଥିଲା । ରାଜକୋଟରେ ଖେଳାଯାଇଥିବା ଏକ ମ୍ୟାଚରେ ମୋର ଦିନ ଏତେ ଭଲ ନଥିଲା । ମୁଁ ସେହି ମ୍ୟାଚରେ ମାତ୍ର ଗୋଟିଏ ଓ୍ବିକେଟ ନେଇଥିଲି । ଏହା ପରେ ରୋହିତ ଶର୍ମା ଡ୍ରେସିଂ ରୁମରେ ମୋ ପାଖକୁ ଆସି କଥା ହୋଇଥିଲେ। ସେ ମୋତେ କହିଥିଲେ ଯେ ତୁମ ଭିତରେ କ'ଣ କ୍ଷମତା ଅଛି ତାହା ତୁମେ ଜାଣିନାହଁ।'